Unknown

 

 

 

 

 

 

 

 

 

 

 

ଭାରତୀୟ କଥାକାର

ନବଘନ ପଣ୍ଡା

 

 

 

 

 

 

 

 

 

 

 

 

 

ମୋର ଆଦ୍ୟ ଗୁରୁ–ମାତୁଳ ଭଗତ ନାୟକଙ୍କ ସ୍ଵର୍ଗତ ଆତ୍ମା ଉଦ୍ଦେଶ୍ୟରେ

 

ନିଜକଥା

 

ଓଡ଼ିଆରେ ଚରିତ ସାହିତ୍ୟର ଇତିହାସ ପ୍ରାଚୀନ । ଅତିବଡ଼ି ଜଗନ୍ନାଥଙ୍କ ଜୀବନ କାହାଣୀ ‘ଜଗନ୍ନାଥ ଚରିତାମୃତ’ ଛାତ୍ରରେ ବିବୃତ । କବି-ଲେଖକଙ୍କର ବ୍ୟକ୍ତିତ୍ଵ ସ୍ଵକୀୟ ଛାତ୍ରରାଜିରେ ପ୍ରକୀର୍ଣ୍ଣ ହୋଇଥାଏ ଯାହା ଅବଶୋଷ ଥାଏ ତାହା ଜୀବନ କାହାଣୀରେ ଵିବୃତ ହୋଇଥାଏ । ବହୁ ଉତ୍‍ଥାନ ପତନ ଗମ୍ଭୀର ପନ୍ଥାରେ ସାଧକର ପ୍ରତିଭା, ପ୍ରବଳ ଅଗ୍ନିଦାହରେ ଶୁଦ୍ଧସୁବର୍ଣ୍ଣ ପରି ପରିଶୁଦ୍ଧ ହୋଇଥାଏ । ଭାବିପଥିକ ସେହି ଉତ୍ସର୍ଗୀକୃତ ଜୀବନାୟନରୁ ଉତ୍ସାହ–ପ୍ରେରଣା ଲାଭକରି ଜୀବନ ଗଠନ କରେ ।

 

‘ଅଧୁନା’ ପରିଚାଳନା ସମ୍ପାଦକ ‘ଭାରତୀୟ କଥାକାର’ ସ୍ତମ୍ଭସ୍ଥାୟୀ ଭାବରେ ଆରମ୍ଭ କରି ମୋ’ ଉପରେ ବିଭିନ୍ନ ଭାରତୀୟ ଭାଷାର ବିଶିଷ୍ଟ କଥାଶିଳ୍ପୀଙ୍କ ସମ୍ବନ୍ଧରେ ଲେଖିବାକୁ ଦାୟିତ୍ଵ ଦେଲେ । ମୁଁ ହିନ୍ଦୀ ସାହିତ୍ୟର ପ୍ରଥିତଯଶା କଥାକାର ‘ଯଶପାଲ’ଙ୍କ ଜୀବନ କଥାରୁ ତାହା ଆରମ୍ଭ କଲି । ଏହି ନୂତନ ଆରବଧ ସ୍ତମ୍ଭଟି ଲୋକପ୍ରିୟ ହୋଇଥିଲା କାରଣ ଅନ୍ୟାନ୍ୟ ପତ୍ରିକମାନଙ୍କରେ ଅନୁରୂପ ସ୍ତମ୍ଭ ମଧ୍ୟ ସ୍ଥାନିତ ହୋଇଛି ।

 

ଭାରତୀୟ କଥାଶିଳ୍ପୀମାନଙ୍କ ଜୀବନ କାହାଣୀରୁ ବହୁ ବିଷୟ ଶିକ୍ଷା କରାଯାଇପାରେ: ତଥା ଆମର ପଡ଼ୋଶୀ ସାହିତ୍ୟ ସମ୍ବନ୍ଧରେ କିଛି ଜାଣିବା ମଧ୍ୟ କର୍ତ୍ତବ୍ୟ । ଏ ସମ୍ବନ୍ଧରେ ମାଲୟାଲମ ଭାଷାର ପ୍ରସିଦ୍ଧ ଲେଖକ ଶ୍ରୀ ଶଙ୍କରନ ପୋଟେକାଟ୍ଟୁଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ ଉତ୍ସବରେ ଭାରତର ପୂର୍ବତନ ରାଷ୍ଟ୍ରପତି ମାନ୍ୟବର ନୀଲମ ସଞ୍ଜୀବ ରେଡ୍‍ଡୀ ମହୋଦୟ କହିଥିଲେ–“ଆମେ ବିଦେଶର ଲେଖକ ମାନଙ୍କୁ ବେଶୀ ଜାଣୁ, କିନ୍ତୁ ନିଜ ପଡ଼ୋଶୀ ରାଜ୍ୟମାନଙ୍କର ଲେଖକ ଓ କବିଙ୍କ ସହିତ ବିଶେଷ ପରିଚିତ ନୋହୁ । ଏହା ଆମ ଦେଶର ଏକ ବିଚିତ୍ର କଥା ।” ଏହି ଦୃଷ୍ଟିରୁ ବିଷୟଗୁଡ଼ିକ ସଙ୍କଳନ କରି ପୁସ୍ତକାକାରରେ ପ୍ରକାଶ କରିବାକୁ ଆଗ୍ରହୀ ହେଲି । ପୁସ୍ତକାକାରରେ ପ୍ରକାଶ ପୂର୍ବରୁ ଆବ୍ୟଶକୀୟ ପରିବର୍ତ୍ତନ ଓ ପରିବର୍ଦ୍ଧନ ମଧ୍ୟ କରାଯାଇଛି । ଏଥିରେ ସନ୍ନିବିଷ୍ଟ ଜୀବନ କାହାଣୀତକ ଅଧୁନାରେ ପ୍ରକାଶ ପାଇଥିଲା କେବଳ କେବଳ ବନଫୁଲଙ୍କ ଜୀବନ କାହାଣୀ ‘ଗଳ୍ପ ତରଙ୍ଗ’ ପୃଷ୍ଠାମଣ୍ଡନ କରିଥିଲା । ପ୍ରକାଶନ ଅବକାଶରେ ଅଧୁନା ଓ ଗଳ୍ପ ତରଙ୍ଗର ସମ୍ପାଦନାଙ୍କୁ ଶ୍ରଦ୍ଧା ଜଣାଉଛି । ଏହି ପୁସ୍ତକର ପ୍ରଚ୍ଛଦ ଅଙ୍କନ କରିଛି ମୋ’ର ଜ୍ୟେଷ୍ଠ ପୁତ୍ର ଶ୍ରୀମାନ ସୁରଞ୍ଜନ । ଛାତ୍ରଟି ମନକୁ ଛୁଇଁଲେ ଶ୍ରମ ସାର୍ଥକ ହେବ ।

 

ତା–୧–୧୨–୮୨

ରାସପୂର୍ଣିମା ବିନୀତ

ରାଜେନ୍ଦ୍ର ପୁର

ଲେଖକ

Image

 

ବିଷୟ ସୂଚୀ

 

୧.

ସାମ୍ୟ-ପ୍ରବକ୍ତା ଭଗବତୀ

୨.

ଶାଳଗ୍ରାମ ସ୍ରଷ୍ଟା ରାଜକିଶୋର

୩.

ପଞ୍ଜାବ କୋକିଳା ଅମୃତା ପ୍ରୀତମ୍

୪.

ସମାନ୍ତରବାଦୀ କମଳେଶ୍ଵର

୫.

ଋଷିପ୍ରାଣ ଜୈନେନ୍ଦ୍ର କୁମାର

୬.

ଯୌବନ ସବୁଜ ଯଶପାଲ

୭.

ଦରଦୀ ଶିଳ୍ପୀ ଖ୍ୱାଜା ଅହମ୍ମଦ ଆବ୍ବାସ

୮.

ବ୍ୟଙ୍ଗକାର କୃଷ୍ଣଚନ୍ଦର

୯.

ସାହିତ୍ୟ ସାରଦା ଆଶାପୂର୍ଣ୍ଣା

୧୦.

ମାନବତା ପୂଜାରୀ ବନଫୁଲ

୧୧.

ମାନବତାର ଲିପିକାର ତାରାଶଙ୍କର

୧୨.

ବେଙ୍ଗୟିଲ କୁଞ୍ଜରାମନ ନାୟନାର

Image

 

ସାମ୍ୟ-ପ୍ରବକ୍ତା ଭଗବତୀ

 

ଓଡ଼ିଶାର ସାମ୍ୟବାଦୀ ଚିନ୍ତାଧାରା ପ୍ରବାହ ନିମନ୍ତେ ସ୍ୱର୍ଗତ ଭଗବତୀ ଚରଣଙ୍କ ଉଦ୍ୟମ ଅନସ୍ଵୀକାର୍ଯ୍ୟ । ସେ ପ୍ରସିଦ୍ଧ ପାଣିଗ୍ରାହୀ ବଂଶର ଉପଯୁକ୍ତ ଦାୟାଦ । ପିତା ସ୍ୱପ୍ନେଶ୍ଵର ଥିଲା ଦାର୍ଶନିକ । ଜ୍ୟେଷ୍ଠ ଓ ମଧ୍ୟମ ଭ୍ରାତା ଓଡ଼ିଆ ସାହିତ୍ୟରେ ଯଶସ୍ଵୀ ଓ ଲବ୍‌ଧ ପ୍ରତିଷ୍ଠ । ଅଗ୍ରଜ ଦିବ୍ୟସିଂହ ଥିଲେ କଥାଶିଳ୍ପୀ । ତାଙ୍କ ଲିଖିତ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପରେ ତାଙ୍କ ପରାକାଷ୍ଠା ଉତ୍କୀର୍ଣ୍ଣ-। ମଧ୍ୟମ ଭ୍ରାତା ପଦ୍ମଭୂଷଣ କାଳନ୍ଦୀ ଚରଣଙ୍କ ଲେଖନୀ କୁହୁକ ସ୍ପର୍ଶରେ ଋଦ୍ଧିମନ୍ତ ଓ ବର୍ଣ୍ଣାଢ଼୍ୟ । ତାଙ୍କ ରଚିତ ‘ମାଟିର ମଣିଷ’ ଭାରତୀୟ ଭାଷା ତଥା ଇଂରାଜୀରେ ଅନୁଦିତ ହୋଇ ଲୋକପ୍ରିୟ ହୋଇପାରିଛି । ସେହି ପରମ୍ପରାର ଯୋଗ୍ୟ ଦାୟାଦ ଭାବରେ ଭଗବତୀ ଚରଣ, ତାଙ୍କର ଅତ୍ୟଳ୍ପ ଆୟୁଷ୍କାଳ ମଧ୍ୟରେ ଓଡ଼ିଆ ସାହିତ୍ୟରେ ବଳିଷ୍ଠ ସ୍ଵାକ୍ଷର ରଖି ଯାଇଛନ୍ତି ।

 

ଭଗବତୀ ଚରଣ ୧୯୦୭ ମସିହାରେ ଭୂମିଷ୍ଠ ହୋଇଥିଲେ । ସେ ଭାଗବତ ଘରେ ଜନ୍ମ ହୋଇଥିବାରୁ ତାଙ୍କର ନାମକରଣ କରାଯାଇଥିଲା ଭାଗବତ । ତାହାକୁ ଖଣ୍ତନ ମଣ୍ଡନ କରି ଭଗବତୀ ଚରଣ କରାଯାଇଛି । ଛାତ୍ର ଜୀବନରେ ଭାରତୀୟ ରାଜନୀତି ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଘରେ ତାଙ୍କ ପ୍ରାଣରେ ଗାନ୍ଧିବାଦୀ ଦାନା ବାନ୍ଧିଥିଲା; କାରଣ କାଳିନ୍ଦୀ ଚରଣ ଥିଲେ ଗାନ୍ଧିବାଦୀ । ଗାନ୍ଧି ଦର୍ଶନ ପ୍ରଭାବରେ ଉଦ୍‌ବୁଦ୍ଧ କାଳିନ୍ଦୀ ‘ମାଟିର ମଣିଷ’ ରଚନା କରିଛନ୍ତି । ଏଣୁ ଭଗବତୀ ତାଙ୍କର ବନ୍ଧୁମାନଙ୍କ ନିକଟରେ କାଳିନ୍ଦୀ ଚରଣଙ୍କୁ ରାଜନୀତିକ ଗୁରୁଭାବରେ ପ୍ରକାଶ କରିଛନ୍ତି । ଗାନ୍ଧିଜୀଙ୍କ ଆହ୍ୱାନରେ ସ୍କୁଲ କଲେଜରୁ ଛାତ୍ରମାନେ ଅଧ୍ୟୟନକୁ ଜଳାଞ୍ଜଳି ଦେଇ ଦେଶ ପ୍ରେମର ପ୍ରବଳ ବନ୍ୟା ସ୍ରୋତରେ ନିଜକୁ ହଜାଇ ଦେଇଥିଲେ । ଆଚାର୍ଯ୍ୟ ନରେନ୍ଦ୍ରଦେବ, ଆଚାର୍ଯ୍ୟ କୃପାଳନୀଙ୍କ ପରି ଦିଗ୍‍ଗଜ ପଣ୍ଡିତମଣ୍ଡଳୀ ମଧ୍ୟ ଦେଶ ସେବା ନିମନ୍ତେ ନିଜକୁ ଉତ୍ସର୍ଗ କରିଥିଲେ । ଭଗବତୀଙ୍କ ପରି ବଳିଷ୍ଠ ପ୍ରତିଭାଧର ବ୍ୟକ୍ତି ଦେଶପ୍ରେମରେ ଉଦ୍‌‌ବୁଦ୍ଧ ନ ହୋଇ ରହି ପାରିବାର ସମ୍ଭାବନା କାହିଁ ? ସେତେବେଳେ ସେ ପ୍ରଥମେ କଂଗ୍ରେସଦଳରେ ଯୋଗ ଦେଇଥିଲେ, ପରବର୍ତ୍ତୀ କାଳରେ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ପ୍ରବର୍ତ୍ତିତ କଂଗ୍ରେସ–ସାମ୍ୟବାଦୀ ଦଳରେ ସେ ଯୋଗ ଦେଇଥିଲେ । ସେ ବାରିପଦାରେ ଅନ୍ୟ ଦୁଇଜଣ ଅଗ୍ରଜଙ୍କ ସହିତ ଅବସ୍ଥାନ କାଳରେ ବଙ୍ଗୀୟ ଯୁବକ ବ୍ରଜେନ୍ଦ୍ରନାଥ ପାଲଙ୍କ ସହିତ ତାଙ୍କର ଭେଟ ହୁଏ । ବ୍ରଜେନ୍ଦ୍ରନାଥ ଥିଲେ ମାର୍କସ ଦର୍ଶକ ଏବଂ ପୁଞ୍ଜିବାଦୀ ଓ ବସ୍ତୁବାଦୀ, ତର୍କ ଶାସ୍ତ୍ରରେ ସୁପଣ୍ଡିତ । ଫଳରେ ଭଗବତୀ ସେହି ନୂତନ ଆଲୋକ ସଂସ୍ପର୍ଶରେ ଅଧିକ ଭାସ୍ୱର ଓ ପ୍ରଭାବିତ ହୋଇ ପଡ଼ନ୍ତି-

 

ଭଗବତୀ ସମାଜବାଦୀ ଦର୍ଶନରେ ପ୍ରଭାବିତ ହୋଇ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ସଂଗଠନ ଆରମ୍ଭ କଲେ । ସେ ସେଥିରେ ପ୍ରଥମ ସମ୍ପାଦକ ଓ ଜୀବନର ଶେଷ ପର୍ଯ୍ୟନ୍ତ ସେହି ଦାୟିତ୍ୱ ଚଳାଇ ଆସୁଥିଲେ । ନବ ଯୁଗର ବାର୍ତ୍ତାବହ ଭାବରେ ସାମ୍ୟବାଦ ଗଙ୍ଗାଧାରା ପ୍ରବାହ ନିମନ୍ତେ ତାଙ୍କୁ ଓଡ଼ିଶାର ଭାଗୀରଥ ବୋଲିବାକୁ ହେବ । ତାଙ୍କ ପ୍ରତିଷ୍ଠିତ ଦଳର ବିଚାର ଧାରା ପ୍ରଚାର ନିମନ୍ତେ ସାପ୍ତାହିକ ପତ୍ରିକା ‘ମୁକ୍ତିଯୁଦ୍ଧ’ ଓ ‘ଆଧୁନିକ’ ପ୍ରକାଶ କରୁଥିଲେ । ଦ୍ୱିତୀୟ ବିଶ୍ଵଯୁଦ୍ଧରେ ହିଟଲରଙ୍କ ବିରୁଦ୍ଧରେ ରୁଷିଆର ସଂଗ୍ରାମକୁ ସେ ଜନଯୁଦ୍ଧ ଆଖ୍ୟାଦେଇ ନାନା ପ୍ରକାର ଦୁଃସାହସିକ କାହାଣି ଓ ରୁଷବାସୀଙ୍କ ପ୍ରାଣମୂର୍ଚ୍ଛା ଯୁଦ୍ଧ ବିଷୟରେ ନାନାପ୍ରକାର ଲେଖା ପ୍ରକାଶ କରୁଥିଲେ । ସେ ଜାଣନ୍ତି ପାର୍ଟିକୁ ପ୍ରାଣ ସ୍ପନ୍ଦନରେ ପ୍ରମୂର୍ତ୍ତ କରିବାକୁ ହେଲେ ସାହିତ୍ୟ ଜରିଆରେ ତାର ଜୀବନ୍ୟାସ ଏକାନ୍ତ ଆବଶ୍ୟକ । ଏଣୁ ନବଯୁଗ ସାହିତ୍ୟ ସଭା ନାମରେ ଗୋଟିଏ ଅନୁଷ୍ଠାନ ପ୍ରତିଷ୍ଠା ତାଙ୍କ ଦୂର ଓ ଭୂୟୋଦୃଷ୍ଟିର ପରିଚୟ ଦିଏ ।

 

ଭଗବତୀ ସାମ୍ୟବାଦୀ ଚିନ୍ତାଧାରାରେ କେତେ ତଲ୍ଲୀନ ଓ ତଦ୍‍ଗତ ଥିଲେ ତାହା ଗୋଟିଏ ଉଦାହରଣରୁ ଜଣା ପଡ଼ିଥାଏ । ଦିନେ ସେ ତାଙ୍କର ମଧ୍ୟମ ଭ୍ରାତା କାଳନ୍ଦୀ ଚରଣଙ୍କୁ ପ୍ରସ୍ତାବ ଦେଲେ ଯେ, ପୈତୃକ ଜମିବାଡ଼ି, ଘରଦ୍ଵାର ଯାହା କିଛି ତାଙ୍କ ଭାଗରେ ଅଛି, ତାହା ସବୁ ସେ ବିକ୍ରୀ କରି ଦେବାକୁ ଚାହାନ୍ତି; ତାଙ୍କର ପ୍ରାଇଭେଟ ପ୍ରପର୍ଟି ବା ବ୍ୟକ୍ତିଗତ ସମ୍ପତ୍ତି ଉପରେ ମାଲିକାନାକୁ ସେ ସ୍ୱୀକାର କରନ୍ତିନାହିଁ । କାଳନ୍ଦୀ ଚରଣ ଆଶ୍ଚର୍ଯ୍ୟ ହେଲେ । ସେ ଯୁକ୍ତି ଦର୍ଶାଇଲେ ଯେ ଯଦି ପୈତୃକ ସମ୍ପତ୍ତି ଉପରେ ତାଙ୍କର ଅଧିକାର ଉପରେ ବିଶ୍ଵାସ ନାହିଁ, ତେବେ ତାକୁ ବିକ୍ରୀ କରି ଧନ ନେବାର ଯୁକ୍ତି ଆସୁଛି କୁଆଡ଼ୁ ? ଏ ଯୁକ୍ତିର ଉତ୍ତର ସ୍ଵରୂପ ତାଙ୍କ ପ୍ରାପ୍ୟ ଭାଗକୁ ସେ ତାଙ୍କୁ ଛାଡ଼ିଦେଲେ । ପ୍ରତିଯୁକ୍ତିରେ ଅଗ୍ରଜ କହିଲେ, (ସେତେବେଳକୁ ଦିବ୍ୟସିଂହଙ୍କର ଦେହାନ୍ତ ହୋଇ ସାରିଥାଏ’) ଯେ ତାଙ୍କର ସନ୍ତାନମାନଙ୍କୁ ସେଥିରୁ ବଞ୍ଚିତ କରିବାର ଅଧିକାର ତାଙ୍କର ଆସିଲା କାହୁଁ ? ଏହାର ଉତ୍ତର ଅବଶ୍ୟ ସେ ଦେଇପାରି ନଥିଲେ, କେବଳ ଅଭିମାନସିକ୍ତ କଣ୍ଠରେ କହିଥିଲେ ଯେ ସେ ଯଦି ଗାନ୍ଧିବାଦୀ ନ ହୋଇ ଲେନିନ ପନ୍ଥାର ସମର୍ଥକ ହୋଇଥାନ୍ତେ, ଏ କଥା କହନ୍ତେ ନାହିଁ ।

 

କମ୍ୟୁନିଷ୍ଟ ପାର୍ଟିର ପ୍ରଧାନ ଲକ୍ଷ ହେଲା ଦେଶର ଶୋଷିତ, ପିଷ୍ଟ, ଅତ୍ୟଚାରିତ ସର୍ବହରା ଗୋଷ୍ଠୀର ମୁକ୍ତି; ଅର୍ଥାତ୍ ବଞ୍ଚିବା ଓ ବଢ଼ିବା ମଧ୍ୟରେ ଦ୍ଵନ୍ଦ୍ଵର ଅବସାନ ଘଟାଇ ବଞ୍ଚିତର ସ୍ଵାର୍ଥରକ୍ଷା, ଏଣୁ ସେ କୃଷକ ଆନ୍ଦୋଳନରେ ଅନ୍ତର୍ଭୁକ୍ତ ହେଲେ । ୧୯୩୮ ରେ ଜେନାପୁରଠାରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେଠାକୁ ତକାଳୀନ ଛବିଶ ଗଡ଼ଜାତର ଅବହେଳିତ, ନିଷ୍ପେଷିତ’ ଅତ୍ୟାଚାରିତ କୃଷକମାନଙ୍କୁ ଆହ୍ଵାନ କରାଯାଇଥିଲା । ଭଗବତୀ ଚରଣଙ୍କ ନେତୃତ୍ଵରେ ସେହି ସମ୍ମିଳନୀରେ କମ୍ୟୁନିଷ୍ଟମାନେ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲେ । କୃଷକ ପତ୍ରିକା ସେହି ଉଦ୍‌‍ବେଳନ ଓ ନବଚେତନାର ପରିବାହକ ଭାବରେ ପ୍ରତିଷ୍ଠିତ ହେଲା । କୃଷକ ସମ୍ମିଳନୀର ମୁଖପତ୍ର ରୂପେ ପ୍ରକାଶ ପାଇଲା ଓ ପରିଚାଳନା ମଣ୍ଡଳୀରେ ଭଗବତୀ ଚରଣ ବିଶିଷ୍ଟ ସ୍ଥାନ ଲାଭ କରିଥିଲେ ।

 

୧୯୩୯ ରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେଲା । ବ୍ରିଟିଶ ସରକାରଙ୍କ ସହିତ ଯୁଦ୍ଧରେ ଅସହଯୋଗ କରିବାପାଇଁ ସେତେବେଳେ ଗାନ୍ଧିଜୀ ଦେଇଥିବା ଆହ୍ୱାନକୁ ମଧ୍ୟ କମ୍ୟୁନିଷ୍ଟ ପାର୍ଟି ଗ୍ରହଣ କରିନେଲା । ଫଳତଃ କମ୍ୟୁନିଷ୍ଟ କର୍ମୀମାନେ ଯୁଦ୍ଧ ବିରୋଧୀ–ପ୍ରଚାର ଚଲାଇଲେ । ଏହି ସମୟରେ ମାର୍କସବାଦ, ପୃଥିବୀର ଅବସ୍ଥା, କୃଷକ ଆନ୍ଦୋଳନ ଓ ଯୁଦ୍ଧ ସମ୍ବନ୍ଧୀୟ ଶିକ୍ଷାଦାନ ନିମନ୍ତେ ଚଳମାନ–ଶିକ୍ଷା–ଶିବିର ଆରମ୍ଭ କରାଗଲା । ପ୍ରତିଦିନ ସକାଳେ, ଖରାବେଳେ ଓ ସନ୍ଧ୍ୟାବେଳେ ଏହି ଶିକ୍ଷାଶିବିର କାର୍ଯ୍ୟକରେ । ପ୍ରତ୍ୟେକ ଶିବିର ଭିନ୍ନ ଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଥାଏ । କର୍ମୀମାନେ ଅବସର ସମୟରେ ଘର ଘର ବୁଲି ଲୋକମାନଙ୍କ ଆର୍ଥିକ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତି । ସନ୍ଧ୍ୟାବେଳେ ସେହି ବିଷୟ ଆଲୋଚନାରେ ସ୍ଥାନ ପାଏ । ଏହି ଚଳମାନ–ଶିକ୍ଷା–ଶିବିର ଯେଉଁମାନେ ପରିଚାଳନା କରୁଥିଲେ, ସେମାନଙ୍କ ମଧ୍ୟରେ ଭଗବତୀ ଥିଲେ ଅନ୍ୟତମ । ଲୋକମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଜାଗରଣ ସୃଷ୍ଟି ହେଲା । ବ୍ୟାପକ ଗିରଫଦାରୀ ଚାଲିଲା । ବହୁ କଂଗ୍ରେସ–କମ୍ୟୁନିଷ୍ଟ କର୍ମୀ ବନ୍ଦୀ ହେଲେ । ସେତେବେଳେ ଭଗବତୀ ଓ ତାଙ୍କର ଅନ୍ୟ ସାତଜଣ ସହକର୍ମୀଙ୍କ ବିରୁଦ୍ଧରେ ଯେଉଁ ମାମଲା ସ୍ଵତନ୍ତ୍ର ଅଦାଲତରେ ବିଚାର ପାଇଁ ଗୃହୀତ ହୋଇଥିଲା, ତାହା କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲା ବା କମ୍ୟୁନିଷ୍ଟ କନସ୍ପିରେସି କେସ୍ ନାମରେ ଅଭିହିତ ।

 

ଭାରତ ସରକାର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ଓ ତା’ର ସମସ୍ତ ଶାଖାମାନଙ୍କୁ ବେଆଇନ୍‌ ବୋଲି ଘୋଷଣା କଲେ । ଯେଉଁମାନେ ସେହି ବେଆଇନ୍ ଦଳର ସଭ୍ୟ ବୋଲି ଅଭିଯୁକ୍ତ ହେଲେ, ସେମାନଙ୍କ ମଧ୍ୟରେ ଭଗବତୀ ଅନ୍ତର୍ଭୁକ୍ତ ଥିଲେ । ଏହି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଉଦ୍ଦେଶ୍ୟ ଥିଲା ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟରେ ଦେଶରେ ଆଭ୍ୟନ୍ତରୀଣ ବିପ୍ଳବ ଓ ଗୋଳମାଳ ସୃଷ୍ଟି କରିବା ସଙ୍ଗେ ସଙ୍ଗେ “ଯୁଦ୍ଧ ବିରୁଦ୍ଧରେ ଯୁଦ୍ଧ”, ‘ଆଗେଇ ଚାଲ’, ‘ସର୍ବରରାର ପଥ’ ପ୍ରଭୃତି ପାମ୍ପଲେଟ ଏବଂ ଲିଫଲେଟ ଛାପି ବାଣ୍ଟିବା ଓ ନିଜଦଳର ପ୍ରତିପତ୍ତି ବୃଦ୍ଧି କରି ସେଥିପ୍ରତି ଦେଶର ଜନ–ଗଣ–ମନକୁ ଆକର୍ଷଣ କରିନେବା । ଏହି ଦଳର ବହୁ କାଗଜପତ୍ର ଉତ୍କଳ କମ୍ୟୁନିଷ୍ଟ ପାର୍ଟି ନିକଟକକୁ ଆସୁଥାଏ । ଏହାର କେନ୍ଦ୍ର ଅଫିସ ବମ୍ବେଠାରେ କାର୍ଯ୍ୟ କରୁଥାଏ । କାଗଜପତ୍ର ଖୁବ୍ ଲୁକ୍‌କାୟିତ ଭାବରେ ଆସିବାର କଥା । ଏଣୁ ପାର୍ଟି ଲୋକଙ୍କ ନାମରେ ଚିଠିପତ୍ର, ପାର୍ଶଲ, ପ୍ରଭୃତି ଆସେ ନାହିଁ । କେତେ ଜଣ ଦଳର ଦୃଢ଼ ସମର୍ଥକ ବିଶ୍ଵସ୍ତ ଲୋକ ଥାନ୍ତି; ସେମାନଙ୍କ ପାଖକୁ ପାର୍ଟିର ଜିନିଷ ଆସେ ଓ ତାହା ପାର୍ଟି ପାଇଯାଏ । ସେହି ବିଶ୍ଵସ୍ତ ଲୋକମାନଙ୍କୁ ପୋଷ୍ଟ ବାକ୍‌ସ ନାମ ଦିଆଯାଇଥାଏ । କଟକ ଛତ୍ରବଜାରଠାରେ ସାଗର ସୋପ ଫ୍ୟାକ୍ଟ୍ରି ବୋଲି ଗୋଟିଏ ସାବୁନ କାରଖାନା ଥାଏ । ତା’ର ସ୍ଵତ୍ଵାଧିକାରୀ ଥାନ୍ତି କୃଷ୍ଣମୋହନ ମହାନ୍ତି । ଏହି ଫ୍ୟାକ୍ଟ୍ରିର ଗୋଟିଏ ପୋଷ୍ଟ ବାକ୍‌ସ ଥାଏ । ୧୯୪୦ ମସିହାରେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ଭଗବତୀ ଚରଣଙ୍କୁ ଦେଢ଼ବର୍ଷ ନିମନ୍ତେ କାରାଦଣ୍ଡ ହେଲା ।

 

୧୯୪୩ ରେ ଭଗବତୀ କାରଗାରରୁ ମୁକ୍ତି ଲାଭକଲେ । ସେତେବେଳେ ପୁରୀ ଅଞ୍ଚଳରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥାଏ । ଶହ ଶହ ଲୋକ ମୃତ୍ୟୁର କରାଳ କବଳରେ ପଡ଼ି ଶ୍ଵାସରୁଦ୍ଧ ଅବସ୍ଥାରେ ଥାନ୍ତି । ଭଗବତୀଙ୍କ କୋମଳ ପ୍ରାଣରେ ଏହି କରାଳ ବିଭୀଷିକା ବିଶେଷ ଧକ୍‌କା ଦେଲା । ସେ ପାରିକୁଦ ଓ ବ୍ରହ୍ମଗିରି ଅଞ୍ଚଳ ଗସ୍ତ କଲେ । ସେଠାକାର ଅବସ୍ଥା ତାଙ୍କୁ ବ୍ୟଥିତ ଓ ବିବ୍ରତ କଲା । ସେଠାରୁ ସେ ବ୍ରହ୍ମପୁର ଗଲେ । ଗଞ୍ଜାମ ଗସ୍ତରୁ କଲେରାର ତୀବ୍ର ଆକ୍ରମଣରେ ଭଗ୍ନସ୍ଵାସ୍ଥ୍ୟ ନେଇ କଟକ ଫେରି ଆସି ଡାକ୍ତରଖାନାରେ ଚିକିତ୍ସିତ ହେଲେ । ସେ କଲେରା ୱାର୍ଡ଼ରେ ରହିବାକୁ ଭଲ ପାଉନଥାନ୍ତି । ତାଙ୍କର ଚକ୍ଷୁ କୋଟରଗତ । କଥା କହିବାକୁ ଶକ୍ତି ନଥାଏ । ଡାକ୍ତର ଖାନାରେ ତାଙ୍କୁ ସାଲାଇନ ଦିଆଯାଉଥାଏ । ସେ ଡାକ୍ତରଙ୍କୁ ପ୍ରଶ୍ନ କଲେ–Well doctor, what do you find. (କ’ଣ ଦେଖୁଛନ୍ତି ଡାକ୍ତର?) ଡାକ୍ତର ଉତ୍ତର ଦେଲେ–Men may come and men may go but l go for ever. ଇଂରେଜ କବି ଲର୍ଡ଼ ଟେନିସନଙ୍କ River of life କବିତାରୁ ଗୋଟିଏ ଛତ୍ର ଉଦ୍ଧାର କରି ଉତ୍ତର ଦେଲେ ଅର୍ଥାତ୍ ସୀମିତ ପରମାୟୁ ଭିତରେ ମହାଜୀବନର ଚିରନ୍ତନ ଗତିକୁ ଲକ୍ଷ୍ୟ କରାଯାଇଛି । ଭଗବତୀ କଲେରା ୱାର୍ଡ଼ରେ ନ ରହି ଅନ୍ୟତ୍ର ରହିବାକୁ ଚାହିଁଲେ । ଡ଼ାକ୍ତରଖାନାରେ ସେପରି ସୁଯୋଗ ନ ଥିବାରୁ ସେ ଘରକୁ ପଳାଇ ଆସିବା ନିମନ୍ତେ ଜିଦ୍ ଧରି ବସିଲେ । ସେତେବେଳେ ସେ ଡଗରପଡ଼ାରେ ସ୍ଵତନ୍ତ୍ର ଘରଭଡ଼ା ନେଇ ରହୁଥାନ୍ତି । ସେଠାକୁ ତାଙ୍କୁ ଅପସାରଣ କରାଗଲା । ଡାକ୍ତରଖାନାରେ ଯେଉଁ ଅବସ୍ଥା ଥିଲା ତାହା ଘରେ ପରିବର୍ତ୍ତିତ ହେଲାନାହିଁ । ୧୯୪୩ ଅକ୍ଟୋବର ୨୩ ତାରିଖ ରାତିରେ ଅବସ୍ଥା ସଙ୍କଟାପନ୍ନ ହୋଇଉଠିଲା । ସେ କ୍ଷୀଣ କଣ୍ଠରେ ତାଙ୍କ ମଧ୍ୟମ ଭ୍ରାତାଙ୍କୁ କହିଲେ–‘ମୋ କଥା ବୁଝ’ ସେହି ପଦକ କଥା ତାଙ୍କର ଶେଷ ଉକ୍ତି ହୋଇଗଲା । ନିଶୀଥ ରାତ୍ରରେ ତାଙ୍କର ପ୍ରାଣବାୟୁ ଅନନ୍ତ କାଳସ୍ରୋତରେ ମିଶିଗଲା ।

 

ଅଗ୍ରଜମାନଙ୍କପରି ଭଗବତୀ ଥିଲେ ଗାଳ୍ପିକ । ସତ୍ୟବାଦୀ ସବୁଜ ପରମ୍ପରାରରେ ଯେଉଁ ସାହିତ୍ୟକ ବିଭାଗ ସ୍ଫଷ୍ଟ, ବଳିଷ୍ଠ ହୋଇପାରି ନଥିଲା, ତାହା ଭଗବତୀଙ୍କ ଆଶ୍ଚର୍ଯ୍ୟ ଯାଦୁ ସ୍ପର୍ଶରେ ପୁଲକିତ ଓ ମୂର୍ତ୍ତିମନ୍ତ ହୋଇଉଠିଲା । ପ୍ରଗତିବାଦର ମୃଦୁମଳୟ ସ୍ପର୍ଶରେ ଭାରତୀୟ କଥା–ସାହିତ୍ୟ ମୃକୁଳିତ ହୋଇ ଋଦ୍ଧି–ସିଦ୍ଧି ଦିଗରେ ଜୟଯାତ୍ରା କଲାବେଳକୁ ଓଡ଼ିଆ ସାହିତ୍ୟରେ ତା’ର ଅୟମାରମ୍ଭ ପର୍ବ ଆରମ୍ଭ ହୋଇ ନଥିଲା । ମାତ୍ର ଭଗବତୀଙ୍କ ଲେଖନୀ ସେହି ବିଚିତ୍ର ବର୍ଣ୍ଣାଢ଼୍ୟ ବିସ୍ତୀର୍ଣ୍ଣ ଦିଗନ୍ତର ସନ୍ଧାନ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କଲା । ତାଙ୍କ ଲେଖନୀ ବିପୁଳସ୍ରାବିନୀ ନୁହେଁ, ଅଜସ୍ରତା ସବୁବେଳେ ଉତ୍କର୍ଷର ବାହକ ହୋଇନଥାଏ । ସେହି ଦୃଷ୍ଟିରୁ ଭଗବତୀଙ୍କ ଲେଖନୀ ବିପୁଳତାର ଅଧିକାରୀ ନହୋଇ ମଧ୍ୟ ଉତ୍କର୍ଷର ଧାରିକ । ତାଙ୍କ ରଚିତ ଜଙ୍ଗଲୀ, ଜୀବନର ସମାଧି, ବଞ୍ଚିତା ପ୍ରଭୃତି ଗଳ୍ପମାନଙ୍କ ମଧ୍ୟରୁ ‘ଶିକାର’ ଓଡ଼ିଆ ଗଳ୍ପ ସାହିତ୍ୟରେ ଗୋଟିଏ ଉଜ୍ଜ୍ୱଳ ରତ୍ନ । ଏହି କ୍ଷୁଦ୍ର ଗଳ୍ପରେ ଶ୍ରେଷ୍ଠ କ୍ଷୁଦ୍ରଗଳ୍ପର ସକଳ ଉପାଦାନ ସୃଗୁମ୍ପିତ ।

 

କ୍ଷୁଦ୍ରଗଳ୍ପ ସାହିତ୍ୟର ଗୋଟିଏ ନବୀନ ବିଭାବ । ଅବଶ୍ୟ କାହାଣୀ ପୃଥିବୀର କେଉଁ ଅତୀତ ଯୁଗରୁ ଲୋକମୁଖରେ ପ୍ରତିଷ୍ଠିତ । ମଣିଷ କାହାଣୀ ଶୁଣିବାକୁ ସତତ ଉତ୍ସାହୀ । ଏପରି କୌଣସି ଲୋକ ନାହିଁ ଯେ ଗଳ୍ପ ଶୁଣିବାକୁ ଆଗ୍ରହଶୀଳ ନୁହେଁ; ମାତ୍ର ଆଧୁନିକ କ୍ଷୁଦ୍ର ଗଳ୍ପ ଆତ୍ମିକ ଓ ଆଙ୍ଗିକ ସଜ୍ଜାରେ ପୁରାତନଠାରୁ ସମ୍ପୂର୍ଣ୍ଣ ପୃଥକ୍ । ସେଥିରେ କବିତାର ସ୍ଵର ମୂର୍ଚ୍ଛନା ଓ କଳ୍ପନା ବିଳାସ, ନାଟକୀୟ ଘଟନା ବିନ୍ୟାସ ଓ ସଂଳାପ, ଉପନ୍ୟାସର ବିଚିତ୍ର ବର୍ଣ୍ଣ ଜୀବନାଲେଖ୍ୟ ଓ ପ୍ରବନ୍ଧର ଗମ୍ଭୀର ଚିନ୍ତା ଏକାଧାରରେ ବିଦ୍ୟାମାନ, ଅଥଚ ଏହା କବିତା ନୁହେଁ କି ନାଟକ ନୁହେଁ ବା ଉପନ୍ୟାସରେ ଜୀବନାଲେଖ୍ୟ ଚିତ୍ରଣର ଯେଉଁ ବିରାଟ ଦିଗ୍‍ମଣ୍ତଳ ବିଦ୍ୟମାନ କ୍ଷୁଦ୍ର ଗଳ୍ପରେ ସେ ସୁଯୋଗ ନାହିଁ । କ୍ଷୁଦ୍ରଗଳ୍ପରେ ଜୀବନର କୌଣସି ବିଶିଷ୍ଟ ଅଙ୍ଗ ବା ମନୋଭାବ ପ୍ରଦର୍ଶିତ ହୋଇଥାଏ । ଚରିତ୍ର ଚିତ୍ରଣ, ଶୈଳୀ ଓ କଥା ବିନ୍ୟାସର ସମବାୟରେ ତାହା ପରିପୁଷ୍ଟ ହୋଇଥାଏ-। ଉପନ୍ୟାସରେ ଯେପରି ମାନବଜୀବନର ସମ୍ପୂର୍ଣ୍ଣ ଓ ବୃହତ୍ ରୂପ ପ୍ରଦର୍ଶନର କ୍ଷେତ୍ର ବିଦ୍ୟମାନ, ସେପରି ଅବକାଶ କ୍ଷୁଦ୍ର ଗଳ୍ପରେ ନଥାଏ । ଯଥାର୍ଥରେ କୁହାଯାଇଛି ଉପନ୍ୟାସ ଲତା ବୃକ୍ଷ ପରି ଶୋଭିତ ଉଦ୍ୟାନ ଏବଂ କ୍ଷୁଦ୍ରଗଳ୍ପ ହେଉଛି ବାରଣ୍ଡାରେ ସଜ୍ଜିତ କୁଣ୍ଡ ବର୍ଦ୍ଧିତ କେତେ ଗୋଟି କୁସୁମ–ଗୁଳ୍‌ମ । ବିଶେଷ କଥୋପକଥନ, ନାଟକୀୟତା ଦେଶ କାଳ, ବାତାବରଣ ଓ ଉଦ୍ଦେଶ୍ୟ ଇତ୍ୟାଦି କ୍ଷୁଦ୍ରଗଳ୍ପ ରଚନାର ମୂଳ ଉପାଦାନ, ଏ ସବୁର ସୁ ସମନ୍ୱୟ ହିଁ ଉତ୍କୃଷ୍ଟ କ୍ଷୁଦ୍ରଗଳ୍ପ-

 

ଶିକାର ଗଳ୍ପର ପ୍ରଧାନ ପାତ୍ର ଘିନୁଆ । ସେ ଜଣେ ସଫଳ ଶିକାରୀ ଲେଖକଙ୍କ ଭାଷାରେ–“ଧନୁଶର ସାହାଯ୍ୟରେ ସେ ହରିଣ, ସମ୍ବର, ବାର୍‌ହା, ଭାଲୁ ମାରିଛି ଅଗଣନ । ଚିତାବାଘ ବି ଅନେକ ମାରିଛି; କିନ୍ତୁ ମହାବଳ ମାରିଛି ଜମା ଦୁଇଟି ।” ଜନ୍ତୁ ଜାନୁଆର ମଣିଷ ତଥା ସଭ୍ୟତାର ଶତ୍ରୁ । ସେମାନଙ୍କୁ ମାରି ତା’ ମନରେ ଦୃଢ଼ ଧାରଣ ହୋଇଥାଏ, ମାନବର ଶତ୍ରୁ ନିପାତ କରିବା ହିଁ କର୍ତ୍ତବ୍ୟ ଡୋରା, ମେଳିଆ ଝପଟସିଂହଙ୍କୁ ମାରି ପୁରସ୍କୃତ ହୋଇଥିବାରୁ ସେ ଉତ୍ସାହିତ ହୋଇଥିଲା । ସମାଜର ଏପରି ରକ୍ତ ଶୋଷକ ଓ ନାନା ଦୁର୍ନିତି ଗ୍ରସ୍ତ ଗୋବିନ୍ଦ ସର୍ଦ୍ଦାର କୁ ମାରି ନିଶ୍ଚୟ ପୁରସ୍କୃତ ହେବ ବୋଲି ମନେ ମନେ ଭାବିଥିଲା । ତାକୁ କଳାପାଣି ପାର ହେବାକୁ ପଡ଼ିବ ବାଃ ସେ ଫାଶିପାଇବ ଏ କଥା ଭାବି ପାରୁ ନଥିଲା; କାରଣ ଲେଖକଙ୍କ ଭାଷାରେ–“ସେ ଜାଣିଲା ନାହିଁ ଯେ ଗୋଟିଏ ଗୌରବର ବିଷୟ, ଅନ୍ୟଟି ଦୋଷାବହ । ଆଇନ୍‌ର ସୂକ୍ଷ୍ମ ଜାଲ ଭିତରେ ପଶିବାକୁ ତା’ର ମୁଣ୍ଡ କାହିଁ ? ସେ ବଣୁଆ ସାନ୍ତାଳ ।” ଲେଖକ ଘିନୁଆ ଚରିତ୍ର ଚିତ୍ରଣରେ ବକ୍ରୋକ୍ତିର ସାହାଯ୍ୟ ନେଇ ଭାଷାକୁ ତୀକ୍ଷ୍‌ଣ ଓ ଶକ୍ତିଶାଳୀ କରିଛନ୍ତି । ତାହା ତାଙ୍କ ବଳିଷ୍ଠ ଲେଖନ ଶକ୍ତିର ପରିଚାୟକ । ସମାଜରେ ଗୋବିନ୍ଦ ସର୍ଦ୍ଦାର ପରି ନରଚକ୍ତ ଶୋଷକ, ଅତ୍ୟାଚାରୀ, ବ୍ୟଭିଚାରୀ ଓ ଆଇନ୍ ଆଖିରେ ଧୂଳି ଦେବାର ବହୁତ ଲୋକ ଅଛନ୍ତି । ସରଳ ଭାବରେ ବୁଝିଲେ ଯେଉଁମାନେ ସମାଜ ବ୍ୟବସ୍ଥାରେ ଘୋର ବାଧକ, ଘିନୁଆ ପରି ନିରିହ ସରଳ ଲୋକ ନିଶ୍ଚିନ୍ତ ଭାବରେ ନିଷ୍ପେସିତ, ଅବହେଳିତ, ଲୁଣ୍ଠିତ ଓ ଲାଞ୍ଛିତ ହେବେ । ସେମାନଙ୍କ ଝିଅ ବୋହୁ, ସ୍ତ୍ରୀ ମାନଙ୍କର ଇଜ୍ଜତ ଲୁଣ୍ଠନ କରି ସାମନ୍ତ ସାହୀ ଗୋବିନ୍ଦ ସର୍ଦ୍ଦାରମାନେ ମୋଟର ଚଢ଼ି ବେଶ୍ ଖସି ଯାଇପାରିବେ । ଆଇନ୍ ସେମାନଙ୍କୁ ଧରିପାରିବେ ନାହିଁ ।

 

ଶିକାରୀ ଘିନୁଆର ସରଳ ମନର ଅଭିବ୍ୟକ୍ତି ପାଠକ ହୃଦୟଙ୍ଗମ କରେ । ସେ ନରହନ୍ତା ହେଲେ ମଧ୍ୟ ତା’ ପାଇଁ ହୃଦୟରେ ସହାନୁଭୂତି ଓ ସମର୍ଥନ ଜାତ ହୁଏ । ଲେଖକ ସାମ୍ୟବାଦୀ ଦର୍ଶନର ଅପୂର୍ବ ଛାତ୍ରନ ବେଶ ମାର୍ମିକ ଭାବରେ ଏହି ଗଳ୍ପରେ କରିଛନ୍ତି । ସେହି ବାଦର ସ୍ୱତନ୍ତ୍ର ଶବ୍ଦାବଳୀ ପ୍ରଗତିବାଦୀ ସାହିତ୍ୟରେ ଦେଖାଯାଏ; କିନ୍ତୁ ସଂଶିତ ଗଳ୍ପରେ ତାହା ଆଦୌ ସ୍ଥାନ ନ ପାଇଥିଲେ ମଧ୍ୟ ସେହି ଉଦ୍ଦେଶ୍ୟର ପ୍ରାଣ ସ୍ପନ୍ଦନ ବେଶ୍ ଅନୁଭୂତ ହୁଏ । ଏହାହିଁ ବଳିଷ୍ଠ ପ୍ରତିଭା ର ଦ୍ୟୋତକ । ସମ୍ପ୍ରତି ଏହି ଗଳ୍ପ ମୃଗୟା ନାମରେ ଚଳଚ୍ଚିତ୍ର ରେ ରୂପାନ୍ତରିତ ହୋଇ ରାଷ୍ଟ୍ରପତି ପୁରସ୍କାର ଲାଭ କରିଅଛି । ‌

 

ସେ ଯେ କେବଳ ଗଳ୍ପ ଲେଖି ସାହିତ୍ୟ ସେବାରୁ ନିବୃତ୍ତ ହୋଇଛନ୍ତି ତାହା ନୁହେଁ । ଖୁବ୍ କମ୍ ହେଲେ ମଧ୍ୟ ସାହିତ୍ୟାଲୋଚନା ଦିଗରେ ତାଙ୍କର ଯଥେଷ୍ଟ ଶକ୍ତି ଓ ଦକ୍ଷତା ଥିଲା । ‘ସହକାର’ କୋଳମଣ୍ଡନ କରୁଥିବା କଥା ସାହିତ୍ୟରେ କଳା ବୈଚିତ୍ର୍ୟତାର ବଳିଷ୍ଠ ପ୍ରମାଣ । ସେ ନୋବେଲ ପୁରସ୍କାର ପ୍ରାପ୍ତ “ଲେସମା ଲେତାର ଲେଫ” ଙ୍କ ଲିଖିତ ‘ଆଉଟ୍ କାଷ୍ଟ୍’ ଉପନ୍ୟାସଟି ଅନୁବାଦ କରି ଉତ୍କଳ ସାହିତ୍ୟ ର ପ୍ରକାଶ ନିମନ୍ତେ ଦେଇଥିଲେ; କିନ୍ତୁ ପରେ ପାଣ୍ଡୁଲିପିଟି ସମ୍ପାଦକଙ୍କ ଠାରୁ ଫେରାଇ ଆଣିଲେ; କାରଣ ଭଗବତୀ ଚରଣ ଥିଲେ ଗାନ୍ଧିଜୀଙ୍କ ଭକ୍ତ । ବିଶ୍ୱନାଥ କର ମହୋଦୟ କିନ୍ତୁ ଗାନ୍ଧିଜୀଙ୍କ ନୀତି ଓ ପଛକୁ କଟୁ ସମାଲୋଚନା କରନ୍ତି । ଥରେ ଏ ବିଷୟରେ ତର୍କ ବିତର୍କ ଅତି ତୀବ୍ର ଆକାର ଧାରଣ କଲା । ଦିନେ ସେ ସମ୍ପାଦକ ମହୋଦୟଙ୍କୁ କହିଲେ ଯେ ଆପଣଙ୍କ ସହିତ ରାଜନୈତିକ ମତାନୈକ୍ୟ ସୃଷ୍ଟି ହୋଇଛି । ତାଙ୍କ ଲେଖା ସେ କାଗଜରେ ବାହାରିବାର ନୁହେଁ । ଏଣୁ ସେ ପାଣ୍ଡୁଲିପି ଫେରାଇ ନେବେ । ସେତେବେଳେ ବିଶ୍ୱନାଥ କରଙ୍କ ସ୍ଥାନ ବିଦ୍ୱାନ ମଣ୍ଡଳୀରେ ଅତି ଉଚ୍ଚରେ ଥାଏ । ତାଙ୍କ ମତବାଦକୁ ମୁହେଁ ମୁହେଁ ସମାଲୋଚନା କରିବାର ଶକ୍ତି ଅନନ୍ୟ ସାଧାରଣ ବୋଲିବାକୁ ହେବ ।

 

ଭଗବତୀ କେବଳ ଯେ ଗଦ୍ୟ ରଚନାରେ ଧୂରୀଣ ତାହା ନୁହେଁ, ତାଙ୍କ ରଚିତ ସଙ୍ଗୀତ ମଧ୍ୟ ସେତେବେଳେ ବହ୍ନିମାନ ଥିଲା । ଲୋକ ଚିତ୍ତରେ ଅପୂର୍ବ ଉନ୍ମାଦନା ଭରି ଦେଉଥିଲା ।

 

“ଯାଆରେ ମନ ଯାଆରେ

ରୁଷିଆ ଦେଶକୁ ଚାହାଁରେ

ରୁଷିଆ ଦେଶରେ ବସିଛି ଲେଲିନ

ଟେକି ଦେଇଅଛି ବାହାରେ ।”

 

ସେ ଥିଲେ ଯେପରି କର୍ତ୍ତବ୍ୟନିଷ୍ଠ, ଯତ୍ନଶୀଳ କର୍ମୀ, ସେହିପରି ସରସ ପରିହାସ ରସିକ-। ୧୯୪୩ ରେ ବଙ୍ଗଳାରେ ଦୁର୍ଭିକ୍ଷ ପଡ଼ିଥାଏ । ଅବାଧ ବାଣିଜ୍ୟ ସୂତ୍ରରେ ପଡ଼ୋଶୀରାଜ୍ୟ କୁ ଖାଦ୍ୟ ଶସ୍ୟ ବୁହା ଚାଲିଥାଏ, ଫଳରେ ଓଡ଼ିଶାରେ ମଧ୍ୟ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଲା । ସେତେବେଳେ ଓଡ଼ିଶାରେ ପାରଳା ଗଜପତି ଙ୍କ ନେତୃତ୍ଵରେ ମନ୍ତ୍ରୀ ମଣ୍ଡଳ ଗଠିତ ହୋଇଥାଏ । ଶଙ୍କରପୁରରେ କମ୍ୟୁନିଷ୍ଟପାର୍ଟି ଲୋକମାନଙ୍କୁ ସଂଗଠନ କରି ଅବାଧ ବାଣିଜ୍ୟ ବିରୁଦ୍ଧରେ ଆନ୍ଦୋଳନ ଚଳାଇଲେ । ପ୍ରାୟ ଦୁଇ ହଜାର ଲୋକ ବାଉଁସିଆ, ପାଛିଆ ଧରି ପଟୁଆରରେ ଓଡ଼ିଶା ବିଧାନସଭାକୁ ଗଲେ । ସେତେବେଳେ ବିଧାନ ସଭାର ଅଧିବେଶନ ରେଭେନ୍‌‌ସା କଲେଜରେ ହୋଉଥାଏ । ଏହି ଆନ୍ଦୋଳନ ଫଳରେ ଅବାଧ ବାଣିଜ୍ୟ ବନ୍ଦ ହେଲା । ଖାଦ୍ୟ କମିଟିମାନ ଗଠନ କରାଗଲା । କଟକ ସହର ପାଇଁ ଗୋଟିଏ ଖାଦ୍ୟ କମିଟି ଭଗବତୀ ଚରଣଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହେଲା । ସେହି କମିଟିର ସଭାପତି ହେଲେ ସମ୍ପ୍ରତି ପାଟନା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ମାନ୍ୟବର ହରିହର ମହାପାତ୍ର ଓ ସମ୍ପାଦକ ହେଲେ ଭାରତ ସେବକ–ସମାଜର ସଭ୍ୟ ଶ୍ରୀ ଶ୍ୟାମସୁନ୍ଦର ମିଶ୍ର । ସେତେବେଳେ ଭଗବତୀ ଚରଣ କମୁନିଷ୍ଟ ହେଲେ ମଧ୍ୟ ତାଙ୍କ ଉଦ୍ୟମରେ ଗଠିତ ଖାଦ୍ୟ କମିଟିର ପ୍ରଭାବଶାଳୀ ତଥା ଅଣ ରାଜନୀତିକ ଲୋକମାନେ ଭାଗନେବା କମ ଆଶ୍ଚର୍ଯ୍ୟଜନକ ବ୍ୟାପର ନୁହେଁ । କାରଣ ସେତେବେଳେ ଭାରତରେ କମ୍ୟୁନିଷ୍ଟମାନଙ୍କର ପ୍ରତିଷ୍ଠା ନଥିଲା, ଏହା ଭଗବତୀଙ୍କ ଦୃଢ଼ ବ୍ୟକ୍ତିତ୍ଵର ପରିଚାୟକ ।

 

ଭଗବତୀ କିପରି ପରିହାସପଟ୍ଟ ଥିଲେ ଗୋଟିଏ ଘଟଣାରୁ ତା’ର ପରିଚୟ ମିଳିପାରିବ-। ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଭାରତ ଯୋଗଦେବା ବିଷୟରେ ନେତାମାନେ ବିରୁଦ୍ଧାଚରଣ କରୁଥିଲେ । ଖୋର୍ଦ୍ଧା ହାଟସାହିଠାରେ ଯୁଦ୍ଧବିରୋଧୀ ଭାଷଣ ଦେଉଥିବା ବେଳେ ନେତାମାନଙ୍କୁ ଧରିଆଣି ସେମାନଙ୍କ ବିରୁଦ୍ଧରେ ରାଜଦ୍ରୋହ ମାମଲାରେ ମୋକଦ୍ଦମା ଆଗତ କରାଗଲା । ସେତେବେଳେ କୃଷକ ଆନ୍ଦୋଳନ ମଧ୍ୟ ଚାଲି ଥାଏ । ସେହି ଆନ୍ଦୋଳନର ନେତାମାନଙ୍କ ବିରୁଦ୍ଧରେ ମଧ୍ୟ ସେହିପରି ମୋକଦ୍ଦମା ସରକାରଙ୍କ ତରଫରୁ ଆଗତ କରାଯାଇଥିଲା । ଏହି ମୋକଦ୍ଦମାରେ ଅଭିଯୁକ୍ତମାନଙ୍କ ତରଫରୁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରକ ମାନ୍ୟବର ରାଜକିଶୋର ଦାସ ଓକିଲ ଥା’ନ୍ତି । ଭଗବତୀ ଚରଣ ତାଙ୍କୁ ସାହାଯ୍ୟ କରୁଥାନ୍ତି । ଏହି ମୋକଦ୍ଦମା ବିଚାରବେଳେ ଖୋର୍ଦ୍ଧା କୋର୍ଟ ଲୋକାରଣ୍ୟ ହେଉଥାଏ । ଓକିଲ ମହୋଦୟ ମିଶଲକୁ ଯିବା ନିମନ୍ତେ ଦିନେ ରାସ୍ତା ପାଉନଥାନ୍ତି; ସଙ୍ଗେ ସଙ୍ଗେ କ୍ଷୀଣକାୟ ଭଗବତୀ ଚରଣ ଗୋଟିଏ ଚୌକି ଉପରକୁ ଉଠିଗଲେ, ରହସ୍ୟକରି କହିଲେ—“ଭାଇମାନେ ଯାତ୍ରା ଦେଖିବାକୁ ଆସିଛ, ଯେଉଁମାନେ ଯାତ୍ରା କରିବେ ସେମାନଙ୍କୁ ତ ବାଟ ଛାଡ଼ୁନାହିଁ–ଯାତ୍ରା ଦେଖିବ କିପରି ?” ସଙ୍ଗେ ସଙ୍ଗେ ଲୋକମାନେ ଦୁଇ ଆଡ଼କୁ ଆଡ଼େଇ ଯାଇ ରାସ୍ତା କରିଦେଲେ । ଭଗବତୀ ସଙ୍ଗେ ସଙ୍ଗେ ଓକିଲଙ୍କୁ କହିଲେ–“ଦେଖିଲେ, ସରକାର ସିନା ଆମ୍ଭମାନଙ୍କ କଥା ଶୁଣୁ ନାହାନ୍ତି, ଲୋକେ ଠିକ୍ ବୁଝୁଛନ୍ତି । ଆମ୍ଭେମାନେ ସେମାନଙ୍କୁ ବୁଝାଇଲେ ଆମ୍ଭଙ୍କୁ ବାନ୍ଧି ପକାଉଛନ୍ତି ।” ସମସ୍ତେ ହସି ଉଠିଲେ । ମାନ୍ୟବର ଦାସ ମହୋଦୟ ଭଗବତୀଙ୍କୁ ସ୍ମରଣକରି ଲେଖିଛନ୍ତି–“କଚେରୀର ଗମ୍ଭୀର ବାତାବରଣରେ ସେ ତାଙ୍କୁ ଯେ କେବଳ ସାହାଯ୍ୟ କରୁଥିଲେ ତାହା ନୁହେଁ, ପରିହାସପୂର୍ଣ୍ଣ କଥା କହି ତାଙ୍କୁ ଉତ୍ସାହିତ କରୁଥିଲେ ।” ଏହା ରସିକ–କଳା–ପ୍ରେମୀ ଲୋକ ବ୍ୟତୀତ ଆଉ କାହାଠାରେ ସମ୍ଭବ ହୋଇପାରିବ ନାହିଁ ।

Image

 

ଶାଳଗ୍ରାମ ସ୍ରଷ୍ଟା ରାଜକିଶୋର

 

“ଯେ କୌଣସି ସାହିତ୍ୟିକର ଚିନ୍ତା, ଭାବନା ବା ତାଙ୍କର ସାହିତ୍ୟ ବିଚାର କରିବାକୁ ହେଲେ ବା ସାମାଜିକ ପ୍ରଗତି–ଇତିହାସରେ ଯେଉଁ ବିଶେଷ ସ୍ତରରେ ସେହି ସାହିତ୍ୟିକଙ୍କର ଅଭ୍ୟୁତଥାନ ହୋଇଛି ସେହି ସ୍ତର, ସେହି ସମୟ ଏବଂ ସେହି ସମାଜର ପରିବେଶକୁ ଆମକୁ ମନେ ରଖିବାକୁ ହେବ ।” (ଯୁବ ସଂସ୍କୃତି–ଶରତ ସ୍ମରଣେ)

 

ଚଳିତ ଶତାବ୍ଦୀର ଷଷ୍ଠ ଦଶନ୍ଧି ଆରମ୍ଭରେ କ୍ଷୀଣାୟୁ ‘ଚନ୍ଦ୍ରିକା’ ମାସିକ ପତ୍ରର ସମ୍ପାଦକ କ୍ଷୋଭ ପ୍ରକାଶ କରି ବିଜ୍ଞାପନ ଛାପିଥିଲେ ଯେ, ପ୍ରତିମାସ ବହୁ ସଂଖ୍ୟାରେ ପତ୍ରିକାରେ ପ୍ରକାଶନ ପାଇଁ କବିତା ମିଳୁଛି । ଗଦ୍ୟ ଲେଖା ଖୁବ୍ କମ୍ । ଏଣୁ ଲେଖକଗଣ ଗଦ୍ୟ ରଚନା ପଠାଇବାକୁ ସେ ନମ୍ର ନିବେଦନ କରିବା ସଙ୍ଗେ ସଙ୍ଗେ ଗଦ୍ୟରଚନା ପାଇଁ ପ୍ରେରଣା ଦେଇଥିଲେ କହିବାକୁ ହେବ । ଏହି ଘଟଣାରୁ ସ୍ପଷ୍ଟ ମନେହେବ ଯେ, ସେତେବେଳେ ଗଦ୍ୟ ରଚନା ଖୁବ୍ କମ୍ ହେଉଥିଲା-। ଗାଳ୍ପିକ–ଔପନ୍ୟାସିକ ରାଜକିଶୋର ପଟ୍ଟନାୟକଙ୍କ ଜୀବନ ସେତେବେଳେ ମଧ୍ୟାହ୍ନ ସୂର୍ଯ୍ୟ ସଦୃଶ ଦେଦୀପ୍ୟମାନ । ସେହି ସମୟକୁ ତାଙ୍କ ଲିଖିତ ଗଳ୍ପ ଉପନ୍ୟାସ ଏଗାର ଖଣ୍ଡ ପୁସ୍ତକାକାରରେ ପ୍ରକାଶ ପାଇ ସାରିଥାଏ । ସେହି ଦଶନ୍ଧିରେ ଅନ୍ୟ ଜଣେ ଯୁଗନ୍ଧର ଗାଳ୍ପିକ ଅଧ୍ୟାପକ ରାଜକିଶୋର ରାୟଙ୍କ ଓଡ଼ିଶାର ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ପ୍ରତି ଆବେଦନ ମଧ୍ୟ ପ୍ରଣିଧାନ ଯୋଗ୍ୟ-

 

ଓଡ଼ିଆ ସାହିତ୍ୟ ସ୍ଵାଧୀନତାର ପୂର୍ବ ମୁହୂର୍ତ୍ତରେ ଏପରି ଏକ ସନ୍ଧି ସ୍ଥଳରେ ଥାଏ ଯେ, ତା’ର ଉନ୍ନତି ହେଉଛି ବୋଲି ଅବବୋଧ ହେଉନଥାଏ । ସେତେବେଳେ ଅଧ୍ୟ୍ୟାପକ ରାୟ ମତ ପ୍ରକାଶ କରିଥିଲେ ଯେ, ଯେଉଁମାନେ ଉପାଧ୍ୟତ୍ତର ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ସେମାନେ ଯଦି ପ୍ରତ୍ୟେକ ଖଣ୍ଡିଏ ଲେଖାଏଁ ସତ୍ ସାହିତ୍ୟ (ଉନ୍ନତ ସାହିତ୍ୟ) ପୁସ୍ତକ ପ୍ରଣୟନ କରନ୍ତେ ତେବେ ଓଡ଼ିଆ ସାହିତ୍ୟର ପ୍ରଭୂତ ଉନ୍ନତି ସାଧିତ ହୁଅନ୍ତା ।

 

ଉପର୍ଯ୍ୟୁକ୍ତ ଆଖ୍ୟାନାବଳୀ ଉଦ୍ଧାର କରିବାର କାରଣ ହେଉଛି–ରାଜକିଶୋର ପଟ୍ଟନାୟକ ଯେଉଁ ଯୁଗରେ କଲମ ଧାରଣ କରିଥିଲେ ସେତେବେଳେ ଓଡ଼ିଆ ସାହିତ୍ୟର ଉନ୍ନତି ନିମନ୍ତେ ଉଦ୍‌‌ଯୋଗ ପର୍ବ ଆରମ୍ଭ ହେଉଥାଏ । ରାଜକିଶୋର ସ୍ଵାଧୀନ ଜୀବିକା ସଙ୍ଗେ ସାହିତ୍ୟ ଚର୍ଚ୍ଚା କରିବାକୁ ପ୍ରଧାନ୍ୟ ଦାନ କରିଥିବା ଉପଲ୍‌ବଧ ହୁଏ । ଫଳରେ ଓଡ଼ିଆ ସାହିତ୍ୟର ଉନ୍ନତିରେ ଯେଉଁମାନଙ୍କ ଅବଦାନ ବିଦ୍ୟମାନ ରାଜକିଶୋର ପଟ୍ଟନାୟକ ସେମାନଙ୍କ ମଧ୍ୟରୁ ଅନ୍ୟତମ ।

 

ରାଜକିଶୋର ୧୯୧୭ ମସିହା ଅପ୍ରେଲ ମାସରେ କଲିକତାଠାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତା ଶ୍ରୀବତ୍ସ ପଟ୍ଟନାୟକ ଚାକିରି କରୁଥାନ୍ତି । ସେ ଭଞ୍ଜଭୂମି ଭଞ୍ଜନଗର ବା ରସଲକୋଣ୍ଡାରେ ଆଦିବାସୀ । ଶ୍ରୀବତ୍ସ ପଟ୍ଟନାୟକ ସରକାରୀ ଚାକିରି କରୁଥିବାରୁ କେତେବେଳେ କଲିକତାରେ ତ କେତେବେଳେ ଟାଟାରେ ଆଉ କେତେବେଳେ ଭାଗଲପୁରରେ । ଏପରି ସାତ ଜାଗାରେ ବୁଲିଲା ବେଳେ ପିଲାମାନଙ୍କ ଶିକ୍ଷାଦୀକ୍ଷା ବାଧାପ୍ରାପ୍ତ ହେଲା ଭୟରେ ପରିବାରକୁ କଟକରେ ଅବସ୍ଥାପନ କଲେ । କଟକ ରେଭେନ୍‌ସା କଲିଜିୟେଟ ସ୍କୁଲରୁ ମାଟ୍ରିକ ପାଶ୍‌କରି ରେଭେନ୍‌ସା କଲେଜରେ ବିଜ୍ଞାନ ଅଧ୍ୟୟନ କଲେ । ବି. ଏସ୍‌ସି. ପାଶ୍‌କଲା ପରେ ସେ ଆଇନ ଅଧ୍ୟୟନ କଲେ । ଆଇନରେ ସେ ଉପାଧୁଂତ୍ତର ଶିକ୍ଷା ଲାଭ କରି ମଧୁସୁଦନ ଆଇନ ମହାବିଦ୍ୟାଳୟର ଅଧ୍ୟାପକ ଭାବରେ ନିଯୁକ୍ତି ପାଇଥିଲେ । ଛାତ୍ରାବସ୍ଥାରେ ସେ ଯେପରି ମେଧାର ଅଧିକାରୀ ଥିଲେ ସେହିପରି ଖେଳ, କସରତ୍‌ରେ ମଧ୍ୟ ଅଗ୍ରଗାମୀ ଥିଲେ । ଫୁଟବଲ, ଭଲି, କ୍ରିକେଟରେ ସେ ଥିଲେ ଦୁର୍ଦ୍ଦାନ୍ତ ଖେଳୱାର୍ଡ଼ ।

 

ସେହି ଅଗ୍ରଗାମୀ ଖେଳାଳୀ କ୍ରିକେଟ ବ୍ୟାଟ ଛାଡ଼ି କଲମ ଧରିଲେ । ସେହି କଲମ ଏବେ ବି ନିରଳସ ଗତିରେ ଆଗେଇ ଚାଲିଛି । ସେ ରେଭେନ୍‌ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ସେତେବେଳର ପ୍ରସିଦ୍ଧ ମାସିକ ପତ୍ରିକା ନବଭାରତରେ ତାଙ୍କ ଲିଖିତ ‘ମୋ ଚିଠି ଫାଇଲି’ ଧାରାବାହିକ ଭାବରେ ପ୍ରକାଶ ପାଇଥାଏ । ସେତେବେଳେ ‘ନବ ଭାରତ’ରେ ଜଣେ ଅର୍ବାଚୀନର ଲେଖା ପ୍ରକାଶ ପାଇବା ଏକ ଶକ୍ତିମତ୍ତାରେ ପରିଚାୟକ । ଏହି ଉପନ୍ୟାସ ଲେଖିବାର ଦୁଇବର୍ଷ ପୂର୍ବରୁ ସେ ଗୋଟିଏ ଇଂରେଜୀ ପୁସ୍ତକ ଅବଲମ୍ବନରେ ଉପନ୍ୟାସ ରଚନା କରିଥିଲେ ହେଲେ ତାହା ଆଜି ପର୍ଯ୍ୟନ୍ତ ବର୍ହିଲୋକ ଦର୍ଶନ କରିବାର ସୌଭାଗ୍ୟ ଅର୍ଜ୍ଜନ କରିନାହିଁ । ସେ କିନ୍ତୁ ଲେଖକ ଜୀବନ ଆରମ୍ଭ କରିଛନ୍ତି ଗଳ୍ପ ଲେଖାରୁ । ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ‘ପଥର’ ୧୯୩୬ରେ ‘ସହକାର’ ମାସିକ ମାତ୍ରିକାରେ ସ୍ଥାନ ପାଇଥାଏ । ସେତେବେଳେ ନବ ଭାରତ ଓ ସହକାର ଚନ୍ଦ୍ର, ସୂର୍ଯ୍ୟଙ୍କ ପରି ଉତ୍କଳ ସାହିତ୍ୟାକାଶକୁ ଭାସ୍ୱର ଓ ମହିମାନ୍ନିତ କରିଥାନ୍ତି । ଓଡ଼ିଆ ସାହିତ୍ୟର ପ୍ରଗତି କ୍ଷେତ୍ରରେ ଓ ଲେଖକ ସୃଷ୍ଟିରେ ଏମାନଙ୍କ ଦୃଢ଼ ବରଦହସ୍ତ କାର୍ଯ୍ୟ କରିଛି । ଏପରି ପ୍ରସିଦ୍ଧ ପତ୍ରିକାମାନଙ୍କରେ ଗଳ୍ପ ଉପନ୍ୟାସ ସ୍ଥାନ ପାଇବାରେ ତାଙ୍କୁ ଲେଖକ ଭାବରେ ସ୍ୱୀକୃତି ମିଳିଯାଇଛି, କହିବାକୁ ହେବ । ୧୮୩୮ ରେ ‘ସିନ୍ଦୂର ଗାର’ ଉପନ୍ୟାସ ପ୍ରକାଶ ପାଇଲା ପରେ ସେ ଲୋକପ୍ରିୟତା ଅର୍ଜନ କରିଥିଲେ ।

 

କେବଳ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅମିତ ଶକ୍ତିମାନ ବ୍ୟକ୍ତିତ୍ଵ ସୀମାବଦ୍ଧ ନ ହୋଇ ବିଭିନ୍ନ କ୍ଷେତ୍ରରେ ତାହା ପ୍ରସାରିତ ହୋଇଛି । ପ୍ରଥମେ ସେ ଜଣେ ଲେଖକ ଭାବରେ ପ୍ରକାଶକଙ୍କ ନିକଟରେ ନତଜାନୁ ହୋଇନାହାନ୍ତି । ଓଡ଼ିଆ ପ୍ରକାଶକ ଯେପରି ବ୍ୟବସାୟୀ ସେପରି ସାହିତ୍ୟନୁରାଗୀ ନୁହନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ବହି ପ୍ରକାଶକଙ୍କଠାରେ ସାହିତ୍ୟଗତ ତାତ୍ତ୍ୱିକ ବିଚାର ବୋଧର ଅଭାବ ପରିଲକ୍ଷିତ ହୁଏ । ରାଜନୀତିକ ମତବାଦବାହୀ ସାହିତ୍ୟ କଥା କଥା ନ କହିଲେ ଭଲ । କାରଣ ସ୍ଵାଧୀନ ଚିନ୍ତା ପ୍ରକାଶ କଲେ ସରକାରୀ ରକ୍ତଚକ୍ଷୁର ଶରବ୍ୟ ହେବାର ସମ୍ଭାବନା ଯଥେଷ୍ଟ । ତେଣୁ ପ୍ରକାଶକଗଣ ‘ଶତ ହସ୍ତେନ ବାଜୀନଂ’ ନ୍ୟାୟରେ ସେପରି କ୍ଷେତ୍ରରେ ଦୂରରେ ରହନ୍ତି । ରାଜକିଶୋର ତେଣୁ ନିଜର ସ୍ଵତନ୍ତ୍ର ପ୍ରକାଶନ ସଂସ୍ଥା ସ୍ଥାପନ କରିଛନ୍ତି-। ଓଡ଼ିଆ ଲେଖକମାନେ ପ୍ରକାଶକମାନଙ୍କ ଅତ୍ୟାଚାରପିଷ୍ଟ ନ ହେବାକୁ ଆହ୍ଵାନ ଜଣାଇଲେ ମଧ୍ୟ ଲେଖକ ମାନଙ୍କଠାରୁ କୌଣସି ସହଯୋଗ ଲାଭକରି ନାହାନ୍ତି ।

 

ସେ ଜଣେ ଆଇନ ବ୍ୟବସାୟୀ; ମାତ୍ର ବ୍ୟବସାୟୀ ବୁଦ୍ଧିଠାରୁ ଦୂରରେ ରହିଛନ୍ତି । ରୋଜଗାର ନିମନ୍ତେ ସେ ଆଇନକୁ ବ୍ୟବହାର ନ କରି ନ୍ୟାୟ ଓ ସତ୍ୟ ପ୍ରତିଷ୍ଠା ନିମନ୍ତେ ଆଇନ ପ୍ରୟୋଗ ପ୍ରୟାସ । କଥାରେ ଅଛି—‘ଚାଷ ତରତର ବଣିକ ମଠ’ । ସେ କିନ୍ତୁ କଳାକୁ ଧଳା ଓ ଧଳାକୁ କଳା କରିବା ପ୍ରୟାସକୁ ବର୍ଜନ କରିଛନ୍ତି । ଏଣୁ ସେ ରାତିରାତି ମାଲାମାଲ ହୋଇ ପାରି ନାହାନ୍ତି । ସେ ଅନ୍ୟାୟକୁ ବରଦସ୍ତ କରି ପାରନ୍ତି ନାହିଁ । ୧୯୫୨ରେ ହୋଇଥିବା ଛାତ୍ର ଆନ୍ଦୋଳନର ଛାତ୍ର ନେତ୍ରୀଙ୍କ ଅନ୍ୟାୟ ଭାବରେ ସରକାର ଗିରଫ କରିଥିବା ହେତୁ ତା’ର ପ୍ରତିବାଦ କରି ଆଇନ ଅଧ୍ୟାପକତ୍ତ୍ୱରୁ ଇସ୍ତଫା ଦେଇ ଦେଲେ । ଏହାପରେ ସେ ରାଜନୀତିରେ ମଧ୍ୟ ଯୋଗ ଦେଇଥିଲା । ସ୍ଵତନ୍ତ୍ର ପାର୍ଟିର ରାଜ୍ୟ ଅଫିସ ସେକ୍ରେଟାରୀ ହୋଇଥିଲା । ସେତେବେଳେ ସ୍ଵତନ୍ତ୍ର ଦଳର ଜଣେ ବଶିଷ୍ଟ ନେତା ସ୍ୱର୍ଗୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସହିତ ମନୋମାଳିନିଂ ହେବାରୁ ସେ ସ୍ଵତନ୍ତ୍ର ଦଳରୁ ଇସ୍ତଫା ଦେଇ ଦୂରରେ ଆସିଲେ । ସ୍ପଷ୍ଟବାଦୀ ଲୋକ କାହାରି ଲାଲ ଆଖି ଦେଖି ଅନ୍ୟାୟ ସହ୍ୟ କରିବା ସମ୍ଭବ ନୁହେଁ ।

 

ସମ୍ବାଦିକ ଭାବରେ ତାଙ୍କର ଉଜ୍ଜ୍ୱଳ ପ୍ରତିଭାର ସ୍ୱାକ୍ଷର ଉକ୍ତୀର୍ଣ୍ଣ । ସାମ୍ବାଦିକତା ଏ ଯୁଗରେ ରାଷ୍ଟ୍ରର ଚତୁର୍ଥ ଶକ୍ତି ଭାବରେ ପରିଚିତ । ସାମ୍ବାଦିକମାନଙ୍କ ଉପରେ ଦେଶର, ଜାତିର ଓ ବ୍ୟକ୍ତି ବିଶେଷର ଉନ୍ନତି ନିର୍ଭର କରେ । ସାମ୍ବାଦିକମାନେ ରାଷ୍ଟ୍ରନୀତିର ବଳିଷ୍ଠ ସମାଲୋଚକ । ଜନମତ ନିୟନ୍ତ୍ରଣରେ ସାମ୍ବାଦିକର ଭୂମିକା ଅନସ୍ଵୀକାର୍ଯ୍ୟ । ରାଜକିଶୋର ଇଂରାଜୀରେ ସ୍କୃଟିନୀ (scrutiny) କଟକ ଲ ନୋଟ୍‌ସ (Cuttack Laws Notes) ଏବଂ ଓଡ଼ିଆରେ ‘ଆମର ଆଇନ’ ଓ ‘ପାଠଚକ୍ର’ ପ୍ରଭୃତି ସାପ୍ତାହିକ ଓ ଦୈନିକ ପତ୍ରିକା ସମ୍ପାଦକ ଓ ପ୍ରକାଶନ କରୁଥିଲେ । ଓଡ଼ିଶାରେ ଓ ଓଡ଼ିଆରେ ପତ୍ର ପତ୍ରିକା ପ୍ରକାଶ ବିଶେଷ ଦୁରୁହବ୍ୟାପାର । ଓଡ଼ିଆ ପାଠକ ଓଡ଼ିଆ ପତ୍ରପତ୍ରିକା ବା ପୁସ୍ତକ କିଣିବାକୁ ଭଲପାଏ ନାହିଁ । ଦରକାର ହେଲେ ଅନ୍ୟଠାରୁ ମାଗ ଆଣି ପାଠ ନେଛା ପୂରଣ କରିଥାଏ । ତେଣୁ ଉପର୍ଯ୍ୟୁକ୍ତ ପତ୍ରପତ୍ରି କାମ ନ ଅକାଳରେ ମଉଳିଯାଇ ଥିଲେ ମଧ୍ୟ ରାଜକିଶୋରଙ୍କ ଦୃଢ଼, ବଳିଷ୍ଠ ସାମ୍ବାଦିକତାର ପରିଚୟ ଦେଇ ଯାଇଛନ୍ତି ।

 

ରାଜକିଶୋର ବହୁ ଉପନ୍ୟାସର ସ୍ରଷ୍ଟା । ତନ୍ମଧ୍ୟରୁ ‘ଚଲାବାଟ’ ତାଙ୍କର ପ୍ରଧାନତମ କୃତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଉପନ୍ୟାସରେ ନାୟକ ଅମରେନ୍ଦ୍ର, ନାୟିକା ରୀତା ଓ ସୁମତିଙ୍କ ମାନସିକ ଦ୍ୱନ୍ଦ୍ୱ, ହସ–କାନ୍ଦ ଚିତ୍ରିତ । ଅମରେନ୍ଦ୍ର ରୀତା ପାଠପଢ଼ୁଥିଲା ବେଳେ ପରସ୍ପର ଭଲପାଇ ବସିଲେ । ପଢ଼ାପଢ଼ି ଶେଷରେ ଉତ୍ତର ଭାରତର କନ୍ୟା ରୀତା ଅମରେନ୍ଦ୍ରଠାରୁ ଦୂରେଇ ଯାଇଛି । ସହପାଠିନୀ ସୁମତି ଅମରେନ୍ଦ୍ରର ଜୀବନସାଥୀ ହେବା ପାଇଁ ଲାଳାୟିତ । ଏହି ତିନିଜଣଙ୍କର ପ୍ରେମୀ ଭଲପାଇବା, ମାନ ଅଭିମାନ, ମନ ଦିଆନିଆର ସମୟ ଅତିକ୍ରାନ୍ତ ହୋଇଛି । ତିନିଜଣଯାକ ଶେଷରେ ଅବିବାହିତ ରହି ଯାଇଛନ୍ତି । ରାଜକିଶୋରଙ୍କ ଉପନ୍ୟାସାବଳୀ ଉପରେ ସମାଲୋଚକମାନଙ୍କର ଦୃଷ୍ଟି ପଡ଼ିନାହିଁ କାରଣ ତାହା ବିଶ୍ଵ ବିଦ୍ୟାଳୟର ପାଠ୍ୟ ଶ୍ରେଣୀର୍ଭୁକ୍ତ ହୋଇନାହିଁ । ବିଶ୍ଵ ବିଦ୍ୟାଳୟରେ ପାଠ୍ୟ ନିର୍ବାଚିତ ହୋଇ ନଥିବା ପୁସ୍ତକର ସମାଲୋଚନା ବନ୍ଧ୍ୟା–ଶ୍ରମ ବୋଲି ଓଡ଼ିଆ ସମାଲୋଚକ ଚିନ୍ତା କରିଥାଏ ।

 

‘ଅଷ୍ଟମୀଚାନ୍ଦ’ ଉପନ୍ୟାସଟି ବ୍ୟଙ୍ଗ୍ୟ ଉପନ୍ୟାସ ବୋଲି ଗ୍ରହଣ କରାଯାଇପାରେ । ବ୍ୟଙ୍ଗ୍ୟରେ ହାସ୍ୟଥାଏ, ମାତ୍ର ଏହି ଉପନ୍ୟାସର ମୂଳସ୍ୱର ଆଦିମ । ଆଦିମ ପ୍ରାଚୁର୍ଜ୍ୟ ଥିଲେ ମଧ୍ୟ ଶୃଙ୍ଗାରପ୍ରଧାନ ନୁହେଁ । ଉପନ୍ୟାସର ନାୟିକା ନିହାର ଜଣେ ସେବିକା (ନର୍ସ) । ସେ ନିରାଶ୍ରୟା ହୋଇଥିବାରୁ ତାର ରୂପକୁ ଉପଭୋଗ ପାଇଁ ବହୁଲୋକ ହସ୍ତ ପ୍ରସାରଣ କରିଛନ୍ତି । ବହୁଶଯ୍ୟାସଙ୍ଗିନୀ ହୋଇ ସେ ସେବିକା ବୃତ୍ତିକୁ ନିଜର କରି ନେଇଛି ଗ୍ରାସାଚ୍ଛାଦନ ପାଇଁ । ଶେଷରେ ମାତୃତ୍ଵ ପାଇଁ ନିହାରର ନାରୀସତ୍ତା ବିଳପି ଉଠିଛି । ଉପନ୍ୟାସ ନାୟିକା ନିହାରକୁ କେନ୍ଦ୍ରକରି ବହୁ ଚରିତ୍ର ଘୂରିବୁଲିଛନ୍ତି । ସେମାନଙ୍କ ମଧ୍ୟରୁ ସଞ୍ଜୟ ଅଧିକ ଜୀବନ୍ତ ।

 

‘ପ୍ରୀତିର ବଣିଜ’ ଚାରୋଟି ଉପରେ କେନ୍ଦ୍ରୀଭୂତ ଉପନ୍ୟାସ । ଭଜକୃଷ୍ଣ ଓ ରମାକାନ୍ତ ଦୁଇଜଣ ଦରିଦ୍ର ଛାତ୍ର । ରମାକାନ୍ତର ସହପାଠିନୀ ଅଳକା ସହିତ ଓ ଭଜକୃଷ୍ଣ ବିବାହିତ ରମଣୀ ମାନିନୀ ଦେବୀଙ୍କ ସହିତ ପ୍ରୀତିର ବ୍ୟବସାୟରେ ବିଷୟୀଭୂତ । ଏହି ଉପନ୍ୟାସରେ ସଂଳାପର ପ୍ରାଚୁର୍ଯ୍ୟ ବିଦ୍ୟମାନ । ପ୍ରଣୟ ପ୍ରଧାନ ଉପନ୍ୟାସରେ ମାନସିକ ଉଦବେଗ ଏଥିରେ ସ୍ପଷ୍ଟ ଭାବରେ ରୂପାୟିତ ହୋଇଛି ।

 

‘ସକାଳ କୁହୁଡ଼ି’ ବା ‘ଜୀବନର ମଦିରା’ ମଧ୍ୟ ରାଜକିଶୋରଙ୍କର ଗୋଟିଏ ଅଦ୍ଭୁତ ଉପନ୍ୟାସ । ଏଥିରେ ଦୁଇ ସଙ୍ଗିନୀଙ୍କ ସଂସାର ବିଷୟକ ଓ ପ୍ରେମ ବିଷୟକ ଆଳାପ ଆଲୋଚନା ବିଷୟୀଭୂତ । ଏଥିରେ ଗଳ୍ପହୀନ ଗଳ୍ପ ଶୈଳୀ ଆରୋପିତ ହୋଇଥିବା ଅନୁଭୂତ ହୁଏ ।

 

ଏତଦ୍ ବ୍ୟତୀତ ପଞ୍ଜୁରୀପକ୍ଷୀ ପ୍ରେମର ନିୟତି, ସ୍ମୃତିର ମଶାଣି, ପ୍ରୀତିର କଜ୍ଜଳ, ଭସାମେଘ, ବିରହିଣୀ, କଳା ପରଦା ପ୍ରଭୃତି ବହୁ ଉପନ୍ୟାସ ସୃଷ୍ଟି କରିବାରେ ରାଜକିଶୋରଙ୍କ ଲେଖନୀ ଚଳଚଞ୍ଚଳ ହୋଇ ଅଦ୍ୟାପି ଅମନ୍ଦ ଗତିରେ ଅଗେଇ ଚାଲିଛି ।

 

ରାଜକିଶୋର ପଟ୍ଟନାୟକ କେବଳ ଉପନ୍ୟାସ ରଚନାରେ ପାଟବ ପ୍ରଦର୍ଶନ କରି ନାହାନ୍ତି । କ୍ଷୁଦ୍ର ଗଳ୍ପ ରଚନାରେ ସେ ଖୁବ୍ ସିଦ୍ଧହସ୍ତ । କୌଣସି ବାଦ (Ism) ବା ଆଦର୍ଶକୁ ଭିତ୍ତିକରି ଗଳ୍ପ ଉପନ୍ୟାସ ବିରଚିତ ହୋଇ ନାହିଁ । Art for arts sakee କୁ ଉପଜୀବ୍ୟ କରି ମଧ୍ୟ ତାଙ୍କର କୃତୀଗୁଡ଼ିକ ରୂପାୟିତ ହୋଇନାହିଁ । ସେ ଜୀବନକୁ ତନ୍ନ ତନ୍ନ କରି ଅନୁଭବ କରିଛନ୍ତି, ବିଶ୍ଳେଷଣ କରିଛନ୍ତି; ମନୋବେଗର ଧାରାକୁ ଲକ୍ଷ୍ୟ କରିଛନ୍ତି ଏବଂ ଜୀବନର ଗୋଟିଏ ଗୋଟିଏ ବିନ୍ଦୁ ଯେ କ୍ଷୁଦ୍ର ଗଳ୍ପର ବିଷୟ ହୋଇପାରେ ତାହା ସେ ଗଳ୍ପ ରଚନା କରି ଦେଖାଇ ଦେଇ ପାରିଛନ୍ତି । ତେଣୁ ସେ ଘଣ୍ଟାକୁ ଘଣ୍ଟା ଏକାସନରେ ବସି ବିରାମହୀନ କଲମ ଚଳାଇ ଗୋଟାକୁ ଗୋଟା ଗଳ୍ପ ରଚନା କରି ପାରିଛନ୍ତି । ବାରମ୍ବାର ଶେଷ ସ୍ପର୍ଶ (Final tauch) ଦେବା ଦରକାର ପଡ଼ିନାହିଁ । ଏଣୁ କ୍ଷୁଦ୍ରଗଳ୍ପର ପରିଣତି ସେପରି ଅନ୍ତସ୍ପର୍ଶୀ ହୋଇପାରି ନାହିଁ । କ୍ଷୁଦ୍ରଗଳ୍ପର ପରିଣତିରେ କଳା ପାଟବର ପରିପ୍ରକାଶ ଘଟିଥାଏ । ସେଠାରେ କିଛିଟା ବୈଚିତ୍ର୍ୟ ପରିଲକ୍ଷିତ ହେବା ସ୍ଵାଭାବିକ, ମାତ୍ର ରାଜକିଶୋରଙ୍କ ସ୍ରଷ୍ଟାମାନସ ସେଥିପ୍ରତି ଅବିହିତ ନୁହନ୍ତି । ସମ୍ପ୍ରତି କାହାଣୀ ହୀନ କାହାଣୀ ନାମରେ ଏକ ପ୍ରକାର ରଚନା ପଦ୍ଧତି ପ୍ରବର୍ତ୍ତିତ ହୋଇଛି, ରାଜକିଶୋରଙ୍କ ଅଧିକାଂଶ ଗଳ୍ପରେ ସେହି ସତ୍ତା ଉପଲବ୍ଧି ହୁଏ ।

 

ସମାଜର ଖୁବ୍ ଉଚ୍ଚ ସ୍ତରର ମଣିଷଠାରୁ ଆରମ୍ଭ କରି ନିମ୍ନ ସମାଜର ମଣିଷ ଓ ଇତର ଜନ୍ତୁ ତାଙ୍କ ଗଳ୍ପର ବିଷୟୀଭୂତ ଉପାଦାନ, ପୁଣି ସମାଜର ବିଭିନ୍ନ ଚିନ୍ତାଚେତନାର ବ୍ୟକ୍ତିତ୍ଵ ଉପଲବ୍‍ଧ ହୋଇଥାନ୍ତି । ତାଙ୍କ କାହାଣୀର ବିଷୟ ବସ୍ତୁ ପୃଥିବୀର ଅପାଙ୍ଗ୍‍କ୍ରୟ, ନଗଣ୍ୟ ହେୟ ଜୀବ ଓ ବସ୍ତୁକୁ ଉପଜୀବ୍ୟ କରି ଗଢ଼ି ଉଠିଛି । ତାହା ହୁଏଇ ‘ଯୁନି’ ଭଳି କୁକୁର, ଘାସ, ତୁଠ ପଥର, ଥୁଣ୍ଟାଗଛ, ଚଢ଼େଇ ଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ ପ୍ରସାରିତ ।

 

ତାଙ୍କର ବହୁ କାଳକୟୀ ଗଳ୍ପାବଳୀ ମଧ୍ୟରୁ ‘ମୂକ’ ଗଳ୍ପଟି ଅନ୍ୟତମ । ଏହି ଗଳ୍ପରେ କୁକୁର ‘ଯୁନି’ ବିଷୟରେ ଲେଖୁ ଲେଖୁ ଲେଖକ ସମାଜ ପ୍ରତି କଟାକ୍ଷପତ କରିଛନ୍ତି–“ବାପ ପୁଅ, ଭାଇ–ଭାଇ, କର୍ମୀ–ନେତା, ଗୁରୁ–ଚେଲା, ଖାଉଁଦ–ବ୍ଳକର ସବୁଠାରେ ଏହି ଗୋଟିକ ବାଟ, ଯେ ସେ ବାଟ ଚିହ୍ନେ ଶୀଘ୍ର ସେ ଉନ୍ନତି କରିଯାଏ । ସେହି ବାଟ ହେଉଛ ଉପରବାଲାଙ୍କର । ବଡ଼ଙ୍କର ପାଦଗୋଇଠି ଚାଟିବାର ବାଟ । ସେତିକି କରି ପାରିଲେ, ଫଳ ଆଷଣାଛାଏଁ ଆସି ହାତରେ ।” ‘ଠକ’ ଗଳ୍ପରେ ଗୋଟିଏ ଆମ୍ୱଗଛ ବିଷୟୀଭୂତ । ଗଳ୍ପରେ ଆମ୍ବ ଗଛ ଲଗାଇବା ଠାରୁ ଆରମ୍ଭ କରି ଫଳ ହେବା ପର୍ଯ୍ୟନ୍ତ ଏପରି ସୁନ୍ଦର ଭାବରେ ଚିତ୍ରିତ ହୋଇଛି ଯେ, ଜଣାପଡ଼େ ଆମ୍ବ ଗଛଟି କେବଳ ଗଛ ନୁହେଁ ମାଲିକର ପରିବାରଭୁକ୍ତ ସଦସ୍ୟ । ଶେଷରେ ସେହି ଗଛଟି ମାଲିକକୁ ଠକି ଦେଇ ଝଡ଼ ରାତିରେ ଉପୁଡ଼ି ପଡ଼ିଛି ।

 

‘ଜଞ୍ଜାଳ’ ଗଳ୍ପରେ ଶୋଷକ ଶୋଷିତର ଭବ୍ୟଚିତ୍ର ଅଙ୍କିତ । ବାଇଧରର ସମସ୍ତ ସମ୍ପତି ଚକ୍ରାନ୍ତ କରି ଶୋଷଣ କରାଯାଉଛି । ବାଇଧର ପାଗଳ ହୋଇ ଇତସ୍ତତଃ ଘୂରି ବୁଲିଛି । ତା’ ଆଗରେ ଜଣେ ଶୋଷକ ‘ବିଜୁବାବୁ’ଙ୍କ ଆବିର୍ଭାବ ହେବାରୁ ସେ ତାଙ୍କୁ ସବୁବେଳେ ବ୍ୟସ୍ତ ବିବ୍ରତ କରିଛି ।

 

‘ବାଟୋଇ’ ଗଳ୍ପର ନାୟକ ଜଣେ କଲେଜ ଛାତ୍ର । ସେ ପ୍ରତିଦିନ କଲେକ ଯାଉଥିବା ବାଟରେ ଜଣେ ବୃଦ୍ଧ ଦେଖେ । ସନ୍ତାନ ସ୍ନେହ ଦେଇ ତାଙ୍କୁ ଭଲପାଏ । ନାୟକ ଛାତ୍ର ଜଣକ ଏହି ଆକର୍ଷଣକୁ ସନ୍ଦେହ କରନ୍ତି; ହେଲେ ଶେଷରେ ତାଙ୍କର ସନ୍ଦେହ ନିରାକୃତ ହୁଏ ।

 

‘ଧନର ଅଭିଶାପ’ ଗଳ୍ପରେ ମନୋବିଶ୍ଳେଷଣର ଚମତ୍କାର ପରିବେଷଣ ହୋଇଛି । ଦେବରାଜକୁ ଗୃହକର୍ତ୍ତ୍ରୀ ଚୋର ବୋଲି ସନ୍ଦେହ କରନ୍ତି । ତା’ର ପ୍ରତି କଥାରୁ ତାଙ୍କ ସନ୍ଦେହୀମନ ଯୁକ୍ତି ସଂଗ୍ରହ କରିଛନ୍ତି ।

 

ଆଧୁନିକ ଯୁବମାନସର ଚିତ୍ର ‘ମାଳୀ’ ଗଳ୍ପରେ ରୂପାୟିତ । ଗୋପାଳ ଅବଧାନ ତାଙ୍କର ଜନୈକ ଛାତ୍ର ହାକିମ ହୋଇଥିବା ଶୁଣି ଆନନ୍ଦିତ । ସେ ଜାଣନ୍ତି ତାଙ୍କର ଛାତ୍ର ତାଙ୍କୁ ଦେଖି ସମ୍ମାନ କରିବ; କାରଣଗୁରୁ ବ୍ରହ୍ମା, ଗୁରୁବିଷ୍ଣୁ ଗୁରୁ ସାକ୍ଷାତ ପରଂବ୍ରହ୍ମ—ଏହି ଅଧିକାର ନେଇ ଗୋବିନ୍ଦ ବୋଲି ସମ୍ବୋଧନ କରିବାରୁ ହାକିମଙ୍କ ମିଜାଜ ବିଗିଡ଼ି ଯାଇଛି, ଫଳରେ ସେପରି ବ୍ୟବହାର କରିବାର କଥା ତାହା ଲେଖକ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

 

ଦିନା ଚପରାସିର ସୁଖ, ଦୁଃଖ, ହସ, କାନ୍ଦ, ‘ଜଗୁଆଳୀ’ ଗଳ୍ପରେ ବିବୃତ ତା’ର ସ୍ତ୍ରୀ ଆଧୁନିକା । ଦିନା ସମସ୍ତଙ୍କ ନିକଟରେ ସ୍ତ୍ରୀର ପ୍ରଶଂସା କରେ । ସ୍ତ୍ରୀ ଦିନେ ଅନ୍ୟ ଜଣକ ସହିତ ପଳାଇ ଯାଇଛି । ସୀନା ଭାଙ୍ଗି ପଡ଼ିଛି । ପିଲାମାନଙ୍କୁ ସମ୍ଭାଳି, ଯତ୍ନ ନେଇ ପାରିନାହିଁ । ଦାରିଦ୍ର୍ୟ ହେତୁ ଅନ୍ୟ ନିକଟରେ ହାତ ପାତିଛି । ପରିଚିତ ମାନେ ସାହାଯ୍ୟ କରି କରି ଅତିଷ୍ଠ ହୋଇ ପଡ଼ିଛନ୍ତି । ଦିନା ମରିଗଲା ପରେ ସମସ୍ତେ ତା’ ବିଷୟରେ ଆଲୋଚନା କରିଛନ୍ତି ।

 

ରାଜକିଶୋରଙ୍କ “ଶାଳଗ୍ରାମ ଗଳ୍ପ ସଂକଳନରେ ତାଙ୍କ ସାହିତ୍ୟିକ ଆଭିମୁଖ ‘ଶାଳଗ୍ରାମ’ ଗଳ୍ପରେ ବିବୃତ ହୋଇଛି । ସେ କାହିଁକି ଗଳ୍ପ ଲେଖନ୍ତି ଶଂସିତ ଗଳ୍ପରୁ ତା’ର ଉତ୍ତର ମିଳିଥାଏ । ସେ ଜଣେ ଅଦ୍‍ଭୁତଶିଳ୍ପୀ କୌଣସି ଘଟଣା ବା ଚରିତ୍ରକୁ କଲମ ମୁନରେ ଯେପରି ଚିହ୍ନି ପାରନ୍ତି ତାହା ଶାଳଗ୍ରାମ କଟା ପୋକର ଶାଳଗ୍ରାମ ନିର୍ମାଣ ସଦୃଶା ସେ ସେହି ଗଳ୍ପରେ ଲେଖିଛନ୍ତି “ ହଁ ଚିକ୍‌କଣ ପଥର କି ଚିକ୍‍କଣ ଠାକୁର ଯାହା କୁହ, ତାକୁ ତିଆରି କରେ ଗୋଟିଏ ପ୍ରକାର ପୋକ–ଗଣ୍ଡକ ନଈ କୂଳରେ ଥାଏ । ସେ ପୋକର କାମ ହେଉଛି—ପଥରକୁ କାଟି ଗୋଲ କରିବା । ଖାଇବା, ଶୋଇବା ଆଦି କାମ ଛାଡ଼ି ଦେଲେ ସେ ପୋକଟି ଆପଣା ଛାଏଁ ଖଣ୍ଡେ ପଥରକୁ ଗୋଲ କରିବାକୁ ଲାଗିଥାଏ । ଯେତେବେଳେ ପଥରଟି ଗୋଲ ହୋଇ ଚିକ୍‍କଣିଆ ହୋଇଯାଏ ତାକୁ ଗଡ଼େଇ ଦିଏ ଖଣ୍ଡକ ନଈ ଭିତରକୁ, ଗୋଟିଏ ଶବ୍ଦ ହୁଏ ଟୁବ । “ଜୀବନର ସମସ୍ତ ସାଧନା ଠିକ୍ ଏମିତି, ଗୋଟିଏ ସାମାନ୍ୟ ଶବ୍ଦରେ ତା’ର ପରିସମାପ୍ତି ହୁଏ ।” ଶାଳଗ୍ରାମ କଟାପୋକ ପରି ମଣିଷ ଏମିତି କିଛି ନା କିଛି ଖିଆଲ ପଛରେ ଅହରହ ଖଟି ଚାଲିଥାଏ ।” ସେହି ସଙ୍କଳନରେ “ମୁଁ କାହିଁକି ଲେଖେ” ? ଶିରୋନାମାରେ ଲେଖକଙ୍କ ସ୍ୱୀକାରୋକ୍ତି ମଧ୍ୟ ପ୍ରକାଶ ପାଇଛି । ସେଥିରେ ଲେଖକ କହନ୍ତି–“ବୋଧହୁଏ ଯୁବକ ମନ ଆନନ୍ଦରେ ଦିନେ ଦିନେ ବସି ଗୁଣୁ ଗୁଣୁ ହୋଇ ଗାଇଲାପରି ଭାବର ଆବେଗରେ ଯାହା ଲେଖି ଯାଇଥିଲି, ସେହି ମୋ’ର ପ୍ରଥମ ଲେଖା ।” ସେହି ଆବେଶ ଓ ଆବେଗର ବଶବର୍ତ୍ତୀ ହୋଇ କଳାକାର ସୃଷ୍ଟିର ସ୍ଵପ୍ନ ଦେଖେ ।

 

ରାଜକିଶୋର ଗଳ୍ପରେ ଆଖ୍ୟାନ ଆପେକ୍ଷା ବ୍ୟାଖ୍ୟାନ ଭାଗ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଶିଳ୍ପୀ ଓ ସାହିତ୍ୟିକ ଚିନ୍ତାଶୀଳ ପ୍ରାଣୀ । ବ୍ୟକ୍ତି ପାଇଁ, ଜାତି ପାଇଁ, ଦେଶ ଓ ଦଶପାଇଁ ତାଙ୍କର କର୍ତ୍ତବ୍ୟ ସବୁଠାରୁ ବେଶୀ ବୋଲି ଭାବେ ଏବଂ ସେହି ଚିନ୍ତା ପ୍ରସ୍ତୁତ ସତ୍ୟରାଜି ସେ ଗଳ୍ପ, ଉପନ୍ୟାସ, ନାଟକ, କାବ୍ୟ ଓ ପ୍ରବନ୍ଧ ପ୍ରଭୃତି ସାହାଯ୍ୟରେ ଲୋକମାନଙ୍କୁ ସେ ପରିବେଷଣ କରିଥାଏ । ରାଜକିଶୋରଙ୍କ ଗଳ୍ପାବଳୀ ନାଟକଠାରୁ ପ୍ରବନ୍ଧର ଅଧିକ ନିକଟବର୍ତ୍ତୀ ଗଳ୍ପ ପାଠକଲେ ବ୍ୟାଖ୍ୟାନ ନିମନ୍ତେ ଆଖ୍ୟାନର ସୃଷ୍ଟି ବୋଲି ଅନୁଭୂତ ହୋଇଥାଏ । ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କଥାକାର ଜୈନେନ୍ଦ୍ର କୁମାରଙ୍କ ଲେଖା ସହିତ ତାଙ୍କ ଗଳ୍ପବଳୀ ତୁଳନୀୟ । ଉଭୟଙ୍କ ଗଳ୍ପ ଲେଖାର ଶୈଳୀ ପ୍ରାୟ ସମାନ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ରାଜକିଶୋରଙ୍କ ନିରଳସ ଲେଖନୀରୁ ଏବେ ମଧ୍ୟ ଅମନ୍ଦ ସ୍ରୋତରେ ଉପନ୍ୟାସ–ଗଳ୍ପ–ସମାଲୋଚନା ଝରି ଚାଲିଛି । ସେ ଗୋଟିଏ ବହିରେ ‘ମୋ କହିବାର କଥା’ରେ ପ୍ରକାଶ କରିଛନ୍ତି–“ଦୀର୍ଘ ପଚିଶବର୍ଷରେ କ୍ଷୁଦ୍ରଗଳ୍ପ ପାଞ୍ଚଶହ ଲେଖିଲା ପରେ ଅତୀତ ଯେପରି କୁହୁଡ଼ି ଘେରା, ଭବିଷ୍ୟତ ବି ଠିକ୍ ସେମିତି ? ସେଥିପାଇଁ ମନରେ ଦ୍ୱିଧା ଆସିଲାଣି । ଆଉ ଲେଖିବାର ପ୍ରୟୋଜନ ଅଛି କି ?” ଏଥିରୁ ଲେଖକଙ୍କ ବିଷୟରେ ଦୁଇଟି କଥା ଜଣାପଡ଼େ । ସେ ପାଞ୍ଚଶହରୁ ଊର୍ଦ୍ଧ୍ଵ ଗଳ୍ପ ଲେଖିଲାଣି । ପରିମାଣ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟ ଭଣ୍ଡାର ରୁଦ୍ଧିମନ୍ତ ହୋଇଛି । ଦ୍ଵିତୀୟଟି ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଓଡ଼ିଆ ସାହିତ୍ୟ ଭଣ୍ଡାରର ସମୃଦ୍ଧି ନିମନ୍ତେ ଯେଉଁ ଲେଖକ ଅକ୍ଲାନ୍ତ ପରିଶ୍ରମ କଲେ ସେ ପାଇଲେ କ’ଣ ? ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ବେଳଠାରୁ ସେ ଲେଖନୀ ଚାଳନା ଆରମ୍ଭ କରିଛନ୍ତି । ଓଡ଼ିଶାରେ ଏହା ମଧ୍ୟରେ ତିନୋଟି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଅର୍ଜନ କଲାଣି । ରାଜକିଶୋର ସ୍ୱଳ୍ପ ହେଲେ ମଧ୍ୟ ତାଙ୍କ ଲେଖା ବିଶ୍ଵବିଦ୍ୟାଳୟର ଅଧିତ ହୋଇଛି-। ତାଙ୍କୁ ସରକାରୀ ସ୍ଵୀକୃତି ନ ମିଳିଲେ ମଧ୍ୟ ମନୀଷାର ପରୀକ୍ଷା ନିରୀକ୍ଷା ପୀଠରେ ତାଙ୍କର କୃତିତ୍ୱ ନିମନ୍ତେ ପଦେ ସମ୍ବର୍ଦ୍ଧନା ପଦେ ବାଣୀ ନ ଶୁଣାଇବା ପରିତାପର ବିଷୟ । ଓଡ଼ିଶାରେ ତାଙ୍କ ବହି ପଢ଼ି ଯେଉଁମାନେ ଜ୍ଞାନ ଆହରଣ କରି ସାହିତ୍ୟ କ୍ଷେତ୍ରରେ ପ୍ରବେଶ କରିଛନ୍ତି ସେମାନେ ମଧ୍ୟ ତାଙ୍କୁ ଆପାଙ୍ଗ୍‌ତ୍ର ତାଲିକାରେ ରଖିବା ଗଭୀର କ୍ଷୋଭର ବିଷୟ ।

Image

 

ପଞ୍ଜାବ କୋକିଳା ଅମୃତା ପ୍ରୀତମ୍

 

ପଞ୍ଚନଦର ଭୂମି ପଞ୍ଜାବ ଦିନେ ବେଦମନ୍ତ୍ରର ପବିତ୍ର ଝଙ୍କାରରେ ନିନାଦିତ ହେଉଥିଲା । ପଞ୍ଚ ଶତାବ୍ଦୀ ପୂର୍ବେ ଶିଖ୍ ଧର୍ମଗୁରୁ ନାନକଦେବଙ୍କ ସମନ୍ଵୟ ବାଣୀରେ ସେହି ଭୂମି ପବିତ୍ରିତ ହୋଇଥିଲା । ସାମ୍ପ୍ରତିକ ଯୁଗରେ ବହୁ କବି, ଔପନ୍ୟାସିକ, ନାଟ୍ୟକାର, ଗାଳ୍ପିକ, ଐତିହାସିକ ସେହି ଭୂମିର ସାଂସ୍କୃତିକ ପରିବେଶକୁ ରୂପ–ରଙ୍ଗ–ରସରେ ସମୃଦ୍ଧ କରିଛନ୍ତି । ଅମୃତା ପ୍ରୀତମ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ–ଗାଳ୍ପିକ, କବି ଔପନ୍ୟାସିକା । ତାଙ୍କ ଯଶଃ କେବଳ ପଞ୍ଜାବରେ ସୀମାବଦ୍ଧ ନୁହେଁ, ଭାରତକୁ ଅତିକ୍ରମ କରି ସମଗ୍ର ବିଶ୍ୱରେ ତାଙ୍କ ପ୍ରତିଭା ଦୀପ୍ତି ଆଲୋକଶିଖା ବିଚ୍ଛୁରଣ କରିଛି । ତେଣୁ ଯଥାର୍ଥରେ ତାଙ୍କୁ ପଞ୍ଜାବ କୋକିଳା କୁହାଯାଏ ।

 

ଅମୃତା ପଞ୍ଜାବର ପାଞ୍ଚଖଣ୍ଡ ଭାସୋଡ଼ଠାରେ ୧୯୧୯ରେ ପୃଥିବୀର ପ୍ରଥମ ଆଲୋକ ଦର୍ଶନ କରିଥିଲେ । ସେତେବେଳେ ତାଙ୍କ କର୍ତ୍ତାର ସିଂହ ‘ହିତକାରୀ’ ଓ ମା’ ରାଜବିବୀ ସେଠାକାର ଗୁରୁଦ୍ଵାରରେ ଶିକ୍ଷକ ଶିକ୍ଷୟିତ୍ରୀ ଥା’ନ୍ତି । ଅମୃତାଙ୍କ ଜନ୍ମ ବିଷୟରେ ଗୋଟିଏ କୌତୁହଳଜନକ ଘଟଣା ଘଟିଥିଲା । ଦିନେ ଗୁରୁଦ୍ଵାରରେ କୀର୍ତ୍ତନ ହେଉଥାଏ । ସେଠାରେ ଗାଁର ଲୋକମାନେ ରୁଣ୍ଡ ହୋଇଥାନ୍ତି । ଗାଁର ମୁଖିଆବାବୁ ତେଜାସିଂହଙ୍କର ଝିଅମାନେ ସେହି ପ୍ରାର୍ଥନା ସଭାରେ ପ୍ରାର୍ଥନା କରି କହିଲେ–‘ହେ ପ୍ରଭୁ ଦୁଇ ଜହାନର ମାଲିକ ଆମ୍ଭମାନଙ୍କ ଗୁରୁଜୀଙ୍କୁ ଗୋଟିଏ କନ୍ୟାରତ୍ନ ଦାନ କରନ୍ତୁ ।” ହିତକାରୀ ମହୋଦୟ ଭାବିଲେ ବୋଧହୁଏ ରାଜବିବୀ ଏହି କନ୍ୟା ପ୍ରାର୍ଥନା ସମ୍ବନ୍ଧରେ କିଛି ଜାଣନ୍ତି । ସେତେବେଳେ ସେମାନଙ୍କ କୋଳ ଶୂନ୍ୟ ଥାଏ । ରାଜବିବୀ ପ୍ରକୃତରେ ଏହି ପ୍ରାର୍ଥନା ସମ୍ବନ୍ଧରେ ପୂର୍ବରୁ କିଛି ଜାଣି ନ ଥା’ନ୍ତି । ସେମାନେ ଗୁରୁଙ୍କ ପାଇଁ ପ୍ରାର୍ଥନା କଲେ, ହେଲେ ସେମାନେ ଝିଅ ହୋଇ ଠାକୁରଙ୍କୁ କ’ଣ ମାଗିଥାନ୍ତେ ? ସତକୁ ସତ ତତ୍ ପରବର୍ଷ ସେ ଦୁଇ ଜଣଙ୍କ କୋଳ ମଣ୍ଡନ କରି ଯେଉଁ କନ୍ୟାରତ୍ନ ଜନ୍ମ ଗ୍ରହଣ କଲେ ତାଙ୍କର ନାମ ହେଲା ଅମୃତା ପ୍ରିତମ୍ ।

 

ପିଲାଙ୍କ କାତର ପ୍ରାର୍ଥନା ଶୁଣି ଭଗବାନ ସିନା ଦାନକଲେ, ହେଲେ ଶିଶୁ ଅମୃତାଙ୍କ ପ୍ରାର୍ଥନା ଶୁଣିଲେ ନାହିଁ କି ରାଜବିବୀଙ୍କୁ ସୁସ୍ଥ କରି ଦେଲେ ନାହିଁ । ଅମୃତାଙ୍କୁ ଯେତେବେଳେ ଆଠ ନ’ ବର୍ଷ ବୟସ ସେତେବେଳେ ସେ ମାତୃ ସ୍ନେହରୁ ବଞ୍ଚିତା ହେଲେ । ବର୍ତ୍ତାର ସିଂହଙ୍କ ଉପରେ ମାତୃହୀନ ଅମୃତାଙ୍କ ଲାଳନ ପାଳନ ଭାର ପଡ଼ିଲା । ସେ ଥିଲେ ସାଧୁ ପ୍ରକୃତିର । ପିଲାଦିନୁ ସେ ସାଧୁଙ୍କ ମେଳ ରେ ରହି ସନ୍ନ୍ୟାସୀ ହେବାକୁ ପ୍ରୟାସ କରି ଥିଲେ, ହେଲେ ରାକବିଙ୍କ ପ୍ରେମ ଓ ସର୍ମପିତ ଭାବ ତାଙ୍କୁ ସଂସାରକୁ ଓଟାରି ଆଣିଲା ।

 

‘ହିତକାରୀ’ ମହୋଦୟଙ୍କ ନିକଟରେ ଅନ୍ୟଜଣେ ଛାତ୍ର ମଧ୍ୟ ରହୁଥାଏ ପିଲାମାନଙ୍କର ମଙ୍ଗଳ କଳ୍ପେ ‘ହିତକାରି’ ମହୋଧୟ ଗୋଟିଏ ପ୍ରଥା ସଂୟୋଜନ କରିଥାନ୍ତି । ଶୋଇବା ପୂର୍ବରୁ ଗୁରୁଛାତ୍ର ସାହେଚରୁ କୀର୍ତ୍ତନ ସୋହିଲେ କୁ ତାର ସ୍ୱରରେ ଗାୟନ କରନ୍ତି । ଏହା ଗାନ କଲେ ରାତ୍ରି ରେ କୌଣସି ଅମଙ୍ଗଳ ପ୍ରବେଶ କରିପାରିବ ନାହିଁ । ପ୍ରତ୍ୟେକଙ୍କ ଚତୁର୍ଦ୍ଦିଗରେ ଗୋଟିଏ ସୁରକ୍ଷା ପ୍ରାଚୀର ସୃଷ୍ଟି ହୋଇଯାଏ ବୋଲି ବିଶ୍ୱାସ ଥାଏ । ଅମୃତା ଏ ବିଷୟରେ ଲେଖିଛନ୍ତି ଯେ, ତାଙ୍କୁ ସେହି ସଙ୍ଗୀତ ବୋଲିବାକୁ ଭଲ ଲାଗେ ନାହିଁ । କାରଣ ତାଙ୍କ ଚତୁର୍ଦ୍ଦିଗରେ ପ୍ରାଚୀର ସୃଷ୍ଟ ହେଲେ ସ୍ୱପ୍ନରେ ସେ ପ୍ରିୟତମ ରାଜନଙ୍କୁ ଦେଖିପାରିବେ ନାହିଁ । ରାଜନ ତାଙ୍କର ପ୍ରିୟ ସାଥି । ପିତାଙ୍କ ନିକଟରେ ତାଙ୍କୁ ଗାଇବାର ଛଳନା କରିବାକୁ ପଡ଼େ । ପିତାଙ୍କୁ ଏ ଛଳନା କଥାଟି ଜଣା ପଡ଼ିଗଲା ଅଥବା ଅନ୍ୟ ଅନ୍ତେବାସୀଟି ଗାଇ ପାରୁନଥିଲା ଏଣୁ ପିତା ଉଚ୍ଚସ୍ଵରରେ ଏକୁଟିଆ ଅମୃତାଙ୍କୁ ଗାଇବାକୁ ନିର୍ଦ୍ଦେଶ ଦେଲେ । ଏଥିରେ ଛଳନା କରିହେବ ନାହିଁ ଜାଣି ମଝିରେ ମଝିରେ ଭୁଲ କରିବାକୁ ଲାଗିଲେ ପ୍ରିତମ । ମାତ୍ର ମଙ୍ଗଳାକାଙ୍‍କ୍ଷୀ ପିତା ନିର୍ଭୁଲ ଭାବରେ ଗାଇବାକୁ ଆଦେଶ ଦେଲେ ।

 

ଅମୃତାଙ୍କ ପିତା ଜଣେ କବି । ପିଲାବେଳୁ ସେ ପିତାଙ୍କଠାରୁ କବିତା ରଚନା ନିମନ୍ତେ ପ୍ରେରଣା ପାଇଲେ । କବି କନ୍ୟାକୁ ଭକ୍ତି ସଙ୍ଗୀତ ରଚନା ପାଇଁ ଉତ୍ସାହ ଦେଉଥିବା ବେଳେ ସେ ନିଜର ଚତୁର୍ଦ୍ଦିଗରୁ ଉଚ୍ଛୁଳିତ ପ୍ରେରଣା ସ୍ରୋତର କଲ୍ଲୋକରେ ନିଜକୁ ଭସାଇ ଦେଉଥିଲେ । ଯା ହେଉ ଉତ୍ତରାଧକାର ସୂତ୍ରରେ ସେ କବିତ୍ଵର ପରକାଷ୍ଠା ଅର୍ଜନ କରିପାରିଛନ୍ତି ।

 

ସେ ସମୟର ପ୍ରଥାନୁସାରେ ଖୁବ୍ ପିଲଦିନରୁ ତାଙ୍କର ବିବାହ ସ୍ଥିର ହୋଇଥାଏ । ସେ କିନ୍ତୁ ସେଥିରେ ରାଜି ହୋଇପାରି ନଥିଲେ; ଫଳରେ ତାଙ୍କ ଜୀବନାକାଶରେ ଅନ୍ୟ ଦୁଇଟି ଜ୍ୟୋତିଷ୍ଟାନ ଚନ୍ଦ୍ର ର ଆବିର୍ଭାବ ଘଟିଛି । ସେ ପ୍ରଥମେ ସାହିର ଲୁଧିଆନବୀଙ୍କୁ ପ୍ରାଣଭରି ଭଲ ପାଉଥିଲେ । ପ୍ରତି ରକ୍ତକଣିକାରେ ସାହିରଙ୍କ ଉପସ୍ଥିତ ସେ କାମନା କରୁଥିଲେ । ହେଲେ ସାହିରେ ତାଙ୍କୁ ଗ୍ରହଣ କରିପାରିଲେ ନାହିଁ । ତାଙ୍କୁ ଲକ୍ଷ୍ୟ କରି ମୃତା ଯେଉଁ କବିତାଗୁଚ୍ଛ ରଚନା କଲେ ତାହା “ସୁନେହଡ଼େ” ପୁସ୍ତକରେ ସଗୃହୀତ ହୋଇଛି । ୧୯୫୭ ଏହି ପୁସ୍ତକ ନିମନ୍ତେ ଅମୃତା–ପ୍ରୀତମ୍ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦ୍ଵାରା ସମ୍ମାନିତା ହୋଇଛନ୍ତି । ଯେଉଁଦିନ ପୁରସ୍କାର ସଂବାଦ ପ୍ରକାଶ ପାଇଲା ସେଦିନ ସଂଧାବେଳେ ଜଣେ ପ୍ରେସ୍‍ ଫଟୋଗ୍ରାଫର କବିତା ଲେଖୁଥିବା ବେଳର ଫଟୋପାଇଁ ନିବେଦନ କଲେ । ଅମୃତା ଖଣ୍ଡିଏ କାଗଜ ଓ କଲମ ଧରି ବସି ଲେଖିଲେ । କଲମ କିନ୍ତୁ କବିତା ପରିବର୍ତ୍ତରେ ସାହିର ସାହିର ବୋଲି ଲେଖି ଚାଲିଲା । ସଜ୍ଞାନରେ ନୁହେଁ, ତାହା ତନ୍ମୟାବସ୍ଥା ବା ଭାବାବେଶମୟ ମୁହୂର୍ତ୍ତ ବୋଲିବାକୁ ହେବ ।

 

ସାହିରେ ଥିଲେ ମୁସଲମାନ । ଅମୃତା କିନ୍ତୁ ଜଣେ ଶିଖ ଧର୍ମାବଲମ୍ବୀ ସ୍ତ୍ରୀର କନ୍ୟା ଓ ଗୃହିଣୀ । ତାଙ୍କର ଏହି ମାନବ ପ୍ରୀତିରେ ଦେଶ–କାଳ–ଧର୍ମ–ଜାତି ବିଭେଦକୁ ଦୂରେଇ ଦେଇଥିବାର ଉଦାରତା ବାଲ୍ୟାବଧି ପ୍ରକାଶିତ । ପିଲାଦିନୁ ଅମୃତା ମାତୃହୀନା । ମାତାମହୀ ତାଙ୍କର ଳାଳନ ପାଳନ ଭାର ନେଇଥାନ୍ତି । ରୋଷେଇ ଘରେ ତାଙ୍କର ରାଜତ୍ୱ । କର୍ତ୍ତାରଙ୍କ ବହୁ ମୁସଲମାନ ବନ୍ଧୁ କରିଥାନ୍ତି । ସେମାନଙ୍କ ଆପ୍ୟାୟନ ପାଇଁ ଚା ସରବତ ବ୍ୟବସ୍ଥା କରିବାକୁ ପଡ଼େ-। ମୁସଲମାନଙ୍କ ବ୍ୟବହାର ନିମନ୍ତେ କେତେଗୋଟି ବାସନ ଅଲଗା ରହେ । ଅମୃତା ଯେତେବେଳେ ଏପରି ବ୍ୟବସ୍ଥା ବିଷୟ ଜାଣିଲେ ସେତେବେଳେ ସେମାନଙ୍କପାଇିଁ ଉଦ୍ଦିଷ୍ଟ ବାସନରେ ନ ଖାଇ ମୁସଲମାନଙ୍କ ପାଇଁ ଅଲଗା ରହିଥିବା ବାସନରେ ଖାଇବାକୁ ଜିଦ୍ କଲେ । ଏପରିକି ଉପବାସ କରି ରହିଲେ । ମାତାମହୀଙ୍କ ଆୟତ୍ତରୁ କଥା ପାଇଁ କର୍ତ୍ତାରଙ୍କ କାନରେ ପଡ଼ିଲା । ସେ ମଧ୍ୟ ଏପରି ବ୍ୟବସ୍ଥା ପାଇଁ ଦୁଃଖ ପ୍ରକାଶ କଲେ । ସେହିଦିନରୁ ମୁସଲମାନଙ୍କ ପାଇଁ ଅଲଗା ବାସନ ବ୍ୟବସ୍ଥା ଲୋପ ପାଇଲା ।

 

୧୯୬୦ ରେ ଯେତେବେଳେ ସାହିରଙ୍କ ସହିତ ବିଚ୍ଛେଦ ହୁଏ ତାଙ୍କୁ ସମଗ୍ର ବିଶ୍ୱ ସଂସାର ନିରସ ବୋଧ ହେଲା । ଦୁଃସ୍ଵପ୍ନ ତାଙ୍କ ଜୀବନକୁ ଅତିଷ୍ଠ କରି ପକାଇଲା । ସେ ଜଣେ ସାଇକେଟ୍ରିଷ୍ଟ (ମନଃ ଚିକିତ୍ସକ) ଙ୍କର ଚିକିତ୍ସାଧୀନ ରହିଲେ । ଏହି ମନଃସ୍ଥିତିରୁ ମୁକ୍ତ ପାଇବାର ଉପାଖ୍ୟାନ ଐତିହାସିକ ଓ ଗୁରୁତ୍ୱ ପୂର୍ଣ୍ଣ ।

 

ଭିଏତନାମର ରାଷ୍ଟ୍ରପତି ମାନ୍ୟବର ହୋ–ଚି–ମିନ୍ ଭାରତ ପରିଦର୍ଶନରେ ଆସିଲାବେଳେ ଅମୃତା ତାଙ୍କୁ ସାକ୍ଷାତ କରିଥିଲା । ମହାନ ମାନବତାବାଦୀ ହୋ–ଚି–ମିନ୍ ତାଙ୍କ ମସ୍ତକ ଚୁମ୍ବନ କରି କହିଲେ–“ଆମେ ଦୁହେଁ ବିଶ୍ଵର ଦୂଷିତ ମୂଲ୍ୟବୋଧ ବିରୁଦ୍ଧରେ ଯୁଦ୍ଧ କରୁଛେ । ତୁମେ ମସୀରେ ଯୁଦ୍ଧ କରୁଛ । ମୁଁ ଅସିରେ ଯୁଦ୍ଧ କରୁଛି ।” ୧୯୬୧ ରେ ଦିଲ୍ଲୀ ରେଡ଼ିଓରେ ଅମୃତା ବିଶ୍ଵର ଲୋକଗୀତ ପ୍ରଚାର ପାଇଁ ସଙ୍କଳନ, ତର୍ଜମା ଓ ସମ୍ପାଦନ କରିଥିଲେ । ତାହା ପୁସ୍ତକାକାରରେ ପ୍ରକାଶ କଲାବେଳେ ସେହି ମହାନ୍ ମାନବ ପ୍ରେମିକ ହୋ–ଚି–ମିନଙ୍କୁ ତାଙ୍କରି ଭାଷାରେ ଉତ୍ସର୍ଗ କରିଥିଲେ । ପୁସ୍ତକର ପ୍ରାପ୍ତି ସ୍ଵୀକାର ସ୍ୱରୂପ ତା’ର ବାର୍ତ୍ତା ପ୍ରେରଣ କରି ସେ ସେ ଲେଖିଥିଲେ—“I send you my friendliest and kindest greetings” ଅମୃତାପ୍ରୀତମଙ୍କ ବିଷଣ୍ଣ ପ୍ରାଣରେ ଏହି ଅମୃତନିଷ୍ୟନ୍ଦୀ ଭାଷା ଅଦ୍ଭୁତ ପ୍ରତିକ୍ରିୟା ସୃଷ୍ଟିକରି ତାଙ୍କୁ ନୂତନ ଭାବରେ ସତେଜ ଓ ସରସ କରିଥିଲା । ସାହିର ତାଙ୍କ ପ୍ରାଣରେ ଚିର ଭାସ୍ୱର ହୋଇ ରହିଛନ୍ତି ।

 

ତାଙ୍କର ଦ୍ଵିତୀୟ ପ୍ରିୟପାତ୍ର ହେଲେ ଇମରୋଜ । ସମ୍ପ୍ରତି ସେ ଇମରୋଜଙ୍କ ନିକଟରେ ଅବସ୍ଥାନ କରୁଛନ୍ତି । ଇମରୋଜ ଜଣେ ବିଶିଷ୍ଟ ଚିତ୍ରକର ।

 

ଏପରି ସାମାଜିକ ସ୍ଥିତିରେ ନିଜକୁ ଅବସ୍ଥାପିତ କରିଥିବାରୁ ଅମୃତାପ୍ରୀତମ୍‍ଙ୍କର ଅପୂର୍ବ କଳାଗତ କୃତିତ୍ଵ ଥିଲେ ମଧ୍ୟ ସେ ନାନା ବ୍ୟଙ୍ଗ ବିଦ୍ରୂପର ଶରବ୍ୟ ହୋଇଛନ୍ତି । ଖବର କାଗଜରେ ବଦନାମ ପ୍ରକାଶ ପାଇବାରେ ବୋଧହୁଏ ଅମୃତାପ୍ରୀତମ୍ ପ୍ରଥମ ହେବେ । ବିବାହିତ ସ୍ଵାମୀଙ୍କୁ ତ୍ୟାଗକରି ‘ମନର ମଣିଷ’ ପଛରେ ଧାଇଁବାକୁ ଭାରତୀୟ ରକ୍ଷଣଶୀଳ ସମାଜ ସୁ–ନଜରରେ ଦେଖିବା କ’ଣ ସମ୍ଭବ ?

 

ଆଉଜଣେ ଅନ୍ତରଙ୍ଗ ସାହିତ୍ୟକ ବନ୍ଧୁଥିଲେ ସଜ୍ଜାଦ ହୈଦର । ଦେଶ ବିଭାଜନ ପୂର୍ବରୁ ଅମୃତା ଲାହୋର ବେତାର କେନ୍ଦ୍ରରେ କାର୍ଯ୍ୟ କରୁଥାନ୍ତି । ସେଠାରୁ ଆସି ଡେରାଡ଼ୁନ ଓ ପରେ ଦିଲ୍ଲୀ ବେତାର କେନ୍ଦ୍ରରେ ଯୋଗ ଦେଲେ । ଦେଶ ବିଭାଜନ ପୂର୍ବରୁ ସାମ୍ପ୍ରଦାୟିକ ଦଙ୍ଗାର ନିର୍ମମ ତାଣ୍ଡବ ଲାହୋର ସହରକୁ ବିଷାକ୍ତ କରି ଦେଇଥିଲା । କର୍ଫ୍ୟୁ ଜାରି ହୋଇଥାଏ । ସଜ୍ଜାଦ ପ୍ରତିଦିନ ଆସି ଅମୃତାଙ୍କୁ ଦେଖା କରୁଥାନ୍ତି । କର୍ଫ୍ୟୁର ଫାଙ୍କେ ଫାଙ୍କେ ସେ ଅମୃତାଙ୍କ ପାଖକୁ ପଳାଇ ଆସି କିଛି ସମୟ ତାଙ୍କର କୁଶଳ ଜିଜ୍ଞାସା କରିଥାନ୍ତି । ଅମୃତାଙ୍କ କନ୍ୟାର ଜନ୍ମଦିନ ଅପ୍ରେଲ ୨୩ ତାରିଖରେ ସଜ୍ଜାଦ ଜନ୍ମଦିନ କେକ୍ ପ୍ରସ୍ତୁତ କରାଇ ଆଣି ପହଞ୍ଚିଥିଲେ । ଏହି ଘଟଣାରୁ ତାଙ୍କ ବନ୍ଧୁତ୍ୱର ଘନିଷ୍ଠତା ଉପଲବ୍‍ଧି କରିହୁଏ । ଦେଶ ବିଭାଜନ ପରେ ଅମୃତା ଡେରାଡ଼ୁନରେ ଥିବା ସମୟରେ ପତ୍ରାଳାପରେ ବନ୍ଧୁତ୍ୱକୁ ଅମ୍ଳାନ ରଖିଥାନ୍ତି । ଫଳରେ ଅମୃତାଙ୍କ ପୁତ୍ର ନବରାଜ ଅନୁକରଣରେ ସଜ୍ଜଦ ନିଜର ନବଜାତ ପୁତ୍ରର ନାମ ରଖିଲେ ‘ନବୀ’ । ଥରେ ଅମୃତା ଦେଶ ବିଭାଜନ ସମୟରେ ଯେଉଁ ମା’ ଭଉଣୀମାନେ ଧନ, ସମ୍ପତ୍ତି, ପୁତ୍ର କନ୍ୟା, ସ୍ୱାମୀ ହରାଇ ବସିଲେ ସେହିମାନଙ୍କ ଦୁଃଖରେ ଅଭିଭୂତ ହୋଇ “ବାରିଶ ଶାହ ସେ” ନାମକ କବିତା ଲେଖି ସଜ୍ଜାଦ ହୈଦରଙ୍କ ନିକଟକୁ ପଠାଇ ଦେଲେ । ସେ ସେହି କବିତା ଦ୍ଵାରା ଏପରି ପ୍ରଭାବିତ ହେଲେ ଯେ ସଙ୍ଗେ ସଙ୍ଗେ ଇଂରାଜୀରେ ଅନୁବାଦ କରି ‘ପାକିସ୍ଥାନ ଟାଇମସ୍’ରେ ପ୍ରକାଶ କରାଇ ଦେଲେ । କବିତାଟି ପାକିସ୍ଥାନରେ ଖୁବ୍ ଲୋକ ପ୍ରିୟତା ଅର୍ଜନ କରିଥିଲା କିନ୍ତୁ ମୂଳ ପଞ୍ଜାବୀ କବିତା ବହୁ ବିଳମ୍ବରେ ପ୍ରକାଶ ପାଇଲା । ଆଜି ବି ସଜ୍ଜାଦ ହୈଦରଙ୍କ ସହିତ ତାଙ୍କର ବନ୍ଧୁତ୍ୱ ଅମ୍ଳାନ ରହିଛି ।

 

ସାହିରଙ୍କୁ ସେ ନିଜେ ଲେଖାରେ ବଞ୍ଚାଇ ରଖିଛନ୍ତି । କେବଳ ‘ସୁନେହଡ଼େ’ କବିତା ଛାତ୍ର ନୁହେଁ, ‘ଚୈତ୍ର’ ଏବଂ ‘ଆଗକୀ ବାତ’ କବିତା ସାହିରଙ୍କୁ ଲକ୍ଷ୍ୟକରି ଲେଖାଯାଇଛି । ତାଙ୍କ ଲିଖିତ “ଆଁଶୁ”, “ଏକଥୀ ଅନୀତା” ଓ “ଦିଲ୍ଲୀକି ଗଲିୟାଁ” ଉପନ୍ୟାସର ମୁଖ୍ୟ ଚରିତ୍ର ହେଉଛନ୍ତି ସାହିର ଲୁଧିଆନବୀ । ସାହିର ମଧ୍ୟ ଅମୃତାଙ୍କୁ ଲକ୍ଷ୍ୟକରି କବିତା ଲେଖିଛନ୍ତି । ଥରେ ଇମରୋଜ ଓ ଅମୃତା ସାହିରଙ୍କୁ ଭେଟିବାକୁ ଯାଇଥାନ୍ତି । ତିନିଜଣଯାକ ଗୋଟିଏ ଟେବୁଲରେ ମନଭରି ପାନ କଲେ । ସମୟକ୍ରମେ ସାହିରଙ୍କଠାରୁ ସେମାନେ ବିଦାୟ ମାଗି ଫେରିଗଲେ । ଟେବୁଲ ଉପରେ ଖାଲି ଗ୍ଳାସ ଥୁଆ ହୋଇଥାଏ । ସାହିର ଏହି ପରିବେଶକୁ ଲକ୍ଷ୍ୟ କରି ଦେଖିଲେ–”ମେରେ ସାଥୀ ଖାଲିଜାମ, ତୁମ ଆବାଦ ଘରୋକା ବାସୀ, ହମହୈ ଆୱାରା ବଦନାମ ।”

 

ଅମୃତା କବିତ୍ଵରେ ଯେପରି କାଳୋର୍ତ୍ତୀର୍ଣ୍ଣତା ଲାଭ କରିଛନ୍ତି, କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ରରେ ତଦପେକ୍ଷା ବଳିଷ୍ଠତର ସ୍ଵାକ୍ଷର ରଖିଛନ୍ତି । ସେ ଜନ୍ମଜାତ କଳାକାର । ବହୁ ଉପନ୍ୟାସ ଭାରତୀୟ ଭାଷାମାନଙ୍କରେ, ଇଂରାଜୀ, ସର୍ବ ନେପାଳୀ ଭାଷାରେ ଅନୂଦିତ ଓ ଆଦୃତ ହୋଇଛି । କଳାପଟବ ତାଙ୍କୁ ଦେଶକାଳର ଊର୍ଦ୍ଧ୍ଵକୁ ତୋଳି ଧରିଛି । ତାଙ୍କ ଲିଖିତ କେତେଗୋଟି ଉପନ୍ୟାସ ଚିତ୍ରାୟିତ ହୋଇଛି । ‘ନାଗମଣି’ ‘ପିଞ୍ଜର’ “ଡା. ଦେବ” ‘ଆକ୍‍‍କେ ପତେ’ ୟାତ୍ରୀ, ଧରତୀ ସାଗର ଔର ସିପିୟା, ଆଳନା, ଏରିୟଲ ‘ଜେବକତରେ’ ‘ଏକଥି ଅନିତା’ ପିଘଲତୀ ଚଟ୍ଟାନ, ପାଞ୍ଚ ବରଷ ଲମ୍ବୀ ସଡ଼କ, ପ୍ରଭୃତି ଉପନ୍ୟାସ; ଛଲକ ଛଲା, ଜଙ୍ଗଲୀ–ବୁଟୀ, ଗୁଲିୟାନାକୀ, ଏକଖତ, ଅମାକଡ଼ି, ଏକ ଗୀତକୀ ସୃଜନ, ପାଞ୍ଚ ବହନେ, ଦୋ ଔରତେ, କହାନୀ ଦର କାହାନୀ ପ୍ରଭୃତି ଶତାଧିକ ଗଳ୍ପ ଜଣେ ବଳିଷ୍ଠ କଥାଶିଳ୍ପୀ ଭାବରେ ଋଦ୍ଧିସିଦ୍ଧି ଦାନ କରିଛି ।

 

ଅମୃତା ପ୍ରୀତମ୍ ଜୀବନର ଅନୁଭୂତି ସମୂହକୁ କିପରି ଗଳ୍ପ ଉପନ୍ୟାସରେ ଚିତ୍ରଣ କରିଛନ୍ତି ତାହା ଅନୁଧ୍ୟାନ କଲେ ବାସ୍ତବରେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ପଡ଼େ ।

 

ଥରେ ସେ ରୁମାନିୟାରୁ ବୁଲଗେରିଆ ଯାଉଥାନ୍ତି । ତାଙ୍କ ପାଖରେ ଗୋଟିଏ ଓଭର କୋଟ ବ୍ୟତୀତ ଅନ୍ୟ କୌଣସି ଶୀତବସ୍ତ୍ର ନ ଥାଏ । ରାତିରେ ଭୟଙ୍କର ଥଣ୍ଡା ପଡ଼ିଥାଏ । ସେ ଟ୍ରେନରେ ଏକ ବେଞ୍ଚରେ ବସିଥାନ୍ତି । ଗୋଡ଼ ଉପରକୁ ଉଠାଇ ବସି ପାହୁଲ ଆଡ଼କୁ କୋର୍ଟଟି ଟାଣିଲା ବେଳକୁ ମୁଣ୍ଡ ଉପରୁ ତାହା ଖସି ଯାଉଥାଏ । କିଛି ସମୟ ଏହି ଟଣାଟଣି ବ୍ୟାପାର ହେଲା ପରେ ତାଙ୍କୁ ନିଦ ଆସିଯାଇ ଥାଏ । ସେ ବେଶ ଉଷ୍ମତା ଅନୁଭବ କରୁଥାନ୍ତି । ସକାଳେ ଯେତେବେଳେ ନିଦରୁ ଉଠିଲେ, ଦେଖିଲେ ଜଣେ ବୁଲଗେରିଆବାସୀ ସେହି ଟ୍ରେନରେ ତାଙ୍କର ସେ ସହଯାତ୍ରୀ । ଅମୃତାଙ୍କ ଉପରେ ତାଙ୍କର ଉଭର କୋଟ୍‌ଟିକୁ ରେଜେଇ ଘୋଡ଼ାଇଲାପରି ଘୋଡ଼ାଇ ଦେଇଥାନ୍ତି । ‘ଆକ୍‌କଦା ବୁଟା’ ଉପନ୍ୟାସରେ ନାୟକ ପ୍ରତିଦିନ ସଂଧ୍ୟା ଗାଡ଼ିରେ ନିଜର ନିରୁଦ୍ଦିଷ୍ଟା ଭଉଣୀକୁ ଖୋଜି ବୁଲେ । ଦିନେ କ’ଣ ଭାବି ନାୟକ ଗାଡ଼ିରେ ଉଠିପଡ଼ିଥାଏ । ଶୀତଦିନ-। ପାଖରେ ଶୀତବସ୍ତ୍ର ନଥାଏ । ସେ ଗାଡ଼ିରେ ବସି ଶୀତରେ ଥରଥର ହୋଇ ଥରୁଥାଏ-। ରାତିରେ ନିଦ ହୋଇଗଲା । ସକାଳେ ଗୋଟିଏ ଷ୍ଟେସନରେ ଗାଡ଼ି ଅଟକିଲା । କୋଳାହଳରେ ନାୟକର ନିଦ ଭାଙ୍ଗିଗଲାରୁ ସେ ଦେଖିଲା ଜଣେ ସହଯାତ୍ରୀ ନିଜର ରେଜେଇ ତା ଉପରେ ଘୋଡ଼ାଇ ଦେଇଛି ।

 

“ଯାତ୍ରୀ” ଉପନ୍ୟାସରେ ନିଜକୁ ସୁନ୍ଦରାଂ ରୂପରେ ଉପସ୍ଥାପନ କରିଛନ୍ତି । ସୁନ୍ଦରାଂ ଯେତେବେଳେ ମନ୍ଦିରରେ ଶିବ ପାର୍ବତୀଙ୍କ ଚରଣ ତଳେ ଫୁଲଡ଼ାଲା ଅଜାଡ଼ି ଦିଏ ସେଠାରୁ ତା’ର ପ୍ରେମିକ ବାହୁ ପ୍ରସାରଣ କରି ଆଲିଙ୍ଗନ ପାଇଁ ଉଦ୍‌ଗ୍ରୀବ । ସୁନ୍ଦରାଂ ଭାବେ ସେଠାରେ ଦେବତା ଗୋଡ଼ତଳେ ପଡ଼ିଯାଇ ପ୍ରେମିକର ପାଦସ୍ପର୍ଶ କରିବ । କେହି ସେ ସ୍ପର୍ଶସୁଖ ସମ୍ବନ୍ଧରେ ଟେର ପାଇ ପାରିବେ ନାହିଁ । ଅମୃତା ମଧ୍ୟ ସେହିପରି ବହୁଦିନ ନିଜର ପ୍ରେମିକଙ୍କ ବିଷୟ ପ୍ରାଣମନରେ ଏହି ଆବେଗ ଓ ତନ୍ନୟତା ଅନୁଭବ କରିଥିଲେ । ଏହି ଯାତ୍ରୀ ଉପନ୍ୟାସ ପ୍ରଥମେ ହିନ୍ଦୀରେ ୧୯୬୯ରେ, ପଞ୍ଜାବୀରେ ୧୯୭୧ରେ ଓ ଇଂରାଜୀରେ ୧୯୭୩ରେ ପ୍ରକାଶ ପାଇଛି ।

 

‘ଏକ ସବାଲ’ ଉପନ୍ୟାସରେ ନାୟକ ଜଗଦୀପ ତା’ର ମା’ଙ୍କ ମୃତ୍ୟୁଶଯ୍ୟା ନିକଟରେ ଠିଆ ହୋଇଥାଏ । ଅମୃତା ମଧ୍ୟ ଏଗାର ବର୍ଷ ବୟସ ବେଳେ ସେପରି ନିଜ ମାତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଠିଆହୋଇ ଏକଗ୍ର ଚିତ୍ତରେ ଭଗବାନଙ୍କୁ ନିବେଦନ କରୁଥିଲେ, “ପ୍ରଭୁ ! ମୋ’ ମା’କୁ ମାର ନାହିଁ ।” ମାଙ୍କ ହାତରେ ପ୍ରସ୍ତୁତ କେତେଖଣ୍ଡ ରୋଟିକୁ ଜଗଦୀପ ଯେପରି ନିଜ ପାଖରେ ସାଇତି ରଖି ଟିକେ ଟିକେ ଖାଇ ମା’ର ଅମୃତ ସ୍ୱାଦ ଅନୁଭବ କରୁଥିଲେ, ସେପରି ଅମୃତା ନିଜେ ମା’ଙ୍କ ଦ୍ଵାରା ପ୍ରସ୍ତୁତ ରୋଟିକୁ ଗୁଣ୍ଡ କରି ଗୋଟିଏ ଶିଶିରେ ଭରି ସାଇତି ରଖିଥିଲେ ।

 

‘ଏରିୟଲ’ ଉପନ୍ୟାସର ନାୟକ ଅମୃତାଙ୍କ ଘରକୁ ଆସି ତା’ଜୀବନ କାହାଣୀ ଲେଖିବାକୁ ଅନୁରୋଧ କରିଥିଲା । ଏରିୟଲ ଉପନ୍ୟାସ ତାହାରି କାଳାତ୍ମକ ରୂପ ।

 

ବମ୍ବେର ପ୍ରସିଦ୍ଧ କଳାକାର ଫୈଜଙ୍କଙ୍କ ଚରିତ୍ର ଅବଲମ୍ବନରେ ‘ବୁଲାବା’ ଉପନ୍ୟାସ ବିରଚିତ ହୋଇଛି ।

 

‘ଜେବ କତରେ’ ଉପନ୍ୟାସର ତନବୀର ଜେଲରେ ଗୋଟିଏ କବିତା ଲେଖି ବାହାରକୁ ପଠାଇଥିଲା । ସେଥିରେ ସେ ନିଜ ନାମ ପରିବର୍ତ୍ତେ ନିଜ ନମ୍ବରଟି ଲେଖିଥିଲା ୬୮୯/୯ । ଏହି ନମ୍ବରଟି ଋଷୀୟ ଲେଖକ ଗର୍କୀଙ୍କର । ଅମୃତା ରୁଷ ପରିଭ୍ରମଣରେ ଯାଇଥିବାବେଳେ ଗର୍କୀ ସ୍ମୃତିଭବନ ବୁଲି ଦେଖିଥିଲେ । ଗର୍କୀ ଜେଲଦଣ୍ଡ ଭୋଗୁଥିବାବେଳେ ତାଙ୍କର ଉପର୍ଯ୍ୟୁକ୍ତ ନମ୍ବର ଥିଲା । ଅମୃତା ପ୍ରୀତମ ଏହି ସ୍ମୃତିରେ ଉପନ୍ୟାସରେ ସେହି ନମ୍ବରଟି ବ୍ୟବହାର କରିଛନ୍ତି । ଏହି ଉପନ୍ୟାସରେ ତାଙ୍କ ପୁତ୍ର ଓ ପୁତ୍ରର ବନ୍ଧୁ ଚରିତ୍ର ଦୁଇଟି ରୂପାୟନ କରିଥିବା କଥା ଲେଖିବା ସ୍ୱୀକାର କରିଛନ୍ତି ।

 

ନେପାଳ ଦୂତାବାସରେ କଲଚରାଲ ସେକ୍ରେଟେରୀ ଥାନ୍ତି ସାୟମୀ ଧୂସବାଁ । ତାଙ୍କ ଭିତରେ ଥିବା ମାନବତା ଯେତେ କୂଟନୈତିକ ନୁହେଁ ସେତେ କଳାକାର ବା କବି । ଏହି ବିରୋଧାଭାଷ ହେତୁ ତାଙ୍କ ପ୍ରାଣରେ ବହୁ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ଏହିପରି ଗୋଟିଏ ଦ୍ୱନ୍ଦ୍ୱକୁ ଭିତ୍ତି କରି ‘ଅଦାଲତ’ ଗଳ୍ପ ଗଢ଼ିଉଠିଛି ।

 

‘ଦୀଲ୍ଲିକୀ ଗଲିୟାଁ’ ଉପନ୍ୟାସରେ ନାସିର ଚରିତ୍ରଟି ଇମରୋଜଙ୍କର ବୋଲି ଲେଖିବା ନିଜେ ସ୍ୱୀକାର କରିଛନ୍ତି । ‘ଚକ ନଂ ଛତିଶ’ ଉପନ୍ୟାସଟି ୧୯୬୪ରେ ପ୍ରକାଶ ପାଇଲା । ଏହା ଉପରେ ପଞ୍ଜାବ ସରକାର ନିଷେଦ୍ଧାଦେଶ ଜାରି କରିବାର ଅପବାଦ ମଧ୍ୟ ପ୍ରଚାର ଚାଲିଲା ମାତ୍ର ଏପରି ଆଦେଶ ଜାରି ହେବା ପରିବର୍ତ୍ତେ ଏହା ୧୯୬୫ରେ ହିନ୍ଦୀ ଭାଷାରେ, ୧୯୬୬ରେ ଉର୍ଦ୍ଦୁ ଭାଷାରେ ଓ ୧୯୭୪ରେ ଇଂରାଜୀ ଭାଷାରେ ଅନୁଦିତ ଓ ପ୍ରକାଶିତ ହୋଇଛି । ଏହି ଉପନ୍ୟାସ ବିଷୟରେ ଶ୍ରୀ ରେବତୀ ଶରଣ ଶର୍ମା ମନ୍ତବ୍ୟ ଦେଇ କହିଛନ୍ତି ଯେ, ସେ ସମୟର ଏକ ଶତାବ୍ଦୀ ପୂର୍ବରୁ ଏହା ବିରଚିତ ହୋଇଛି । ଭାରତ ଏହି ଉପନ୍ୟାସ ବୁଝିବା ପାଇଁ କ୍ଷମ ହୋଇନାହିଁ । ଏହି ଉପନ୍ୟାସର ଅଳକା ଚରିତ୍ର ହିଁ ଅମୃତା ପୀତମ ।

 

ଅମୃତା ପ୍ରୀତମ୍ ଥରେ ବିଶେଷ କାରଣରୁ ବରୋଦା ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପୁଅକୁ ଚିନ୍ତିତ ଭାବରେ ଖଣ୍ଡିଏ ଚିଠି ଲେଖିଲେ । ଉତ୍ତରରେ ଟ୍ରଙ୍କକଲ କରି ତାଙ୍କ ପୁଅ କହିଲେ ସେ ଭଲ ଅଛନ୍ତି । ମାତୃ ହୃଦୟର ବ୍ୟାକୁଳତା କ୍ରମେ ଉପଶମ ହେଲା । ପୁତ୍ରର କୁଶଳ ଜିଜ୍ଞାସାରେ ଯେଉଁ ଆଗ୍ରହ ଓ ବ୍ୟାକୁଳତା ମର୍ମେ ମର୍ମେ ଅନୁଭବ କରିବା ସଙ୍ଗେ ସଙ୍ଗେ ମାତୃହୃଦୟର ଆଶା ଆକାଙ୍‌କ୍ଷାକୁ ସେହି ମୁହୂର୍ତ୍ତ ପ୍ରମୂର୍ତ୍ତ ରୂପ ଦେଲା । ତାଙ୍କୁ ନାନକଜୀଙ୍କ ପଞ୍ଚଶତାବ୍ଦୀ ଜୟନ୍ତୀ ପାଳନ ଅବସରରେ ଜଣେ ପ୍ରକାଶକ ଗୋଟିଏ ଦୀର୍ଘ କବିତା ରଚନା ନିମନ୍ତେ ଅନୁରୋଧ କରିଥିଲେ । ହେଲେ ଅମୃତାପ୍ରୀତମ ବରାଦୀ କବିତା ଲେଖିପାରିବେ ନାହିଁ ବୋଲି ଅସ୍ଵୀକାର କରିଥିଲେ; ମାତ୍ର ସେହି ମୁହୂର୍ତ୍ତର ଅନୁଭୂତି ତାଙ୍କୁ ‘ଗର୍ଭବତୀ’ କବିତା ରଚନା ନିମନ୍ତେ ପ୍ରରୋଚନା ଦେଇଥିଲା । ମାତା ତୃପ୍ତା ଯେଉଁ ନ’ମାସ ନାନକଜୀଙ୍କୁ ଧରିଥିଲେ ସେହି ନ’ମାସର ବ୍ୟଥା ସ୍ଵପ୍ନରେ କିପରି ପରିପୂର୍ଣ୍ଣ ଥିଲା ଅମୃତାପ୍ରୀତମଙ୍କ ସ୍ଵର୍ଣ୍ଣ ଲେଖନୀରୁ ଉତ୍ସରିତ ହୋଇଛି । କିନ୍ତୁ ନାନକଜୀଙ୍କ ପବିତ୍ର ବିଷୟରେ ଲେଖନୀ ଚାଳନା କରିବାର କୌଣସି ଅଧିକାର ଅମୃତାପ୍ରୀତମଙ୍କର ନାହିଁ କହି ପଞ୍ଜାବୀ ଖବର କାଗଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ସମସ୍ତ ସୌଜନ୍ୟବୋଧ ହରାଇ ‘କାମୁକଚୀଣ୍ଟୀ’ କହି ଅପମାନିତ କରିବାକୁ ମଧ୍ୟ ଭୁଲି ନାହାନ୍ତି ।

 

ଅମୃତାପ୍ରୀତମ୍‌ଙ୍କ ଲେଖ ଗଳ୍ପ, ଉପନ୍ୟାସ ହିନ୍ଦୀରେ କେବଳ ଲୋକପ୍ରିୟତା ଅର୍ଜନ କରିନାହିଁ ପ୍ରଚୁର ଆର୍ଥିକ ସ୍ଥିତି ବୃଦ୍ଧି କରାଇଛି । ସେ ପଞ୍ଜବୀଭାଷାରେ ଲେଖନ୍ତି; ମାତ୍ର ହିନ୍ଦୀରେ ଅନୁଦିତ ହୋଇ ଗଳ୍ପ ଉପନ୍ୟାସମାନ ପ୍ରକାଶ ପାଏ । ଏପରିକି ତାଙ୍କ ଲିଖିତ ଗଳ୍ପ ଉପନ୍ୟାସ ପ୍ରଥମେ ହିନ୍ଦୀରେ ପ୍ରକାଶ ପାଏ ଓ ମୌଳିକ ପଞ୍ଜାବୀ ଲେଖା ପରେ ପ୍ରକାଶ ପାଇଥାଏ । ଏ ବିଷୟରେ ସେ କହନ୍ତି ପଞ୍ଜାବୀ ଭାଷାଭାଷୀମାନେ ଯେତେ ଅପମାନ ଦେଲେ ମଧ୍ୟ ସେ କିନ୍ତୁ ସେ ଭାଷାରେ ଲେଖନ୍ତି । କାରଣ ମା’ ବାପାଙ୍କୁ ଯେପରି ନିଜ ମନୋମତ ନିର୍ବାଚନ କରାଯାଏ ନାହିଁ, ସେପରି ମାତୃଭାଷା ମଧ୍ୟ । ମାତୃଭାଷାର ଅପମାନ କରାଯିବା ଅନୁଚିତ । ପଞ୍ଜାବୀ ସାହିତ୍ୟରେ ତାଙ୍କର ସ୍ଥାନ ଖୁବ୍ ଉଚ୍ଚରେ ବୋଲି ସମାଲୋଚକମାନେ ସର୍ବାନ୍ତଃକରଣରେ ସ୍ଵୀକାର କରିଥାନ୍ତି । କିନ୍ତୁ ବହୁ ଲେଖକ ତାଙ୍କର ତୀବ୍ର ବିରୋଧୀ । ଏହି ବିରୋଧ ଭାବ ଅପବାଦ ଦେବା ଓ କାଦୁଅ ଛଟାରେ ପର୍ଯ୍ୟବସିତ ହୋଇଥାଏ । ଅବଶ୍ୟ ପ୍ରତ୍ୟେକ ସାହିତ୍ୟରେ ଏହିପରି ମନୋଭାବ ପ୍ରକାଶ ପାଇଥାଏ; କିନ୍ତୁ ତାଙ୍କ ଅପବାଦର କାହାଣୀ ପ୍ରସିଦ୍ଧ ସାହିତ୍ୟ ପ୍ରକ୍ରିୟାରେ ପ୍ରକାଶ ପାଇଛି । ସାହିତ୍ୟରେ ଦଳାଦଳିର ଅନୁପ୍ରବେଶ ନିଶ୍ଚୟ ବିପାଜ୍ଜନକ । ଏହା ମୂଳରେ ପୁରସ୍କାର ଓ ଉପାଧି ଲୋଭ ବିଦ୍ୟମାନ । ଯିଏ ଯାହା ନୁହେଁ ତାହା ହେବାପାଇଁ ତାହା ହେବାର ଉଦବେଗ ହିଁ ଏହି ଲୋଭର ପ୍ରତିକ୍ରିୟା ଏବଂ ଏହି ପ୍ରତିକ୍ରିୟାର ପରିପ୍ରକାଶ ଦଳାଦଳିରେ ପର୍ଯ୍ୟବସିତ ହୋଇଥାଏ । ଅମୃତା ପ୍ରିତମ୍ ସାହିତ୍ୟ ଏକାଡେମୀ ଏକଜିକ୍ୟୁଟିଭ ସଦସ୍ୟା ଓ ଭାରତୀୟ ଜ୍ଞାନପୀଠ ପୁରସ୍କାର କମିଟିର ସଦସ୍ୟା ଥିଲେ । ଏ ସୁପାରିସର ଯୁଗ । କାହାର ଦୋଷ ଦର୍ଶନ କଲେ ଏ ଯୁଗରେ ବିପଦକୁ ବରଣ କରିବାର କଥା । ଅମୃତା ପ୍ରୀତମ୍‌ଙ୍କ ଭାଗ୍ୟରେ ତାହା ରୂପାୟିତ ହୋଇଛି । ସାହିତ୍ୟ କ୍ଷେତ୍ରରେ ଦଳାଦଳି ସ୍ପୃହଣୀୟ ନୁହେଁ । ସାହିତ୍ୟିକ ସତ୍ୟ ସନ୍ଧାନୀ । ସେ ମନେ କରେ, ଏହି ତପଶ୍ଚର୍ଯ୍ୟରୁ ଉପଲବ‌୍‌ଧ ସତ୍ୟ ଉପସ୍ଥାପନ କରି ସମାଜକୁ, ଉନ୍ନତ ଓ ପରିମାଜିତ ହେବାରେ ସାହାଯ୍ୟ କରେ । ଦଳଗତ ସଂଗଠନରେ ଶକ୍ତି ବ୍ୟୟିତ ହେଲେ ମନନ ନିମନ୍ତେ ସମୟ ବନ୍ଧ୍ୟାଶ୍ରମରେ ନଷ୍ଟ ହେବ ସିନା ।

 

୧୯୭୫ରେ ନାଗପୁରଠାରେ ଅନୁଷ୍ଠିତ ବିଶ୍ଵ ହିନ୍ଦୀ ସମ୍ମିଳନୀରେ ଭାରତୀୟ ଭାଷାର ଲେଖକମାନେ ସମ୍ମାନିତ ଓ ସମ୍ବର୍ଦ୍ଧିତ ହେଲାପରି ପଞ୍ଜାବୀ ଭାଷାକୁ ଅମୃତା ପ୍ରୀତମଙ୍କ ଦାନ ନିମନ୍ତେ ସେ ସମ୍ମାନିତା ହୋଇଥିଲେ । ପଞ୍ଜାବୀ ଭାଷାର ଗୋଟିଏ ସାହିତ୍ୟ ପତ୍ରିକା ତାଙ୍କୁ ଆକ୍ରମଣ କଲେ ଯେ ସେ ପଞ୍ଜାବୀ ଭାଷାର ଲେଖିକା ହୋଇ ହିନ୍ଦୀ ଭାଷାର ମୌଳିକ ଲେଖିକା ଭାବରେ ସମ୍ମାନିତା ହୋଇଛନ୍ତି । ହିନ୍ଦୀରେ ସେ ମୌଳିକ ରଚନା କରି ତାଙ୍କ ଲେଖାର ଅନୁବାଦ ପ୍ରକାଶ ପାଏ; ଅଥଚ ସେ ତାହା ଲୁଚାଇ ପଞ୍ଜାବୀ ଭାଷାକୁ ଅପମାନ ଦେଇଛନ୍ତି । ଏପରି ଭ୍ରାନ୍ତ ସମ୍ପାଦନା ସାହିତ୍ୟକୁ ଅବନତ କରେ ବୋଲିବାକୁ ହେବ । ସେହିପରି ୧୯୭୩ ମେ ୧୫ ତାରିଖ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅମୃତା ପ୍ରୀତମ ଓ କର୍ଣ୍ଣାଟକୀ ଗାୟିକା ଶୁଭଲକ୍ଷ୍ମଙ୍କୁ ଡ଼ି. ଲିଟ. ଉପାଧି ପ୍ରଦାନ କଲେ । ଏହି ଶୁଭ ଅବସରରେ ଅମୃତା ପ୍ରୀତମ ତାଙ୍କ ଲିଖିତ ‘ଅକ୍ଷର’ କବିତା ଉପସ୍ଥିତ ସୁଧୀମଣ୍ଡଳୀଙ୍କ ସମକ୍ଷରେ ପାଠ କଲେ ମାତ୍ର ଟାଇମ୍‌ସ ଅଫ ଇଣ୍ଡିଆ ପତ୍ରିକାରେ କମେଣ୍ଟ ପ୍ରକାଶ କଲେ ଯେ ଆନନ୍ଦାତିଶଯ୍ୟାରେ ଗାଇବାକୁ ଲାଗିଲେ । ଖାଲି ସେତିକି ନୁହେଁ ତାଙ୍କ କବିତାରେ ଅଶ୍ଳୀଳତା (ପଣ୍ଣେଗ୍ରାଫି) ବିଦ୍ୟମାନ ବୋଲି ଅଭିଯୋଗ ହେବାରୁ ଗୋଟିଏ ସ୍କ୍ରିନିଂ କମିଟି ନିଯୁକ୍ତ ହୋଇଥିଲା ଓ ସେ ଅଭିଯୋଗରୁ ମୁକ୍ତି ପାଇଥିଲେ ।

 

୧୯୩୬ରେ ଅମୃତାଙ୍କ ପ୍ରଥମ ପୁସ୍ତକ ପ୍ରକାଶ ପାଇଥିଲା । ଏହି ପୁସ୍ତକକୁ କପୁର ଥଲାର ମହାରାଜ ଦୁଇଶହ ଟଙ୍କା ପୁରସ୍କାର ଦେଇଥିଲେ । ରାଣୀନାଭା, କର୍ତ୍ତାର ସିଂହଙ୍କର ଶିଷ୍ୟ ଥିଲେ ।

 

ସେ ବୁଲଗେରିଆର ପ୍ରସିଦ୍ଧ କବି ନିକୋଲାଭାପସ ରୋଭଙ୍କ ନାମରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ପୁରସ୍କାର ଦ୍ଵାରା ୧୯୮୦ରେ ସମ୍ମାନିତା ହୋଇଛନ୍ତି । ୧୯୮୧ ମସିହା ଜ୍ଞାନପୀଠ ପୁରସ୍କାର ମଧ୍ୟ ଅମୃତା ପ୍ରୀତମ ଲାଭ କରିଛନ୍ତି । ସେ ଅମୃତା ପ୍ରୀତମଙ୍କୁ ପୁସ୍ତକ ନିମନ୍ତେ ଉପଢ଼ୌକନ ଦେଇ ସମ୍ମାନିତା କରିଥିଲେ ।

 

ଅମୃତା ପ୍ରଥମ ଜୀବନରେ ସୌଖୀନ ଫଟୋଗ୍ରାଫର ଥିଲେ । ତାଙ୍କ ପିତାଙ୍କର ଗୋଟିଏ ଡାର୍କ ରୁମ୍‍ ଥାଏ । ସେ ସେଠାରେ ନେଗେଟିଭକୁ ପଜେଟିଭ କରିବାକୁ ଭଲ ପାଉଥିଲେ । ସେଥିରୁ ମନ ଦୂରେଇ ଗଲା । ସେ ନାଚ ଶିଖିଲେ । ଲାହୋରର ତାରା ଚୌଧୁରୀ ଥିଲେ ତାଙ୍କର ଗୁରୁ । ସାତ ଆଠ ମାସ ପରେ ସେଥିରୁ ଆଗ୍ରହ କମିଯିବାରୁ ସିତାର ବଜାଇବା ଶିଖିଲେ । ମାଷ୍ଟର ରାମରଖା, ସିରାଜ ଅହମଦ, ଓ ଫିନା ସୁତାରିଆଙ୍କପରି ଓସ୍ତାଦଙ୍କୁ ସେ ଗୁରୁ ଭାବରେ ପାଇଥିଲେ । ସେ ଟେନିସ ଖେଳିବାକୁ ଖୁବ୍ ଭଲ ପାଉଥିଲେ । ଦେଶ ବିଭାଜନ ପରେ ଭାରତକୁ ଆସି ସେ ଅର୍ଥ ସଂକଟର ସମ୍ମୁଖୀନ ହେଲେ । ଏମ. ଏସ. ରାଁଧବା ଅମୃତାଙ୍କୁ ଦିଲ୍ଲୀ ବେତାର କେନ୍ଦ୍ରର ଗୋଟିଏ ଚାକିରି ବନ୍ଦୋବସ୍ତ କରିଦେଲେ । ସେଠାରେ ସେ ଦୈନିକ ମଜୁରୀ ପାଇ କାର୍ଯ୍ୟ କରୁଥିଲେ, ପରେ ସେଠାରେ ସେ ସ୍ଥାୟୀ ଚାକିରି ପାଇଥିଲେ । ଏସବୁ କାର୍ଯ୍ୟ କରୁଥିବାବେଳେ ତାଙ୍କ ହାତର ଲେଖନୀ ଖୁବ୍ ସକ୍ରିୟ ଥିଲା । ତାଙ୍କର ସେହି ଲେଖନୀ ଶକ୍ତି ବଳରେ ସେ ଯଶଃ ପ୍ରତିଷ୍ଠା ଓ ଅର୍ଥ ଲାଭ କରିପାରିଛନ୍ତି ।

Image

 

ସମାନ୍ତରବାଦୀ କମଳେଶ୍ୱର

 

ହିନ୍ଦୀ ସାହିତ୍ୟର ସର୍ବାଧୁନିକ ଲେଖକ ଗୋଷ୍ଠୀ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିବାକୁ କ୍ଷମ ହୋଇପାରିଛନ୍ତି । ସେମାନଙ୍କ ଲେଖା ଯେପରି ବଳିଷ୍ଠ ସେପରି ପ୍ରଭାବ ଶାଳୀ । ମୋହନ ରାକେଶ, ରାଜେନ୍ଦ୍ର ଯାଦବ, ଶ୍ରୀକାନ୍ତ ବର୍ମାଙ୍କପରି କମଳେଶ୍ୱର ବହୁଚର୍ଚ୍ଚିତ ।

 

ଉତ୍ତର ପ୍ରଦେଶର ମୈନପୁର ଗ୍ରାମରେ ୧୯୩୨ ମସିହା ଜାନୁଆରୀ ୬ ତାରିଖ ଦିନ ଗୋଟିଏ ଅଭିଜାତ ପରିବାରର କମଳେଶ୍ୱର ପ୍ରଥମ ସୂର୍ଯ୍ୟାଲୋକ ଦର୍ଶନ କରିଥିଲେ । ସେ ଶୈଶବ ଅବସ୍ଥାରେ ପିତୃସ୍ନେହ ଲାଭରୁ ବଞ୍ଚିତ ହୋଇ ମା’ଙ୍କ ଦ୍ଵାରା ଲାଳିତପାଳିତ ହୋଇ ପରବର୍ତ୍ତୀ ଜୀବନରେ ଉନ୍ନତିର ଚରମ ସୋପାନରେ ଅଧିରୂଢ଼ ହୋଇ ପାରିଛନ୍ତି । ତାଙ୍କର ବାଲ୍ୟଜୀବନ ଖୁବ୍ ଦୁଃଖରେ ଅତିବାହିତ ହୋଇଥିଲା । ସେ ସମ୍ବନ୍ଧରେ ସେ ଗୋଟିଏ ସ୍ମୃତିକଥାରେ ଲେଖିଛନ୍ତି–”ଜଣେ ଧନୀ କୁହାଯାଉଥିବା ଘରେ ଦରିଦ୍ର–ଜୀବନ–ଯାପନ କରିବା, ଭୋଜନ କରି ମଧ୍ୟ ଅଭୁକ୍ତ ରହିବା, ଦୁଃସହ ଦୁଃଖ ଭିତରେ ହସିବା, ଅପରିଣାତି ବୟସରେ ବୟସ୍କ ସୁଲଭ ନିଷ୍ପତ୍ତି ନେବା ମୋ’ର ପ୍ରକୃତି ନୁହେଁ, ବାଧ୍ୟ ବାଧକତା କହିବାକୁ ହେବ ।”

 

କମଳେଶ୍ୱରଙ୍କ ବଡ଼ଭାଇ ସିଦ୍ଧାର୍ଥ ପିତାଙ୍କ ମୃତ୍ୟୁପରେ ଉଜୁଡ଼ି ଯାଇଥିବା ଘରକୁ ସମ୍ଭାଳି ନେଇପାରିଥାନ୍ତେ, ହେଲେ ସେ ମଧ୍ୟ ଅକାଳରେ ମଉଳିଗଲେ । ଫଳରେ ତାଙ୍କ ପରିବାର ବିଶେଷ ଅସୁବିଧାର ସମ୍ମୁଖୀନ ହେଲା । ସେତେବେଳେ ବିଶ୍ୱଯୁଦ୍ଧର ସମୟ । ଅଭିଜାତ ବଂଶଟି ତଳିତଳାନ୍ତ ହୋଇଯାଉଥାଏ । ଚାକର ବାକର ବିଦାୟ ନେଇଥାନ୍ତି । ଗାଈ ମଇଁଷି ଗୁଡ଼ିକ ଗାଁକୁ ପଠାଯାଇଥାଏ, ସେମାନେ କିପରିଜୀବନ ଧାରଣ କରିବେ ତା’ର କୌଣସି ଉପାୟ ନଥାଏ । କମଳେଶ୍ୱରଙ୍କ ମା’ ରାତି ଦୁଇଟା ତିନିଟାରୁ ଉଠି କମର କଷି କାମରେ ଲାଗିଯାନ୍ତି । ଅଟାପେଷନ୍ତି, କଂସାବାସନ ଧୁଅନ୍ତି ଏବଂ ସକାଳ ହେବା ପୂର୍ବରୁ ଗାଧୁଆ ପାଧୁଆ ସାରିଦେଇ ପୁଣି ଜମିଦାର ଗୃହଣୀ ସାଜିଯାନ୍ତି । ପାଖ ପଡ଼ୋଶୀମାନଙ୍କୁ ଦିନରେ ଯଥାସାଧ୍ୟ ସାମନ୍ତଶାହୀ ଗୌରବରେ ସାହାଯ୍ୟ କରନ୍ତି ଓ ରାତିରେ ଶୂନ୍ୟ କୋଠରୀରେ ବସି ଧକେଇ ହୋଇ କାନ୍ଦନ୍ତି ।

 

ସିଦ୍ଧାର୍ଥଙ୍କ ପୁରୁଣା ପୋଷାକ ପତ୍ରକୁ କାଟି ସିଲେଇ କରି କମଳେଶ୍ୱରଙ୍କ ପୋଷାକ ତିଆରି ହୁଏ । ପର୍ବପର୍ବାଣିମାନଙ୍କରେ ମା’ ଙ୍କ ସିଲକ୍ ଶାଢ଼ୀ କାଟି କମଳେଶ୍ୱର ଓ ତାଙ୍କ ସାନ ଭଉଣୀପାଇଁ ତାଙ୍କ ମା’ ଜାମା ତିଆରି କରି ଦିଅନ୍ତି ଏତେ ଦାରିଦ୍ର ଭାବରେ ଜୀବନ ଯାପନ କରିଥିବା କଥା କମଳେଶ୍ୱର ଲେଖିଛନ୍ତି—“ବଜାରରେ ବିକ୍ରି ହେଉଥିବା ସୌଖୀନ ଜିନିଷ ମୋ’ ଭାଗ୍ୟରେ ନଥାଏ ବଡ଼ଭାଇ ନିଜ ପେଟକୁ କାଟି କିଛି ଟଙ୍କା ଜମାଇ ରଖିଥିଲେ ସେଥିରେ ମୋ’ ପାଇଁ ବଜାରରୁ ଗୋଟିଏ ଅପ୍ରସସ୍ଥା ଝରକା ଖୋଲି ଯାଉଥିଲା ତାହା ପୁଣି ବର୍ଷକରେ ଥରକ ପାଇଁ-। କମଳେଶ୍ୱରଙ୍କ କୈଶୋର ମନ ଏହି ଦାରିଦ୍ର୍ୟ ବିରୁଦ୍ଧରେ ବିଦ୍ରୋହୀ ହୋଇଉଠୁଥିଲା, ହେଲେ ମା’ ବୈଷ୍ଣବ–ସଂସ୍କାର ତାଙ୍କୁ ସେଥିରୁ ନିବୃତ୍ତ କରୁଥିଲା । ସେହି ବିଦ୍ରୋହୀ ମନୋବୃତ୍ତି ଦମିତ ହୋଇ ଅପ୍ରାକୃତିକ କାର୍ଯ୍ୟରେ ପ୍ରକାଶିତ ହେଉଥିଲା ସେଥିରେ ସହାୟ ହେଉଥିଲା ସହପାଠୀମାନେ-

 

କମଳେଶ୍ଵର ନିଜର ବାଲ୍ୟଶିକ୍ଷା ବିଷୟରେ ଲେଖିବାକୁ ଯାଇଁ ଯାହା ଲେଖିଛନ୍ତି ତାହା ଅଳ୍ପବହୁତ ସମସ୍ତଙ୍କ ଅନୁଭୂତ ବିଷୟ ମାତ୍ର, ତାହା କେତେ କୋମଳ କଳିକା ପ୍ରସ୍ଫୁଟନର ବାଧକ ତାହାହିଁ ପ୍ରଣିଧାନ ଯୋଗ୍ୟ । ବିଦ୍ୟାଳୟରେ ଶିକ୍ଷକ ପାଠ ଯେତିକି ପଢ଼ାଉ ଥିଲେ ପିଟୁଥିଲେ ତଦଧିକ । ସେ ଲେଖିଛନ୍ତି ଯେ ସେ ଜାମାତଳେ ଛୋଟ ଚୌକାର ଗଦି ବାନ୍ଧି ବିଦ୍ୟାଳୟକୁ ଯାଉଥିଲେ ଓ ଶିକ୍ଷକଙ୍କୁ ମାରିଦେବା ନିମନ୍ତେ ଉପାୟ ଖୋଜୁଥିଲେ । କୈଶୋର ପ୍ରାଣ ଶିକ୍ଷକଙ୍କ ଅମାନୁଷିକ ତାହାର ସହ୍ୟ ନ କରିବା ସ୍ୱାଭାବିକ । ବହୁ ଛାତ୍ର ମାଡ଼ଭୟରେ ଅଧ୍ୟୟନରୁ ନିଜକୁ ଦୂରେଇ ନେଇଥାନ୍ତି । ବିଶ୍ୱଯୁଦ୍ଧ ସମୟରେ ବଜାରରୁ କିରୋସିନୀ ଉଭେଇ ଯାଇଥାଏ । ପିଲାମାନେ ପଢ଼ିବା ପାଇଁ ଆଲୁଅ ଅଭାବ ହୁଏ । କମଳେଶ୍ଵର ତାଙ୍କ ସହପାଠୀମାନଙ୍କ ସହିତ ମିଶି ବୋତଲ ଧରି ମ୍ୟୁନିସିପାଲଟି ବତୀମାନଙ୍କରୁ କିରୋସିନି ଚୋରି କରିବାକୁଯାନ୍ତି । ସେ କେବେ ନୂଆ ପାଠ୍ୟ ପୁସ୍ତକ କିଣି ପଢ଼ିନାହାନ୍ତି । ସାଥି ପିଲାମାନେ ନିଜ ନିଜର ବାପା–ଭାଇଙ୍କ ସହିତ ବହି ଦୋକାନକୁ ଯାଇଁ ବହି କିଣିବାର ଦେଖିଲେ ତାଙ୍କୁ କାନ୍ଦ ମାଡ଼ୁଥିଲା, କାରଣ ତାଙ୍କ ସହିତ କେହି ଯାଇଁ ବହି କିଣି ଦେବାପରି ଅଭିଭାବକ ନ ଥିଲେ । ସେ ଏହି ଏକ କୀତ୍ଵ ବା ସହାୟ ଶୂନ୍ୟତାକୁ ଅତି ଚମତ୍କାର ଭାବରେ ବର୍ଣ୍ଣନା କରି ଲେଖିଛନ୍ତି–“ଆଘାତ ଲାଗିଲେ ମୁଁ ଯନ୍ତ୍ରଣା କାତର ହୋଇ ଗୁମୁରି ଉଠେ ଓ ବାଟରେ ବସି ବସି ଏକୁଟିଆ ଯାଇଁ ହସ୍ପିଟାଲରେ ପହଞ୍ଚୁଥାଏ । ମୋତେ ଏକାକୀ ଦେଖି ହୃଦୟହୀନ କମ୍ପାଣ୍ଡର ବେପରବାୟ ଭାବରେ ଘାକୁ ଚିପିଦିଏ । ମୁଁ ବ୍ୟଥାରେ ଅସ୍ଥିର ହୋଇ ତା’ ବାହୁକୁ କୁଣ୍ଢାଇ ପ୍ରକାଇଲେ ସେ ତାକୁ ଛଡ଼େଇ ନେଇ ମୋତେ ଆଖି ଦେଖାଏ । ଆଖିର ଲୁହକୁ ଆଖିରେ ମାରି ପଟି ବାନ୍ଧି ଫେରିଆସେ ।” ଏହି ପରିବେଶରେ ଜଣେ ନିଃସହାୟ କିଶୋର କେବଳ ଗଛମୂଳରେ ବସି ଦୁଃଖ, କ୍ଷୋଭ, ଅଭିମାନ ଓ ଅପମାନରେ ନ କାନ୍ଦି ଆଉ କ’ଣ କରିପାରନ୍ତା ?

 

ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିଗଲେ ପିଲାମାନେ ମହୋତ୍ସାହରେ ବିଦ୍ୟାଳୟକୁ ଯା’ନ୍ତି କିନ୍ତୁ କମଳେଶ୍ୱର ଆଦୌ ଉତ୍ସାହ ଅନୁଭବ କରିପାରନ୍ତି ନାହିଁ । ବିବର୍ଣ୍ଣ ଓ ଜୀର୍ଣ୍ଣ ପୁରୁଣା ବହି ପୁଣି ତାହା କିଣିବା ପାଇଁ ପାଖରେ ପଇସା ନଥାଏ । ଖଣ୍ଡେ ରବର କିଣିବାକୁ ଅଣାଏ ପଇସା ପଡ଼େ ତାହା ମଧ୍ୟ କିଣିବା ନିମନ୍ତେ ମା’ଙ୍କୁ ପଇସା ମାଗିବାକୁ ଭରସା ହୁଏନାହିଁ । ମାନଚିତ୍ର ଅଭାବରେ ଭୂଗୋଳ ପିରିଅଡ଼ ସମୟରେ ଶିକ୍ଷକଙ୍କ ଭୟରେ ଶ୍ରେଣୀରେ ଅନୁପସ୍ଥିତ ରହିବାକୁ ପଡ଼ିଥାଏ । ସେ କ୍ଲାସରେ ସବୁରିଠାରୁ ଅଧିକ ନମ୍ବର ରଖିଲେ ମଧ୍ୟ ଶ୍ରେଣୀ ଶିକ୍ଷକ ମହାଶୟ ସାଇର କୌଣସି ଅଫିସରଙ୍କ ପୁଅକୁ ମନିଟର କରି ଦିଅନ୍ତି । କମଳେଶ୍ୱର ଏପରି ପରିସ୍ଥିତି ଓ ପରିବେଶକୁ ଆଦୌ ସହିପାରନ୍ତି ନାହିଁ । ସାଇର ଅନ୍ୟ ପିଲାମାନେ ନୂଆ ଜାମା ପେଣ୍ଟ ପିନ୍ଧି ପ୍ରଜାପତି ବର୍ଣ୍ଣ ବିଭବ ନେଇ ଘୂରି ବୁଲୁଥିବାବେଳେ ମା’ଙ୍କ ଶାଢ଼ୀ ଧଡ଼ିରେ ସିଲେଇ ହୋଇଥିବା ବ୍ୟାଗଧରି କମଳେଶ୍ୱର ସେମାନଙ୍କ ସହିତ ମିଶିପାରାନ୍ତି ନାହିଁ । ସ୍କୁଲ ଦରମା ଦେଇ ନପାରି ସେ ଶ୍ରେଣୀରେ ଅପମାନିତ ହୁଅନ୍ତି । ମାସ ମାସ ଧରି ନାଁ କଟିଯାଏ । ସେ ପାଉଥିବା ପୁରସ୍କାର ତାଙ୍କୁ ଦିଆଯାଏ ନାହିଁ । ସିଦ୍ଧାର୍ଥ ଥିବା ପର୍ଯ୍ୟନ୍ତ ବିଦ୍ୟାଳୟରେ କମଳେଶ୍ଵରଙ୍କ ଦରମା ଅଧାଛାଡ଼ ହୋଇଯାଉଥିଲା । ମାତ୍ର ତାଙ୍କ ତିରୋଧାନପରେ ଦରଖାସ୍ତ ନାମଞ୍ଜୁର ହେଲା । ସିଦ୍ଧାର୍ଥ ତାଙ୍କୁ ଶ୍ରେଣୀରେ ପ୍ରଥମ ହେବା ନିମନ୍ତେ ପ୍ରୋତ୍ସାହନ ଦେଇଥାନ୍ତି । ସେଥିପାଇଁ ସେ ମନପ୍ରାଣ ଲଗାଇ ଲାଗିପଡ଼ିଥାନ୍ତି । ଷାଣ୍ମାସିକ ପରୀକ୍ଷାରେ ଶ୍ରେଣୀରେ ସେ ପ୍ରଥମ ହେଉଥିଲେ କିନ୍ତୁ ବାର୍ଷିକ ପରୀକ୍ଷାରେ ତହସିଲଦାର, ପୋଲିସ ଅଫିସର ବା ଅନ୍ୟ କୌଣସି ଅଫିସର ପୁଅ ସେ ଶ୍ରେଣୀରେ ପ୍ରଥମ ହେଲେ ଯେଉଁ ଅର୍ଥ ମିଳିବ ଅଭାବ ସେଥିରେ କିୟତ ପରିମାଣରେ ଦୂରୀଭୂତ ହେବ । ସିଦ୍ଧାର୍ଥ ବଞ୍ଚିଥିବାଯାକେ ସେ କଥା ସମ୍ଭବ ହୋଇନଥିଲା । ତାଙ୍କର ମୃତ୍ୟୁ ପରେ କମଳେଶ୍ୱର ପୁରସ୍କାର ପାଇଥିଲେ, ମାତ୍ର ସେଥିରୁ ଅର୍ଦ୍ଧେକ ଯୁଦ୍ଧ ପାଣ୍ଠିରେ ଜମା ହୋଇଥିଲା ।

 

କମଳେଶ୍ୱରଙ୍କ ପରିବାର ସେତେବେଳେ ଘରଭଡ଼ା ଉପରେ ନିର୍ଭର କରୁଥାନ୍ତି । ଭଡ଼ା ନେଇଥିବା ଲୋକ ବହୁଦିନଧରି ସେଠାରେ ରହିଥାନ୍ତି । ମୂଳରେ ଯାହା ଭଡ଼ା ସାବ୍ୟସ୍ତ ହୋଇଥାଏ ତାହା ସେମାନେ ଦେଉଥାନ୍ତି । ମୂଲ୍ୟବୃଦ୍ଧି ଅନୁରୂପ ଉଡ଼ାବୃଦ୍ଧି ସମ୍ଭବ ହୁଏନାହିଁ କାରଣ ସେମାନେ ତାଙ୍କ ମା’ଙ୍କୁ ନିଜର ପେଟ ଦେଖାଇ ନେହୁରା ହୋଇ ରହିଯାଇଥାନ୍ତି । ଭାଗ୍ୟକୁ ଭଡ଼ା ନେଇଥିବା ଲୋକ ଏପରି ଲୁଟିଥାନ୍ତି ଯେ ସେମାନଙ୍କ ପୁଅମାନେ ଆଗରୁ ଫିରୋଜାବାଦ ପ୍ରଭୃତିରେ ଯାଇ କାମ କରନ୍ତି । ବୁଢ଼ା ବାପ–ମାଙ୍କ ସହିତ ସମ୍ପର୍କ ତୁଟାଇ ଦେଇଥାନ୍ତି । ଏପରି ଅସହାୟ ଲୋକଙ୍କୁ ଘରୁ ବାହାର କରିଦେଲେ ସେମାନେ ନିରାଶ୍ରୟ ହୋଇଯିବେ ଏଣୁ ଦୟାଶୀଳ ମାତୃ ହୃଦୟ ସେଥିରେ ଅସ୍ୱସ୍ତି ଅନୁଭବ କରିବା ସଙ୍ଗେ ସଙ୍ଗେ ସହାନୁଭୂତି ପ୍ରଦର୍ଶନ କରିବା ସ୍ୱାଭାବିକ । ବର୍ଷାଋତୁ ମଧ୍ୟ ଭଡ଼ାଘରେ ଅସୁବିଧା ସୃଷ୍ଟି କରେ । ଘର ସବୁ ଜୀର୍ଣ୍ଣ ପୁରାତନ । ଅର୍ଥାଭାବ ହେତୁ ଜୀର୍ଣ୍ଣସଂସ୍କାର ସମ୍ଭବ ହୁଏନାହିଁ । ଯେଉଁମାନେ ଘରଭଡ଼ା ନେଇଥାନ୍ତି ସେମାନେ ନିଜ ଖର୍ଚ୍ଚରେ ତାହା ମରାମତି କରି ନିଅନ୍ତି । ଫଳରେ ଚାରି ଚାରିମାସ କାଳ ଭଡ଼ା ଆଦାୟ ମଧ୍ୟ ହୋଇପାରେ ନାହିଁ । ଫଳରେ ଭଡ଼ା ଉପରେ ନିର୍ଭରଶୀଳ ତାଙ୍କ ପରିବାର ଅନାଟନଗ୍ରସ୍ତ ହେବା ସ୍ଵାଭାବିକ । ଘରର ଆଭିଜାତ୍ୟ ଜଗି ମା’କିନ୍ତୁ ପେଟରୁ କାଟି ଅବସ୍ଥାର ସମ୍ମୁଖୀନ ହୁଅନ୍ତି । ଜ୍ଞାତି କୁଟୁମ୍ବଙ୍କ ବିବାହ ବ୍ରତ ଇତ୍ୟାଦି ସାମାଜିକ କର୍ମ ନିମିତ୍ୟରେ ବେଭାର ଆଚାର ଊଣା କରନ୍ତି ନାହିଁ । ପର୍ବ ପର୍ବାଣି, ସଂକ୍ରାନ୍ତିରେ ପୁରୋହିତ ଉପଯୁକ୍ତ ଦାନ–ଦକ୍ଷିଣା ପାଇଥାନ୍ତି । ବଂଶ ମର୍ଯ୍ୟାଦାକୁ ସେ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ ।

 

“ଅଧିକ ପଢ଼ିଲେ ପିଲା ହାତଛଡ଼ା ହୋଇଯାନ୍ତି ।” ଏହା କମଳେଶ୍ୱରଙ୍କ ସାବତଭାଇଙ୍କର ମତ । ସେ ଥିଲେ ଭାଇମାନଙ୍କ ମଧ୍ୟରେ ସବୁଠୁ ବଡ଼ । ସେ ଘରଠୁ ଅଲଗା ହୋଇଯାଇଥିଲେ ମଧ୍ୟ ଘର ଉପରେ ତାଙ୍କର ଅସମ୍ଭବ ପ୍ରଭାବ ଥିଲା । ଦଶମ ଶ୍ରେଣୀରୁ ଅଧିକ ପଢ଼ିବାକୁ ସେ ମଞ୍ଜୁର କଲେ ନାହିଁ । ସେ ସେତେବେଳେ କାନପୁର ସୈନ୍ୟ ଶିବିରରେ ୟୁରୋପୀୟାନ ଇନଷ୍ଟିଟ୍ୟୁଟରେ ମ୍ୟାନେଜର ଥାନ୍ତି । ତାହା ଆମେରିକୀୟ ଓ ୟୁରୋପୀୟ ସୈନ୍ୟମାନଙ୍କର ବିଳାସ କେନ୍ଦ୍ର । ନିଶା ଜୋରରେ ସେମାନେ ଯେତେବେଳେ ପରସ୍ପର ମଧ୍ୟରେ କଳିକରି ଗ୍ଳାସ ବୋତଲ ନେଇ ଲଢ଼େଇରେ ମାତିଯାନ୍ତି ସେତେବେଳେ କମଳେଶ୍ୱରଙ୍କ ଲୋମ ଟାଙ୍କୁରି ଉଠେ । ସେ ବାର କାଉଣ୍ଟରରେ ଥିବା ପେଟିମାନଙ୍କ ପଛରେ ଲୁଚିପଡ଼ନ୍ତି । ନାଚ ଚାଲିଥାଏ । ବାଦ୍ୟବୃନ୍ଦ (ଅର୍କେଷ୍ଟ୍ରା) ବାଜୁଥାଏ, ମଦ୍ୟପାନ ଅବାରିତ ଭାବରେ ଚାଲିଥାଏ । ଗୀତ, ଗାଳିଗୁଲଜ ଚିତ୍କାର ଓ କୁନ୍ଥନରେ ସେହି ଅଟ୍ଟାଳିକା ଶବ୍ଦାୟିତ ହୋଇଉଠେ । ସେଠାରେ ଥିବା ସ୍ତ୍ରୀଲୋକମାନଙ୍କ ଉପରେ ମାତାଲ ସୈନ୍ୟମାନେ ଜାନ୍ତବ ଅଭିପ୍‌ସାରେ ଝାମ୍ପି ପଡ଼ନ୍ତି । ସେମାନଙ୍କୁ ଟେବୁଲ ଉପରେ ଲଙ୍ଗଳାକରି ଠିଆ କରିଦିଅନ୍ତି, ଅଥବା ନିଜେ ଲଙ୍ଗଳା ହୋଇ ପାଶବିକ ଆକ୍ରୋଶରେ ସ୍ତ୍ରୀ ଲୋକମାନଙ୍କ ପାଶ୍ଚାଦ୍ଧାବନ କରିଥାନ୍ତି । କମଳେଶ୍ୱର ଲେଖିଛନ୍ତି— ମୋ’ର ଭଲ ଭାବରେ ମନେ ଅଛି “ସେ ଥିଲା ଭାରତୀୟ ଖ୍ରୀଷ୍ଟାନ । ତାକୁ ସିପାହୀମାନେ ଏପରି ରାମ୍ପି ବିଦାରି କ୍ଷତାକ୍ତ କରିଦେଇଥାନ୍ତି ଯେ ସୀମାନ୍ତ ଯୁଦ୍ଧରୁ ସଦ୍ୟ ପ୍ରତ୍ୟାବୃତ୍ତ କ୍ଷତ ବିକ୍ଷତ ଆହତ ସୈନିକପରି ଦେଖାଯାଉଥାଏ । ଥରେ ରାତିରେ ଜଣେ ସୈନ୍ୟ ଭଙ୍ଗା ଗ୍ଳାସ ତା ଜଙ୍ଘକୁ ଫୋପାଡ଼ି ଥାଏ, ବହୁତ ରକ୍ତସ୍ରାବ ହୋଇଥାଏ, ପରଦିନ ରାତିରେ ସେ ବ୍ୟାଣ୍ଡେଜ ବାନ୍ଧି ପୁଣି ନାଚିବାକୁ ଆସିଥାଏ । ମୁଁ ଦେଖିଛି ସେ ଆହତ ଶଶକ ସଦୃଶ ପଡ଼ିଆରେ ଦୌଡ଼ିଥାଏ ତାକୁ ତିନିଜଣ ସୈନ୍ୟ ହିଂସ୍ର ଆକ୍ରୋଶରେ ଗୋଡ଼ାଇବାରେ ଲାଗିଥାନ୍ତି ।”

 

ଦୁର୍ଭେଦ୍ୟ ଅନ୍ଧକାର ରାତ୍ରିରେ ଆକାଶରେ ଉଡ଼ାଜାହାଜର ଘୁଁ ଘୁଁ ଗର୍ଜନ, ଶିବିର ଜଗୁଆଳ ସୈନ୍ୟର ଭାରି ବୁଟ୍‌ର ଖଟ୍ ଖଟ୍ ଶବ୍ଦ, ସାମରିକ ଜିପ୍, ଟ୍ରକ୍‌ର ଜୁଁ ଜୁଁ କୁନ୍ଥନ ଅଶାଳୀନ ଗୀତ, ନାଚ ଆଉ ମଦ୍ୟ ମାଂସର ସମୁଦ୍ର ମ୍ଳାନ, ବ୍ଳାକଆଉଟ ର ରିହର୍ସାଲ ସର୍ବୋପରି ସାଇରନର କର୍ଣ୍ଣବିଦାରୀ ବିକଟ ଆର୍ତ୍ତନାଦ ପରିପୂର୍ଣ୍ଣ ସେହି ପରିବେଶ କମଳେଶ୍ୱରଙ୍କୁ ଅସହ୍ୟ ହୋଇଉଠିଲା । ବିଶ୍ୱଯୁଦ୍ଧର ଘନଘଟା ଓ ଶ୍ଵାସରୋଧକାରୀ ବାୟୁମଣ୍ଡଳ ତାଙ୍କ ଚିତ୍ତବୃତ୍ତିକୁ ଅଣନିଃଶ୍ଵାସୀ ଓ ଅସହିଷ୍ଣୁ କରିପକାଇଲା । ସେ ସେହି ସ୍ଥାନ ପରିତ୍ୟାଗ କରିବା ପାଇଁ ଅଧୀର ହୋଇଉଠିଲେ । ସେ ସ୍ଥାନ ତାଙ୍କ ପାଇଁ ନୁହେଁ ଭାବି ଗାଁକୁ ପଳାଇଗଲେ ।

 

ବ୍ରାଞ୍ଚ ଲାଇନର ରେଳଗାଡ଼ି ଧକେଇ ହୋଇଚାଲିଥାଏ । ଛୋଟ ଛୋଟ ଉଦାସଷ୍ଟେସନ, ଟେଲିଫୋନ୍‌ତାର ଉପରେ ବସିଥିବା ଚଢ଼େଇମାନଙ୍କୁ ସେ ଦେଖୁଥାନ୍ତି । ଅକସ୍ମାତ୍ ତାଙ୍କ ଆଖିରେ ପଡ଼ିଲା ଗୋଟିଏ ଡବାରେ ‘ଦା’ ହାତୁଡ଼ି’ ଚିହ୍ନିତ ଲାଲ ଝଣ୍ଡା । ସେ ଗାଡ଼ିରୁ ଓହ୍ଲାଇ ସେହି ଡବାର ଯାତ୍ରୀମାନଙ୍କୁ ଅସୀମ କୌତୁହଳରେ ଅନାଇଁ ଦେଖିବାକୁ ଲାଗିଲେ । ସେ ଡବାକୁ ଉଠିଗଲେ । ଖବର ନେଇ ଜାଣିଲେ ସହୀଦ ଭଗତସିଂ ଓ ଚନ୍ଦ୍ରଶେଖର ଆଜାଦଙ୍କ କ୍ରାନ୍ତିକାରୀ ସମାଜବାଦୀ ପାର୍ଟିର ସେହି ପତାକା । ବିଶିଷ୍ଟ କ୍ରାନ୍ତିକାରୀ ନେତା ଯୋଗେଶ ଚାଟର୍ଜୀ ଓ ଉତ୍ତରପ୍ରଦେଶ ପାର୍ଟି ଶାଖା ଅଫିସ ସେକ୍ରେଟେରୀ ସେ ଡବାରେ ଥାନ୍ତି । ସେମାନଙ୍କ ସହିତ ତାଙ୍କର ବିଚାର ବିନିମୟ ହେଲା । ସେମାନେ ତାଙ୍କ ସହରକୁ ସଭାକରିବା ନିମନ୍ତେ ଯାଉଥାନ୍ତି । ଯୋଗେଶ ଚାଟର୍ଜି ତାଙ୍କ ଠିକଣା ଟିପି ନେଲେ । ଦୁଇଦିନ ପରେ କମଳେଶ୍ୱରଙ୍କ ଘରେ ପହଞ୍ଚି ତାଙ୍କୁ ପାର୍ଟିରେ ଯୋଗ ଦେବା ନିମନ୍ତେ ସାଦର ଆହ୍ୱାନ ଜଣାଇଲେ ।

 

ସେତେବେଳେ ଏଲାହାବାଦର ଘଣ୍ଟାଘର ନିକଟରେ ପାର୍ଟି ଅଫିସ ଥାଏ । ଦା’ହାତୁଡ଼ି ଲାଞ୍ଛିତ ପତାକା ସେତେବେଳେ ସେଠାରେ ବାୟୁହିଲ୍ଲୋଳରେ ତରଙ୍ଗାୟିତ ହେଉଥାଏ । ସେଠାରେ ବହୁ କର୍ମୀ ଆସି ଏକତ୍ର ହୁଅନ୍ତି । ସେମାନଙ୍କ ପ୍ରାଣରେ ଦେଶପାଇଁ, ନିରନ୍ନ–ବୁଭୁକ୍ଷୁ–ନିଷ୍ପେଷିତ ଜନତା ଦନାର୍ଦ୍ଦନାଙ୍କ ନିମନ୍ତେ କିଛି କରିବାର ଇଚ୍ଛା ଓ ଆଗ୍ରହ । ସେମାନେ ପାର୍ଟି ଅଫିସରୁ ଆବଶ୍ୟକୀୟ କାଗଜ, ପ୍ରଚାରପତ୍ର ପ୍ରଭୃତି ଧରି ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ପ୍ରତ୍ୟାବର୍ତ୍ତନ କରନ୍ତି । ପାର୍ଟି ତରଫରୁ ସେତେବେଳେ ‘ଜନକ୍ରାନ୍ତି’ ନାମରେ ଗୋଟିଏ କାଗଜ ବାହାରୁଥାଏ । କମଳେଶ୍ଵର ସେଥିରେ କ୍ରାନ୍ତିକାରୀମାନଙ୍କ ଜୀବନାଲେଖ୍ୟ ଚିତ୍ରଣ କରୁଥାନ୍ତି । ପାର୍ଟି ଅଫିସରେ ବସି ପଢ଼ା ପଢ଼ି କରିବା ସଙ୍ଗେ ସଙ୍ଗେ ବିପ୍ଳବର ଆନୁସାଙ୍ଗିକ ପରିବେଶ, ପୃଷ୍ଠପଟ ଓ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରତ୍ୟକ୍ଷାନୁଭୁତି ଅର୍ଜନ କରୁଥାନ୍ତି । ଏହି ଶିକ୍ଷା ତାଙ୍କ ସାହିତ୍ୟକ ବ୍ୟକ୍ତିତ୍ଵ ଉପରେ ଗଭୀର ପ୍ରଭାବ ବିସ୍ତାର କରିଛି ।

 

ଦେଶସ୍ଵାଧୀନ ହେଲା, ମାତ୍ର ଭାରତ ଖଣ୍ଡ ବିଖଣ୍ଡିତ ହେଲା । ଶରଣାର୍ଥୀ ସ୍ରୋତରେ ଭାରତମାଟିର ଜୀବନପ୍ରବାହ ରକ୍ତାକ୍ତ ଓ କଳୁଷିତ ହୋଇଗଲା । ସେମାନଙ୍କ ହାହାକାର ଓ ଆର୍ତ୍ତଚିତ୍କାର ଭାରତର ଓଁକାର ଝଙ୍କୃତ ଗଗନ ମଣ୍ଡଳକୁ ବିଷାକ୍ତ ଓ ମସୀଲିପ୍ତ କରିଦେଲା । ବିପ୍ଳବି ସାଜିଲେ ସ୍ୱେଚ୍ଛା ସେବକ । ଶରଣାର୍ଥୀ ଶିବିରରେ ସେବା ସହିତ ଖାଦ୍ୟ ଯୋଗାଣରେ ସେମାନଙ୍କ ସମୟ ବିନିଯୁକ୍ତ ହେଲା । କମଳେଶ୍ଵର ସ୍ୱେଚ୍ଛାସେବକ ଭାବରେ ସେତେବେଳେ ମଣିଷକୁ ପଢ଼ିଲେ, ବୁଝିଲେ । ତାଙ୍କ ବିପ୍ଳବି ସତ୍ତା ଆର୍ତ୍ତା ଚିତ୍କାରରେ କରୁଣାଦ୍ର ହୋଇଗଲା । ମଣିଷ ଭିତରେ ଥିବା ହିଂସ୍ର ପଶୁର ପରିଚୟ ସେ ମର୍ମେ ମର୍ମେ ଅନୁଭବ କଲେ ।

 

‘ଜନକ୍ରାନ୍ତି’ ବାହାରୁଥାଏ । ସେଥିରେ ଲେଖା ଲେଖି ବଢ଼ି ଯାଇଥାଏ । ଆଦର୍ଶ ପ୍ରତି ଆସ୍ଥା ବଢ଼ୁଥାଏ । ଦିନେ ତାଙ୍କୁ ପାର୍ଟି ଅଫିସରେ ରହିବାକୁ ନିର୍ଦ୍ଦେଶ ମିଳିଲା । ସେ ପାର୍ଟି ଅଫିସରେ ଏକୁଟିଆ ପଡ଼ିରହିଲେ । ପାର୍ଟି ସହିତ କଂଗ୍ରେସର ବୁଝାମଣା ନିମନ୍ତେ ଦିଲ୍ଲୀରୁ ଡକରା ଆସିଥିଲା । କି ବୁଝାମଣା ହେଲା କେଜାଣି, ଦଳେ କଂଗ୍ରେସରେ ନିଜର ସତ୍ତା ବିସ୍ତୃତ ହେଲେ ଯେଉଁମାନଙ୍କୁ ତାହା ନ ସୁହାଇଲା ସେମାନେ ଭଗ୍ନମନ ନେଇ ସ୍ଵଗୃହକୁ ବାହୁଡ଼ିଗଲେ । ପାର୍ଟି ଅଫିସ ଜଗବସିଥାନ୍ତି କମଳେଶ୍ଵର ତାଙ୍କୁ ଫେରି କେହି କିଛି କହିଲେ ନାହିଁ । ସେ ନିଜକୁ ଭୀଷଣ ଅପମାନିତ ବୋଧ କଲେ । ତାଙ୍କ ଏକାକୀତ୍ଵ ପୁଣି ଫେରି ଆସିଲା । ବିପ୍ଳବ ବ୍ୟାଜରେ ପ୍ରତ୍ୟେକ କ୍ଷମତା ଲୁବ୍‍ଧ ବୋଲି ସେଦିନ ସେ ବୁଝିଲେ ।

 

କଲେଜ ପରୀକ୍ଷାରେ ମିଥ୍ୟା ଦୋଷାରୋପରେ ପରୀକ୍ଷା ଦେବାରୁ ସେ ଦୁଇ ବର୍ଷ ନିମନ୍ତେ ବଞ୍ଚିତ ହେଲେ । ସେ ହାରିଯାଇଥାନ୍ତେ ମାତ୍ର କୌଣସି ସହାନୁଭୁତିସମ୍ପନ୍ନ ଓ ସମ୍ବେଦନଶୀଳ ବନ୍ଧୁର ପ୍ରରୋଚନାରେ ଅଧ୍ୟୟନରେ ମଗ୍ନ ହେଲେ । ଏଲାହାବାଦରେ ସାହିତ୍ୟ ସମ୍ମେଳନରେ ଯୋଗଦେଇ ପୁସ୍ତକାଳୟରେ ଅଧ୍ୟୟନ କରିବାରେ ତାଙ୍କର ସମୟ ଅତିବାହିତ ହେଲା । ସେ ଏଲାହାବାଦ ବିଶ୍ଵବିଦ୍ୟାଳୟରୁ ହିନ୍ଦୀ ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସମାପନ କରିଥିଲେ । ସେ ଜଣେ ବଳିଷ୍ଠ ଔପନ୍ୟାସିକ ଓ ଗାଳ୍ପିକ । ପ୍ରଥମେ ସେ ରେଡ଼ିଓ ଓ ଟେଲିଭିଜନରେ ନିଯୁକ୍ତି ପାଇଥିଲେ ହେଲେ ସରକାରଙ୍କ ବିଧି ନିଷେଧ ସହିତ ଏକାତ୍ମ ନହୋଇ ପାରିବାରୁ ଉପର୍ଯ୍ୟୁକ୍ତ ଅନୁଷ୍ଠାନରୁ ସ୍ୱେଚ୍ଛାକୃତ ବିଦାୟ ନେଇଆସିଲେ । ସେ କିଛିଦିନ ‘ନୟୀ କହନିୟା’ ପତ୍ରିକା ସମ୍ପାଦନା ମଣ୍ଡଳୀରେ ଯୋଗଦେଲେ । ସେଠାରୁ ବିଦାୟ ନେଇ ‘ଇଙ୍ଗିତ’ ସାପ୍ତାହିକ ପତ୍ରର ସମ୍ପାଦନା କଲେ । ଭାରତର ବିଶିଷ୍ଟ କାହାଣୀ ସାସିକ ‘ସାରିକା’ର ସମ୍ପାଦକ ଭାବରେ କାର୍ଯ୍ୟ କରି ଅଧୁନା ଚିତ୍ରଜଗତରେ ଯୋଗ ଦେଇଛନ୍ତି । ଗଳ୍ପ, ଉପନ୍ୟାସ ରଚନାରେ ସେ ଯେତେ ପାରଦର୍ଶୀ ତାର ତତ୍ତ୍ଵ ଓ ଐତିହ୍ୟ ସହିତ ସେତେ ଗଭୀର ପରିଚିତ ।

 

ଭାଷା ସମ ବେଶର ଇନ୍ଦ୍ରଜାଲ । ପରିବେଶ ସୃଷ୍ଟିର ଚାତୁର୍ଯ୍ୟ, ମୌଳିକ ଶୈଳୀର ଚମତ୍କାରିତା, ସାଙ୍କେତିକ ପ୍ରକାଶଭଙ୍ଗୀ, ଗଳ୍ପଗୁମ୍ପନ କଳା ସର୍ବୋପରି ସମ୍ବେଦନଶୀଳ ପରିବେଷଣ ପରିପାଟୀ ତାଙ୍କୁ ପ୍ରଭାବଶାଳୀ ଗାଳ୍ପିତ ଭାବରେ ପ୍ରତିଷ୍ଠା ଦାନ କରିଛି । ‘ନୀଲୀଝୀଲ’ ‘ବଦନାମ ବସ୍ତି’, ‘ରାଜାନିର ବଂଶୀୟା’ ‘କସୱେକା’ ଆଦମୀ, ‘ମୁରଦେକି ଦୁନିୟା’ ‘ଖୋୟୀ ହୁଈ ଦିଶାଏ’ ପ୍ରଭୃତି କାଳଜୟୀ ରଚନା ତାଙ୍କ ଲେଖନୀରୁ ଜନ୍ମଲାଭ କରିଛି । ସେ ଯେ କେବଳ ଜଣେ ସଫଳ ଶକ୍ତିମାନ ଗାଳ୍ପିକ ତାହା ନୁହେଁ; ଉପନ୍ୟାସ ଓ ନାଟକ (ଚିତ୍ର ନାଟ୍ୟ) କ୍ଷେତ୍ରରେ ମଧ୍ୟ ସମାନ ଶକ୍ତିମତ୍ତା ପ୍ରକାଶ କରିଛନ୍ତି । ‘ଝଡ଼’, ‘ଏକ ସଡ଼କ’ ‘ସତ୍ତାବନ ଗଲିୟାଁ’, ‘ଡାକ ବଙ୍ଗଳା’, ‘ଖୋୟାହୁଆ ଆଦମୀ’ ପ୍ରଭୃତି ପ୍ରସିଦ୍ଧ ଓ ଲୋକପ୍ରିୟ ଉପନ୍ୟାସର ସେ ସ୍ରଷ୍ଟା ।

ବାଲ୍ୟକାଳରେ କମଳେଶ୍ଵରଙ୍କ ସମୟ ଏକାକୀତ୍ଵର ଭାରବହନରେ ଅତିଷ୍ଠ ଭାବରେ କଟିଥିଲା । ମଣିଷ ସବୁବେଳେ ସାଙ୍ଗସାଥି ମେଳରେ ରହିବାକୁ ଉଦ୍‌‍ଗ୍ରୀବ ହେବା ସ୍ୱଭାବସିଦ୍ଧ ବ୍ୟାପାର । କମଳେଶ୍ଵରଙ୍କୁ ସାଥି ଜୁଟି ଥିଲା; ହେଲେ ସେ ଥିଲା ବୟୋ ଜ୍ୟେଷ୍ଠ । ସେ ଲେଖିଛନ୍ତି–‘‘ମୋ’ର ସେହି ଏକାକୀତ୍ଵକୁ ଭଙ୍ଗକରିବା ପାଇଁ ମେ ଠାରୁ ବୟସରେ ବଡ଼ ଜଣେ ଝିଅର ବନ୍ଧୁତ୍ୱ ମିଳିଥିଲା । ଅଷ୍ଟ ପହର ଦିନ ତ’ ଧ୍ୟାନରେ ମୁଁ ବୁଡ଼ି ରହୁଥିଲି । ତା’ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବା ନିମନ୍ତେ ମୋତେ ଡରମାଡ଼ୁଥିଲା ।’’ କାରଣ ତାଙ୍କ ଘରର ପଛପାଖ ବୁଦିବୁଦିକିଆ ଜଙ୍ଗଲରେ ପୂର୍ଣ୍ଣ । ସେଠାରେ ସାପଗାତ ବହୁତ । ସଂଧ୍ୟା ଅନ୍ଧକାରରେ ବୁଡ଼ିଗଲେ କମଳେଶ୍ୱର ସେଠାକୁ ଯା’ ନ୍ତି ପ୍ରିୟା ସହିତ ମିଳିତ ହେବାପାଇଁ । ସର୍ପ ଭୟରେ ରୋମାଞ୍ଚିତ ହୋଇଉଠନ୍ତି । ସେତେବେଳେ ପକ୍ଷୀ କାକଳୀ ତାଙ୍କର ଭରସା, କାରଣ ସର୍ପର ଉପସ୍ଥିତି ସେମାନେ ଅନୁଭବ କରି ମିଳିତ କଳରୋଳ ସୃଷ୍ଟି କରିଛନ୍ତି । ଏହି ଅନୁଭୂତି ତାଙ୍କ ପ୍ରସିଦ୍ଧ ଗଳ୍ପ ‘ସାପ’ ଗଳ୍ପରେ ରୂପାୟିତ । ଆନନ୍ଦ ଓ ଇନ୍ଦ ଡ଼ାକବଙ୍ଗଳାରେ ମିଳନ ପର୍ବ ପାଳନ କରୁଛନ୍ତି । ସେଠାରେ ସାପର ପ୍ରଚୁର୍ଜ୍ୟ ହେତୁ ମିଳନ ବେଳେ ଇନ୍ଦୁର ହେୟାର ପିନ୍ ସାର୍ଟରେ ଲାଗିଯାଇ ସର୍ପ ଦଂଶନରେ ଭ୍ରମଜାତ କରିଛି । ମାନସିକ ଦ୍ୱନ୍ଦ୍ୱର ସଫଳ ଚିତ୍ରଣ ବୋଧହୁଏ ଅନୁଭୂତି ପ୍ରସ୍ତୁତ ।

“ରାଜା ନିବଂଶୀୟା” ଗଳ୍ପରେ ମଧ୍ୟ ସେହି ଅନୁଭୂତିର ଅନୁରଣନ ପ୍ରକୀର୍ଣ୍ଣ । ତାଙ୍କ ଜୀବନରେ ଯେଉଁ କମ୍ପଣ୍ଡର ଏକ ଦାଗ ସୃଷ୍ଟି କରିଥିଲା ଶଂସିତ ଗଳ୍ପରେ ସେ ଖଳନାୟକ । ଲେଖକ ଶେଷରେ ତାଙ୍କୁ ନିଜ ଗାଁ ମୈନପୁରିକୁ ବଦଳି କରାଇ ନେଇ ଯାଇଛନ୍ତି ।

ସାହିତ୍ୟ କ୍ଷେତ୍ରରେ ସଫଳତା ଲାଭକଲାପରେ କମଳେଶ୍ୱର ସିନେମା ଜଗତରେ ବୀରଦର୍ପରେ ଅବତୀର୍ଣ୍ଣ ହେଲେ । ସାହିତ୍ୟରେ ସଫଳତା ଲାଭ କରିବା ସହିତ ଚଳଚ୍ଚିତ୍ରରେ ସଫଳ ହେବା ସମାନ ବ୍ୟାପାର ନୁହେଁ । କଥା ସମ୍ରାଟ ପ୍ରେମଚନ୍ଦ, ଭଗବତୀ ଚରଣ ବର୍ମା, ଅମୃତ ଲାଲ ନାଗର, ଉପେନ୍ଦ୍ର ନାଥ ‘ଅସ୍କ’ ରାଧାକୃଷ୍ଣଙ୍କ ପରି ପ୍ରଥିତଯଣା ସାହିତ୍ୟିକରଣ ସାହିତ୍ୟ କ୍ଷେତ୍ରରେ ଅପୂର୍ବ ଦ୍ୟୁତିରେ ଭ୍ରାଜମାଣ ହୋଇ ବି ସିନେମା ଜଗତର କାର୍ବନ ଜ୍ଵଳନ ନିକଟରେ ସ୍ତିମିତ ହୋଇ ପଡ଼ିଲେ ମାତ୍ର ଚିତ୍ରଦେଇ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରି ନିଜର ଅପୂର୍ବ ଓ ଅସୀମ ଶକ୍ତିମତ୍ତା ପ୍ରଦର୍ଶନ କରିଛନ୍ତି । ଏହି ଚିତ୍ରଗୁଡ଼ିକ ଗୁଣାତ୍ମକ ଦୃଷ୍ଟିରୁ ଖୁବ୍ ଶକ୍ତିଶାଳୀ ଓ ପ୍ରଭାବଶାଳୀ ହୋଇପାରିଛି ଏବଂ ପୁରସ୍କୃତ ହେଇଛି, ପରବର୍ତ୍ତୀ ଗୋଟିଏ ଦିଗ ପରିବର୍ତ୍ତନର ସୂଚନା ଦେଲା । କମଳେଶ୍ୱର ସେପରି ଚିତ୍ର ନିର୍ମାଣରେ ଧୀମତ୍ତ ପ୍ରକାଶ କରିଛନ୍ତି । ତାଙ୍କର ସେପରି ଚିତ୍ର ମାନଙ୍କ ମଧ୍ୟରେ “ଡ଼ାଇଭର୍ସ, ଦୋଦିସାଏ, ରାମବଳରାମ, ସାଜନକୀ ସହେଲୀ, ଦି ବର୍ଣ୍ଣ ଟ୍ରେନ ଓ ସନ୍ତୋଷର ଚିତ୍ରନାଟ୍ୟ ରଚନା କରି ହିନ୍ଦୀ ସିନେମା ଜଗତରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି-। କେବଳ ସେତିକି ନୁହେଁ, “ଅମାନୁଷ’ ପତି-ପତ୍ନୀ ଔରୱା, ସାଜନ ବିନା ସୃହାଗନ ପ୍ରଭୃତି ଚିତ୍ରର ପ୍ରଦର୍ଶନ କ୍ଷେତ୍ରରେ ରଜତ ଜୁବୁଲୀ ପାରକରିବା ତାଙ୍କ ଅସୀମ ଦକ୍ଷତାର ସ୍ୱାକ୍ଷର ବହନ କରେ । ଏହି ସଫଳତା ସମ୍ବନ୍ଧରେ ଜଣେ ସମ୍ବାଦିକ ପ୍ରଶ୍ନର ଉତ୍ତର ଦେଇ ସେ ଯେଉଁ ରହସ୍ୟ ଉଦ୍ ଘାଟନ କରିଛନ୍ତି ତାହ ପ୍ରଣିଧାନ ଯୋଗ୍ୟ ।

ସେ କହନ୍ତି–ଚଳଚ୍ଚିତ୍ର ବା ଫିଲ୍ମ ଜନସାଧରଣଙ୍କ ସହିତ ମିଳିତ ହେବାର ମାଧ୍ୟମମାନଙ୍କ ମଧ୍ୟରୁ ଗୋଟିଏ । ସାହିତ୍ୟ ଜରିଆରେ ସେ ଯାହା କହିବାର କଥା ତାହା କହିଛନ୍ତି । ସାଧାରଣ ଜନତାର ମନକୁ ତାହା ପାଇଛି ଓ ଗୃହୀତ ହୋଇଛି ସେ ଫିଲ୍ମ ସାହାଯ୍ୟରେ ମଧ୍ୟ କହୁଛନ୍ତି ତାହା ପ୍ରେକ୍ଷକ (ପାଠକପରି) ମାନେ ଖୁବ୍ ଆଦରରେ ଗ୍ରହଣ କରୁଛନ୍ତି । ସେମାନଙ୍କୁ ତାହା ଭଲ ଲାଗିଛି-। ପସନ୍ଦ ହୋଇଛି । ସାଧାରଣ ଜନତା ମଧ୍ୟରେ ଯାହା ଘଟୁଛି ତାଙ୍କ କହିବାରେ ତା’ର ସ୍ପର୍ଶ ରହିଛି-। ସେ ଗୋଟିଏ ଅଜ୍ଞାତ ତଥ୍ୟ ଉତ୍ଥାପନ କରି କହିଛନ୍ତି ଯେ, ପ୍ରେମଚାନ୍ଦ ଜୀ ଫିଲ୍ମ କ୍ଷେତ୍ରରେ ଅସଫଳ ହୋଇଛନ୍ତି କହିଲେ ଭୁଲ ହେବ । ପ୍ରେମଚାନ୍ଦ ସମ୍ମାନର ସହିତ ଫିଲ୍ମ ଲେଖନ ନିମନ୍ତେ ଆହ୍ଵାନ କରାଯାଇଥିଲା । ସେ ‘ମଜଦୁର’ ନାମରେ ଗୋଟିଏ ଚିତ୍ରନାଟ୍ୟ ରଚନା କରିଥିଲେ । ସେନ୍ସର୍ ବୋଡ଼ ଏହି ଫିଲ୍ମ ନିମନ୍ତେ ଆପତ୍ତି ଉଠାଇଥିଲେ । ନାମର ପରିବର୍ତ୍ତନ କରି ତାହା ପ୍ରଚାରପାଇଁ ପଠାଯାଇଥିଲା । ମଜଦୁର ପରିବର୍ତ୍ତେ ନାମ ରଖାଯାଇଥିଲା ‘ସେଠକୀ ବେଟ’ ସମିତ ପରିସରରେ ପଞ୍ଜାବରେ ସେହି ଚିତ୍ରକୁ ପ୍ରଦର୍ଶନ କରାଯାଇଥିଲା । ଚିତ୍ରଟି ଯେ ସଫଳତାର ସ୍ୱାକ୍ଷର ବହନ କରିଥିଲା ଏଥିରେ ଦ୍ଵିଧାର ପ୍ରଶ୍ନନାହିଁ । ଶ୍ରମିକ ଅଶାନ୍ତ ବା ଉତ୍ତେଜନା ସୃଷ୍ଟି ହୋଇପାରେ ବୋଲି ଆଳ ଦେଖାଇ ସେନ୍ସର୍ ସେହି ଚିତ୍ରର କେତେ ମୂଲ୍ୟବାନ ଅଂଶବାଦ ଦେବା ନିମନ୍ତେ ନିର୍ଦ୍ଦେଶ ଦେଲେ; ଫଳରେ ଚିତ୍ରଟି ସଫଲ୍ୟ ଲାଭର ପ୍ରଶ୍ନ କ’ଣ ଉଠିପାରେ । ପ୍ରାଣ ବୀଣାର ତନ୍ତ୍ରୀ ଛିଡ଼ାଇ ଦେଲା ପରେ ସ୍ୱରମାଧୁର୍ଯୁର ଆଶା କରିବା ବୃଥା ନୁହେଁ କି ? ପ୍ରେମଙ୍କର ପୂଜା ହିଁ ପ୍ରତିଭା ପ୍ରତି ଏ ଅବମାନନା ସହ୍ୟ କରାଯାଇ ନ ପାରେ । ପ୍ରେମଚନ୍ଦଙ୍କ ପ୍ରତିଭାକୁ ସମ୍ମାନ ଦିଆଯାଇଥାନ୍ତା ତେବେ ହିନ୍ଦୀ ଚିତ୍ର ଜଗତର ଇତିହାସଧାରା ନିଶ୍ଚିତ ଭାବରେ ପରିବର୍ତ୍ତିତ ହୋଇଥାନ୍ତା । ପ୍ରେମଚନ୍ଦ ସିନେମା–ଜଗତକୁ ଅର୍ଥୋପାର୍ଜନ ନିମନ୍ତେ ଆସିନଥିଲେ । ତାଙ୍କର ଜାତି ପ୍ରତି ବା ଲୋକସାଧାରଣ ପ୍ରତି କିଛି ବାର୍ତ୍ତା ଥିଲା, ତାହା ତାଙ୍କୁ କୁହାଇ ଦିଆଗଲା ନାହିଁ । ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ହେଲା । କିନ୍ତୁ କମଳେଶ୍ୱର ସେନ୍ସର ତରଫରୁ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହୋଇନାହାନ୍ତି । ସେ ଯାହା କହିବାକୁ ଚାହୁଁଛନ୍ତି ତାହା କହିବା ନିମନ୍ତେ ସୁଯୋଗ ପାଉଛନ୍ତି ତେଣୁ ସାଫଲ୍ୟ ଅର୍ଜନ କରିଛନ୍ତି । ଅନ୍ୟ ଲେଖକମାନଙ୍କର ଅସଫଳତା ବିଷୟରେ ସେ କହିଛନ୍ତି ଯେ, ଫିଲ୍ମ ଗୋଟିଏ ସ୍ୱତନ୍ତ୍ର ବିଦ୍ୟା । ସେ ତଥ୍ୟ ହୁଏତ ସେମାନେ ହୃଦୟଙ୍ଗମ କରି ପାରି ନାହାନ୍ତି । ହୁଏତ ସାହିତ୍ୟ କ୍ଷେତ୍ରରେ ସାଫଲ୍ୟର ଘଟାଟ୍ଟୋପ ନେଇ ବିଦ୍ୟାର ସ୍ୱାତନ୍ତ୍ର୍ୟ ପ୍ରତି ଦୃଷ୍ଟି ଦେଇପାରି ନାହାନ୍ତି; ତେଣୁ ଅସାଫଲ୍ୟର ସମ୍ମୁଖୀନ ହୋଇଛନ୍ତି । କୁହାଯାଏ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ସୁହାଇଲା ପରି ଚିତ୍ରନାଟ୍ୟର ପରିବର୍ତ୍ତନ, ପରିବର୍ଦ୍ଧନ କରାଯାଇଥାଏ, ମାତ୍ର କମଳେଶ୍ୱର କହନ୍ତି—ଯଦି ସେପରି ପରିବେଶ ସୃଷ୍ଟି ହୁଏ ସେ ନିଜର ଆତ୍ମସମ୍ମାନ ବିକ୍ରି ନ କରି ସେ ସ୍ଥାନ ପରିତ୍ୟାଗ କରିଥାନ୍ତି । ସେ ସବୁବେଳେ ନିଜର ଚୁକ୍ତି ଉପରେ ଅଟଳ ରହିଥାନ୍ତି ।

ଶୁଣାଯାଏ କମଳେଶ୍ୱର ‘ଆନ୍ଧୀ’ ଏବଂ ‘ମୌସମ’ର ଚିତ୍ରନାଟ୍ୟ ରଚନା କରିଥିଲେ; ମାତ୍ର ଗୁଲଜାର ବିଶ୍ୱାସଘାତକ ଭାବରେ ତାକୁ ନିଜର କରି ନେଇଛନ୍ତି ।

କମଳେଶ୍ୱର ବିଶେଷ ବନ୍ଧୁ ପ୍ରେମୀ । ବନ୍ଧୁଗୃହରେ ଆଡ଼୍‌ଡ଼ା ଦେବାରେ ସେ ଧୁରନ୍ଧର । ଲେଖାଲେଖି ନିମନ୍ତେ ଏହି ଆଡ଼୍‌ଡ଼ା ଦେବା ପ୍ରତିବନ୍ଧକ ହୋଇ ଠିଆହୁଏ ନାହିଁ; କାରଣ ଲେଖିବାର ମୁଡ଼ ତିଆରି ପାଇଁ ଲେଖନ ସାମଗ୍ରୀ ଆଗରେ ଥୋଇ, ଧୂପବତୀ ଜଳାଇ, ଫୁଲଦାନୀରେ ସଜ-ସୁଗନ୍ଧ ଫୁଲ ସଜାଇ, ପାଟିରେ ଚକୋଲେଟ ଜାକି ସେ ଲେଖନ୍ତି ନାହିଁ । ଦିନରେ ସେ ଖୁବ୍ କାର୍ଯ୍ୟବ୍ୟସ୍ତ ରହନ୍ତି । କାର୍ଯ୍ୟ ଶେଷ କରି ସେ ବନ୍ଧୁ ମେଳରେ ଆଡ଼୍‌ଡ଼ା ମାରନ୍ତି । ରାତ୍ରିର ବିଳମ୍ବ ପ୍ରହରରେ ଗୃହକୁ ଫେରି ଆସନ୍ତି । ସେହି ନିର୍ଜନ ମୁହୂର୍ତ୍ତରେ ସେ ଲେଖନୀ ଧରି ତପସ୍ୟାମଗ୍ନ ହୋଇଯାନ୍ତି । ତେଣୁ ତାଙ୍କର ଘନିଷ୍ଠ ବନ୍ଧୁ ରାଜେନ୍ଦ୍ର ଯାଦବ ଯଥାର୍ଥରେ କହିଛନ୍ତି—‘‘ଆଃ ଏ ଲୋକଠାରେ କେତେ ଷ୍ଟେମିନା ରହିଛି । ଦିନସାରା ବୁଲିପାରେ, ବଳଦପରି ଖଟିପାରେ, ରାତି ଅନିଦ୍ରା ରହି ବନ୍ଧୁମାନଙ୍କ ସହିତ ଆଡ଼୍‌ଡ଼ା ମାରିପାରେ, ହେଲେ କ୍ଳାନ୍ତି ନାହିଁ କି ବିରକ୍ତି ନାହିଁ । କିଏ ଜାଣେ ସେ କ’ଣ ଖାଉଛି—” ସେ ଥରେ ଥରେ ଅନ୍ୟ ଲେଖକବନ୍ଧୁଙ୍କୁ ମଧ୍ୟ ଚମକ ଦେଇପାରନ୍ତି । ମନ୍ମ ଭଣ୍ଡାରୀଙ୍କ ସମ୍ପାଦିତ “ନୟୀ କାହାନିୟା”ର ବିଶେଷାଙ୍କ ନିମନ୍ତେ ତାଙ୍କଠାରୁ ଗୋଟିଏ ଗଳ୍ପ ପାଇବା ପାଇଁ ରାଜେନ୍ଦ୍ର ଯାଦବ ଜିଦ୍‌ଧରି ବସିଲେ । ସେ ବାଧ୍ୟ ହୋଇ କାଗଜ କଲମ ଧରି ବସିଗଲେ । କହିଲେ—‘‘ଆଚ୍ଛା ଯାଦବ ତୁମେ ଖିଅର ହୁଅ, ମୁଁ ଗଳ୍ପ ଆରମ୍ଭ କରୁଛି” । ସେ ଗଳ୍ପ ଲେଖିବାକୁ ଆରମ୍ଭ କଲେ । ଯାଦବ ଖିଅର ହେବାପାଇଁ ପାଣି ଗରମ କଲେ । ସେ କହିଲେ–‘‘ଏହି ନାୟିକା ଆସି ଦ୍ୱାର ମୁହଁରେ ପହଞ୍ଚିଗଲା ।” ଖିଅର ସାମଗ୍ରୀ ଯାଦବ ଆଣି ଆଗରେ ରଖି ବସିଲେ । ସେ କହିଲେ–‘‘ଦେଖ ଏବେ ବାତାବରଣ ସୃଷ୍ଟି କରୁଛି ।” ସତକୁ ସତ ସେ ବାତାବରଣ ତିଆରି କଲେ । ଯାଦବ ଖିଅର ସମାପନ କଲେ ତ କମଳେଶ୍ୱର କହିଲେ—‘‘ଏବେ ଗୋଟିଏ ସ୍ଥିତି ସମାପ୍ତ ହେଲା । ରାଜେନ୍ଦ୍ର ପ୍ରତିଦିନ ଖିଅର ଶେଷକରି କେତେଖଣ୍ଡ ଚିଠି ଲେଖନ୍ତି । ସ୍ନାନ ସମାପନାନ୍ତେ ପୋଷାକ ପିନ୍ଧି ବାହାରିବାରୁ ସେ ଗଳ୍ପ ସମାପ୍ତ କରି ଯାଦବଙ୍କ ହାତରେ ଧରାଇ ଦେଲେ । ଯାଦବ ଆଶ୍ଚର୍ଯ୍ୟରେ ହତଭମ୍ବ ହୋଇଗଲେ । ଅବଶ୍ୟ ଏପରି ପ୍ରଣାଳୀରେ ସେ ଲେଖିବାରେ ଅଭ୍ୟସ୍ତ ନୁହନ୍ତି । ସେ ନିର୍ଜନ ମୁହୂର୍ତ୍ତରେ ଲେଖନ୍ତି ଏବଂ ମାନସିକ ଓ ଆର୍ଥିକ ଚାପର କବଳିତ ହୋଇ ସେ ଲେଖନ୍ତି ବୋଲି ତାଙ୍କର ଅନ୍ତରଙ୍ଗ ବନ୍ଧୁମାନେ କହିଥାନ୍ତି । ସମାନ୍ତରାଳ ସାହିତ୍ୟ ସଙ୍ଗଠନ ସମ୍ପ୍ରତି ତାଙ୍କର ଗୋଟିଏ ମୁଖ୍ୟକାର୍ଯ୍ୟ ହୋଇପଡ଼ିଛି ।

ଭାରତୀୟ ‘ଦୂରଦର୍ଶନ’ (Television) ସଂସ୍ଥାରେ ଡେପୁଟି ଡାଇଟେକ୍ଟର ଜେନେରାଲ ପଦବୀରେ ଅସ୍ଥାୟୀ (Adhoc) ନିଯୁକ୍ତି ପାଇ କମଳେଶ୍ୱର ‘ସାରିକା’ ପତ୍ରିକାର ସମ୍ପାଦନା ମଣ୍ଡଳୀରୁ ୧୯୮୨ରେ ବିଦାୟ ନେଲେ । ସେଠାରେ ସେ ନିଜର ସୃଜନୀ ପ୍ରତିଭାର ବିନିଯୋଗ ପାଇଁ ଉପଯୁକ୍ତ ମାଧ୍ୟମ ଭାବରେ ତାହା ବିନିଯୋଗ କରିବାରୁ ତାଙ୍କୁ କର୍ତ୍ତୃପକ୍ଷଙ୍କ ବିଷ ଦୃଷ୍ଟିରେ ପଡ଼ିବାକୁ ହେଲା । ଫଳରେ ୧୯୮୨ ଅପ୍ରେଲ କୋଡ଼ିଏ ତାରିଖରେ ସେହି ସଂସ୍ଥାରୁ ତ୍ୟାଗପତ୍ର ଦେଇ ବିଦାୟ ନେବାକୁ ହେଲାବୋଲି ବିଶିଷ୍ଟ ଇଂରାଜୀ ସାପ୍ତାହିକ ‘ସନ୍ ଡ଼େ’ ପତ୍ରିକା ମନ୍ତବ୍ୟ ପ୍ରକାଶ କରିଛି ।

Image

 

ଋଷିପ୍ରାଣ–ଜୈନେନ୍ଦ୍ର କୁମାର

 

କଥା ସମ୍ରାଟ ପ୍ରେମଚନ୍ଦ୍ରଙ୍କ ପରେ ହିନ୍ଦୀ ସାହିତ୍ୟାକାଶକୁ ଉଜ୍ଜ୍ଵଳ ପ୍ରତିଭା ଦୀପ୍ତିରେ ଭାସ୍ୱର ଓ ବିଭାମୟ କଲେ ଋଷିପ୍ରାଣ ଜୈନେନ୍ଦ୍ର କୁମାର । ସେ ୧୯୦୫ ମସିହାରେ ଆଲିଗଡ଼ରେ ଭୂମିଷ୍ଠ ହୋଇଥିଲେ । ଅସହଯୋଗ ବାତ୍ୟାରେ ଉଡ଼ିଯିବାରୁ ତାଙ୍କ ପୋଥିରେ ଡ଼ୋରି ବନ୍ଧା ହୋଇଥିଲା । ତାଙ୍କ ଶିକ୍ଷା ସମ୍ବନ୍ଧରେ ସେ ନିଜେ ଲେଖିଛନ୍ତି—‘‘ଶ୍ରେଣୀରେ କୌଣସି ବିଷୟରେ ବା ବର୍ଷରେ ପ୍ରଥମ ସାରିକୁ ଆସୁଥିଲେ ବି ଅନ୍ୟ ବିଷୟରେ ପଛୁଆ ହୋଇ ଯାଉଥିଲି । କିନ୍ତୁ ଆଶ୍ଚର୍ଯ୍ୟ ବ୍ୟାପାର ମୁ କେବେ ଫେଲ ହୋଇନାହିଁ । ହେଲେ ପାଶ ଆପେ ଆପେ ହୋଇଯାଉଥିଲା ।” ଅର୍ଥାତ୍ ଏଠାରେ ସେ ନିଜକୁ ଉତ୍ତମ ଛାତ୍ର ଥାଇ ମଧ୍ୟ ମଧ୍ୟମ ଭାବେ ଦର୍ଶାଇ ନିଜର ବିନୟ ପ୍ରକାଶ କରିଛନ୍ତି । ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ସେ ଜେଲ ଯାଇଥିଲେ ।

 

୧୯୩୦ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା । ଏହି ସମୟରେ ଦିଲ୍ଲୀରେ ‘ନୌ ଜବାନ ଭାରତ ସଭା’ ନାମରେ ଗୋଟିଏ ସତ୍ୟାଗ୍ରହୀ ଅନୁଷ୍ଠାନ ମୁଣ୍ଡ ଟେକିଥାଏ । ଏହି ଅନୁଷ୍ଠାନ ତରଫରୁ ଗୋଟିଏ ଶୋଭାଯାତ୍ରା ଆୟୋଜିତ ହେଲା । ସେଥିରେ ଜୈନେନ୍ଦ୍ର ଜୀ ନେତୃତ୍ୱ ନେଇଥାନ୍ତି । ପୋଲିସ ତରଫରୁ ସେହି ଶୋଭାଯାତ୍ରା ଉପରେ ଲାଠିଚାଳନ କରାଯାଇଥିଲା । ଶୋଭାଯାତ୍ରାର ସମ୍ମୁଖ ଭାଗରେ ଥିବା ସତ୍ୟଗ୍ରହୀ ସୈନିକମାନେ ଗୁରୁତର ଭାବରେ ଆହତ ହୋଇଥାନ୍ତି । ମାତ୍ର ଜୈନନ୍ଦ୍ରଜୀ ଆଘାତ ପାଇ ନଥାନ୍ତି, କାରଣ ସେ ନେତା ଶୋଭାଯାତ୍ରାର ସମସ୍ତ ଦାୟିତ୍ଵ ତାଙ୍କ ଉପରେ । ଶୋଭାଯାତ୍ରାର ଶୃଙ୍ଖଳା ରକ୍ଷାପାଇଁ ସେ ଇତସ୍ତତଃ ଭ୍ରମଣ କରୁଥାନ୍ତି । ପ୍ରଥମ ଆକ୍ରମଣକାରୀ ପୋଲିସ ବାହିନୀ ଚାଲିଗଲା । କାଶ୍ମୀରୀଗେଟ ପୋଷ୍ଟ ଅଫିସଠାରେ ଦଳେ ପୋଲିସ ଶୋଭାଯାତ୍ରା ନିରୀକ୍ଷଣ କରୁଥିଲେ । ସେମାନେ ଦେଖିଲେ ସୈନିକମାନେ ଦଣ୍ଡ ପାଇଲେ; ମାତ୍ର ସେନାପତି ଦଣ୍ଡ ପାଇନାହିଁ । ସେମାନେ ଧାଇଁ ଆସିଲେ । ଜୈନେନ୍ଦ୍ରଙ୍କ ଉପରେ ପ୍ରହାର ପରେ ପ୍ରହାର ହେବାକୁ ଲାଗିଲା । ସେ ନିଜ ସ୍ଥାନରୁ ଟିକିଏ ହେଲେ ହଲିଲେ ନାହିଁ ।

 

ସତ୍ୟାଗ୍ରହର ସେହି ଆବେଗ ଉତ୍ସାହମୟ ମୁହୂର୍ତ୍ତ କଟିଗଲା ପରେ ବାସ୍ତବତା ଭିତରକୁ ଫେରିଆସି ଦେଖିଲେ ସେ ଅପାର ସଂସାର-ସାଗରରେ କୁଟାଖିଏ ପରି ଅସହାୟ-ନିଃସମ୍ବଳ ଓ ଲକ୍ଷ୍ୟହୀନ ଭାବରେ ଭାସି ଚାଲିଛନ୍ତି । ସେ ଲେଖିଛନ୍ତି—‘‘ ସମୁଦ୍ର ଲହରୀରେ କୁଟାଖିଏ ଭାସୁଥାଏ, କାରଣ ତାହା ଖୁବ୍ ହାଲୁକା । ମୋ’ଠାରେ ମଧ୍ୟ କୌଣସି ଦିଗରୁ ଓଜନ ନଥାଏ । ଏଣୁ ବର୍ଷେକାଳ ମୁଁ ଲହରୀରେ ଏଣେତେଣେ ଭାସି ବୁଲିଲି ।” (ସମୁନ୍ଦରକୀ ଲହରୋପର ତିନକା ତୈରତା ହୈ । କ୍ୟୋଁ କୀ ହଲକା ହୋତାହୈ । ମୁଝମେ ଭୀ କହୀଁ କିସୀ ତରଫସେ ୱଜନ ନଥା ଔର ବରଷୋ ଲହରୋଁପର ମେଁ ଇଧର–ଉଧର ଭତରାୟା କିୟା ।”) ତାଙ୍କ ମା’ ପୁଅର ଏପରି ଅବସ୍ଥାରେ ବିଶେଷ ମନଦୁଃଖ କରୁଥିଲେ । ଦିନେ ସେ ତାଙ୍କ ମା’ଙ୍କ ନିକଟରେ ପ୍ରସ୍ତାବ କଲେ ପଚାଶ ଟଙ୍କା ଦେବାପାଇଁ, କାରଣ ଟଙ୍କା ବ୍ୟବସ୍ଥାକଲେ ସେ କଲିକତା ଚାକିରି ସନ୍ଧାନରେ ଯିବେ । ମା’ ଟଙ୍କା ଯୋଗାଡ଼ କରି ଦେଲେ । ଜୈନେନ୍ଦ୍ର କଲିକତା ଗଲେ । ଚାକିରି ଅନ୍ୱେଷଣ ଚାଲିଥାଏ । ହାତରୁ ଯେତେ ମାତୃଦତ୍ତ ଅର୍ଥ ଶେଷ ହୋଇ ଯାଉଥାଏ ସେତେ ଜୈନେନ୍ଦ୍ର ହତାଶାରେ ଅଧୀର ହେଉଥାନ୍ତି । ଚାକିରି ଶେଷ ପର୍ଯ୍ୟନ୍ତ ମରିଚୀକାର ଜଳ ହୋଇ ରହିଗଲା । ଜୈନେନ୍ଦ୍ର ମାତୃକୋଳ ଆଦରି ବାଧ୍ୟହେଲେ । ଏହି ଅବ୍ୟବସ୍ଥିତ ଅବସ୍ଥା ତ୍ରୟୋବିଂଶ ବର୍ଷ ବୟସ ବେଳର ଘଟଣା । ସେ ତାଙ୍କ ଆଗରେ ସାହିତ୍ୟର ପ୍ରସାରିତ ମାର୍ଗ ଦେଖିବାକୁ ପାଇଲେ, ମନରେ ଆଶାର ସଞ୍ଚାର ହେଲା-। ଲେଖନୀ ଚଳଚଞ୍ଚଳ ହେବାକୁ ଲାଗିଲା । ମାନସିକ ଦୁଃଖର ସାନ୍ତ୍ଵନାବାଣୀ ହିଁ ସାହିତ୍ୟ । ସାହିତ୍ୟ ସୃଷ୍ଟିଶୀଳ–ପ୍ରତିଭା କେଉଁଠି ଉଜ୍ଜୀବିତ ହୁଏ ବା କେଉଁଠି ତାହା ଅଧୀତ ହୁଏ । ତାଙ୍କ ଲିଖିତ “ହତ୍ୟା” ଗଳ୍ପଟି ୧୯୨୭ ମସିହାରେ ପ୍ରଥମେ ପ୍ରକାଶ ପାଇଛି ।

 

ଜୈନେନ୍ଦ୍ରଙ୍କ ସାହିତ୍ୟିକ–ଜୀବନର ପ୍ରଥମାବସ୍ଥାରେ ପ୍ରେମ୍‌ଚନ୍ଦଙ୍କ ପରୋକ୍ଷ ପ୍ରୋତ୍ସାହନ ତାଙ୍କୁ ଅଧିକ ଉତ୍ସାହ ଦେଇଛି । ହିନ୍ଦୀ କଥାସମ୍ରାଟ ପ୍ରେମଚନ୍ଦ ସେତେବେଳେ ଲକ୍ଷ୍ନୌଠାରେ “ମାଧୁରୀ” ପତ୍ରିକା ସମ୍ପାଦନ କରୁଥାନ୍ତି । ଜୈନେନ୍ଦ୍ର ଥରେ ଗୋଟିଏ ଗଳ୍ପ ତାଙ୍କ ପାଖକୁ ପଠାଇ ଲେଖିଲେ–”ଏ ଲେଖା ସମ୍ପାଦକ ପ୍ରେମଚନ୍ଦଙ୍କୁ ନୁହେଁ ଲେଖକ ପ୍ରେମଚନ୍ଦଙ୍କ ନିମନ୍ତେ ଉଦ୍ଦିଷ୍ଟ । ଏହା ତ ଛାପାହେବାର ଯୋଗ୍ୟତା ଅର୍ଜନ କରିପାରିବ ନାହିଁ, କେବଳ ଲେଖକ ପ୍ରେମଚନ୍ଦ ଏହା ଉପରେ ଟିକେ କୃପାଦୃଷ୍ଟି ପକାଇ ଏହା ବିଷୟରେ କିଛି ପଦେକହିଲେ ନିଜକୁ ଧନ୍ୟ ମନେ କରିବି-।” କିଛିଦିନ ପରେ ସେ ଲେଖା ଫେରିଆସିଲା, ଲେଖାସହିତ ଖଣ୍ଡିଏ କାର୍ଡ଼ । ସେଥିରେ ଲେଖାଥାଏ-‘ଧନ୍ୟବାଦ ସହିତ ଲେଖା ଫେରସ୍ତ କରାଗଲା ।” ଏତକ ପଢ଼ି ସରିଲାପରେ ସେ ମନେମନେ ଭାବିଲେ–ଏହା ଦୁଃସାହସର ଫଳ । ମନ ଅଥୟ–ଅସ୍ଥିର ହେଉଥାଏ । ପୁଣିଥରେ ଗଳ୍ପଟିକୁ ଓଲଟାଇ ନେଲେ । ଶେଷ ପୃଷ୍ଠାରେ ଦେଖିଲେ ଫିକାଲାଲ କାଳିରେ ଲେଖାଯାଇଛି–‘‘ପ୍ଲିଜ୍ ଆସ୍କ, ଇଫ ଦିସ ଇଜ୍ ଏ ଟ୍ରାନସ୍‌ଲେସନ ।” (Please ask if this is a translation) ଜୈନେନ୍ଦ୍ର ମନେ ମନେ ଯେତେ ଦବିଯାଇଥିଲେ, ଏହି କ୍ଷୁଦ୍ରବାକ୍ୟଟି ତାଙ୍କୁ ତତୋଽଧିକ ଉଜ୍ଜୀବିତ ଓ ପ୍ରଚୋଦିତ କଲା । କାରଣ ଏହି ଲେଖାର ପରୋକ୍ଷ ସ୍ଵୀକୃତି । ଏହି ଉଦ୍ଦୀପନା ପ୍ରାଣ–ମନକୁ କେତେ ପ୍ରଶାନ୍ତ ଓ ଉନ୍ନତ କରେ ତାହା ପ୍ରକାଶ କରାଯାଇ ପାରିବନାହିଁ । ଏହି ପ୍ରଚ୍ଛନ୍ନ ପ୍ରେରଣା କଣିକାଏ ଅମୃତ ତୁଲ୍ୟ ସମଗ୍ର ପ୍ରାଣ ସତ୍ତାକୁ ପୁଲକିତ ଓ ରସାଣିତ କରିଛି ।

 

କିଛିଦିନ ପରେ ପୁଣିଥରେ “ଅନ୍ଧୋଁ କାଭେଦ” ଗଳ୍ପ ପଠାଇଲା ବେଳେ ପୂର୍ବ ପ୍ରସଙ୍ଗ ଉତ୍‌ଥାପନ ନକରି ଲେଖିଲେ–“ଲେଖକ ପ୍ରେମଚନ୍ଦଙ୍କ ସ୍ଵୀକୃତି ପାଇବା ଆଶାରେ ପଠାଉଛି ।” ଉତ୍ତରରେ ଗଳ୍ପଟି ‘ମାଧୁରୀ’ର ଆଗାମୀ ବିଶେଷାଙ୍କରେ ପ୍ରକାଶ ପାଇବା ନିମନ୍ତେ ନିର୍ବାଚିତ ହୋଇଥିବା କଥା ଜୈନେନ୍ଦ୍ରଜୀ ଜାଣିବାକୁ ପାଇଲେ । ଏହା ସ୍ଵୀକୃତିରେ ସେ ପରମ ପରିତୁଷ୍ଟ ହୋଇ ଅବିରାମ ଗତିରେ ଲେଖନୀ ଚଳାଇ ବହୁ ଗଳ୍ପ, ଉପନ୍ୟାସ ଲେଖି ଋଦ୍ଧି-ସଦ୍ଧି ଲାଭ କରିଛନ୍ତି-। ଏହି ସ୍ଵୀକୃତି ହିଁ ତାଙ୍କ ସୁପ୍ତ ପ୍ରତିଭାକୁ ପ୍ରଦୀପ୍ତ ଓ ଉଜ୍ଜୀବିତ କରିଛି । ଏହି ପ୍ରୋତ୍ସାହନ ହିଁ ପୁରାତନ ଲେଖକମାନଙ୍କର ନୂତନ ଲେଖକମାନଙ୍କ ପ୍ରତି ପରମ ଆଶୀର୍ବାଦ ସ୍ୱରୂପ ହୋଇଥାଏ । ପରବର୍ତ୍ତୀ କାଳରେ ଜୈନେନ୍ଦ୍ରଙ୍କ ଶକ୍ତିମତ୍ତାକୁ ଅଭିନନ୍ଦନ ଜଣାଇ ପ୍ରେମଚନ୍ଦ ଜୀ ଲେଖିଛନ୍ତି–“ଜୈନେନ୍ଦ୍ର ହେଉଛନ୍ତି ଭାରତର ଗର୍କି । (ଜୈନେନ୍ଦ୍ର ଭାରତକୀ ଗୋର୍କି ହୈ ।)

 

ଏହି ଶକ୍ତିଧର ସାହିତ୍ୟିକ ଜୈନେନ୍ଦ୍ର କୁମାର ନିଜ କଲେଜ ଜୀବନର ଗୋଟିଏ ହାସ୍ୟକର ବିଷୟ ଲେଖିଛନ୍ତି । ତାହା ଅତି କୌତୁକପୂର୍ଣ୍ଣ । କଲେଜର ପ୍ରଥମ ବର୍ଷ । ଅଧ୍ୟାପକ କୌଣସି ବିଷୟରେ ଲେଖିବାକୁ କହନ୍ତି । ସେ କିନ୍ତୁ ତା’ଠାରୁ ଦୂରେଇ ରହନ୍ତି । ଥରେ କିନ୍ତୁ ସେ ଗୋଟିଏ ଲେଖା ପ୍ରସ୍ତୁତ କଲେ, ଅଧ୍ୟାପକଙ୍କ ପ୍ରବଳ ଚାପରେ । ଏ ବହିରୁ ପୁଳାଏ ତ ସେ ଲେଖାରୁ ପୁଳେ ମିଶାଇ ଲେଖି ଅଧ୍ୟାପକଙ୍କୁ ଦେଖାଇଲେ । ଅଧ୍ୟାପକ ଗୋଟିଏ ପିଲାକୁ ଡାକି ତା’ର ଲେଖା ପାଇଁ ତାକୁ ପ୍ରଶଂସା କଲାପରେ ଜୈନେନ୍ଦ୍ରଙ୍କୁ ଠିଆହେବା ପାଇଁ କହିଲେ, ଜୈନେନ୍ଦ୍ର ଭାବିଲେ ବୋଧହୁଏ ଅଧ୍ୟାପକ ମହୋଦୟଙ୍କଠାରୁ ଲେଖାପାଇଁ ପ୍ରଶଂସା ମିଳିବ; କିନ୍ତୁ ଅଧ୍ୟାପକ ନିର୍ଦ୍ଦେଶ ଦେଲେ ବେଞ୍ଚ ଉପରେ ଠିଆହେବା ପାଇଁ । ସେ ଲେଖିଛନ୍ତି—‘‘ଶହେରୁ ଊର୍ଦ୍ଧ୍ଵପିଲାଙ୍କ ଆଖି ମୋ ଉପରେ ପଡ଼ିଲା, ମୁଁ ବେଞ୍ଚ ଉପରେ ଠିଆ ହେଲି । ପ୍ରଫେସର ମୋତେ ଦେଖାଇ କହିଲେ—ଏପରି ବୋକାପିଲା ମଧ୍ୟ କଲେଜକୁ ଆସୁଛନ୍ତି...ଭାଗ୍ୟର କଥା ସେତେବେଳେ ମୋ’ର ନାମ ଜୈନେନ୍ଦ୍ର କୁମାର ହୋଇ ନଥାଏ । କିଛିଦିନ ପରେ ଗୋଟିଏ ସୁଯୋଗରେ ସେହି ପ୍ରଫେସରଙ୍କ ସହିତ ମୋତେ ପରିଚୟ କରାଇ ଦିଆଗଲା ।” ହେଲେ ପ୍ରଫେସର ମହାଶୟ ତାଙ୍କୁ ଚିହ୍ନି ପାରିଲେ ନାହିଁ ।

 

ଗୋଟିଏ ହାତଲେଖା ପତ୍ରିକାରେ ଲେଖାପ୍ରକାଶ ପାଇବାରେ ହିଁ ତାଙ୍କ ଲେଖକ ଜୀବନର ଅୟମାରମ୍ଭ ହୋଇଛି । ପ୍ରେମଚନ୍ଦଙ୍କ ସ୍ୱୀକୃତିରେ ତାଙ୍କ ଅନ୍ତର୍ନିହିତ ଜୈନେନ୍ଦ୍ର କୁମାରଙ୍କ ଅନନ୍ୟ ସତ୍ତାର ଉପଲବ୍‌ଧି ହୋଇପାରିଛି । ଫଳରେ ତାଙ୍କ ସୃଷ୍ଟି–ପ୍ରତିଭାର ସ୍ଵର୍ଣ୍ଣ ସ୍ପର୍ଶରେ ହିନ୍ଦୀସାହିତ୍ୟ ଅପୂର୍ବ ଶ୍ରୀ ବିମଣ୍ଡିତ ହୋଇଛି ।

 

୧୯୨୯ ମସିହା ଲାହୋର କଂଗ୍ରେସ ଅଧିବେଶନବେଳକୁ ତାଙ୍କ ଲିଖିତ ପ୍ରଥମ ତିନୋଟି କାହାଣୀ ‘ଫାଶୀ’ ନାମରେ ସଂଗୃହୀତ ହୋଇ ପ୍ରକାଶ ପାଇଥିଲା । ସେହି ପୁସ୍ତକର ପ୍ରଚ୍ଛଦପଟରେ ଗୋଟିଏ ପିଲାକୁ ଫାଶୀ ଦିଆଯାଇଥିବା ଚିତ୍ର ଅଙ୍କିତ ହୋଇଥାଏ । ତାହା ଏପରି ହୃଦୟଗ୍ରାହୀ ହୋଇଥାଏ ଯେ କଂଗ୍ରେସ ଅଧିବେଶନରେ ସମଗ୍ର ପୁସ୍ତକ ବିକ୍ରି ହୋଇଗଲା । ତା’ପରେ ତାଙ୍କ ଲିଖିତ ଉପନ୍ୟାସ ‘ସୁନୀତା’ ପ୍ରକାଶ ପାଇଲା । ‘ପରଖ’ ଉପନ୍ୟାସ ପାଇଁ ତାଙ୍କୁ ‘ହିନ୍ଦୁସ୍ଥାନୀ ଏକାଡେମୀ’ ତରଫରୁ ପୁରସ୍କାର ଅର୍ପଣ କରାଗଲା । ଲେଖକ ସେତେବେଳେ ବିଶେଷ ପରିଚିତ ନଥିଲେ । କର୍ତ୍ତୃପକ୍ଷ ଏହି ପୁରସ୍କାର କିପରି କେବେ ଦେବେ ଜାଣିପାରୁନଥାନ୍ତି । ସେତେବେଳ ଜୈନେନ୍ଦ୍ର କୁମାର କବିଗୁରୁ ରବୀନ୍ଦ୍ରନାଥଙ୍କ ନିକଟରେ ଥାନ୍ତି । ବନାରସୀ ଦାସ ମହାଶୟ ଜୈନେନ୍ଦ୍ରଙ୍କୁ ପୁରସ୍କାର ପାଇଥିବା ଖବର ଜଣାଇଲେ । ସେତେବେଳେ ସେ ବିଶେଷ ଅର୍ଥ ସଙ୍କଟର ସମ୍ମୁଖୀନ । ସମ୍ମାନ ପାଇଁ ସେ ଯେତେ ଖୁସି ନ ହେଲେ, ଆର୍ଥିକ ସଙ୍କଟରୁ ସାମୟିକ ମୁକ୍ତି ମିଳିବା ଆଶାରେ ସେ ପୁଲକିତ ହେଲେ । ଯୋଗ କିନ୍ତୁ ଓଲଟାହେଲା । ମା’ ଏହି ପୁରସ୍କାର ଖବର ପାଇ ସେହି ଅର୍ଥରେ ବୋହୂ ପାଇଁ ଚୁଡ଼ି କିଣିବା ପାଇଁ ନିର୍ଦ୍ଦେଶ ଦେଲେ ।

 

ତାଙ୍କ ରଚନାଭଙ୍ଗୀ ବା କିପରି ସେ ଲେଖନ୍ତି ସେ ବିଷୟରେ ସେ ଆଲୋକପାତ ଲେଖିଛନ୍ତି—‘‘କାହାଣୀ ଲେଖିଲାବେଳେ ମୋ’ ମନରେ ସ୍ପଷ୍ଟ ଭାବରେ କିଛି ନଥାଏ, ପ୍ଳଟ ମଧ୍ୟ ନଥାଏ । କେବଳ ଗଳ୍ପର ଶେଷ ଭାଗରେ କିଛି କିଛି ମନରେ ଥାଏ । ତାହା କେତେବେଳେ ବିଚାର–ବିନ୍ଦୁ, ତ କେତେବେଳେ ଭାବ–ଗ୍ରନ୍ଥି ରୂପରେ ।” (କାହାନୀ ଲିଖତାହୁଁ ତୋ ମେରେ ମନମେଁ ସ୍ପଷ୍ଟକୁଛ ନହୀଁ ହୋତା, ପ୍ଳଟ (Plot) ତୋ ହୋତାହୀ ନହୀଁ, ସିଫ କହାନୀକା ଅନୁକୁଛ–କୁଛ ମନମେଁ ରହୁତା ହୈ । କଭୀ ବିଚାର–ବିନ୍ଦୁ, ତୋ କଭି ଭାବଗ୍ରନ୍ଥି କେ ରୂପମେଁ । ସେ ନିଜେ ଲେଖନ୍ତିନାହିଁ । ଡାକି ଦିଅନ୍ତି, ଅନ୍ୟ ଜଣେ ତାହା ଟିପିନିଏ । ସେ ଶୈଳୀ ବା ଟେକ୍‌ନିକକୁ ଆଖି ଆଗରେ ରଖି କିଛି ଲେଖନ୍ତି ନାହିଁ । ଯାହା ଡାକି ଦେଇଥାନ୍ତି ତାକୁ କେବେ ବଦଳାବଦଳି ବା ସଂଶୋଧନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ପରେ ଯେ କ୍ରାନ୍ତିକାରୀ ଭଗବତୀ ଚରଣ ଧ୍ୟାନରେ ରଖି ଲେଖିବାକୁ ଚାହିଁଲେ । ଭଗବତୀଚରଣ ସନ୍ତ୍ରାସବାଦୀ ବିପ୍ଳବୀ । ତାଙ୍କୁ ସେ କୋଣରୁ ନଦେଖି ତାଙ୍କ ସ୍ତ୍ରୀଙ୍କ ଆଡ଼ୁ ଦୃଷ୍ଟି ଦେଇ ଲେଖିଲେ ପ୍ରସିଦ୍ଧ ‘ପତ୍ନୀ’ ଗଳ୍ପ ରଚନା କରିଥିଲେ । ଏ ବିଷୟରେ ସେ ଲେଖିଛନ୍ତି—‘ଉହ୍ନେ କ୍ରାନ୍ତିକୀ ଓରସେ ନହୀଁ, ପତ୍ନୀକୀ ଓରସେ ଦେଖାଯାୟେ ତୋ ଦେଖେଁ କୈସେ ଦିଖତେ ହୈଁ ।” ଦୁଇଚାରି ପୃଷ୍ଠା ଲେଖିଲା ପରେ, ପ୍ରେମଚନ୍ଦଙ୍କଠାରୁ ଗଳ୍ପ ପଠାଇବା ପାଇଁ ନିର୍ଦ୍ଦେଶ ପାଇ ତାହା ପଠାଇଦେଲେ ଓ ତାହା ଛପା ହୋଇଗଲା ।

 

ଆଉ ଥରକର ଘଟଣା ପ୍ରେମଚନ୍ଦଙ୍କ ପାଖକୁ ଗଳ୍ପ ପଠାଇବା ପାଇଁ ନିର୍ଦ୍ଦେଶ ପାଇ ‘ସାଁପ’ ଗଳ୍ପଟି ପଠାଇ ଦେଲେ । ଦୁଇ ତିନି ସପ୍ତାହ ପରେ ପୁଣି ତାଗିଦ ଆସିଲା କାହିଁକି ଗଳ୍ପ ପଠାଇଲ ନାହିଁ ବୋଲି । ଜୈନେନ୍ଦ୍ର ଭାବିଲେ ଗଳ୍ପଟି ଡାକରେ ଯାଇଥିଲା ବାଟରେ ହଜିଗଲା ବୋଧହୁଏ । ତେଣୁ ସେ ଆଉଥରେ ‘ସାଁପ’ ଗଳ୍ପଟି ଲେଖି ଅନ୍ୟ ଗୋଟିଏ ପତ୍ରିକାକୁ ପଠାଇ ଦେଲେ; ମାତ୍ର ପ୍ରେମଚନ୍ଦ ସେହି ଗଳ୍ପଟି ଡେରିରେ ପାଇ ଛାପିଦେଲେ । ଏଣୁ ‘ସାଁପ’ ଗଳ୍ପଟି ପୁନର୍ଲେଖନ ହେତୁ ଦୁଇ ପ୍ରକାର ।

 

ଜୈନେନ୍ଦ୍ରଙ୍କ ଲେଖନୀ ବହୁ କାହାଣୀ ସୃଷ୍ଟି କରିଛି । ତାଙ୍କର ଗଳ୍ପ ସମୂହ ‘ଫାଶ’ ‘ଦୋଚିଡ଼ିୟାଁ’ ‘ବାତାୟନ’, ଜୈନେନ୍ଦ୍ରକୀ କହାନିୟାଁ ଓ ‘ମେରେ ପ୍ରିୟ କାହାନିୟାଁ’ ନାମରେ ସଂଗୃହୀତ ଓ ପ୍ରକାଶିତ । ସେ ଜଣେ ବହୁ ଚର୍ଚ୍ଚିତ ଔପନ୍ୟାସିକ । ତାଙ୍କ ଲିଖିତ ‘ତ୍ୟାଗପତ୍ର’ ଉପନ୍ୟାସ ହିନ୍ଦୀ ସାହିତ୍ୟର ଗୋଟିଏ ଉଜ୍ଜ୍ୱଳରତ୍ନ । ତାଙ୍କ ଲିଖିତ ତ୍ୟାଗପତ୍ରରେ ଯେଉଁ ନାରୀର ଚରିତ୍ର ଚିତ୍ରିତ, ତାହା ଭାରତୀୟ ସାହିତ୍ୟରେ ଗୋଟିଏ ଉନ୍ମତତମ ଚିତ୍ର । ‘ସୁଖଦା’ ଉପନ୍ୟାସରେ ତାଙ୍କର ମୌଳିକତାର ସ୍ଵାକ୍ଷର ଉତ୍କୀର୍ଣ୍ଣ । ସୁଖଦା ନାରୀ ହୋଇ ଗୃହିଣୀ ହୋଇ ମଧ୍ୟ ଜଣେ ‘କ୍ରାନ୍ତିକାରୀ ଦଳର ସଦସ୍ୟା । ସେଥିରେ ଯେଉଁ ଚାରିତ୍ରିକ ଦ୍ଵନ୍ଦ୍ୱର ଚିତ୍ର ଅଙ୍କନ କରାଯାଇଛି, ତାହା ପ୍ରଣିଧାନର ବିଷୟ । ‘ମୁକ୍ତି ବୋଧ’ ଉପନ୍ୟାସରେ କାମରାଜ ଯୋଜନା କାଳରେ ରାଜନୀତିକ ଚିତ୍ର ଉପସ୍ଥାପିତ ହୋଇଛି । ‘ଜୟବର୍ଦ୍ଧନ’ ଉପନ୍ୟାସର କୈନ୍ଦ୍ରିକ ଚିନ୍ତାଧାରା ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମୟରେ ରାଜନୈତିକ, ସାମାଜିକ ଓ ପ୍ରଶାସନିକ ଚିତ୍ର‌ଉପରେ ଆଧାରିତ; ମାତ୍ର ଜୟବର୍ଦ୍ଧନକୁ ଦୁଇହଜାର ବର୍ଷ ପୂର୍ବରୁ ପୃଷ୍ଠଭୂମିରେ ଥୋଇ ତାହା ବର୍ଣ୍ଣନା କରିଛନ୍ତି । ତ୍ୟାଗପତ୍ରର ପରବର୍ତ୍ତୀ ଗଳ୍ପ “ଅନାଥସ୍ଵାମୀ” ନାମରେ ରଚିତ । ଉତ୍କଳ ଭାରତୀ କୁନ୍ତଳାକୁମାରୀ ଜୀବନ ଉପରେ ଆଧାରିତ ଉପନ୍ୟାସ ‘କଲ୍ୟାଣୀ’ । ଏଥିରେ ତାଙ୍କୁ ଜଣେ ମହୀୟସୀ ମହିଳା ଭାବରେ ଚିତ୍ରଣ କରିଛନ୍ତି ।

 

ଜୈନେନ୍ଦ୍ରଙ୍କ କାହାଣୀରେ ବ୍ୟକ୍ତି, ପରିବାର ସମୂହ ବା ସମାଜର ଯଥାର୍ଥ ଜୀବନ, ମାନସିକ ଦ୍ଵନ୍ଦ୍ୱ, ସମସ୍ୟା ଓ ଯନ୍ତ୍ରଣା ଚିତ୍ରିତ । ତାଙ୍କର ଭାଷା ସରଳ । ପରିମିତ ସରଳଶବ୍ଦରେ ଉଚ୍ଚତର ଭାବ ପ୍ରକାଶ କରିବାରେ ସେ ଧୁରୀଣ । ହିନ୍ଦୀ ସାହିତ୍ୟରେ ତାଙ୍କ ସ୍ପଷ୍ଟ ଚରିତ୍ରସବୁ ପ୍ରତିନିଧି ସ୍ଥାନୀୟ । ସେ ଯେଉଁ ଭାବ ପରିବେଷଣ କରନ୍ତି, ତାହାର ଏପରି ସୂକ୍ଷ୍ମ ବର୍ଣ୍ଣନା କରିଥାନ୍ତି ଯେ ଆଖି ଆଗରେ ଗୋଟିଏ ସମ୍ପୂର୍ଣ୍ଣଚିତ୍ର ପ୍ରତିଭାତ ହୋଇଉଠେ । ଜୈନେନ୍ଦ୍ର–କୁମାର ଜୈନଧର୍ମାବଲମ୍ବୀ । ତାଙ୍କ ଲେଖାରେ ରସ ଅପେକ୍ଷା ଚିନ୍ତା ଓ ଦର୍ଶନ ପରିପୂର୍ଣ୍ଣ । ସେକ୍‌ସ ତାଙ୍କ ଲେଖାରେ ବିଦ୍ୟମାନ “ଗ୍ରାମଫୋନ ଶକାର୍ଡ଼” ଓ ୱହକୌନ” ଗଳ୍ପ ପ୍ରକାଶ ପାଇଲାମାତ୍ରେ ବହୁ ପତ୍ରଲେଖକ ତାଙ୍କୁ ଆକ୍ରମଣ କରିଥିଲେ । ସେ ସମ୍ବନ୍ଧରେ ସେ ବହୁ କଥା ଲେଖିଛନ୍ତି ।

 

ସମାଜ ନାନା ପରୀକ୍ଷା ନିରୀକ୍ଷା ପରେ ବିବାହ ବ୍ୟବସ୍ଥା ପ୍ରଚଳନ କରିଛି । ବିବାହ ସମାଜରେ ଶୃଙ୍ଖଳା ରକ୍ଷାନିମନ୍ତେ ଅଭିପ୍ରେତ । ମଣିଷ କିନ୍ତୁ ସମାଜ–ଦ୍ଵାରା ସୃଷ୍ଟି ନୁହେଁ–ଈଶ୍ଵର ସୃଷ୍ଟି । ମନୁଷ୍ୟ ନିଜ ଭିତରେ ଯେଉଁ ସବୁ ସାମଗ୍ରୀନେଇ ଜନ୍ମ ହୋଇଛି ତାହା ପ୍ରକୃତ ବା ଈଶ୍ଵରଙ୍କଠାରୁ ପ୍ରାପ୍ତ । ସେହିସବୁ ସାମଗ୍ରୀ ମଧ୍ୟରୁ ମୂଲ୍ୟବାନ ତତ୍ତ୍ଵ ହେଉଛି ପ୍ରେମ । ବିବାହ ବିଧି ପ୍ରଚଳନ ହେଲେ ମଧ୍ୟ ପ୍ରେମ ବନ୍ଦ ହେଉନାହିଁ । ଏହି ପ୍ରେମହେତୁ ସମାଜରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହେଉଛି; ମାତ୍ର ତାକୁ ଆଡ଼େଇଦେବା ବା ଅବହେଳା କରିବା ମଧ୍ୟ ସମ୍ଭବ ହେଉନାହିଁ । ମାନବସମାଜ ମଧ୍ୟ ଏହି ପ୍ରେମବଳରେ ବଳୀୟାନ ପ୍ରେମର ପରିପୂର୍ତ୍ତି ହୁଏ ନାହିଁ ।” ତାଙ୍କ ମତରେ ପରିପୂର୍ଣ୍ଣ ପ୍ରେମ ହିଁ ବ୍ରହ୍ମଚର୍ଯ୍ୟ । ସେ କହନ୍ତି ପ୍ରେମିକା ଥରେ ଉପଭୋଗର ସମ୍ମୁଖୀନ ହେଲେ ସେମାନଙ୍କ ମଧ୍ୟରୁ ପ୍ରେମଭାବ ଦୂରୀଭୂତ ହୁଏ । ପ୍ରେମ ନିମନ୍ତେ ବ୍ୟବଧାନ ଆବଶ୍ୟକ । କାରଣ ଲକ୍ଷ ବସ୍ତୁ ପ୍ରତି ଉତ୍ତରୋତ୍ତର କାମନା ବୃଦ୍ଧି ହେବା ଦରକାର । ପ୍ରେମ ଅପ୍ରାପ୍ୟ ଓ ଅପ୍ରାପ୍ତ ହେଉଛନ୍ତି ଈଶ୍ଵର । ପ୍ରେମର ଅସଲ ଓ ଅନ୍ତିମ ଗନ୍ତବ୍ୟ ହେଉଛନ୍ତି ପରମେଶ୍ଵର । ବିଶେଷ ପ୍ରଣିଧାନର ବିଷୟ ହେଉଛି ଯେ ପ୍ରେମିକ ଓ ପ୍ରେମିକା ମଧ୍ୟରେ ଲକ୍ଷ୍ୟ ଓ ଆକର୍ଷଣରେ ଈଶ୍ଵରଙ୍କ–ପ୍ରତି ଆକର୍ଷଣର ନିମିଷମାତ୍ରର ଝଲକ ହୁଏତ ବିଦ୍ୟମାନ । ଏଣୁ ସେମାନଙ୍କ ମଧ୍ୟରେ ପ୍ରେମାକର୍ଷଣ ଦୁର୍ନିରୋଧ୍ୟ ଜଣାପଡ଼େ । ତେଣୁ ପ୍ରେମ ଅଭିମୁଖ୍ୟ ଅଶ୍ଳୀଳ ନୁହେଁ । ଜୈନେନ୍ଦ୍ରଜୀ ଲେଖିଛନ୍ତି “ମୁଁ ସେକ୍‌ସକୁ ଅନ୍ୟ ସାମାଜିକ ବିଷୟମାନଙ୍କଠାରୁ ଅଧିକ ମହତ୍ତ୍ଵ ଦେଇଥାଏ । ମୋ’ର ଚରମ ଲକ୍ଷ ହେଉଛନ୍ତି ପରମେଶ୍ଵର । ସେହି ଉପଲବ୍‍ଧି ନିମନ୍ତେ ଅଧିକ ବାଧକ ଯେବେ କିଛି ଥାଏ, ତାହା ହେଉଛି ସେକ୍‌ସ ଆଉ ସାଧକମଧ୍ୟ; କିନ୍ତୁ ମୁଁ ତାକୁ ସେକ୍‌ସ ନକହି କହିବି ପ୍ରେମ । ପ୍ରେମ ବ୍ୟତୀତ ମୁଁ ସେକ୍‌ସ ପ୍ରଶ୍ନକୁ ସ୍ପର୍ଶ ମଧ୍ୟ କରିବିନାହିଁ । ଈଶ୍ୱରଙ୍କ ସମ୍ବନ୍ଧୀୟ ବ୍ୟାଖ୍ୟାକୁ ମୁଁ ପ୍ରେମ ବୋଲି ସ୍ୱୀକାର କରିବି । କାମ ପ୍ରତି ନିଗ୍ରହ ଯଦି ଅଭୀଷ୍ଟ ହେବା ବିଧେୟ, ତେବେ ସେଠାରେ ସୃଷ୍ଟି ସୌନ୍ଦର୍ଯ୍ୟ ରହନ୍ତାନାହିଁ । କାମରୁ ପ୍ରେମ ସଂଗୃହୀତ ହେବା ବିଧେୟ ।” ଜୈନେନ୍ଦ୍ରଜୀ ଗୋଟିଏ ତୁଳନାମୂଳକ ଚିତ୍ର ଦେଇ ତାଙ୍କ କଥାର ବିଶେଷତ୍ୱ ପ୍ରତିପାଦନ କରିଛନ୍ତି । ବେଶ୍ୟାମାନେ ଖୁବ୍ ସଜେଇ ହୋଇ ବିଚିତ୍ରରଙ୍ଗର ଶାଢ଼ୀ, ସାୟା, ବ୍ଳାଉଜ ପିନ୍ଧି ନିଜକୁ ପରିଧେୟରେ ଆବୃତ୍ତ ରଖି ଦ୍ୱାରଦେଶରେ ଥାଇ ଆଗନ୍ତୁକମାନଙ୍କୁ ଆଖିର ଇସାରାରେ ଉପଭୋଗ ନିମନ୍ତେ ପ୍ରଲୁବ୍‌ଧ କରିଥାନ୍ତି । ଆରଣ୍ୟକ ପରଜା–ଗଣ୍ଡମାନେ ଲୁଗା ତ ପିନ୍ଧନ୍ତି ନାହିଁ, କଟିଦେଶରେ ଖଣ୍ଡେ ଖଣ୍ଡେ କନା ବା ପତ୍ର ବାନ୍ଧି ବୁଲନ୍ତି । ସେମାନଙ୍କର ଯେଉଁ ଅଂଶ ଆବୃତ୍ତ ହେବାର କଥା ସେଥିପାଇଁ କନା ବା ପତ୍ର ଆଦୌ ପର୍ଯ୍ୟାପ୍ତନୁହେଁ । ଏଇ ଦୁଇଚିତ୍ର ମଧ୍ୟରୁ ଅଶ୍ଳୀଳ କିଏ ? ପ୍ରଥମ ଚିତ୍ରଟି ନିଷ୍ଚୟ ଅଶାଳୀନ । ଏହା ଆତ୍ମିକ । ଅଙ୍ଗସଜ୍ଜାରେ ନୁହେଁ, ଯଦି ତାହା ଉନ୍ନତ ଚିନ୍ତା ଓ କଳ୍ପନା ସୃଷ୍ଟି କରିପାରେ । ତେଣୁ ଜୈନେନ୍ଦ୍ରଜୀ କହନ୍ତି—‘‘ ଆଧ୍ୟାତ୍ମକୁ ଛାଡ଼ିଦେଲେ ଅଧିକ ପବିତ୍ର ଓ ମହାନ ବିଷୟ ଯଦି କେହିଥାଏ, ତାହା ହେଉଛି ସେକ୍‌ସ ବା ପ୍ରେମ । ’

 

ଗଳ୍ପ ଉପନ୍ୟାସମାନଙ୍କରେ ଯାହା ଚିତ୍ରିତ ହୋଇଛି ତାହା ତାଙ୍କର ଅନୁଭୂତି ନା କଳ୍ପନା ଏ ବିଷୟରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏ ସମ୍ବନ୍ଧରେ ଜୈନେନ୍ଦ୍ରକୁମାରଙ୍କ ଉକ୍ତି ପ୍ରଣିଧାନର ବିଷୟ-। ଜୀବନର ଭୋକ୍ତା ଲେଖେ ନାହିଁ ଦ୍ରଷ୍ଟାଲେଖେ । ସୃଜନ ନିମନ୍ତେ ଭୋଗରୁ ନିବୃତ୍ତି ଆବଶ୍ୟକ । ନିବୃତ୍ତି ଅସ୍ୱୀକୃତ ନୁହେଁ । ଭୋଗରୁ ବିରତ ହେଲେ ଯାଇ ତାହା ସ୍ଵୀକୃତ ବା ନିବୃତ୍ତ ହୋଇଥାଏ । ଭୋଗର ଦ୍ରଷ୍ଟ ହେଲେ ତା’ର ବର୍ଣ୍ଣନା ବା ଚିତ୍ରଣ କରିବାର କ୍ଷମତା ମିଳିଥାଏ । ଦେଖିବା ପାଇଁ କିଛି ଦୂରତ୍ୱର ଆବଶ୍ୟକ ହୁଏ । ଭୋକ୍ତା ଓ ଭୋଗ ମଧ୍ୟରେ ଦୂରତ୍ୱ ନ ଥାଏ; ଏଣୁ ଭୋଗର ଅନୁଭବ ହିଁ ଭୋଗରେ ରହିଯାଏ, ତାହା ଅନୁଭୂତି ହୋଇପାରେନାହିଁ । ସୃଜନନିମନ୍ତେ ଅନୁଭୂତି ସାହାଯ୍ୟ କରିଥାଏ । ଅନୁଭୂତ ବ୍ୟଥା ବେଦନା ସ୍ମୃତିରେ ଅବସ୍ଥାନ କରି ସହାନୁଭୂତିରେ ରୂପାନ୍ତରିତ ହୋଇଥାଏ । ତାହାହିଁ ତାଙ୍କ ସାହିତ୍ୟରେ ରୂପାୟିତ ହୋଇଛି । ଅନୁଭୂତି ସାହିତ୍ୟରେ ସମ୍ବାଦ ଚିତ୍ର ନ ହୋଇ ରସ ସୃଷ୍ଟି ବା ଶିଳ୍ପକଳାରେ ରୂପାନ୍ତରିତ ହୋଇଛି । ସେ ନିଜେ ନିଜଲେଖା ବିଷୟରେ କହିଛନ୍ତି–ମୋ’ର ପ୍ରଥମ ଉପନ୍ୟାସ ‘ପରଖ’, ଏଥିରେ ମୋ’ ଅନୁଭୂତିର ସ୍ପଷ୍ଟଚିତ୍ର ବିଦ୍ୟମାନ । ଦ୍ଵିତୀୟ ଉପନ୍ୟାସ ‘ସୁନୀତା’ । ଏଥିରେ କଥାରମ୍ଭ ଆତ୍ମାନୁଭୂତିମୂଳକ ନ ହେଲେ ମଧ୍ୟ ପ୍ରତ୍ୟକ୍ଷ ଘଟଣାରେ ଏହା ଆଧାରିତ । ‘ତ୍ୟାଗପତ୍ର’ ଉପନ୍ୟାସ କିନ୍ତୁ ବିଶୁଦ୍ଧ କଳ୍ପନା ପ୍ରସୂତ । କ୍ଷୁଦ୍ର କ୍ଷୁଦ୍ର ଅନୁଭୂତିର ଚିତ୍ର ସେ ଯନ୍ତ୍ରତନ୍ତ୍ର ସ୍ଥାନ ନ ପାଇଛି ତାହା ନୁହେଁ । ମୁଁ ଅଳ୍ପ ଲେଖିଛି । ସତ କହିବାକୁଗଲେ ମୁଁ ଉପନ୍ୟାସ ସମ୍ବନ୍ଧରେ କିଛି ଜଣେନାହିଁ । ହୁଏତ ମେ’ ଉପନ୍ୟାସ ଉପନ୍ୟାସ ନୁହେଁ ମନଗଢ଼ା କେତେ ଗୋଟି ଲେଖାକୁ ଦୟାକରି ଉପନ୍ୟାସ ଶ୍ରେଣୀଭୁକ୍ତ କରା ଯାଇପାରେ । (ମୈନେ ଲିଖା ଥୋଡ଼ା ହୈ ଔର ସଚ ୟହ କୀ ଉପନ୍ୟାସକେ ସମ୍ବନ୍ଧମେ କଭୀ କୁଛ ଜାନା ନହୀଁ ହୈ । ହୋ ସକତା ହୈ କୀ ଉପନ୍ୟାସ ମେରେ ଉପନ୍ୟାସ ହୋ ହୀ ନହୀଁ । ମନଗଢ଼ନ୍ତ ଏସୀ ରଚନାଏଁ ହୋଁ ଜିନକୋ ଉପନ୍ୟାସକୀ ଶ୍ରେଣୀମେ କୃପାପୂର୍ବକ ହୀ ସମ୍ମିଳିତ କିୟା ଜା ସକତା ହୈ,) ଏହା କିନ୍ତୁ ଜୈନେନ୍ଦ୍ରଙ୍କ ପୂର୍ବସୂରୀମାନଙ୍କ ପଦାଙ୍କ ଅନୁସରଣରେ ବିନୟ ପ୍ରକାଶ । ସେ ରଚନା କ୍ଷେତ୍ରରେ ଅନୁଭୂତି ଉପରେ ନିର୍ଭରଶୀଳ ନୁହନ୍ତି । ବରଂ ତତ୍ତ୍ଵାଶ୍ରିତ ଅନୁମାନ ବାଦ ହେଉଛି ଜୈନେନ୍ଦ୍ରଜୀଙ୍କ ଲେଖନୀର ମୂଳଭିତ୍ତି ।

 

ବିଂଶ ଶତାବ୍ଦୀର ଅଷ୍ଟମ ଦଶକର ଆଦ୍ୟପାଦରେ ଜାରି ହୋଇଥିବା ଜରୁରି ପରିସ୍ଥିତି ବା ଇମର୍ଜେନ୍‌ସୀ କାଳରେ ଜୈନେନ୍ଦ୍ରକୁମାର ମଧ୍ୟ ରାଜନୀତି ସହିତ ବିଜେଡ଼ିତ ହୋଇଥିଲେ । ଜୟ ପ୍ରକାଶ ଆନ୍ଦୋଳନରେ ଭାଗନେବା ପୂର୍ବରୁ ଆଚାର୍ଯ୍ୟ କୃପଳାନୀ, ଭୀମସେନ ସାଚାର ଓ ଜୈନେନ୍ଦ୍ର କୁମାର ସ୍ମାରକ ପତ୍ର ନେଇ ଇନ୍ଦିରାଜୀଙ୍କୁ ଦେଇଥିଲେ । ନିର୍ମାଣ ସମିତି ଓ ସଂଗ୍ରାମ ସମିତିର ଅୟମାରମ୍ଭ ଜୈନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ସେହି ସମୟରେ ସନ୍ଥ ବିନୋବା’ ଆଚାର୍ଯ୍ୟ ସମ୍ମିଳନୀ ଆହ୍ୱାନ କଲେ । ଜୈନେନ୍ଦ୍ର କୁମାର ଆଚାର୍ଯ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ଯିବା ପୂର୍ବରୁ ଇନ୍ଦିରା ଗାନ୍ଧିଙ୍କ ସହିତ ସାକ୍ଷାତ କରି କହିଥିଲେ ଯେ ‘ସଭାର କାର୍ଯ୍ୟକାରୀ ଶକ୍ତିକୁ ଆପଣ ସବୁ କିଛି ବୋଲି ଧରି ନିଅନ୍ତୁ ନାହିଁ । ଦମନ ଓ ଦଣ୍ଡନୀତି ଉତ୍ତରରେ ଜନତା କ’ଣ ଆପଣଙ୍କୁ ଶ୍ରଦ୍ଧା କରିବେ ?” ରାଲିରେ ଦିଆଯାଉଥିବା ଧ୍ଵନି ଓ ନେତାମାନଙ୍କର ବ୍ୟବହାର ଜୈନେନ୍ଦ୍ରଙ୍କୁ ରୁଚିଲା ନାହିଁ । ତେଣୁ ସେ ସଂଘର୍ଷ ସମିତିର ଦାୟିତ୍ୱ ଆଚାର୍ଯ୍ୟ କୃପଳାନୀଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ କଲେ । ନିର୍ମାଣ ସମିତିର ଦାୟିତ୍ୱ ସମ୍ଭାଳିବା ନିମନ୍ତେ ସ୍ୱୀକୃତି ଦେଇଥିଲେ । ସେ ଲେଖିଛନ୍ତି ଯେ, ଲେଖକ ଜୈନେନ୍ଦ୍ର କୁମାର ଇମର୍ଜେନ୍‌ସି ବିଷୟରେ ଇନ୍ଦିରାଙ୍କ ସହିତ ଘୋର ଅସହମତ ହୋଇଥିଲେ ମଧ୍ୟ ତାଙ୍କର ଜଣେ ଗୁଣମୁଗ୍‌ଧ ପ୍ରଶଂସକ ।

 

ବର୍ତ୍ତମାନ ଗାନ୍ଧିଜୀଙ୍କ ଅନୁଗାମୀ ଭାରତରେ ଯେତେ ଅଛନ୍ତି, ଜୈନେନ୍ଦ୍ର କୁମାର ସେମାନଙ୍କ ମଧ୍ୟରୁ ଜଣେ । ସେ ଗାନ୍ଧିଜୀଙ୍କ କର୍ମପନ୍ଥାରେ ଏକାତ୍ମ ହୋଇଯାଇଥିଲେ । ତେଣୁ ଆନ୍ଦୋଳନଠାରୁ ଆରମ୍ଭ କରି ରଚନାତ୍ମକ କାର୍ଯ୍ୟରେ । ନିଜକୁ ଓତଃପ୍ରୋତ କରି ଦେଇଥିଲେ । ଜୈନେନ୍ଦ୍ରଙ୍କ ଆତ୍ମଜୀବନୀ “ମେରେ ଭଟକାବ” ରେ ଗାନ୍ଧିଜୀ ଙ୍କ ବିଷୟରେ ବହୁ ମୂଲ୍ୟବାନ ବିଷୟ ଉତ୍‌ଥାପନ କରିଛନ୍ତି । ସେ ଲେଖିଛନ୍ତି–ଗାନ୍ଧିଜୀ କାହାରିକୁ ନିଜ ମତର ଅନ୍ଧାନୁଗ ହେବାକୁ ବାଧ୍ୟ କରନ୍ତି ନାହିଁ । ପ୍ରତ୍ୟେକ ମାନବର ସ୍ୱତନ୍ତ୍ର ବ୍ୟକ୍ତି ସତ୍ତାକୁ ସେ ସମ୍ମାନ ଦିଅନ୍ତି । ପ୍ରତ୍ୟେକର କର୍ମପନ୍ଥା ସ୍ୱତନ୍ତ୍ର ବୋଲି ସେ ଜାଣନ୍ତି । ତାଙ୍କ ଅନୁସୃତ କର୍ମପନ୍ଥାର ବିଶେଷ କୁ ଯେଉଁମାନେ ଅନୁଭବ କରନ୍ତି, ସେମାନେ ତାକୁ ନିଜର କରନ୍ତି । ନିଜ ଚିନ୍ତାଧାରା ଅନୁସାରେ ତାକୁ ରୂପାୟିତ କରିବାର ସ୍ୱାଧୀନତାକୁ ସେ ସମ୍ମାନ ଦିଅନ୍ତି । ଏହା ହିଁ ଶୁଦ୍ଧ ନେତୃତ୍ୱ । ଥରେ ଜୈନେନ୍ଦ୍ର ଜୀ ଗାନ୍ଧିଜୀଙ୍କୁ କହିଲେ—‘‘ବାପୁଜୀ, ଆପଣଙ୍କ ପ୍ରତି ମୋ‘ର ଭାରି ଭୟ ।’’ ଗାନ୍ଧିଜୀ ତା’ର ଉତ୍ତରରେ କହିଲେ—‘‘ତଭୀ ତୋ ମେଁ ବଚାହୁଆ ହୁଁ ।” ଅର୍ଥାତ୍—‘‘ସେଇଥି ପାଇଁ ତ ମୁଁ ବଞ୍ଚି ଯାଇଛି ।’’ ଅର୍ଥାତ୍ ଭୟର ମଧ୍ୟ ଗୋଟିଏ ରଚନାତ୍ମକ ଉପଯୋଗ ରହିଛି ।

 

ନବ ଲେଖନ ସମ୍ଵନ୍ଧରେ ତାଙ୍କର ମତାମତ ଉଲ୍ଲେଖଯୋଗ୍ୟ । ସେ ଯେତେବେଳେ ଲେଖିବାକୁ ଆରମ୍ଭ କଲେ, ସେତେବେଳେ ଲେଖକ ଥିଲେ ଅଙ୍ଗୁଳିମେୟ । ପ୍ରତିଦ୍ୱନ୍ଦିତା ନ ଥିଲା କି ସାହିତ୍ୟିକ ଗୋଷ୍ଠୀ ଗଠନ ପ୍ରଥା ନଥିଲା । ତାଙ୍କର ଜ୍ଞାନ ପରିପକ୍ୱ ନ ହୋଇଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ର ସମ୍ମୁଖୀନ ହେଉ ନଥିଲେ ଏବଂ ଲେଖା ସମ୍ବନ୍ଧରେ ମଧ୍ୟ ନିଶ୍ଚିନ୍ତ ଥିଲେ । ସେତେବେଳେ ଲେଖକ ର ମୂଲ୍ୟ ଅଧିକ ଥିଲା । ତେଣୁ ଲେଖକର ଲକ୍ଷ୍ୟ ଆଦର୍ଶୋପାସନା ପ୍ରତି ଅଧିକ ଥିଲା । ଫଳରେ ସେ ସଂସ୍କାରବାଦୀ ହୋଇଯାଉଥିଲେ । କ୍ରମେ କ୍ରମେ ପରିବର୍ତ୍ତନ ହେଲା; ଲେଖକକୁ ସାମାଜିକ ମାନ୍ୟତା କମ୍ ମିଳିଲା । ପ୍ରଥମେ ଲେଖକ ସାମାଜିକ ପ୍ରଥା ବା ଧାରଣାର ପୁଷ୍ଟି ସାଧନ କରୁଥିଲା, ବଦଳରେ ସାମାଜିକ ସ୍ୱୀକୃତି ପାଉଥିଲା । ଅର୍ଥାତ୍‌ ଲେଖକ ନିଜ ସାହିତ୍ୟକୃତି ଜରିଆରେ ଲୋକ ପ୍ରତିଷ୍ଠା ଲଭିବାକୁ ଚାହୁଁଥିଲା । ଆଜି କିନ୍ତୁ ନିବେଦିତ ପ୍ରତିଭା ନିକଟରେ ସମସ୍ୟା ଅଧିକ । ସାହିତ୍ୟାଲୋଚନା ଅଧିକା ହେଉଛି । ନାନା ବିଚାରଧାରା ତାକୁ ଅନିଶ୍ଚୟ ତା ମଧ୍ୟରେ ବନ୍ଦୀ କରିବାର ସମ୍ଭାବନା ଅଧିକ । ଏଣୁ ଆଜିର ଲେଖକ ତାଙ୍କ ସମୟର ଲେଖକ ତୁଳନାରେ ଅଧିକ ଜ୍ଞାନ ଓ କୁଶଳତା ସମନ୍ୱିତ ।

 

ଆଜିର ଲେଖା ଅସ୍ପଷ୍ଟ ଓ ଆୟାସସାଧ୍ୟ । ନିପୁଣତା ଅତିସୂକ୍ଷ୍ମ ଓ ତୀବ୍ର ହୋଇଛି । ଶିଳ୍ପ ଦୃଷ୍ଟିରୁ ନବଲେଖକ ପୂର୍ବ ପରମ୍ପରାଠାରୁ ଖୁବ୍ ଅଗ୍ରଗାମୀ । ସମୟେ ସମୟେ ତାହା ଉନ୍ନତ, ସୁନ୍ଦର,କୁଶଳ,ସାହସିକ ଓ ସୂକ୍ଷ୍ମ କିନ୍ତୁ କଥ୍ୟ କ’ଣ ସେମାନଙ୍କର ଖୁବ୍ ମୂଲ୍ୟବାନ ଓ ଧ୍ୟେୟପରକ ହୋଇପାରୁଛି ? ଆଦର୍ଶ ତ ଯଥାର୍ଥତା ରେ ତିରୋହିତ ହୋଇଛି । ଅବଶ୍ୟ ଏଥିପାଇଁ କ୍ଷୁବ୍‌ଧ ହେବାର କିଛି ନାହିଁ । ଆଜି ନବଲେଖନୀରୁ ଯାହା ସାହିତ୍ୟ ମିଳୁଛି, ଭିତର ସ୍ତରକୁ ବହୁତ ଖୋଲି ଦେଖାଇପାରୁଛି, ନାନା ଭାବରେ ଜ୍ଞାନ ଦାନ କରୁଛି ଓ ଆଖି ଖୋଲି ଦେଉଛି; କିନ୍ତୁ ନିଜକୁ ନିଜତ୍ଵର ଊର୍ଦ୍ଧ୍ଵ କୁ ନେବାକୁ, ବା ଆତ୍ମୋନ୍ନତିର ଅନୁଭୂତି ଦେବାକୁ ଭୁଲି ଯାଉଛି । ମୂଲ୍ୟ ନିଷ୍ଠା ଆଜି ଶତଧା ଭାଙ୍ଗିଯାଉଛି । ତେବେ ସେ ସ୍ଥାନରେ ନୂତନ ମୂଲ୍ୟାୟନ ସ୍ଥାନ ପାଇବା ଉଚିତ୍ ବା ତା’ର ସଂଶୋଧନ ହେବା ବିଧେୟ, କିନ୍ତୁ ତାହା ନ ହୋଇ ନ’କାର ବା ନିଷେଧ ଭାବ ଜାତ ହେଉଛି; ଏଣୁ ରଚନା ଗଠନମୂଳକ ବା ରଚନାତ୍ମକ ନ ହୋଇ ସମୀକ୍ଷାତ୍ମକ ହୋଇ ରହିଯାଉଛି । ଅବଶ୍ୟ ନବଲେଖନ ପସରାରେ ସେ ସବୁ ଜିନିଷ ସମାନ ଏହା ନୁହେଁ । ମୂଲ୍ୟବାନ ବା ମହତ୍ୱପୂର୍ଣ୍ଣ ଲେଖା ମଧ୍ୟ ବହୁତ ଅଛି । ଏବେ ନବଲେଖର ବହୁ ସମସ୍ୟା, ସେମାନଙ୍କ ସଂଖ୍ୟା ଅଧିକ, ପ୍ରତିଯୋଗୀତା ଓ ପ୍ରତିଦ୍ୱନ୍ଦିତା ବହୁତ । ବଜାର ପାଇବା ପାଇଁ ଦ୍ୱନ୍ଦ ଲାଗି ରହିଛି । ଲେଖକର ନୂଆ ପୁରୁଣା କିଛି ନାହିଁ ବା ନୂଆ ପୁରୁଣାର ସମୀକରଣ ଭଲ-ଖରାପ ଦେଇ କରି ହୁଏନାହିଁ । ସାମ୍ପ୍ରତିକ ତା ସାହିତ୍ୟର କଷଟୀ ନୁହେଁ ।

 

ଜୈନେନ୍ଦ୍ରଙ୍କର ସ୍ୱତନ୍ତ୍ର ପ୍ରକାଶନସଂସ୍ଥା ଦିଲ୍ଲୀରେ ଅବସ୍ଥିତ । ‘ପୂର୍ବୋଦୟ’ ପ୍ରକାଶନ ସଂସ୍ଥା ତାଙ୍କର ପୁସ୍ତକ ମାନଙ୍କୁ ପ୍ରକାଶ କରିଥାଏ । ଏବେ ମଧ୍ୟ ଜୈନେନ୍ଦ୍ରଙ୍କ ଙ୍କ ଲେଖନୀ ମୁଖର ।

Image

 

Unknown

ଯୌବନସବୁଜ ଯଶପାଲ

 

“ସ୍ୱାସ୍ଥ୍ୟ ବିଶେଷ ଅବନତ ହୋଇଯାଇଛି, ହେଲେ ଶାରୀରିକ କ୍ଳାନ୍ତି ହେତୁ ମୋ’ ଚେତନା ଓ ସଙ୍କଳ୍ପ, ସାମୂହିକ ଅନୁଭୂତି ଏବଂ ଦାୟିତ୍ଵରୁ ବିରତ ହେବାକୁ ଚାହେନାହିଁ, ଏଣୁ ମୋ’ର କଥାଯାତ୍ରା ଏବେ ମଧ୍ୟ ସମାପ୍ତ ହୋଇନାହିଁ ।” ତ୍ରିସପ୍ତତିତମ ବୟସରେ ରୋଗ ଶଯ୍ୟାରେ ଯାହାଙ୍କ ପ୍ରାଣ ପ୍ରବାହରେ ଯୌବନଦୀପ୍ତ ଉଷ୍ମା ବିଦ୍ୟମାନ ଥିଲା, ସେହି ମହାନ ପ୍ରତିଭାଧର ଔପନ୍ୟାସିକ ଯଶପାଲଙ୍କ ଜୀବନ ଯେପରି ଲୋମହର୍ଷଣମୟ ବୈଚିତ୍ର୍ୟରେ ପରିପୂର୍ଣ୍ଣ, ସେହିପରି ତାଙ୍କ ଲେଖା ଅତ୍ୟନ୍ନତ ଓ ବହୁ ରଙ୍ଗରେ ବିଭାଷିତ ।

 

ଯଶପାଲ ୧୯୦୩ ମସିହା ଡିସେମ୍ବର ୩ ତାରିଖ ଦିନ କାଙ୍ଗଡ଼ି ଫିରୋଜପୁର ଠାରେ ଭୂମିଷ୍ଠ ହୋଇଥିଲେ । ବାଲ୍ୟ ବୟସରୁ ସେ ଥିଲେ ପିତୃହୀନ । ଘରେ ଆର୍ଥିକ ସ୍ଥିତି ସଂପନ୍ନ ନଥିଲା-। ବୈଦିକ ରୀତିରେ ତାଙ୍କର ଶିକ୍ଷା ସମ୍ପନ୍ନକରିବା ନିମନ୍ତେ କାଙ୍ଗଡ଼ି ଗୁରୁକୁଳ ବିଦ୍ୟାଳୟରେ ତାଙ୍କୁ ପ୍ରବେଶ କରାଯାଇଥିଲା । ଡି. ଏ. ଭି. ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସେ ଲାହୋର ନ୍ୟାସନାଲ କଲେଜରେ ପଢ଼ିଲେ । ସେ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ-

 

ଅସହଯୋଗ ଡାକରା ଆସିଲା, ସ୍କୁଲ କଲେଜ ତ୍ୟାଗ କରି ଛାତ୍ରମାନେ ଆନ୍ଦୋଳନରେ ଯୋଗଦେଲେ । ଯଶପାଲ ସେତେବେଳେ କଂଗ୍ରେସ ଅନୁଷ୍ଠାନର ସ୍ୱେଚ୍ଛାସେବକ । ଲାହୋର ନ୍ୟାସନାଲ କଲେଜରେ ଅଧ୍ୟୟନ କରୁଥିବା ସମୟରେ ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ର ସଭାରେ ସଂଯୁକ୍ତ ଚନ୍ଦ୍ରଶେଖର ‘ଆଜାଦ’ ଭଗବତୀ ଚରଣ, ସୁଖଦେବ ପ୍ରଭୃତିଙ୍କ ସହିତ ପରିଚିତ ହୋଇଥିଲେ । ଦିନେ ସନ୍ଧ୍ୟା ବେଳେ ରାବୀ ନଦୀରେ ନୌକା ଚଳାଉ ଚଳାଉ ଯଶପାଲ ଭଗତ ସିଂ ଅସ୍ତାୟମାନ ସୂର୍ଯ୍ୟଙ୍କ ରକ୍ତିମ କିରଣରେ ଅଭିମନ୍ତ୍ରିତ ହୋଇ ସେମାନଙ୍କ ଜୀବନ ଦେଶପାଇଁ ଉତ୍ସର୍ଗ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।

 

୧୯୨୬ ରେ କଲେଜ ଅଧ୍ୟାପନାରୁ ବହିଷ୍କୃତ ହୋଇ ବେକାର ଭାବରେ ଯେପରି ମାନସିକ ଦ୍ଵନ୍ଦ୍ଵ ମଧ୍ୟରେ ଗତି କରିଥିଲେ ଯଶପାଲଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଝୁଟାସଚ’ ଉପନ୍ୟାସର ଜୟଦେବ ସୁରୀଙ୍କଠାରେ ସେହି ଅଭିଜ୍ଞତା ରୂପାୟିତ ହୋଇଛି ।

 

ସାହିତ୍ୟିକ ଜୀବନର ଅୟମାରମ୍ଭ ହୋଇଥିଲା କାଙ୍ଗଡ଼ି ଗୁରୁକୁଳରୁ । ଅଧ୍ୟୟନ ସାଙ୍ଗକୁ ମୌଳିକ ପ୍ରତିଭାର ଉନ୍ମେଷ ନିମିତ୍ତ କଲେଜ ସ୍ତରରେ ପତ୍ରିକା ପ୍ରକାଶ କରାଯାଉଥାଏ । ସ୍କୁଲ ପିଲାମାନେ ତଦନୁକରଣରେ ହାତଲେଖା ପତ୍ରିକା ପ୍ରକାଶ କରିବା ପାଇଁ ଆୟୋଜନ କଲେ । ପତ୍ରିକାର ନାମକରଣ ହେଲା ‘ହଂସ’ । ପତ୍ରିକାରେ କାହାଣୀ ନିମନ୍ତେ ଯାହା ଉପରେ ଦାୟିତ୍ଵ ନ୍ୟସ୍ତହେଲା, ସେ ଥିଲେ ଧନିକ ସନ୍ତାନ । ସ୍କୁଲ ପାଠ୍ୟକୁ ଛାଡ଼ି ଅନ୍ୟାନ୍ୟ ପୁସ୍ତକ ପଢ଼ିବାକୁ ତାଙ୍କର ବିଶେଷ ଆଗ୍ରହ ଥିଲା । ତେଣୁ ତାଙ୍କ ବାପା ତାଙ୍କୁ ବିଭିନ୍ନ ପୁସ୍ତକ କ୍ରୟକରି ପଢ଼ିବାକୁ ଦେଉଥିଲେ । ଯଶପାଲଙ୍କର ବାଲ୍ୟକାଳରୁ ପଠନ ଥିଲା ଏକ ପ୍ରକାର ନିଶା । ସେଥି ନିମନ୍ତେ ତାଙ୍କୁ ବହୁବାର ପ୍ରହାର ସହ୍ୟକରିବା ପାଇଁ ପଡ଼ିଛି । ସହପାଠୀ ସେହି ଧନିକ ସନ୍ତାନଠାରୁ ବହି ଆଣି ସେ ପଢ଼ନ୍ତି । ପତ୍ରିକାରେ ପ୍ରକାଶ ପାଇଁ ସାଙ୍ଗଜଣକ କୌଣସି ବହିରୁ ବିଷୟଟିଏ ଉତାରିନେଇ ସେ ବହି ଯଶପାଲଙ୍କୁ ପଢ଼ିବାକୁ ନ ଦେବାରୁ ତାଙ୍କୁ ବାଧିଲା । ସେ ଗୋଟିଏ ଗପ ନିଜେ ନିଜେ ଲେଖିବାକୁ ଅଣ୍ଟାଭିଡ଼ି ବାହାରିଲେ । ତାହା ହିଁ ପ୍ରଥମ ଗଳ୍ପ । ସେ ଗଳ୍ପର ନାମ “ଆଙ୍ଗୁଠି ।” ସେହି ଗଳ୍ପଟି ଗୁରୁଜନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଓ ଉଚ୍ଚପ୍ରଶଂସା ମଧ୍ୟ ପାଇଥିଲା । ଯଶପାଲଙ୍କଠାରେ ଥିବା ସାହିତ୍ୟରଚନା ଶକ୍ତି-ବୀଜର ଅଙ୍କୁରୋଦ୍‍ଗମ ଏହି ଭାବରେ ହୋଇଥିଲା ।

 

କଲେଜରେ ପଢ଼ୁଥିବା ସମୟରେ ସେ ‘ପ୍ରତାପ’ ଓ ‘ପ୍ରଭା’ରେ ଲେଖୁଥିଲେ । ସେତେବେଳେ ‘ପ୍ରତାପ’ ଥିଲା ସାପ୍ତାହିକ, ତା’ର ସମ୍ପାଦକ ଥିଲେ ସ୍ୱର୍ଗୀୟ ଗଣେଶଙ୍କର ବିଦ୍ୟାର୍ଥ, ଓ ‘ପ୍ରଭା’ ମାସିକପତ୍ର, ତା’ର ସମ୍ପାଦକଥିଲେ ବାଳକୃଷ୍ଣ ଶର୍ମ୍ମା ‘ନବୀନ’ । ସେହି ପତ୍ରିକା ଦ୍ୱୟର ମାନଦଣ୍ଡ ସେତେବେଳେ ଖୁବ୍ ଉନ୍ନତ ଥିଲା । ଅମନୋନୀତ ଲେଖାମାନଙ୍କର ବିବରଣୀ ପତ୍ରିକା ପଛ ପୃଷ୍ଠାରେ ସ୍ଥାନ ପାଉଥିଲା । ଯେତେବେଳେ ଯଶପାଲ ପ୍ରଥମେ ଉପର୍ଯ୍ୟୁକ୍ତ ପତ୍ରିକାକୁ ଲେଖା ପଠାଇଲେ, ଲେଖା ସହିତ ଉପଯୁକ୍ତ ଡାକଟିକେଟ ମଧ୍ୟ ପଠାଇଥିଲେ; କାରଣ ତାହା ଯଦି ଅମନୋନୀତ ହୁଏ, ତେବେ ଫେରିଆସିବ । ପତ୍ରିକା ବାହାରିବା ମାତ୍ରେ ସେ ତା’ର ପଛପୃଷ୍ଠା ଖୋଲି ନିଜଲେଖାର ବିବରଣୀ ଅଛି କି ନାହିଁ ଦେଖୁଥିଲେ । ମାତ୍ର ସେପରି ହେବାର ନୁହେ । ତାଙ୍କ ଲେଖାର ମୂଲ୍ୟ ସମ୍ପାଦକ ବୁଝୁଥିଲେ, ପ୍ରକାଶ କରୁଥିଲେ । ଫଳରେ ତାଙ୍କର ସୃଷ୍ଟିଶୀଳ ପ୍ରତିଭା ଅଧିକ ଉତ୍ସାହୀ ହୋଇଉଠିଲା । ବୃହତ୍ତର ସାହିତ୍ୟମାନସର ଅଙ୍କୁରୋଦ୍‍ଗମ ‘ହଂସ’ରେ ହୋଇଥିଲା, ମାତ୍ର ପ୍ରତାପ ଓ ପ୍ରଭା ସେହି ମହା ମହୀରୁହର ଚାରାକୁ ଉପଯୁକ୍ତ ପାଣି, ପବନ, ଆଲୋକ ଓ କ୍ଷେତ୍ର ଯୋଗାଇ ପତ୍ରପୁଷ୍ପ ଦ୍ଵାରା ବହୁରଙ୍ଗ ବିଭାରେ ପରିଣତ କରିଥିଲା ।

 

ହିନ୍ଦୁସ୍ଥାନ ସମାଜବାଦୀ ପ୍ରଜାତନ୍ତ୍ର ସଙ୍ଘରେ ଯଶପାଲ ଜଣେ ନେତୃସ୍ଥାନୀୟ କ୍ରାନ୍ତିକାରୀ ଭାବରେ ଅସନ ଦୃଢ଼ କରିପାରିଥିଲେ । ଅମିତ ପ୍ରାଣ ଶକ୍ତି, ଅପୂର୍ବ ସାହସ, ଉପସ୍ଥିତ ଶାଣିତ ବୃଦ୍ଧି ବଳରେ ଲାହୋର ଷଡ଼ଯନ୍ତ୍ର ବଡ଼ଲାଟଙ୍କ ସ୍ଵତନ୍ତ୍ର ରେଳଗାଡ଼ି ତଳେ ବୋମା ବିସ୍ଫୋରଣ ଓ କାନପୁରରେ ନରହତ୍ୟା କରିପାରିଥିଲେ । ଏହି ନରହତ୍ୟା ଅବଶ୍ୟ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ । ଆତ୍ମରକ୍ଷା କଲେ ଚାଲିଚଳନା କରିବାରୁ ଯଶପାଲ ପ୍ରଭୃତିଙ୍କୁ ଧରିବାକୁ ଚେଷ୍ଟା କରୁଥିବା ଦୁଇଜଣ ଲୋକ ଶମନପୁରର ଯାତ୍ରୀ ହେଲେ । କ୍ରାନ୍ତିକାରୀ ବା ଇତିହାସବର୍ଣ୍ଣିତ ସନ୍ତ୍ରାସବାଦୀମାନେ ନରହତ୍ୟାକୁ ଦୋଷଭାବରେ ଗ୍ରହଣ କରୁ ନ ଥିଲେ । ଅବଶ୍ୟ ସାଧାରଣ ଲୋକ ନୁହନ୍ତି, ରାଜଶକ୍ତିକୁ ଯେଉଁମାନେ ସାହାଯ୍ୟ କରୁଥିଲେ, ସେମାନଙ୍କ ଦୃଷ୍ଟିରେ ସେମାନେ ଦୋଷୀ । ଦଳର ଅର୍ଥାଭାବ ହେଲେ ସେମାନେ (ବିପ୍ଳବିମାନେ) ଧନ କାର୍ଯ୍ୟ ବା ମନି ଆକ୍‌ସନ ନାମରେ ଡକାୟତି ଓ ନରହତ୍ୟା କରି ପକାଉଥିଲେ । ଥରେ ମନି ଆକ୍‌ସନରେ ଯାଇ ଜଣେ ଶେଠର ପ୍ରତିରୋଧର ମୁକାବିଲା କରିବାକୁ ଗୋଟିଏ ବ୍ରହ୍ମଚାପୋଡ଼ ମାରି ଚନ୍ଦ୍ରଶେଖର ‘ଅଜାଦ’ ଲୋକଟିକୁ ମାରି ଦେଇଥିଲେ ।

 

କ୍ରାନ୍ତିଦଳର ଉଦ୍ଦେଶ୍ୟ ବିଦେଶ ସରକାର ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ । ଆଗ୍ନେୟ ଅସ୍ତ୍ର କ୍ରୟକରିବା ଆଇନ ବିରୁଦ୍ଧ, ପୁଣି ସେଥିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ । ଏହି ବିପ୍ଲବର ଅୟମାରମ୍ଭ ହିଁ ଆଇନ ଶୃଙ୍ଖଳା ବିରୋଧୀ । ଫଳରେ ବହୁ କ୍ଷେତ୍ରରେ ଆଇନ ବିରୋଧୀ କାର୍ଯ୍ୟକରି ସେମାନେ ଫେରାର ହେଉଥଲେ । ସମୟେ ସମୟେ ପୋଲିସମାନଙ୍କ ସହିତ ଯୁଦ୍ଧ କରୁ କରୁ ସହୀଦ ହେଉଥିଲେ । ଭଗବତୀ ଚରଣ ଓ ଚନ୍ଦ୍ରଶେଖର ପୋଲିସ ସହିତ ଯୁଦ୍ଧ କରୁ କରୁ ସହୀଦ ହୋଇଛନ୍ତି ।

 

ଯଶପାଲ ବୋମା ତିଆର କରୁଥିଲେ । ବୋମାରେ ବ୍ୟବହୃତ ହେଉଥିବା ବିସ୍ଫୋରକ ପଦାର୍ଥମାନଙ୍କ ମଧ୍ୟରୁ ପିତ୍ରିକ ଏସିଡ଼ ଗୋଟିଏ । ତାହା କେତେ ଗୁଡ଼ିଏ ଏସିଡ଼ ବା ତେଜାବୀ ମିଶ୍ରଣରେ ତିଆରି । ଏହି ବିଷାକ୍ତ ଦ୍ରବ୍ୟ ତିଆରି କରିବାଫଳରେ ତେଜାବୀ ଧୂଆଁରେ ତାଙ୍କ ଫୁସଫୁସ ଦୁର୍ବଳ ହୋଇପଡ଼ିଥଲା । ପିତ୍ରିକ୍ ଏସିଡ଼ ଧୋଇଲାବେଳେ ହାତର ଚମଡ଼ା ଉପରେ ପ୍ରତିକ୍ରିୟା ସୃଷ୍ଟି କରି ହଳଦିଆ କରିଦିଏ । ଥରେ ପୋଲିସ ହାବୁଡ଼ରେ ପଡ଼ି ଗାଉଁଲୀ ଗମାର ଓ ମାଇଚିଆ ଅଭିନୟ କଲେ । କହିଲେ—“ହଜୁର, ଭାଉଜ ମେଞ୍ଜୁଆତି ବଟାଇଲା, ମୁଁ ବି ଟିକେ ଲଗାଇ ପକାଇଛି, ଏଣୁ ହାତ ଲାଲ ହୋଇଛି ।” କିପରି ନିଜର ଜାଜ୍ଵଲ୍ୟମାନ ବୁଦ୍ଧିଦୀପ୍ତ ପ୍ରତିଭା ନିଆଁକୁ ସେ ଭସ୍ମାବୃତ କରୁଥିଲେ ତାହା ଅନୁମାନ କରିହୁଏ ନାହିଁ ।

 

କ୍ରାନ୍ତିଦଳରେ ଥିବା ସମୟରେ ତାଙ୍କର ପ୍ରକାଶବତୀଙ୍କ ସହିତ ପରିଚୟ ହେଲା ତାଙ୍କ ଜୀବନରେ ସେ ପ୍ରେରଣା ଦାତ୍ରୀ, ସହକର୍ମିଣୀ ହୋଇଥିଲେ । ପ୍ରକାଶବତୀଙ୍କ ଅଭାବରେ ଯଶପାଲ ଲେଖିବାକୁ ସୁଯୋଗ ପାଇଥାନ୍ତେ କିପରି ? ଲେଖିବା ପାଇଁ ତାଙ୍କୁ ସୁଯୋଗ ଦେଇ ପ୍ରକାଶବତୀ ସାଂସାରିକ ସମସ୍ତ ଜଞ୍ଜାଳ ମୁଣ୍ଡେଇ ନେଇଥିଲେ । ଯେତେବେଳେ ଯଶପାଲ ୧୯୩୨ ଜାନୁଆରୀ ୨୩ ତାରିଖରେ ବନ୍ଦୀ ହେଲେ, ସେତେବେଳେ କ୍ରାନ୍ତି କାର୍ଯ୍ୟ ପାଇଁ ପ୍ରକାଶବତୀ ଲାଗି ପଡ଼ିଥିଲେ । ତତ୍ପରେ ସେ କରାଚିରେ ଦନ୍ତ ଚିକିତ୍ସା ବିଦ୍ୟା ଅଧ୍ୟୟନ କଲେ । ୧୯୩୬ ରେ ଜେଲରେ ଥାଇ ଯଶପାଲ ପ୍ରକାଶବତୀଙ୍କୁ ବିବାହ କଲେ । ୧୯୩୮ ସାଲ ମାର୍ଚ୍ଚ ଦୁଇ ତାରିଖ ଦିନ ଉତ୍ତର ପ୍ରଦେଶ ମନ୍ତ୍ରୀ ରଫି ଅହମ୍ମଦ କିଦୱାଇଙ୍କ ପ୍ରଚେଷ୍ଟାରେ ମୁକ୍ତି ପାଇଲେ । ଲକ୍ଷ୍ନୌରେ ରହି ‘ବିପ୍ଳବ’ ମାସିକ ପତ୍ର ପ୍ରକାଶନ ପାଇଁ ବ୍ୟବସ୍ଥା କଲେ । ପ୍ରକାଶବତୀ ବିପ୍ଳବର ଗ୍ରାହକ ସଂଗ୍ରହ କାମରେ ମଧ୍ୟ ସାହାଯ୍ୟ କଲେ । ସେହି ଦିନଠାରୁ ଛାୟାପରି ଯଶପାଲଙ୍କ ସଙ୍ଗରେ ରହି ଲେଖିବା ପାଇଁ ସମସ୍ତ ସୁବିଧା ସୁଯୋଗ କରିବାରେ ଲାଗିଲେ । ପ୍ରେସ ପରିଚାଳିନା, ଘର ତିଆରି, ବହି ପ୍ରକାଶନ ପ୍ରଭୃତି ପ୍ରକାଶବତୀଙ୍କ ଦାୟିତ୍ଵରେ ସମ୍ପନ୍ନ ହେଉଥିଲା ।

 

ଯଶପାଲଙ୍କର ପ୍ରକାଶବତୀଙ୍କ ସହିତ ମିଳାମିଶାକୁ ଦଳର କେତେଜଣ ସଭ୍ୟ ସୁନଜରରେ ଦେଖିପାରିଲେ ନାହିଁ । ଗୁପ୍ତଭାବରେ କେନ୍ଦ୍ରୀୟ କମିଟିରେ ଯଶପାଲ ବିରୋଧୀ ଅଭିଯୋଗ ବାଢ଼ି ପ୍ରାଣଦଣ୍ଡର ବ୍ୟବସ୍ଥା କଲେ । ଏପରି କି ଦେଖିଲା ମାତ୍ରେ ଗୁଳିକରି ମାରିଦେବାକୁ ପ୍ରସ୍ତାବ ହୋଇଗଲା । ଅଭିଯୋଗ ହେଲା—୧-ବିପ୍ଳବୀ- ହୋଇ ନାରୀଘଟିତ ବ୍ୟାପାରରେ ସଂପୃକ୍ତ ହେଲେ ଦଳୀୟ ସଂଗୁପ୍ତି ପ୍ରକାଶ ପାଇଯିବାର ସମ୍ଭାବନା ଥାଏ । ଏଣୁ ଦଳର ବିନାପରାମର୍ଶରେ ଯଶପାଲ ନାରୀ ସହିତ ସମ୍ପୃକ୍ତ । ୨—ଯଶପାଲଙ୍କୁ ଭୀରୁତା ଓ ବିଳାସିତା ଆକ୍ରମଣ କରିଛି । ଏଣୁ ସେ ଦଳନାମରେ ସଂଗୃହୀତ ଅର୍ଥ ଅଯଥା ଖର୍ଚ୍ଚ କରି ପକାଉଛି । ୩—ଦଳର ବିନା ପରାମର୍ଶରେ ବଡ଼ଲାଟଙ୍କ ସ୍ଵତନ୍ତ୍ର ରେଳଗାଡ଼ି ତଳେ ବୋମାବିସ୍ଫୋରଣ କରାଯାଇଛି । ଏହିପରି ଅନ୍ୟ କେତେ ଗୁଡ଼ିଏ ଭିତ୍ତିହୀନ ଦୋଷାରୋପ କରାଯାଇଥିଲା । ଯଶପାଲ ସେତେବେଲେ ଯେଉଁ ଧୈର୍ଯ୍ୟ, ନିଷ୍ଠା ଓ ବୃଦ୍ଧି ବାଦିତାର ଆଶ୍ରୟ ନେଇଥିଲେ, ତାହା ଫଳରେ ସେ ନିଜର ସ୍ଵଚ୍ଛତା, ସ୍ପଷ୍ଟତା ଓ ଦଳପ୍ରୀତିର ସମସ୍ତ ଅକାଟ୍ୟ ଯୁକ୍ତି ଦଳସମ୍ମୁଖରେ ଉପସ୍ଥାପନ କରି ତାଙ୍କ ପ୍ରତି ଅନ୍ୟାୟ ଦଣ୍ଡାଦେଶକୁ ଅଳୀକ ବୋଲି ପ୍ରମାଣ କରିଦେଲେ ।

 

ଯଶପାଲ ଫେରାର ଥିବା ସମୟରେ ତାଙ୍କୁ ଧରାଇଦେବା ନିମନ୍ତେ ତିନିହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥାଏ । ବିଭିନ୍ନ ସ୍ଥାନରେ ତାଙ୍କଛବି ସହିତ ଘୋଷଣାପତ୍ର ଲଗାଇ ଦିଆଯାଇଥାଏ । ଲୋକେ ସେହି ଘୋଷଣାପତ୍ର ଯେଉଁଠି ସମ୍ଭବ ହୁଏ ଚିରିଦିଅନ୍ତି ବା ଉଠାଇ ନିଅନ୍ତି । ଏହା ତାଙ୍କର ଲୋକପ୍ରିୟତାର ପ୍ରମାଣ । ସେ ଛଦ୍ମ ବେଶରେ ଥାନ୍ତି । ଯେଉଁଠି ଘୋଷାଣାପତ୍ର ଟଙ୍ଗାଯାଇ ଥାଏ, ସେଠି ସେ ବସନ୍ତି ବା ଅପେକ୍ଷା କରନ୍ତି । କେହି ଏପରି ସାହସିକତାର ଆଶାକରି ତାଙ୍କୁ ସେହି ଛବିର ଲୋକ ବୋଲି ବିଶ୍ଵାସ କରିପାରିବ ନାହିଁ । ଏତା ତାଙ୍କର ଦୃଢ଼ ଧାରଣା ।

 

ନୈନି ଜେଲରେ ଥିବାବେଳେ ତାଙ୍କ ସ୍ଵାସ୍ଥ୍ୟ ଭାଙ୍ଗିପଡ଼ିଲା । ଫୁସ ଫୁସ ବିଷାକ୍ତ ବାଷ୍ପ ସଂସ୍ପର୍ଶରେ ଦୁର୍ବଳ ହୋଇଥିଲା । ଏଣୁ ନିଃଶ୍ୱାସ ପ୍ରଶ୍ଵାସ ସମୟରେ କଷ୍ଟ ହେଲା ଓ କାଶିଲେ କଫରେ ରକ୍ତ ପଡ଼ିଲା । ତେଣୁ ସେ ଭୁବାଲି ସେନିଟୋରିୟମକୁ ସ୍ଥାନାନ୍ତରିତ ହେଲେ । ଜେଲରୁ ଖଲାସ ହୋଇ ସେ ସକ୍ରିୟ ରାଜନୀତିଠାରୁ ଦୂରେଇଯାଇ ଜୀବିକା ନିମନ୍ତେ କାର୍ଯ୍ୟ ଖୋଜି ବୁଲିଲେ-। କେତେଦିନ ‘କର୍ମବୀର’ ମାସିକ ପତ୍ରର ସହକାରୀ ସମ୍ପାଦକ ଭାବରେ ଯୋଗଦେଲେ-

 

ସେ କ୍ରାନ୍ତିଦଳରେ ଯୋଗଦେଇ ଅସ୍ଥିର ଜୀବନଯାପନ କରୁଥିଲେ ମଧ୍ୟ ଅଧ୍ୟୟନ ଅଭ୍ୟାସ ଦୃଢ଼ଥିଲା । ସେ ଟିକେ ସମୟ ପାଇଲେ ମୌଳିକ ରଚନା ସାଙ୍ଗକୁ ବିଭିନ୍ନ ଭାଷାରୁ ଅନୁବାଦ କାର୍ଯ୍ୟ ମଧ୍ୟ କରୁଥିଲେ । ଜେଲରେ ଥିବା ସମୟରେ ସେ ଫରାସୀ, ରୁଷୀୟ ଓ ଇଟାଲୀ ଭାଷା ଶିଖି ସେଥିରେ ଥିବା ପ୍ରସିଦ୍ଧ ରଚନା ସବୁ ପଢ଼ୁ ଥିଲେ । ପ୍ରକାଶବତୀ ସେହି ପୁସ୍ତକ ସବୁ ବସ୍ତାରେ ବାନ୍ଧି ଜେଲକୁ ପଠାଉଥିଲେ । ସ୍ଵାଧୀନତା ଯୁଦ୍ଧ ସମୟରେ ଜେଲ ସବୁ ଦଣ୍ଡାଗାର ନ ହୋଇ ଅଧ୍ୟୟନ ମନ୍ଦିରରେ ପରିଣତ ହୋଇଯାଇଥାଏ ।

 

ଅଧ୍ୟୟନ ଅଧ୍ୟାପନା ସମୟରେ ଯଶପାଲ ଲୋକଚରିତ୍ର ପାଠ ଆରମ୍ଭ କରିଥିଲେ; କିନ୍ତୁ ସେହି ସ୍ପୃହା ଅଧିକ ପୂରଣ ହୋଇଥିଲା ରାଜନୀତିକ ଜୀବନରେ । ସେ ଭାରତର ଅଧିକାଂଶ ଅଞ୍ଚଳ ବୁଲିଥିଲେ ଓ ଭାରତୀୟ ସମାଜ ଓ ଲୋକଙ୍କ ବିଚିତ୍ର ଚରିତ୍ର, ହୀନଭାବ ଓ ଚଳଣୀର ପ୍ରତ୍ୟକ୍ଷ ସଂମ୍ପର୍କରେ ଆସିଥିଲେ । ଫଳରେ ବହୁ ଅନୁଭୂତି ଓ ଅଭିଜ୍ଞତା ଅର୍ଜନ କରିପାରିଥିଲେ । ଏହିସବୁ ମୂଳଧନରେ ସେ ଯେଉଁ ସାହିଁତ୍ୟ ସୌଧ ନିର୍ମାଣ କରିଛନ୍ତି, ତାହା ହିନ୍ଦୀ ସାହିତ୍ୟକୁ ଋଦ୍ଧିମନ୍ତ କରି ବିଶ୍ଵଦରବାରରେ ବୈଶିଷ୍ଟ୍ୟ ବିମଣ୍ଡିତ କରାଇଛି ।

 

ସେ ଏକାଧାରରେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ । ତାଙ୍କ ଲେଖନୀ ମାର୍କସୀୟ ଦର୍ଶନ ପ୍ରଭାବିତ । ଗୀତା, ଦାଦାକମରେଡ଼, ପାର୍ଟି କମରେଡ଼, ମନୁଷ୍ୟକେ ରୂପ ପ୍ରଭୃତି ଉପନ୍ୟାସର ଏହି ଚିନ୍ତାଧାରା ପ୍ରମୂର୍ତ୍ତି ହୋଇଛି । ଦାଦା କମରେଡ଼ ଉପନ୍ୟାସରେ ଯଶପାଲଙ୍କ ଜୀବନର ଅନୁଭୂତି ରୂପାୟିତ । ଦାଦାକମରେଡ଼ର ନାୟକ ହରୀଣ ଓ ନାୟିକା ଶୈଳ ବାସ୍ତବ ଜୀବନରେ ଯଶପାଲ ଓ ପ୍ରକାଶବତୀ । ମିଥ୍ୟା ଦୋଷାରୋପ କରି ଯଶପାଲ ଓ ପ୍ରକାଶବତୀଙ୍କୁ ଯେପରି ଦଳୀୟ ନିର୍ଯ୍ୟାତନା ଭୋଗ କରିବାକୁ ପଡ଼ିଥିଲା, ତାହା ଦାଦା କମରେଡ଼ ଉପନ୍ୟାସରେ ବିଷୟୀଭୂତ । କଳା ନିମନ୍ତେ କଳ୍ପନା ଏହି ବାସ୍ତବତାକୁ ଅତୀବ ରସୋତ୍ତୀର୍ଣ୍ଣ କରିଛି । ଝୁଟାସଚ୍’ ଉପନ୍ୟାସରେ ସ୍ଵାଧୀନତାର ପୂର୍ବ ଓ ପରବର୍ତ୍ତୀ ସାମ୍ପ୍ରଦାୟିକ ଦଙ୍ଗାଜନିତ କରୁଣ ବୀଭତ୍ସ ଘଟଣାବଳି ଚିତ୍ରିତ । ପାର୍ଟି କମରେଡ଼ ଗୀତା ଉପନ୍ୟାସଟି ଅପେକ୍ଷାକୃତ କ୍ଷୁଦ୍ର କଳେବରବିଶିଷ୍ଟ ହେଲେମଧ୍ୟ ଏହା ଖୁବ୍ ଲୋକପ୍ରିୟତା ଅର୍ଜନ କରିଛି । ଫଳରେ ବହୁ ଭାରତୀୟ ଭାଷା ଓ ଆନ୍ତର୍ଜାତିକ ଭାଷାରେ ଏହା ଅନୁଦିତ ଓ ଚର୍ଚ୍ଚିତ ହୋଇଛି ।

 

‘ମେରୀତେରୀ ଉସକୀବାତ’ ଉପନ୍ୟାସ ପାଇଁ ଯଶପାଲ ନିଜର ଜୀବନଦୀପ ନିର୍ବାପିତ ହେବାର କିୟତ୍‌ ପୂର୍ବରୁ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ୧୯୭୦ ରେ ପଦ୍ମଭୂଷଣ ଓ ସୋଭିଏଟ ଲ୍ୟାଣ୍ଡ ପୁରସ୍କାର ପାଇଛନ୍ତି । ୧୯୭୩ ରେ ଆଗ୍ରା ବିଶ୍ଵବିଦ୍ୟାଳୟ ଡକ୍ଟର ଉପାଧି ଦେଇଛନ୍ତି । ତାଙ୍କ ଲେଖାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଏହି ବିଭାଗୀକରଣରେ ଦୁଇଟି ସମସ୍ୟା ବିଦ୍ୟମାନ । ଗୋଟିଏ ହେଲା ରୋଟି ଓ ଅନ୍ୟଟି ସେକ୍‍ସ । ମାର୍କସଙ୍କ ଦର୍ଶନ ଭୌତିକ ପଦାର୍ଥ ଉପରେ ଆଧାରିତ, ଫଳରେ ସମାଜରେ ଦୁଃଖ, ଦାରିଦ୍ର୍ୟ, ନିପୀଡ଼ନ, ନିର୍ଯ୍ୟାତନ ପ୍ରଭୃତି ମୂଳରେ ରୋଟି ହିଁ ମୂଳ ବୋଲି ସ୍ଵୀକାର କରନ୍ତି । ସାହିତ୍ୟରେ ଶ୍ଳୀଳତା ଓ ଅଶ୍ଳୀଳତାର ଆରୋପକୁ ସେ ସ୍ୱୀକାର କରନ୍ତିନାହିଁ । ସେ କହନ୍ତି ‘ବିଚାର ଓ ଦୃଷ୍ଟିକୋଣ ଭେଦରେ ଅଶ୍ଳୀଳତା ପ୍ରଶ୍ନ ଅଧିକ ତୀକ୍ଷଣ୍‍ ଓ ବିବାଦୀୟ ହୋଇଥାଏ । କଥାବାର୍ତ୍ତାରେ ସାଧାରଣତଃ ଆବରଣଯୋଗ୍ୟକୁ ଗାଉଁଲୀ ଭାଷାରେ ଖୋଲି ଦେବା ହିଁ ଅଶ୍ଳୀଳତା । କୌଣସି ବସ୍ତୁ ବା ସମସ୍ୟାକୁ ଆବୃତ୍ତ କରି ରଖିବା ପ୍ରୟୋଜନ ହୋଇଥାଏ । ଆବୃତ୍ତ ବସ୍ତୁ ତଥ୍ୟ ବା ଯଥାର୍ଥ ପ୍ରତି ଆକର୍ଷଣ ବା ପ୍ରଲୋଭନ ସୃଷ୍ଟିହେବାକୁ ନଦେବା ଗୋଟିଏ ପ୍ରୟୋଜନ । ସମସ୍ତେ ଜାଣନ୍ତି ସ୍ତ୍ରୀ, ପୁରୁଷ ବା ପରିବାରର ସମ୍ପତ୍ତି ବୋଲି ଗୃହୀତ । ସେମାନଙ୍କ ପ୍ରତି ଅନଧିକାରୀର ପ୍ରଲୋଭନ ବା ଆକର୍ଷଣଠାରୁ ଦୂରରେ ରଖିବାପାଇଁ ସେମାନଙ୍କୁ ପର୍ଦ୍ଦାନସୀନ କରି ରଖାଯାଇଥାଏ । ସାହିତ୍ୟରେ ଶୃଙ୍ଗାର ରସର ସ୍ଥାନ ସର୍ବ ପ୍ରଥମ । ତେଣୁ ସେହି ରସର ଅନ୍ୟନାମ ଆଦିରସ । ଶୃଙ୍ଗାର ରସୋଦ୍ରେକ ପାଇଁ ସଜ୍ଜୀକରଣ ସହାୟକ ହୋଇଥାଏ । ତେବେ କେବେ ସଜ୍ଜା ରସୋଦ୍ରେକର ମାଧ୍ୟମ ହୋଇଥାଏ ଓ କେତେବେଳେ ବାସ୍ତବ ସୌନ୍ଦର୍ଯ୍ୟର ଆବରଣ ମଧ୍ୟ ହୋଇଯାଏ । ରସର ଗ୍ରାହିକାଶକ୍ତି ମାନସିକ ଅବସ୍ଥା ଉପରେ ନିର୍ଭର କରିଥାଏ । କୌଣସି ଭାବର ସ୍ପଷ୍ଟ ଉଦ୍ରେକ ନିମନ୍ତେ ସଜ୍ଜା ଅଥବା ଆବରଣ ଉନ୍ମୁକ୍ତ କରିଦେବା ଆବଶ୍ୟକ ହୋଇଥାଏ । ସାହିତ୍ୟରେ ଏହିପରି ଅଭିବ୍ୟକ୍ତି ବା ଚିତ୍ରଣକୁ ବୁଦ୍ଧିବାଦୀ ବା ରସିକ ପାଠକ ରସଉପଭୋଗ କରିଥାଏ । ଯେଉଁ ରସାନୁଭୂତି ସାଧାରଣତଃ ଦୁର୍ଲଭ, ତାହା ସାହିତ୍ୟ ମାଧ୍ୟମରେ ପରିବେଷଣ କରିବା ହେଉଛି କଳାକାରର ନାମ ।

 

ଯଶପାଲଙ୍କଠାରେ ‘ଦାଦାକମରେଡ଼’ ଉପନ୍ୟାସ ଓ ‘ତୁମନେ କ୍ୟୋଁ କହାଥାମେଁ ସୁନ୍ଦରହୁଁ’ ଖୁବ୍‌ ବଚେ’ ଗଳ୍ପ ନିମନ୍ତେ ଅଶ୍ଳୀଳତା ଦୋଷାରୋପ କରାଯାଇଥାଏ । ଏହି ଲେଖା ମୂଳରେ ଥିବା ଶିଳ୍ପ–ଚତୁରୀରେ ମୁଗ୍‌ଧ ହେଲେ ମଧ୍ୟ ନୀତିବାଦୀ–ମାନସ ସେ କଳାଶିଳ୍ପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ନକରି ରହେନାହିଁ ।

 

ଦୁଇଟି ପ୍ରସିଦ୍ଧ ପୁସ୍ତକଦ୍ୱାରା ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ଵ ପ୍ରଭାବିତ, ସମୃଦ୍ଧ ଓ ପ୍ରଦୀପ୍ତ । ସେହି ଦୁଇଟି ପୁସ୍ତକର ପ୍ରରକ୍ଷ ପ୍ରେରଣା ସ୍ରୋତ ଦୁଇ ସ୍ଵତନ୍ତ୍ର ଦିଗରେ ତାଙ୍କ ବ୍ୟକ୍ତିତ୍ଵକୁ ପ୍ରସାରିତ କରିଛି । ପ୍ରଭାବ ବିସ୍ତାର ପାଇଁ କିଶୋର ବା ଆଦ୍ୟ ଯୌବନକାଳ ହିଁ ପ୍ରଶସ୍ତ । ଡି. ଏ. ଭି. ସ୍କୁଲରେ ପଢ଼ୁଥିବା ସମୟରେ ଉର୍ଦ୍ଦୁ ‘ମାର୍ତ୍ତଣ୍ଡ’ ପତ୍ରିକାର ସୁଯୋଗ୍ୟ ସମ୍ପାଦକଙ୍କ ସଂସ୍ପର୍ଶରେ ଆସି ସେ ବିନାୟକ ସଭାର କରଙ୍କ ‘ଅନ୍ଦମାନକୀ ଗୁଖି ପୁସ୍ତକ ପାଠ କରିଥିଲେ । ପାଠକଲାବେଳେ ତାଙ୍କ ତନୁ ପୁଲକିତ ହୋଇଉଠିଲା ବିନାୟକ ସଭରକର ବ୍ରିଟିଶ ସରକାର ବିରୁଦ୍ଧରେ ବିପ୍ଳବକରି କଳାପାଣି, ପାରଦଣ୍ଡ ଭୋଗକରି ଆନ୍ଦାମାନରୁ ତାଙ୍କ ମା’ଙ୍କ ପାଖକୁ ଯେଉଁ ଚିଠି ଲେଖିଥିଲେ, ତାହା ସଂଗୃହୀତ ହୋଇ ପୁସ୍ତକାକାରରେ ପ୍ରକାଶ ପାଇଥିଲା । ଏହି ପୁସ୍ତକ ପାଠକରି ଯଶପାଳଙ୍କଠା’ରେ ଥିବା ବିପ୍ଳବି ଚେତନା ଧୁ ଧୁ ହୋଇ ଜଳି ଉଠିଲା । ସେ ମନେମନେ ବ୍ରିଟିଶ ସରକାର ବିରୁଦ୍ଧରେ ଯୁଦ୍ଧକରିବା:ପାଇଁ ପ୍ରତିଜ୍ଞା ବଦ୍ଧ ହେଲେ । କଲେଜ ଜୀବନରେ ତାଙ୍କର ସତୀର୍ଥ ସୁଖଦେବ, ଭଗତ ସିଂହଙ୍କ ସହିତ ସେହି ପୁସ୍ତକର ଇଂରାଜୀ ସଂସ୍କରଣ ‘ଇନୋଜ ଫ୍ରମ ଆଣ୍ଡାମାନସ’ ପଢ଼ିଲେ । ସେମାନେ ଏପରି ଅନୁପ୍ରାଣିତ ପ୍ରୋତ୍ସାହିତ ହୋଇଥିଲେ ଯେ ପରବର୍ତ୍ତୀ ଜୀବନରେ ଜୀବନର ମାୟାମମତା ତ୍ୟାଗକରି ବ୍ରିଟିଶ ସରକାର ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ପାଇଁ ପ୍ରବଳ ବିକ୍ରମରେ ଆଗେଇ ଯାଇଥିଲେ । ଯଶପାଲଙ୍କ ବିପ୍ଳବି ବ୍ୟକ୍ତିତ୍ୱ ଗଠନପାଇଁ ଶଂସିତ ପୁସ୍ତକର ଦାନ ଅତୁଳନୀୟ ।

 

ତାଙ୍କ ସାହିତ୍ୟିକ ଜୀବନ ଗଠନ ନିମନ୍ତେ ଋଷୀୟ ଔପନ୍ୟାସିକ ଇଭାନ ତୁର୍ଗନେଭଙ୍କ କାଳଜୟୀ ଉପନ୍ୟାସ ‘ପିତା ଓ ପୁତ୍ର’ ପ୍ରେରଣାର ଉତ୍ସ ଭାବରେ ବିଦିତ । ତୁର୍ଗନେଭଙ୍କ ମାନସ ସନ୍ତାନ ‘ବଜାରୋଭ’ ତାଙ୍କ ଚିନ୍ତା ଓ କଳ୍ପନାକୁ ଏପରି ଅଭିଭୂତ କରିଥିଲେ ଯେ ସେ ସବୁବେଳେ ତାଙ୍କ ସହିତ ବୁଲାଚଲା, କଥାବାର୍ତ୍ତା କରୁଥିବା ପରି ଯଶପାଲ ଅନୁଭବ କରିଥିଲେ । ସେହି ବଜାରୋଭ ତାଙ୍କ ଜୀବନ ପଥର ନିର୍ଦ୍ଦେଶକ ବୋଲି ସେ ନିଜେ ଲେଖିଛନ୍ତି । ଗୁରୁତୁର୍ଗନେଭଙ୍କଠାରୁ ପାଇଥିବା ପ୍ରେରଣାରୁ ଏପରି ଏକ ଜିଜ୍ଞାସାର ବ୍ୟାକୁଳତା ଜାଗ୍ରତ ହେଲା ଯେ ସେ ପ୍ରତ୍ୟେକ ସାମାଜିକ ବିଶ୍ୱାସ ଓ ମାନଦଣ୍ଡକୁ ଅତିକ୍ରମ କରି ଆଗକୁ ଦେଖିବାକୁ ଚାହିଁଲେ । ତାଙ୍କ ଲେଖାରୁ ଯେଉଁ ପ୍ରଗତି ବାଦୀ ଚିନ୍ତାଧାରା ଓ ଯୁବସୁଲଭ ଉଦ୍ଦୀପନା ଅନୁଭୂତ ହୁଏ, ତାହା ଇଭାନ ତୁର୍ଗନେଭଙ୍କ ପ୍ରେରଣାସମ୍ଭୂତ ବୋଲିବାକୁ ହେବ ।

 

ଯଶପାଲ ଉଗ୍ର ଆଧୁନିକ । ପୁରାତନ ରୂଢ଼ିବାଦିତାକୁ ସେ ସହ୍ୟକରି ପାରନ୍ତିନାହିଁ । ତାଙ୍କ ଗଳ୍ପ ଉପନ୍ୟାସରେ ଥିବା ଉତ୍ସାହ ଓ ଉଷ୍ମା ଯୋଗୁ ବହୁ ପାଠକ ତାଙ୍କୁ ଯୁବକ ବୋଲି ଭାବନ୍ତି-। ଥରେ ଜଣେ କଲେଜ ଛାତ୍ରୀ ‘ଯଶଦା’ ବୋଲି ସମ୍ବୋଧନ କରି ଚିଠି ଲେଖିଥିଲେ । ଯଶପାଲ ଉତ୍ତରରେ ଲେଖିଲେ ଯେ ‘ତୁମେ ଜାଣିନାହ ବୋଧହୁଏ ତୁମ ବାପାଙ୍କ ବୟସଠାରୁ ମୋର ବୟସ ଅଧିକ ହେବ । ମାତ୍ର ମୋତେ ଏପରି ଅଳ୍ପ ବୟସ୍କ ଭାବିଲ କାହିଁକି ? ମୋ’ ଲେଖାରେ ଅପରିଣତ ଲେଖନୀ ଶକ୍ତି ବା ଦାୟିତ୍ଵହୀନତା, କଣ ଦେଖିଲ ? ଏହାର ଉତ୍ତର ମିଳିଥିଲା—‘‘ଆପଣଙ୍କ ଲେଖାରେ ଜୀବନର ପ୍ରବଳ ଆକାଙ୍‌କ୍ଷା, ଉଦ୍ଦୀପନା ଓ ପୁରାତନ ପ୍ରତି କଟାକ୍ଷ ଏତେ ପ୍ରବଳ ଯେ ଆପଣ କଳ୍ପନାନେତ୍ରରେ ଜଣେ ଯୁବା ଲେଖକ ବରେ ଜଣାପଡ଼ିଲେ ।” ଏଥିରୁ ତାଙ୍କ ଚିନ୍ତା ଓ ଚେତନା କିପରି ବୈପ୍ଳବିକ ଭାବାବେଶ ସମନ୍ୱିତ ତାହା ସହଜରେ ଅନୁମେୟ ।

 

ଯଶପାଲ ଜଣେ ବିଶିଷ୍ଟ ଗଳ୍ପ ଲେଖକ । ତାଙ୍କ ଲେଖନୀ ଶକ୍ତି ଯାନ୍ତ୍ରିକ ଅର୍ଥାତ୍‌ ଗଳ୍ପକୁ ଯେଉଁଠି ଯେଉଁ ପରିବେଶ ଓ ଗତିଦେଲେ ତାହା କଳାପୂର୍ଣ୍ଣ ଓ ଶାସ୍ତ୍ରସମ୍ମତ ହୋଇପାରିବ ତାଙ୍କ ଲେଖନୀ ସେହିପରି ରୂପଦେଇଥାଏ । ତାଙ୍କ ଗଳ୍ପାବଳୀ କଳାକୁ ଅନୁସରଣ କରି ବିରଚିତ ହୋଇଥାଏ । ସେ ଯୁବଲେଖକ ଓ ଗାଳ୍ପିକମାନଙ୍କୁ ଉପଦେଶ ଦେବାକୁ ଯାଇ ଲେଖିଛନ୍ତି—“ନିଜ ଅନୁଭୂତିରୁ ନୂତନ କାହାଣୀଲେଖକମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ଧୈର୍ଯ୍ୟ ଓ ବିବେକ ଦ୍ଵାରା ନିଜ ବିକାଶ ଓ ପରିମାର୍ଜନା ନିମନ୍ତେ ସଚେତନ ରହି ସାହିତ୍ୟ ଆଡ଼କୁ ଧ୍ୟାନ ଦିଅନ୍ତୁ । ପ୍ରତିଷ୍ଠା ଅର୍ଜନର ଅଭିଳାଷ ସ୍ଵାଭାବିକ; କିନ୍ତୁ ଏଥିପାଇଁ ବ୍ୟଗ୍ରତା ହେତୁ କାହାଣୀ ସୃଜନରେ ନୂଆନୂଆ ଆନ୍ଦୋଳନ ଚଳାଇ ଧ୍ୟାନ ଆକର୍ଷଣ କରିବାର ପ୍ରକାଶ ହିଁ ନିଜଶକ୍ତିର ଅପଚୟ ମାତ୍ର । ପ୍ରାଣବନ୍ତ ଓ ଶକ୍ତିମାନ ରଚନାର ଯାଦୁକରୀ ମାୟା ସମସ୍ତଙ୍କ ଉପରେ ତାର ରଙ୍ଗ ଏପରି ଢାଳିବ ଯେ ତାର ଅଧିକ ଅବହେଳା ଅସମ୍ଭବ ।”

 

ଯଶପାଲଙ୍କ ଶେଷ ଦଶବର୍ଷ କେବଳ ଅସୁସ୍ଥତାରେ ବିତିଛି । ପିତ୍ରିକଏସିଡ଼ ତିଆରିବେଳେ ତେଜାବୀ ଧୂଆଁରେ ଫୁସଫୁସ ଦୁର୍ବଳ ହୋଇପଡ଼ିଥାଏ । ପ୍ରଶ୍ୱାସ ନେଲାବେଳେ ସେ କଷ୍ଟ ଅନୁଭବ କରୁଥାନ୍ତି । ୧୯୭୬ ଡିସେମ୍ବର ୨୬ ତାରିଖଦିନ ସେ ଇହଧାମ ତ୍ୟାଗକଲେ । ସେ ଥିଲେ ସଂଗ୍ରାମୀ । ଅସ୍ତ୍ରଶସ୍ତ୍ର ଓ କଲମ ସଂଗ୍ରାମରେ ବିଜୟୀ ବୀର ଭାବରେ ଉନ୍ନତ ଶିର ତୋଳି ସେ ଚାଲିଥିଲେ, ହେଲେ ମୃତ୍ୟୁ ସହିତ ସଂଗ୍ରାମ କରି ସେ ହାରିଗଲେ । ମୃତ୍ୟୁ ସହିତ ସଂଗ୍ରାମ କରିଛନ୍ତି ସେ ଦୁଇଦିନ । ବ୍ୟଥା ବେଦନାରେ ସେ ଚେତନାଶୂନ୍ୟ ହୋଇ ପଡ଼ୁଥିଲେ । ଚେତନା ପାଇ ପୁଣି ନିଜର ଲେଖା, ସଂହାବଲୋକନର ୪ର୍ଥ ଭାଗଶେଷ କରିବାର ଆକାଙ୍କ୍ଷା ପ୍ରକାଶ କରୁଥିଲେ । ତାଙ୍କ ମୃତ୍ୟୁରେ ଭାରତର ଗୋଟିଏ ଉଜ୍ଜଳ ଜ୍ୟୋତିଷ ଲିଭିଗଲା ଓ ତାଙ୍କ ସ୍ଥାନ ସାହିତ୍ୟରେ ଶୂନ୍ୟ ରହିଗଲା । ଏପରି ବୁଦ୍ଧିଦୀପ୍ତ, ସିଦ୍ଧହସ୍ତ ପ୍ରତିଭାବାନ ଲେଖକ ଖୁବ୍‍ କମ ଅଛନ୍ତି । ଭାବୀ ବଂଶଧରଙ୍କ ପାଇଁ ସେ ଗୋଟିଏ ବଳିଷ୍ଠ ପ୍ରେରଣାର ଉତ୍ସ ହୋଇ ରହିଥିବେ ।

Image

 

ଦରଦୀ ଶିଳ୍ପୀ ଖ୍ଵାଜା ଅହମ୍ମଦ ଆବ୍ବାସ

 

ଦରଦୀ କଥାଶିଳ୍ପୀ ଖ୍ୱାଜାଅହମ୍ମଦ ଆବ୍ବାସ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖକ । ସେ ଉର୍ଦ୍ଦୁଭାଷାରେ ଉପନ୍ୟାସ, ଗଳ୍ପ ଓ ପ୍ରବନ୍ଧ ଲେଖିବାରେ ଯେପରି ଧୁରୀଣ ଇଂରାଜୀ ଭାଷାରେ ମଧ୍ୟ ସେହିପରି ପ୍ରବୀଣ । ସେ ଏକାଧାରରେ ଲେଖକ; ପତ୍ରକାର, ଚଳଚ୍ଚିତ୍ର ନିର୍ମାତା ଓ ବାଗ୍ମୀ । ତାଙ୍କ ରଚନା ସରଳ–ସାବଲୀଳ ଓ ପ୍ରଭାବଶାଳୀ ।

 

ସେ ୧୯୧୪ ମସିହା ଜୁନମାସ ୧୪ ତାରିଖରେ ପାନିପଥଠାରେ ଭୂମିଷ୍ଠ ହୋଇଥିଲେ-। ତାଙ୍କ ପିତା ଗୁଲ୍ଲାମୁସିବ୍ ତୈନ ଓ ମାତା ମସଗୁର ତୁନ୍ନିସାଙ୍କ ସାଧୁତା, ସତ୍ୟବାଦିତା ଓ ମାନବିକତାର ଉଜ୍ଜ୍ୱଳ ପ୍ରଭାବ ତାଙ୍କୁ ବଳିଷ୍ଠ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ଵ ପ୍ରଦାନ କରିଛି । ତାଙ୍କ ପିତା କିପରି ସଚ୍ଚୋଟ ମାନବତାବାଦୀଥିଲେ ତାହା ଆବ୍ବାସଙ୍କ ବାଲ୍ୟକାଳର ଗୋଟିଏ ଘଟଣାରୁ ପ୍ରତିପନ୍ନ ହୋଇଥାଏ । ଥରେ ଆବ୍ବାସ ତାଙ୍କ ଘର ଜଣେ ଚାକରକୁ “ଉଲ୍ଲୁକୀ ପଟ୍‌ଠା” କହିବାରୁ ତାଙ୍କ ପିତାଙ୍କ ଠାରୁ ନିର୍ମମ ଦଣ୍ଡ ଭୋଗକରିବାକୁ ପଡ଼ିଥିଲା । ଅନ୍ଧାର ଘରେ ବିନା ଖାଦ୍ୟପେୟରେ ବନ୍ଦକରି ରଖାଗଲା । ସେ ଚାକରଠାରେ ହାତଯୋଡ଼ି କ୍ଷମାଭିକ୍ଷା କରିବାପରେ ତାଙ୍କୁ ମୁକ୍ତି ମିଳିଥିଲା । ତାଙ୍କ ଜନନୀ ମାତୃଭୂମିକୁ ନିଜର ଜନନୀ ଭାବରେ ଗ୍ରହଣ କରିଥିଲେ । ଭାରତ ବିଭକ୍ତୀକରଣ ବେଳେ ସେ କହିଥିଲେ ମୁଁ ହିନ୍ଦୁସ୍ଥାନର କନ୍ୟା–ପାକିସ୍ଥାନ ପୁଣି କ’ଣ ? ସେ ଅବଶ୍ୟ ରାଜନୀତି କରୁନଥିଲେ କି ସ୍କୁଲ କଲେଜର ଛାତ୍ର ନଥିଲେ; ମାତ୍ର ତାଙ୍କ ପ୍ରାଣରେ ମାତୃଭୂମିର ଅଖଣ୍ଡରୂପ ଉଜ୍ଜ୍ୱଳ ସିଂହାସନାରୂଢ଼ା ଭାବରେ ପ୍ରତିଭାତ ହେଉଥିଲା । ଏପରି ଜନକ–ଜନନୀର ସନ୍ତାନ ଭାବରେ ତାଙ୍କ ଲେଖାରେ ମାନବପ୍ରତି ଦରଦ ଫୁଟି ଉଠିବା ସ୍ଵାଭାବିକ ।

 

ପାନପଥ ହାଲି ମୁସଲିମ୍ ହାଇସ୍କୁଲରୁ ଶିକ୍ଷା ସମାପ୍ତକରି ସେ ଆଲିଗଡ଼ର ଜାମିୟା ମିଲିୟା ଇସଲାମିୟା ବିଶ୍ଵବିଦ୍ୟାଳୟରେ ଅଧ୍ୟେତା ଭାବରେ ଯୋଗଦେଲେ । ସେ ଥିଲେ ଅଧ୍ୟୟନଶୀଳ । ଖେଳ, କୁଦ, ଅଭିନୟ ପ୍ରଭୃତିରେ ସେ ଯୋଗ ଦେଇ ପାରୁନଥିଲେ । କଲେଜରେ ଅଧ୍ୟୟନ କଲାବେଳୁ ସେ ସୃଷ୍ଟିଶୀଳ ରଚନାରେ ବ୍ୟାପୃତ ରହିଲେ । ସେ ଲେଖାଲେଖି ପ୍ରତି କାହିଁକି ଆକୃଷ୍ଟ ହେଲେ ପ୍ରଶ୍ନର ଉତ୍ତର ଦେବାକୁଯାଇ ସେ ଲେଖିଛନ୍ତି ଯେ, ବିଶ୍ୱବିଦ୍ୟାଳୟରେ ଖେଳାଳୀମାନଙ୍କୁ ଖୁବ୍ ଆଦର ସମ୍ମାନ କରାଯାଉଥିଲା । ସେ ଫୁଟବଲ୍, ହକି, କ୍ରିକେଟ ଖେଳ ଖେଳି ପାରୁନଥିଲେ । ତାଙ୍କ ଶରୀର ତାଙ୍କୁ ଖେଳାଳୀ ହେବାକୁ ପ୍ରଶ୍ରୟ ଦେଉ ନଥିଲା । ସେ କିନ୍ତୁ ଆଦର ସମ୍ମାନ ପାଇବାକୁ ଭାରି ଲାଳାୟିତ ହୋଇପଡ଼ୁଥିଲେ । ସେ ସେହି ସମ୍ମାନର ଉଚ୍ଚାକାଙ୍‌କ୍ଷାର ପ୍ରବଳ ଆକର୍ଷଣରେ ସେ ବିଶ୍ୱବିଦ୍ୟାଳୟ ତର୍କ ଭାଷାରେ ଭାଗନେଲେ, ବିଶ୍ୱବିଦ୍ୟାଳୟର ମୁଖପତ୍ରରେ ଲେଖିବାକୁ ଲାଗିଲେ । କେବଳ ସେତିକି ନୁହେ; ନିଜେ ଏକ ସାପ୍ତାହିକ ଆଲୋଚନା ମଧ୍ୟ ବିଶ୍ୱବିଦ୍ୟାଳୟରୁ ପ୍ରକାଶ କରିବାକୁ ଲାଗିଲେ । ତାଙ୍କ ଲେଖନୀ ଶକ୍ତି କ୍ରମଶଃ ତୀକ୍ଷ୍‌ଣ ହୋଇଉଠିଲା । ଦିଲ୍ଲୀ ଓ ବମ୍ବେରୁ ପ୍ରକାଶିତ ପତ୍ରପତ୍ରିକାମାନଙ୍କରେ ସେ ଲେଖିବାକୁ ଲାଗିଲେ ।

 

ତାଙ୍କ ଲେଖନୀ ଶକ୍ତିର ଦ୍ଵିତୀୟ କାରଣ ଭାବରେ ବ୍ରିଟିଶ ରାଜକୁ ଆବ୍ବାସ ସାହେବ ଇଙ୍ଗିତ କରିଛନ୍ତି । ତାହା ତାଙ୍କୁ ଜଣେ ବାଗ୍ମୀ, ସାମ୍ବାଦିକ ଓ ଲେଖକରେ ପରିଣତ କରିଛି । ଜାଲିଆନାଓ୍ଵାଲାବାଗର ଜାନ୍ତବ ମଣିଷ ଶିକାରର ପରବର୍ଷର ଘଟଣା । ସେତେବେଳେ ଆବ୍ଦାସ ମାତ୍ର ଛ-ସାତ ବର୍ଷର ଶିଶୁ । ଆମ ସାହିର ଶହଶହ ପିଲାଙ୍କୁ ଜରନୈଲୀ ସଡ଼କ କଡ଼ରେ ଧାଡ଼ିକରି ଠିଆ କରିଦିଆଗଲା । ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସଡ଼କରେ ଲାଲମୁହଁ ଇଂରାଜୀ ସୈନ୍ୟବାହିନୀ ଘୋଡ଼ାଚଢ଼ି ଚାଲିଥାନ୍ତି । ହାତରେ ବନ୍ଧୁକ, ରାଇଫ୍‌ଲ୍, ମେସିନ ଗନ, ତୋପ ଧରି ସେମାନେ ମହାଆଟ୍ଟୋପରେ ଚାଲିଥିଲାବେଳେ ଶିଶୁ ମନ ସେତେବେଳେ ଭୟରେ ଅସ୍ଥିର । ଏହାହିଁ ଥିଲା ପରେଡ଼ର ଉଦ୍ଦେଶ୍ୟ । ଏହି ସୈନ୍ୟଶକ୍ତିର ପ୍ରଭାବ ଶିଶୁ ମନ ଉପରେ ପ୍ରଭାବ ପକାଇଲେ ସେମାନେ ଇଂରେଜ ଶକ୍ତି ବିରୁଦ୍ଧରେ ମୁଣ୍ଡ ଉଠାଇ ପାରିବେ ନାହିଁ; ମାତ୍ର ଫଳ ଫଳିଲା ଓଲଟା । ଶିଶୁମନ ଘୃଣାରେ ପରିପୂର୍ଣ୍ଣ ହୋଇଗଲା । ପଞ୍ଜାବର ଅନ୍ୟତ୍ର ମଧ୍ୟ ଏହିପରି ପରେଡ଼ ପ୍ରଦର୍ଶିତ ହୋଇଥିଲା । ସେଠାକାର ଜଣେ ଶିଶୁ ପରବର୍ତ୍ତୀ କାଳରେ ଜଣେ ପ୍ରବଳ ସନ୍ତ୍ରାସବାଦୀ–ସ୍ଵାଧୀନତା ସଂଗ୍ରାମୀ ହେବା ମୂଳରେ ସେହି ପରେଡ଼ ପ୍ରଦର୍ଶନର ଫଳ ବୋଲି ଜଣାଯାଏ । ସେ ହେଉଛନ୍ତି ସହୀଦ ଭଗତସିଂହ । ପରବର୍ତ୍ତୀକାଳରେ ସେ ହିଂସା ବଦଳରେ ହିଂସା ପ୍ରଦର୍ଶନ ପକ୍ଷପାତୀ ହୋଇ ଇଂରେଜମାନଙ୍କୁ ଘୃଣାକରୁଥିଲେ । ଇଂରେଜ ଅଫିସରକୁ ବୋମା ଫୋପାଡ଼ିବା ଅଭିଯୋଗରେ ସେ ସହୀଦ ହୋଇଥିଲେ । ଖ୍ୱାଜା ଅହମ୍ମଦ ଆବ୍ବାସ କହନ୍ତି, ସେପରି ହିଂସା ପ୍ରଦର୍ଶନ ନିମନ୍ତେ ତାଙ୍କ ନିକଟରେ ଶକ୍ତିର ଅଭାବ ଥିଲା । ତେଣୁ ସେ ନିଜର କଲମକୁ ଅସ୍ତ୍ରରୂପେ ଧାରଣକରି ସୃଜନଶୀଳ ସାହିତ୍ୟ ରଚନାରେ ବ୍ୟାପୃତ ହେଲେ । ସେ ଜାଣନ୍ତି ଅସୀଠାରୁ ମସୀର ଶକ୍ତି ଅଧିକ । ସେ ଜାଲିଆନାଓ୍ଵାଲାବାଗର ପାଶବିକ ହତ୍ୟାଲୀଳାର ଯେଉଁ ସାରସ୍ୱତଚିତ୍ର ଅଙ୍କନ କରିଛନ୍ତି ତାହା ଯେପରି ହୃଦୟସ୍ପର୍ଶୀ ସେହିପରି ପ୍ରଭାବୋତ୍ପାଦକ । ସେହି ଉପନ୍ୟାସର ନାମ “ଇନ୍‌କ୍‌ଲାବ” ନାୟକ ଜଣେ ଶିଶୁ । ଜାଲିଆନାଓ୍ଵାଲାବାଗର ଲୋମହର୍ଷଣ ବ୍ୟାପାରର ଦ୍ରଷ୍ଟାଶିଶୁ ଦ୍ୱାରା ତାହା ବର୍ଣ୍ଣିତ । ତେଣୁ ଭାଷା ଯେପରି ସ୍ୱଚ୍ଛନ୍ଦ ସାବଲୀଳା ସେହିପରି ପ୍ରାଞ୍ଜଳ ।

 

ତୃତୀୟତଃ ସେ ଜଣେ ହତାଶ ପ୍ରେମିକ । ଅଷ୍ଟାଦଶ ବର୍ଷରେ ଆରବ୍‌ଧ ପ୍ରେମ ଏକବିଂଶ ବୟଃକ୍ରମ ସମୟରେ ନିରାଶାରେ ପର୍ଯ୍ୟବେସିତ ହେଲା । ଆବ୍ବାସ ସାହେବ ନିଜେ ସେହି ସ୍ମୃତି କଥାରେ ପ୍ରକାଶ କରିଛନ୍ତି ଯେ, ଜଣେ ହତାଶ ପ୍ରେମିକର ତିନୋଟି ପରିଣତି ସମ୍ଭବ । ଏକରେ ହତାଶ ପ୍ରେମିକ ଆତ୍ମହତ୍ୟା କରିଥାଏ; ମାତ୍ର ଆତ୍ମହତ୍ୟା କରିବାକୁ ସେ ସାହସ କରି ନାହାନ୍ତି କି ପସନ୍ଦ ମଧ୍ୟ କରନ୍ତି ନାହିଁ । ଦ୍ଵିତୀୟରେ ହତାଶ ପ୍ରେମିକ ବିରହ ଗୀତିକା ଲେଖେ । ମଦ୍ୟପାନକରି ଦୁଃଖ ପାଶୋରିବାକୁ ଚେଷ୍ଟା କରିଥାଏ । ଖ୍ୱାଜା ଅହମ୍ମଦଙ୍କର ପ୍ରପିତାମହ ଖ୍ୱାଜା ଆଲତଫହୁସେନ “ହାଲୀ” ତାଙ୍କ ସମୟରେ ଜଣେ ଯଶସ୍ଵୀ କବିଥିଲେ । ସେହି ରକ୍ତରୁ ଖ୍ୱାଜାଅହମ୍ମଦଙ୍କର ଜନ୍ମ ହୋଇଥିଲେ ମଧ୍ୟ ସେ କବିତା ରଚନା କରିବାକୁ ପସନ୍ଦ କରୁନଥିଲେ । ମଦ୍ୟର କଟୁସ୍ୱାଦ ତାଙ୍କୁ ଆକୃଷ୍ଟ କଲାନାହିଁ । ତା’ର ଦୁର୍ଗନ୍ଧ ତାଙ୍କର ଘୃଣା ସୃଷ୍ଟିକଲା । ତୃତୀୟରେ ହତାଶ ପ୍ରେମିକ କାହାଣୀ ଲେଖେ । ନିଜ ପ୍ରେମର ହତାଶାକୁ ସେ ବହୁରଙ୍ଗରେ ଚିତ୍ରଣ କରି ଆହାତ ପ୍ରାଣକୁ ତଥା ବିଦଗ୍‌ଧ ହୃଦୟକୁ ଆଶ୍ୱାସନା ଦେବାକୁ ଚେଷ୍ଟାକରିଥାଏ । ଖ୍ୱାଜାଅହମ୍ମଦ ଆବ୍ବାସ ତୃତୀୟ ପନ୍ଥାରେ ପଥିକ ହୋଇ ବହୁ କାହାଣୀ ଓ ଉପନ୍ୟାସ ସୃଷ୍ଟି କରିଛନ୍ତି ।

 

ଭାରତ ବିଭାଜନୋତ୍ତର କାଳ ଇତିହାସରେ ତା’ର କୁତ୍ସିତତମ ରୂପ ପ୍ରକାଶ କରି କାଳକାଳକୁ କୁଖ୍ୟାତି ରଖିଯାଇଛି । ବହୁ ବିବେକୀ-ମାନବତାର ପୂଜାରୀଙ୍କୁ ସେ କାଳ ଆଘାତ କରିଛି । ସାମ୍ପ୍ରଦାୟିକତାର ବିଷୁଫୁତ୍କାରରେ ବହୁ ଅମୂଲ୍ୟ-ଜୀବନ-କୁସୁମ ଅକାଳରେ ମଉଳିଯାଇଛି-। ଧନଧାନ୍ୟ ଭରା ଉଚ୍ଛୁଳା ଆନନ୍ଦସ୍ରୋତରେ ଯେଉଁ ପରିବାର, ସମାଜ ହସିଉଠୁଥିଲା ମାତ୍ର କେତେ ଘଣ୍ଟାରେ ତାହା ବିଶୁଷ୍କ ଦଗ୍‌ଧ ସାର ହୋଇଗଲା । ବିରାଟ ଐତିହ୍ୟ ଓ ସଂସ୍କୃତିର ପଟ୍ଟଭୂମିରେ ଏପରି କଳଙ୍କିତକାଣ୍ଡ ଘଟିଯିବା ଫଳରେ କାଳକାଳକୁ ଏ ଦେଶ ତ୍ରିଧାବିଭକ୍ତ ହୋଇଗଲା । ଆବ୍ବାସ ସାହେବ ଏହି ଘଟଣାରେ ମର୍ମାହତ ହେଲେ । ସେହି କଳଙ୍କିତ ମୁହୂର୍ତ୍ତର ଗୋଟିଏ ଘଟଣା କିନ୍ତୁ ତାଙ୍କ ଜୀବନରେ ଅପାସୋରା ହୋଇ ରହିଛି ବୋଲି ସେ ବର୍ଣ୍ଣନା କରିଛନ୍ତି ।

 

୧୯୪୭ ମସିହା ସେପ୍‌ଟେମ୍ବର ଓ ଅକ୍ଟୋବର ମାସରେ ସ୍ୱାଧୀନ ଭାରତ ଓ ସ୍ୱାଧୀନ ପାକିସ୍ଥାନରେ ରକ୍ତର ହୋରିଖେଳ ହେଉଥାଏ । ବମ୍ବେର ଶିବାଜୀ ପାର୍କ ଅଞ୍ଚଳରେ ଯେଉଁ କେତେଗୋଟି ପ୍ରତିଷ୍ଠିତ ପରିବାର ଥିଲେ ସେମାନେ ମୁସଲମାନ ବହୁଳ ଅଞ୍ଚଳ ମହଫୁଜିକୁ ପଳାଇଯାଇଥାନ୍ତି । କେବଳ ଆବ୍ବାସ ସାହେବ ଓ ତାଙ୍କ ପତ୍ନୀ ମୁଜ୍ଜୀ ସମୁଦ୍ରତଟବର୍ତ୍ତୀ ଗୃହରେ ରହୁଥାନ୍ତି । ସେ କିନ୍ତୁ ତାଙ୍କ ଘରଛାଡ଼ି ଚାଲିଗଲେ ନାହିଁ । କାରଣ ଘର ଛାଡ଼ି ମୁସଲମାନବହୁଳ ଅଞ୍ଚଳକୁ ପଳାଇଯିବା ଯାହା ଭାରତବର୍ଷରୁ ପାକିସ୍ଥାନ ପଳାଇଯିବା ମଧ୍ୟ ତାହା ବୋଲି ସେ ବିଚାର କରିଥାନ୍ତି । କେତେ ଜଣ ଧର୍ମଭୀରୁ ମୁସଲମାନ ସେହି ଦମ୍ପତ୍ତିଙ୍କୁ ପ୍ରରୋଚନା ଦେଲେ ଏବଂ ସେଥିରେ କାର୍ଯ୍ୟ ନହେବାରୁ ଧମକଦେଲେ ମଧ୍ୟ ସେମାନେ ସ୍ଥାନତ୍ୟାଗର ପକ୍ଷପାତୀ ହେଲେନାହିଁ-। ଆବ୍ବାସ ସାହେବଙ୍କ ସ୍ତ୍ରୀ କହିଲେ ଯଦି ଶିବାଜୀ ପାର୍କରେ ଜୀବନ ନରହିବ ତେବେ ଜୀବନ ରହି ଲାଭ କ’ଣ ?

 

ସେତେବେଳେ ଆବ୍ବାସଜୀ ‘ବମ୍ବେ ବ୍ରନିକ୍ଳ’ ସମ୍ବାଦ ପତ୍ରରେ କାମ କରୁଥାନ୍ତି । ଦିନେ ରାତିରେ ସେ ଦାଦରା ରେଳଷ୍ଟେସନରେ ଗାଡ଼ିରୁ ଓହ୍ଲାଇଲେ । ଦେଖିଲେ ବଜାର ଅନ୍ଧକାର ଓ ଶୂନଶାନ । କର୍ଫ୍ୟୁଜାରି ହୋଇଥାଏ । ରାତି ନ’ଟା ପରେ ଘରୁ ବାହାରିବାକୁ ମନା କରାଯାଇଥାଏ । ସେତେବେଳକୁ ନ’ଟା ବାଜିବାକୁ ମାତ୍ର ପନ୍ଦର ମିନିଟ ବାକିଥାଏ । ସେ ଚଞ୍ଚଳ ଗତିରେ ଚାଲିବାକୁ ଲାଗିଲେ, କର୍ଫ୍ୟୁ ଆରମ୍ଭ ପୂର୍ବରୁ ଘରେ ପହଞ୍ଚିବାକୁ ହେବ ।

 

ଦାଦରାର ଗୋଟିଏ ଗଳି ରାସ୍ତାରେ ଚାଲୁଥାନ୍ତି । ତାଙ୍କୁ ମନେହେଲା ଯେପରି କେହି ତାଙ୍କ ପଛଆଡ଼ୁ ଆସୁଛି । ସେ ହଠାତ୍ ଅନୁଭବକଲେ ଯେ ତାଙ୍କର ମୃତ୍ୟୁ ଆସନ୍ନ । ଦୌଡ଼ି ପଳାଇଯିବାର ସମ୍ଭାବନା ମଧ୍ୟ ନାହିଁ । ଏଣୁ ସେ ଗତି ମନ୍ଥର କରିଦେଲେ । ଯେତେବେଳେ ପଦଚାପର ଶବ୍ଦରୁ ସେ ଜାଣିଲେ ଆଗନ୍ତୁକ ତାଙ୍କର ନିକଟବର୍ତ୍ତୀ ହୋଇଗଲା । ସେ ଠିଆହୋଇ ପଛକୁ ଚାହିଁଲେ । ଆଗନ୍ତୁକ ମଧ୍ୟ ଏହି ଅପ୍ରତ୍ୟାଶିତ ବ୍ୟବହାରରେ ଭୟତ୍ରସ୍ତ ହୋଇଗଲା, କାରଣ ସେ ମଧ୍ୟ ଅନୁରୂପ ମୃତ୍ୟୁର ସମ୍ମୁଖୀନ ହେଲା ବୋଲି ଚିନ୍ତାକଲା । ଆଗନ୍ତୁକର ପ୍ରତ୍ୟୟଜାତ କରିବାକୁ ଆବ୍ବାସଜୀ ପଚାରିଲେ ଯେ କର୍ଫ୍ୟୁର ସମୟ ହୋଇଗଲାଣି କି ନାହିଁ । ସେ ଉତ୍ତର ଦେଲା ଯେ, ଏଠାରେ ନ’ଟା ବେଳେ କର୍ଫ୍ୟୁ ଆରମ୍ଭ ହେବ; ମାତ୍ର ଶିବାଜୀ ପାର୍କରେ କର୍ଫ୍ୟୁନାହିଁ । ଏହି ବାକ୍ୟାଳାପ ମଧ୍ୟରେ ଉଭୟ ପାଖାପାଖି ଚାଲିଥାନ୍ତି ଓ ପରସ୍ପରକୁ କଣେଇ କଣେଇ ଚାହୁଁଥାନ୍ତି । ପରିଶେଷରେ ଆବ୍ବାସଜୀ ନୀରବତା ଭଙ୍ଗକରି ଗନ୍ତବ୍ୟସ୍ଥଳ ବିଷୟରେ ଜିଜ୍ଞାସା କରିବାରୁ ସହଯାତ୍ରୀ ଶିବାଜୀ ପାର୍କ ଯାଉଥିବା କଥା କହି ପ୍ରତିପ୍ରଶ୍ନରେ ତାଙ୍କ ପରିଚୟ ଜାଣିବାକୁ ଚାହିଁଲା । ଆବ୍ବାସଜୀ ସେହି ପ୍ରଶ୍ନ ଆଶାକରି ଥିଲେ ଏବଂ ଭୟ ମଧ୍ୟ କରୁଥିଲେ । ଭାବିଲେ ମିଥ୍ୟାପରିଚୟ ଦେଇ ଗୋପାଳ ରାଓ ବା ମୋହନ ଲାଲ କହିବେ । ଯଦି ପରିଚୟ ଲୁଚାଇବା କଥା ସେ ଜାଣିପାରେ ତେବେ କ’ଣ ହେବ ? ବା ପରିଚୟ ଜାଣିବାକୁ ସେ କାହିଁକି ଚାହୁଛନ୍ତି ବୋଲି ପଚାରିବେ । ଏ ଦ୍ୱନ୍ଦ୍ୱର ପରିସମାପ୍ତି ଘଟାଇ ସେ ନିଜର ସତ୍ୟ ପରିଚୟ ଦେଲେ । ସହଯାତ୍ରୀ ତାଙ୍କୁ ଆବ୍ବାସଭାଇ ବୋଲି ସମ୍ବୋଧନ କରି ଶିବାଜୀ ପାର୍କରେ ସମସ୍ତ ଅଧିବାସୀ ମିଳିତହୋଇ ସୁରକ୍ଷାଦଳ ଗଠନ ନିମନ୍ତେ ଆୟୋଜନ କରିଛନ୍ତି । ସେଠାକୁ ସେ ଯିବେ କି ନାହିଁ ବୋଲି ଜିଜ୍ଞାସା କରିବାରୁ ଆବ୍ବାସ ସାହେବ ସେଠାକୁ ଯିବାର ସମ୍ମତି ଜ୍ଞାପନ କଲେ ।

 

ସେମାନେ ସଭାରେ ଉପସ୍ଥିତ ହେଲାବେଳକୁ ଶହେ ଦେଢ଼ଶହ ଲୋକ ଉପସ୍ଥିତ ହୋଇସାରିଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆବ୍ବାସଜୀଙ୍କର ପରିଚିତ । ସେମାନେ ଆବ୍ବାସଭାଇ ବୋଲି ସାଦର ସମ୍ଭାଷଣ ଜଣାଇଲେ । ସଭା ଆରମ୍ଭ ହେଲା । ନିଜ ଅଞ୍ଚଳରେ ଶାନ୍ତି ରକ୍ଷା ନିମନ୍ତେ ଗୋଟିଏ କମିଟି ଗଠନ ପାଇଁ ପ୍ରସ୍ତାବ କରାଗଲା । ସେହି କମିଟିର ପ୍ରଥମ ସଭ୍ୟ ଭାବରେ ଆବ୍ବାସ ସାହେବଙ୍କ ନାମ ଉତ୍‌ଥାପିତ ହେଲା । ସମ୍ମତି ଜ୍ଞାପନ ନିମନ୍ତେ ଯେଉଁମାନେ ହସ୍ତୋତ୍ତୋଳନ କଲେ ସେମାନଙ୍କ ମଧ୍ୟରେ ଆବ୍ବାସଜୀ କିୟତ ସମୟ ପୂର୍ବରୁ ଯାହାଙ୍କୁ ନିଜର ହତ୍ୟାକାରୀ ବୋଲି ସନ୍ଦେହ କରି ଭୀତତ୍ରସ୍ତ ହୋଇ ଥିଲେ ସେହି ସହଯାତ୍ରୀ ଜଣକ ମଧ୍ୟ ସାମିଲ ଥିଲେ । ଆବ୍ବାସଜୀ ଭାବିଥିଲେ ସଭା ସାଙ୍ଗହେଲେ ତାଙ୍କ ପରିଚୟ ଜିଜ୍ଞାସା କରିବେ; ମାତ୍ର ଦୁଃଖ ଓ ପରିତାପର ବିଷୟ ଅଦ୍ୟାବଧି ତାଙ୍କ ପରିଚୟ ସେ ପାଇ ପାରିନାହାନ୍ତି । ଏହି ଉପଖ୍ୟାନର ସେହି ଅଜ୍ଞାତ ନାୟକ ଯେ, ଆବ୍ବାସଙ୍କ ମନରେ ମାନବିକତା ପ୍ରତି ଅଟଳ ବିଶ୍ୱାସ ଅତୁଟ ରଖିପାରି ଛନ୍ତି ସେ ତାହା ଦୃଢ଼ଭାବରେ ସ୍ୱୀକାର କରିଛନ୍ତି ।

 

ସେ ଇଂରାଜୀ ଓ ଊର୍ଦ୍ଦୁରେ ଲେଖା ଲେଖି କରନ୍ତି । ସେ ବହୁ ଗଳ୍ପ ଉପନ୍ୟାସ ରଚନା କରିଛନ୍ତି । ତନ୍ମଧ୍ୟରେ ‘ଇନ୍‌କ୍ଳାବ’ ଗୋଟିଏ ପ୍ରସିଦ୍ଧ ଉପନ୍ୟାସ । ସେଥିରେ ଜାଲିଆନାଓ୍ଵାଲାବାଗର ମର୍ମନ୍ତୁଦ ଓ ଲୋମହର୍ଷଣ ଅତ୍ୟାଚାରର ଚିତ୍ର ରୂପାୟିତ ହୋଇଛି । ଗଳ୍ପର ନାୟକ ଖୁବ୍ ପିଲାଥିଲାବେଳେ, ସେ ହତ୍ୟାଲୀଳାର ପ୍ରତ୍ୟକ୍ଷଦର୍ଶୀ । ତେଣୁ ତା ହୃଦୟରେ ଇଂରେଜ ଶକ୍ତି ବିରୁଦ୍ଧରେ ବିଦ୍ରୋହର ବୀଜ ବପନ ହେଲା । ପରବର୍ତ୍ତୀ ଜୀବନ ସେହି ଅତ୍ୟାଚାରୀ ଶକ୍ତି ବିରୁଦ୍ଧରେ ଚରମ ସଂଗ୍ରାମ ଚଳାଇବାକୁ ବଦ୍ଧପରିକର ହୋଇଉଠିଲା ।

 

ଆବ୍ବାସଜୀ ପ୍ରଥମେ ଦୈନିକ ‘ବମ୍ବେ କ୍ରିନିକ୍ଳ’ର ଚଳଚ୍ଚିତ୍ର ସମୀକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ଚଳଚ୍ଚିତ୍ର ସମୀକ୍ଷା ଏପରି ତୀକ୍ଷ୍‌ଣ ହେଉଥିଲା ଯେ, କେତେଜଣ ଚଳଚ୍ଚିତ୍ର ସହିତ ସମ୍ପୃକ୍ତ ବ୍ୟକ୍ତି ଅସନ୍ତୁଷ୍ଟ ହୋଇ ସମ୍ପାଦକଙ୍କ ନିକଟରେ ଅଭିଯୋଗ ଉପସ୍ଥାପନ କଲେ । ଏହି ସମ୍ବନ୍ଧୀୟ ଆଲୋଚନାରେ ତାଙ୍କ ସ୍ୱାଭିମାନ ଆହତ ହେଲା । ସେ ତତ୍‌କ୍ଷଣାତ୍ କାଗଜରୁ ଇସ୍ତଫାଦେଇ ଦେଲେ । ସେ ସେହି ବିଷୟବସ୍ତୁକୁ ନେଇ “ନୟା ସଂସାର” ନାମରେ ଗୋଟିଏ ଗଳ୍ପ ରଚନା କଲେ । ସେଥିରେ ପତ୍ରକାର ର ସଂଘର୍ଷମୟ କାହାଣୀ ରୂପାୟିତ । ସେହି କାହାଣୀ ବମ୍ବେ ଟକିଜ ଦ୍ଵାରା ଚଳଚ୍ଚିତ୍ର ରୂପ ନେଇ ବେଶ୍ ସୁଖ୍ୟାତି ଅର୍ଜନ କଲା । ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର । ସେ ତତ୍ପରେ ‘ନଈ ଦୁନିଆ, ନୟୀ କାହନି ଓ ନୟା ତରନା ନାମରେ ତିନୋଟି ଉପନ୍ୟାସ ରଚନା କଲେ ଯାହାକି ନବ ଯୁଗ ଚିତ୍ରନାଟ୍ୟ ଓ ପ୍ରଭାତ ପିକ୍‍ଚର୍ସ ଦ୍ଵାରା ଚିତ୍ରାୟିତ ହୋଇ ଅପୂର୍ବ ସଫଳତା ଅର୍ଜନ କଲା ।

 

“ବମ୍ବେଇ ରାତକୀବାହୋମେ” ଅନ୍ୟ ଗୋଟିଏ ଉପନ୍ୟାସ । ଉପନ୍ୟାସ ର ନାୟକ ଅମର ମଧ୍ୟ ସେହିପରି ଜଣେ ସାମ୍ବାଦିକ । ସାମ୍ବାଦିକ ଜୀବନର ସଂଘର୍ଷମୟ କାହାଣୀ ଏଥିରେ ବର୍ଣ୍ଣିତ । ଏହି କାହାଣୀ ଟି ୪୮ ଘଣ୍ଟାରେ ଘଟିଥିବା ଘଟଣା ଭାବରେ ବର୍ଣ୍ଣିତ । ବମ୍ବେର ଆଡ଼ମ୍ବର, କଳାଟଙ୍କା, ପୁଞ୍ଜିପତିର ଅଟ୍ଟୋପ ଓ ଅତ୍ୟାଚାର । ସମାଜ ବିରୋଧୀ ମାନଙ୍କ କାର୍ଯ୍ୟକଳାପ ଓ ବମ୍ବେ ର ହାୟର ସୋଷାଇଟିରେ ନଗ୍ନରୂପ–ଚିତ୍ରଣ ରେ ଲେଖକଙ୍କ ଶକ୍ତିମତ୍ତା ଉତ୍କର୍ଣ୍ଣ । ଏହି ଉପନ୍ୟାସ ରେ ଲେଖକଙ୍କ ସ୍ଵଭାବ ସୁଲଭ ବିଦ୍ରୁପ (irony) ଖୁବ୍ ତୀକ୍ଷ୍‌ଣ ଓ ପ୍ରଭାବୋତ୍ପାଦକ ହୋଇଛି ।

 

‘ଚାର ଦିଲ ଚାର ରାହେଁ’ ଉପନ୍ୟାସ ର ଶୈଳୀ ଅପୂର୍ବ । ତିନୋଟି ସ୍ଵତନ୍ତ୍ର କାହାଣୀ ବର୍ଣ୍ଣନା କରାଯାଇଛି । ଉପସଂହାରରେ ଚତୁର୍ଥ କାହାଣୀ ସୃଷ୍ଟି ହୋଇଛି । ଏହି ଉପନ୍ୟାସ ରେ ପଞ୍ଚବାର୍ଷିକ ଯୋଜନାର ପରି ପ୍ରଚାର ହୋଇଥିବା ପରି ମନେହୁଏ ।

 

‘ଡା: କୁଟନୀଶକୀ ଅମର କାହାନୀ’ର ଇଂରାଜୀ ନାମକରଣ ହେଉଛି ‘The one who did not come back’ ଜାପାନ ଦ୍ଵାରା ଚୀନ ଦେଶକୁ କଂଗ୍ରେସ ଦ୍ଵାରା ପ୍ରେରିତ ଗୋଟିଏ ଡାକ୍ତରୀ ମିଶନର ଜଣେ ସଦସ୍ୟ ହେଉଛନ୍ତି ଡାକ୍ତର କୁଟନୀଶ । ସେଠାରେ ସେ ସମ୍ମୁଖୀନ ହୋଇଥିବା ସମସ୍ୟା ଓ ଚିକିତ୍ସାଳୟରୁ କୁଟନୀଶଙ୍କ ଆତ୍ମୋତ୍ସର୍ଗ ଏଥିରେ ରୂପାୟିତ । ‘ପରଦେଶୀ’ ଉପନ୍ୟାସ ରେ ଜଣେ ରୁଷବାସୀଙ୍କ ଆଲେଖ୍ୟ ରୂପାୟିତ । ଆଫାନସୀ ରୁଷଦେଶରୁ ଆସି ଭାରତ ରେ ଭ୍ରମଣ କରୁ କରୁ ପ୍ରଣୟ ଫାଶରେ ଆବଦ୍ଧ ହୋଇ ପଡ଼ିଥିବା କଥା ଏଥିରେ ବର୍ଣ୍ଣିତ ହୋଇଛି ।

 

ସେ ବହୁ ଉପନ୍ୟାସ ଓ କାହାଣୀ ର ସ୍ରଷ୍ଟା । ଆଲୋଚିତ ଉପନ୍ୟାସ ବ୍ୟତୀତ ‘ଆଧାଇନ୍‍ସାନ’, ଅନ୍ଧେରା ଉଜାଲା, ଧରତିକେ ଲାଲ୍, ଆଜକାଲ ଓ ସହର ଔର ସପ୍‌ନା’ ପ୍ରଭୃତି ଉପନ୍ୟାସ ‘ଭାବରେ ଯେତିକି ଲୋକପ୍ରୟତା ଅର୍ଜନ କରିଛି ସେତିକି ଚିତ୍ରାୟିତରୂପ ଆମୋଦ ଦାନ କରିବା ସଙ୍ଗେ ସଙ୍ଗେ ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଛି । ତାଙ୍କ ଲିଖିତ କାହାଣୀ ଗୁଡ଼ିକ ‘ଆଜନ୍ତାକୀ ଓର’, ମେରାବେଟା ମେରା ଦୁଷ୍ମନ୍’, ‘ଜୁ ହୁ ଔର ଗୁଲାବ’ ପ୍ରଭୃତି ନାମରେ ସଂଗୃହିତ ହୋଇଛି । ‘ମେରା ନାମ ଜୋକର’ ଓ ‘ବବି’ ଚିତ୍ର ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା । ତାହାର ଇଂରାଜୀ ଓ ଉର୍ଦ୍ଧୁ ଉପନ୍ୟାସ ରୂପ ମଧ୍ୟ ପ୍ରକାଶ ପାଇଛି । କେବଳ ଗଳ୍ପ ଉପନ୍ୟାସ ନୁହେଁ ପଣ୍ଡିତ ନେହେରୁ, କୃଶ୍ଚେଭ ଓ ଇନ୍ଦିରାଗାନ୍ଧୀ ଙ୍କ ଜୀବନୀ ରଚନା ରେ ସମାନ ପାଟବ ପ୍ରକାଶ କରିଛନ୍ତି ।

 

ତାଙ୍କ ଲିଖିତ ‘ଏକ ଲଡ଼କୀ’ କାହାଣୀ ସଂଗ୍ରହ ର ଭୂମିକାରେ ସେ ଲେଖିଛନ୍ତି—ଏପରି ହାଡ଼ ମାଂସ ନିର୍ମିତ ଚାଲିବୁଲି ପାରୁଥିବା ମନୁଷ୍ୟ, ଯେ କି ଭଲ ଓ ମନ୍ଦ ର ସମନ୍ୱିତ ରୂପ, ଯେ କି ପାପ କରିବାରେ ବ୍ୟସ୍ତ, ମାନବତା ସମ୍ବନ୍ଧରେ ଅନଭିଜ୍ଞ ନୁହେଁ, ସେହି ମନୁଷ୍ୟ ଏଇଥିପାଇଁ ଓ ପ୍ରେମ କରିବା ପାଇଁ କେବଳ ବଞ୍ଚନ୍ତି ନାହିଁ, ଖାଆନ୍ତି ପିଅନ୍ତି ରୋଜଗାର କରନ୍ତି । ସେ ନଷ୍ଟ ହୋଇଯାଏ, ସମ୍ଭାଳି ମଧ୍ୟ ହୋଇଯାଏ, ନଷ୍ଟକୁ ମଧ୍ୟ ସମ୍ଭାଳି ନିଏ, ଏହି ସାମଗ୍ରିକ ମାନବତାର ରୂପ ଅଙ୍କନ ତାଙ୍କ ସାହିତ୍ୟିକ ଆଭିମୁଖ୍ୟ ବୋଲି ଉର୍ଦ୍ଧୃତାଂଶରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ । ତାଙ୍କ ଲେଖନୀ ରୁ ମାର୍କସୀୟ ଦର୍ଶନ ଶକ୍ତି, ରଙ୍ଗ, ରୂପ ଓ ରସ ଯୋଗାଇଛି ।

 

କାମ କରିବାର ଆଶ୍ଚର୍ଯ୍ୟ ଶକ୍ତିମତ୍ତା ତାଙ୍କଠାରେ ବିଦ୍ୟମାନ । ସେ ଭାରତୀୟ ଜନତା ସମ୍ବନ୍ଧରେ ଗଳ୍ପ, ଉପନ୍ୟାସ ଲେଖନ୍ତି । ରାଷ୍ଟ୍ରୀୟ ଓ ଆନ୍ତର୍ଜାତିକ ପଟ୍ଟ ଭୂମିରେ ଚିତ୍ର ପ୍ରଯୋଜନା କରନ୍ତି । ପତ୍ରପତ୍ରିକାରେ ତାଙ୍କ ବୈଶିଷ୍ଟ୍ୟ ବିଦ୍ୟମାନ । ପ୍ରସିଦ୍ଧ ବ୍ଲିଜ୍ (Blitz) ପତ୍ରିକାର ଶେଷ ପୃଷ୍ଠା (Last page) ରେ ଆବ୍ବାସ ସାହେବଙ୍କ ବ୍ୟକ୍ତିତ୍ଵ ପ୍ରତିଫଳିତ । ସାମାଜିକ କ୍ଷେତ୍ରରେ ସେ ବହୁସଭା ସମିତି ର ସଭ୍ୟ । କେବଳ କାଗଜ ପତ୍ରରେ ନୁହେଁ, ରୀତିମତ ଭାଷଣ ଦିଅନ୍ତି । ପ୍ରସ୍ତାବ କରନ୍ତି ଓ ତାହା କାମ ରେ ପରିଣତ କରିବା ନିମନ୍ତେ ଚେଷ୍ଟାରୁ ବିରତ ହୁଅନ୍ତି ନାହିଁ ।

 

ସେ ଚଳଚ୍ଚିତ୍ର ସହିତ ସଂପୃକ୍ତ ହୋଇଥିବାରୁ ଏବେ ମଧ୍ୟ ବମ୍ବେରେ ଅବସ୍ଥାନ କରୁଛନ୍ତି ।

Image

 

ବ୍ୟଙ୍ଗକାର କୃଷ୍ଣଚନ୍ଦର

 

କାଶ୍ମୀର ଉପତ୍ୟକାର ଅନିନ୍ଦ୍ୟ ନିସର୍ଗ ମାଧୁର୍ଯ୍ୟ ଓ ଦାରିଦ୍ର୍ୟର ଅପୂର୍ବ ରୂପାୟନ କୃଷ୍ଣଚନ୍ଦରଙ୍କ ଗଳ୍ପ ଉପନ୍ୟାସର ପ୍ରଧାନ ଉପଜୀବ୍ୟ ବିଷୟ । କାଶ୍ମୀରରେ ତାଙ୍କ ଜୀବନର ଅଧିକାଂଶ ଭାଗ ଅତିବାହିତ ହୋଇଥିବା ହେତୁ ସେଠାକାର ଜନ ଜୀବନ ତାଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱ ଉପରେ ଯେତିକି ପ୍ରଭାବ ବିସ୍ତାର କରିଛି ସେତିକି ପ୍ରଭାବିତ ମଧ୍ୟ କରିଛି । ଭୂସ୍ୱଗର ଆକାଶ୍ଚୁମ୍ବୀ ପର୍ବତ ମେଖଳାୟିତ, ହ୍ରଦ ଚିତ୍ରିତ, ଶ୍ୟାମଳ ଶସ୍ୟ କ୍ଷେତ୍ର ଓ କାନନ ବେଷ୍ଟିତ ପ୍ରକୃତି ଲକ୍ଷ୍ମୀଙ୍କ ହାସ୍ୟ-ଲାସ୍ୟ-ବିଳାସ ।

 

କୃଷ୍ଣଚନ୍ଦର ୧୯୧୪ ମସିହା ନଭେମ୍ବର ୨୩ ତାରିଖ ଦିନ ପୁଞ୍ଛିଠାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତା ଗୌରୀଶଙ୍କର ସେଠାରେ ଚିକିତ୍ସକ ଭାବରେ ଖ୍ୟାତି ଲାଭକରିଥିଲେ । କୃଷ୍ଣଚନ୍ଦରଙ୍କ ପ୍ରାଥମିକ ଶିକ୍ଷା ପୁଞ୍ଛିରେ ସମ୍ପନ୍ନ ହୋଇଥିଲା । ସେଠାରୁ ସେ ମ୍ୟାଟ୍ରିକ ପାଶକରି ଲାହୋର ଫରମନ ଖ୍ରୀଷ୍ଟିୟାନ୍ କଲେଜରେ ଅଧ୍ୟୟନ କଲେ । ସେଥିରେ ଅଧ୍ୟବସାୟୀ । ଜଣେ ମାଉସୀଙ୍କ ଘରେ ରହି ପଢ଼ୁଥିଲେ; ମାତ୍ର ତାଙ୍କ ଅଧ୍ୟବସାୟରେ ବାଧା ଉପୁଜିଲା । ମାଉସୀଙ୍କ ପୁଅଝିଅର ବର୍ଦ୍ଧିଷ୍ଣୁ ପରିବାର । ଗୋଳମାଳରେ ତାଙ୍କର ଅଭିନିବେଶ ଭଙ୍ଗ ହେଉଥିବାର ଅନୁଭବ କରି ସେ ହଷ୍ଟେଲକୁ ପଳାଇ ଗଲେ । ଲାହୋରରୁ ଇଂରାଜୀରେ ଏମ: ଏ: ପାଶକରି ଆଇନ ପଢ଼ିଲେ । କିନ୍ତୁ ସେ ଆଇନ ବ୍ୟବସାୟକୁ ପେଶାଭାବରେ ଗ୍ରହଣ ନକରି ସାହିତ୍ୟ ସେବାରେ ନିରତ ରହିଲେ ।

 

ତାଙ୍କର ଆଶାଥିଲା ଅଧ୍ୟୟନ ଶେଷରେ ଟ୍ରିବ୍ୟୁନ ପ୍ରକାଶନ ସଂସ୍ଥାରେ ଯୋଗଦେବେ; ମାତ୍ର ମଣିଷ ଭାବେ ପ୍ରକାରେ, ନିୟତିର ନିର୍ଦ୍ଦେଶ ମିଳେ ଅନ୍ୟ ପ୍ରକାର । ଯାହାଙ୍କ ଯାଦୁକରୀ ଲେଖନୀ ସଂସ୍ପର୍ଶରେ ଗୋଟିଏ ଭାଷାର ଅଶେଷ ମଙ୍ଗଳ ସଂସାଧିତ ହେବା ବିଧି ଅଭିପ୍ରେତ, ସେ ବା ସାମାନ୍ୟ ଚାକିରୀ କରନ୍ତେ କିପରି ?

 

୧୯୩୬ ରେ ସେ ଓକିଲାତି ପାଶ୍ କଲାପରେ ରାଜନୀତି ସହିତ ସଂଶ୍ଳିଷ୍ଟ ହୋଇପଡ଼ିଲେ । ମାର୍କସ ଦର୍ଶନ ତାଙ୍କ ଚିତ୍ତବୃତ୍ତିକୁ ଆଲୋଡ଼ିତ କଲା । ସେ ଯେ କେବଳ ସାମ୍ୟବାଦୀ ଦର୍ଶନରେ ସନ୍ତୁଷ୍ଟ ହେଲେ ତାହା ନୁହେଁ; ସନ୍ତ୍ରାସବାଦୀମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିଥିଲେ । ସେତେବେଳେ ଅହିଂସା ରାଜନୀତିରେ ଯେଉଁମାନେ ବିଶ୍ଵାସ କରୁନଥିଲେ ସେମାନେ ସଶସ୍ତ୍ର ବିପ୍ଳବ ଚାହୁଁଥିଲେ । ରକ୍ତକ୍ଷୟୀ ସଂଗ୍ରାମ ବ୍ୟତୀତ ଜୟ ପରାଜୟର ନିଷ୍ପତ୍ତିରେ ବିଶ୍ୱାସ କରିବା ସହଜ ନୁହେଁ । ଶକ୍ତିହୀନ ରାଜ୍ୟ ଶାସନ ସମ୍ବନ୍ଧରେ ବୃଦ୍ଧି ପ୍ରୟୋଗ କରିବା କେବଳ ଆକାଶୀ କଳ୍ପନା ବୋଲି ସେମାନେ ବିଶ୍ଵାସ କରି ଭୂଗର୍ଭ–ରାଜନୀତିକ କେନ୍ଦ୍ରମାନ ପ୍ରତିଷ୍ଠାକରି ସନ୍ତ୍ରାସବାଦ ଚଳାଇଥିଲେ । କୃଷ୍ଣଚନ୍ଦର ଥିଲେ ଭଗତସିଂହଙ୍କ ସହଯୋଗୀ । ଯେତେବେଳେ ଭଗତସିଂହ ଓ ଅନ୍ୟ ସହଯୋଗୀମାନେ ଧରାପଡ଼ିଲେ ସେତେବେଳେ କୃଷ୍ଣଚନ୍ଦରଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ଦୀର୍ଘ ମାସକ ପାଇଁ ସେ ଲାହୋର କିଲ୍ଲାରେ ବନ୍ଦୀଜୀବନ ଯାପନ କରିଥିଲେ । ପ୍ରାଥମିକ ତଦନ୍ତବେଳେ ତାଙ୍କ ବିରୋଧୀ ପ୍ରମାଣ ଅଭାବ ହେତୁ ତାଙ୍କୁ ଖଲାସ କରିଦିଆଯାଇଥିଲା-। ରାଜନୀତିକ ମତାଦର୍ଶକୁ ହୃଦୟର ନବପଲ୍ଲବାସନରେ ବସାଇ ପୂଜାକଲେ ମଧ୍ୟ ସେ ସକ୍ରିୟ ରାଜନୀତିରୁ ବିଦାୟନେଇ ସାହିତ୍ୟ ସେବାରେ ମନୋନିବେଶ କଲେ । ତେଣୁ ପ୍ରଗତିବାଦୀ ସାହିତ୍ୟାଦର୍ଶରେ ତାଙ୍କର ରଚନାବଳୀ ଭାସ୍ୱର ।

 

ଇସ୍‌ଲାମୀ-ଶାସନ-ଶିବିରରୁ ଯେଉଁ ଭାଷାର ଅଙ୍କୁରୋଦ୍‌ଗମ ପର୍ବ ସାଧିତ ହୋଇଥିଲା ତାହା ସାମ୍ପ୍ରତିକ କାଳରେ ବହୁଶାଖ, ବିରାଟ ମହୀରୁହ ସଦୃଶ କାୟା ବିସ୍ତାର କରି ବିଶ୍ୱଖ୍ୟାତି ଅର୍ଜନକ୍ଷମ ହୋଇଛି । ସେହି ଖ୍ୟାତି ମୂଳରେ ଯେଉଁ କରିତ୍‌କର୍ମା ମନୀଷା ବିଦ୍ୟମାନ ସେମାନଙ୍କ ମଧ୍ୟରୁ କୃଷ୍ଣଚନ୍ଦର ଅନ୍ୟତମ । ଯେତେବେଳେ ସେ ଲେଖନୀ ଧାରଣ କଲେ ସେତେବେଳେ ଉର୍ଦ୍ଦୁ କଥା ସାହିତ୍ୟ ନିଦାଘ–ନଦୀ ସଦୃଶ କ୍ଷୀଣପ୍ରାଣ । ସେତେବେଳେ ଉର୍ଦ୍ଦୁ କଥାସାହିତ୍ୟକୁ ନେତୃତ୍ୱ ଦେବାପାଇଁ ଯୋଗଜନ୍ମା ପୁରୁଷର ଅଭାବ ଥିଲା । ଅବଶ୍ୟ ପ୍ରେମଚାନ୍ଦଙ୍କ ଅଭ୍ୟୁଦୟ ପ୍ରାରବ୍‌ଧ ହୋଇଛି ଉର୍ଦ୍ଦୁ ଭାଷାରୁ । ସେ କେତେ ଖଣ୍ଡ ଉପନ୍ୟାସ ଓ ଗଳ୍ପପୁସ୍ତକ ମାତ୍ର ଉର୍ଦ୍ଦୁ ଭାଷାରେ ରଚନା କରିଥିଲେ; ମାତ୍ର ପ୍ରତିଷ୍ଠା ଅର୍ଜନ କଲାବେଳକୁ ସେ ଉର୍ଦ୍ଦୁ ସାହିତ୍ୟରୁ ବିଦାୟ ନେଇ ହିନ୍ଦୀ ସାହିତ୍ୟକୁ ଋଦ୍ଧି–ସିଦ୍ଧି ଦେବାରେ ମନୋନିବେଶ କରିଛନ୍ତି । ଯେଉଁ କେତେଜଣ ଲେଖକ ଉର୍ଦ୍ଦୁ ସାହିତ୍ୟର ପ୍ରାଣସ୍ପନ୍ଦନ ରକ୍ଷା ନିମନ୍ତେ ଉଦ୍ୟମ ନିରତ ସେମାନେ ଯୌନ–ମନୋବିଜ୍ଞାନ ଆଧାରିତ ରଚନାରେ ବ୍ୟାପୃତ । ଠିକ୍ ସେହି ସନ୍ଧି କ୍ଷଣରେ କୃଷ୍ଣ ଚନ୍ଦ୍ରର ଉର୍ଦ୍ଦୁ ସାହିତ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି । ରୁଷ ଭାଷାରେ ଯେପରି ଗର୍କିଙ୍କ ଆବିର୍ଭାବ ସେହି ସାହିତ୍ୟକୁ ନୂତନ ଦିଗ୍‌ଦର୍ଶନ ଦେଇଛି ଠିକ୍ ସେହିପରି କୃଷ୍ଣଚନ୍ଦର ସମାଜପରକ ସାହିତ୍ୟ ରଚନାରେ ମନୋନିବେଶ କରି ସାହିତ୍ୟର ଧାରାକୁ ନବୀନ ଦିଗ୍‌ଦର୍ଶନ ଦେଇଛନ୍ତିବୋଲି ଆଲୋଚକମାନେ କହନ୍ତି । (୧)

 

୧–ରବୀନ୍ଦ୍ର କାଲିୟା–ସାରିକା ୧୭ଶ ବର୍ଷ, ୧୯୬ ସଂଖ୍ୟା ।

 

ତାଙ୍କର ପ୍ରଥମ କାହାଣୀ “ଦେହଲମମେଁ ନାବପର” ୧୯୩୭ ରେ ପ୍ରକାଶ ପାଇଥିଲା-। ସେ ପ୍ରାୟ ତିନିଶହରୁ ଅଧିକ କାହାଣୀ ରଚନା କରିଛନ୍ତି । ଗଳ୍ପ ଉପନ୍ୟାସ ରଚନାରେ ତାଙ୍କର ସେ ପାଟବ ପ୍ରକାଶ ପାଇଛି ତାହା ନୁହେ, ସେ ଏକାଧାରରେ ଥିଲେ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ଚିତ୍ର ନାଟ୍ୟକାର । ତାଙ୍କ ଜୀବନର ଅଧିକାଂଶ ଭାଗ ଚଳଚ୍ଚିତ୍ର ସହିତ ସମ୍ପୃକ୍ତିରେ ବ୍ୟୟିତ ହୋଇଥିଲା । ସେ କିନ୍ତୁ ଥିଲେ ଅସାଧାରଣ ବ୍ୟଙ୍ଗକାର । ତାଙ୍କ ସାହିତ୍ୟରେ ବ୍ୟଙ୍ଗ, ବିଦ୍ରୁପ ଓ ଆଇରନୀର ଅପୂର୍ବ ବିଳାସ ପରିଲକ୍ଷିତ ହୁଏ । ସାହିତ୍ୟରେ ବ୍ୟଙ୍ଗ, ବିଦ୍ରୁପ ଓ ଆଇରନୀର ଅପୂର୍ବ ବିଳାସ ପରିଲିଖିତ ହୁଏ । ସାହିତ୍ୟରେ ଆଇରନୀର ଉପସ୍ଥିତ ଶ୍ରେଷ୍ଠ କଳାକୃତିର ପରିଚାୟକ । ଲେଖକ ଆଇରନୀ ସାହାଯ୍ୟରେ ସମାଜ ବ୍ୟବସ୍ଥାକୁ ସୁଧାରିପାରେ ବୋଲି ଆଲୋଚକମାନେ କହିଥାନ୍ତି । ସାହିତ୍ୟରେ ବ୍ୟଙ୍ଗ, ବିଦ୍ରୁପ ଶବ୍ଦ ଦେଖାଯାଏ । ଏହି ବ୍ୟଙ୍ଗ ଓ ବିଦ୍ରୂପ ଅଧିକ ତୀକ୍ଷ୍‌ଣ ଓ ଶକ୍ତିଶାଳୀ ଭାବ ବହନ କଲେ ତାକୁ ଆଇରନୀ କୁହାଯାଏ । ଇଂରାଜୀରେ ଏହି ଆଇରନୀ (irony) ଶବ୍ଦର ପ୍ରତିଶବ୍ଦ ଦେଈ ତାର ଶକ୍ତିମତ୍ତା ଓ ପ୍ରଭାବ ପ୍ରକାଶ କରାଯାଇ ପାରିବନାହିଁ । ‘ବ୍ୟଙ୍ଗ’ ‘ବିଦ୍ରୁପ’ ଶବ୍ଦ ଦେଇ ସେ ଭାବ ବୁଝାଇ ହେବନାହିଁ ଏଣୁ ଆଇରନୀ ଶବ୍ଦକୁ ସାଧାରଣତଃ ବ୍ୟବହାର କରାଯାଉଛି ।

 

ଦଳିତ, ଲାଞ୍ଛିତ, ଅବହେଳିତମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଅସୀମ ସହାନୁଭୂତି ପୂରି ରହିଥିଲା । ସେ ପଞ୍ଜାବର ମେହେନ୍ତରମାନଙ୍କୁ ସଂଘବଦ୍ଧ କରି ୟୁନୀୟନ୍ ଗଢ଼ି ସେଥିରେ ସଭାପତି ଦାୟିତ୍ଵ ବହନ କରିଥିଲେ । ସେ ମେହେନ୍ତର ବସ୍ତିକୁ ଯାନ୍ତି, ଭାଷଣ ଦିଅନ୍ତି ଓ ସେମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଯତ୍ପୋରୋନାସ୍ତି ଚେଷ୍ଟାକରନ୍ତି । ସେ ସେହି ସମୟରେ ଯେଉଁ ଗଳ୍ପ ଗୁଡ଼ିକ ରଚନା କରିଥିଲେ ତାହା ଅତ୍ୟନ୍ତ ପ୍ରଭାବଶାଳୀ, ପ୍ରତିପନ୍ନ ହୋଇଥିଲା । ‘ୟରକାନ’ ‘ଅଙ୍ଗୁର’ ‘ତିଲସ୍ମଗ୍ୟାର୍ଲ’ ‘ଦୋ ଫର୍ଲଙ୍ଗଲମ୍ବୀ ସଡ଼କ’ ପ୍ରଭୃତି ଗଳ୍ପ ସେଗୁଡ଼ିକ ମଧ୍ୟରୁ ପ୍ରଧାନ । ତାଙ୍କ ଲେଖନୀର ଯାଦୁଶକ୍ତି ସମ୍ବନ୍ଧରେ ସେ ସଜାଗ ଥିବାରୁ କାର୍ଯ୍ୟଚାପରେ ମଧ୍ୟ ଲେଖନ କାର୍ଯ୍ୟ ବାଧାଗ୍ରସ୍ତ ହେଉନଥିଲା ।

 

ଗୋଟିଏ ସଂସ୍କରଣରେ କୃଷ୍ଣଚନ୍ଦର ପ୍ରକାଶ କରିଥିଲେ ଯେ, ସେ ପିଲାବେଳେ ରାଜାଙ୍କ ଉଆସରେ ରହୁଥାନ୍ତି । ଥରେ ସେ ରୋଟି ଖାଉଥାନ୍ତି, ପାଖରେ ଦୁଧବାଟିଏ ଥୁଆ ହୋଇଥାଏ । ହଠାତ୍ କୁଆ ରୋଟିଟିକୁ ଖୁମ୍ପି ନେଇଗଲା । ଦୁଧବାଟିକୁ ମାଙ୍କଡ଼ ଧାଇ ଆସି ଛଡ଼ାଇ ନେଇ ଡ଼ିଆଁ ମାରି ଗଛକୁ ଚଢ଼ିଗଲା । ସେ କାନ୍ଦିଲେ । ହରାଇବାର କ୍ଷୋଭ ତାଙ୍କୁ ବିମଥିତ କଲା । ପରେ ଅବଶ୍ୟ ମା ଆଉ ରୋଟି ଦେଲେ ଏବଂ ଦୁଧ ମଧ୍ୟ ଦେଲେ ମାତ୍ର ସେ ଘଟଣା ଶିଶୁମନରେ ଯେଉଁ ଅଲିଭାଦାଗ ସୃଷ୍ଟି କରିଥିଲା ସମ୍ପ୍ରତି ସେ ସମାଜରେ ଛଡ଼େଇନେବାର ଚିତ୍ର ଦେଖି କ୍ଷୋଭର ସେ ଦାଗ ତାଙ୍କ ପ୍ରାଣକୁ ଶତଧା ବିଦୀଣ୍ଣ କରିଛି । ତାଙ୍କର ଅଭିଜ୍ଞତା ଯେତେ ବଢ଼ୁଛି ଅନୁଭୁତି ସେତେ ପ୍ରଚୁର ହେଉଛି । ସେ ସବୁ କ୍ଷେତ୍ରରେ ସବୁବେଳେ “ବାଢ଼ିଲା ଭାତ” ଛଡ଼ାଇ ନେବା, ଅନ୍ୟର କଷ୍ଟାର୍ଜିତ ପୁଞ୍ଜି ଅନ୍ୟର ଉଦର ପୃଥିଳତର କରୁଥିବାର ସେ ଲକ୍ଷ୍ୟ କରିଛନ୍ତି । ସମାଜରେ ଏହି ପ୍ରକ୍ରିୟା ସର୍ବଦା ଓ ସର୍ବଥା ଘଟିଚାଲିଛି । ତେଣୁ ସମାଜରେ ଦେଖାଯାଉଥିବା ମୂଲ୍ୟବୋଧର ଦୋଷ–ଦୁର୍ବଳତା, ଆଯୋଗ୍ୟତା ଓ ଅପାରତାକୁ ବିଦ୍ରୁପ ଛୁରିକାରେ ବ୍ୟବଚ୍ଛେଦ କରି ଦେଖାଇ ଦେଇଛନ୍ତି । ସେ ଜଣେ ସଫଳ ଔପନ୍ୟାସିକ । ତାଙ୍କ ଉପନ୍ୟାସରେ ପ୍ରେମର ବିପୁଳ ରଙ୍ଗୀନ୍ ଚିତ୍ର ଯେପରି ହୃଦୟଗ୍ରାହୀ ସେହିପରି ସାମାଜିକ କଳଙ୍କ ଓ ଅସ୍ଵାଚ୍ଛନ୍ଦ୍ୟର ସାବଲୀଳ ଚିତ୍ରଣ ସେହିପରି ବଳିଷ୍ଠ । କାଶ୍ମୀର ଗ୍ରାମ୍ୟ ଜୀବନର ସୁଖ, ଦୁଃଖ, ବେଦନା, ପ୍ରେମ, ପ୍ରଣୟ ଓ ପ୍ରାକୃତିକ ପରିବେଶର ଭବ୍ୟଚିତ୍ରଣ ତାଙ୍କ ଉପନ୍ୟାସକୁ ଲୋକପ୍ରିୟ କରାଇ ପାରିଛି । ତାଙ୍କ ଲିଖିତ ‘ପରାଜୟ’ ‘ଶବନମ’, ଉପନ୍ୟାସ ଏହାର ପ୍ରକୃଷ୍ଟ ଉଦାହରଣ ।

 

ସେ ଯେଉଁ ନାରୀ ଚରିତ୍ର ଚିତ୍ରଣ କରିଛନ୍ତି ତାହା ପରେ ପ୍ରଭାବ ପକାଇ ଥିବା ନାରୀତ୍ଵର ପ୍ରତୀକ ଚନ୍ଦ୍ରମୁଖୀ । ଚନ୍ଦ୍ରମୁଖୀଠାରୁ ସମାଜରେ ନାରୀତ୍ୱର ଆବଶ୍ୟକତା ସମ୍ବନ୍ଧରେ ଯେଉଁ ଝଲକ ସେ ଅନୁଭବ କରିଥିଲେ ଓ ଲକ୍ଷ୍ୟ କରିଥିଲେ ପରେ ତାଙ୍କ ସାହିତ୍ୟକ ଜୀବନ ଉପରେ ତାର ପ୍ରଭାବ ଖୁବ୍ କାର୍ଯ୍ୟକାରୀ ହୋଇପାରିଛି ।

 

ଚନ୍ଦ୍ରମୁଖୀ ସାନ ଝିଅଟିଏ । ସେ ଭାରି ସୁନ୍ଦରୀ । ସେ କୃଷ୍ଣଚନ୍ଦରଙ୍କର ସହିତ ଖେଳେ । ଚନ୍ଦ୍ରମୁଖୀର ବୟସ ତାଙ୍କଠାରୁ ଖୁବ୍ ଅଧିକ ନୁହେ । ଖେଳିଖେଳି ସେ ଥକିଗଲେ ଚନ୍ଦ୍ରମୁଖୀ କାଖେଇ ପକାଏ । କୋଳି ତୋଳିଲେ ପ୍ରଥମେ ତାଙ୍କୁ ଖୁଆଇ ପରେ ଖାଉଥିଲା । ସର୍ବୋପରି ଚନ୍ଦ୍ରମୁଖୀ ତାଙ୍କୁ ଖୁବ୍ ସ୍ନେହ କରୁଥିଲା । ଦିନେ ହଠାତ୍ ମାତ୍ର ଆଠବର୍ଷ ବୟସରେ ସେ ମରିଗଲା । ମଲାବେଳେ ସେ ତାଙ୍କ ପ୍ରତି ଯେଉଁ ଅଧିକାରିଣୀସୁଲଭ ସ୍ନେହ ଦାକ୍ଷିଣ୍ୟରେ ଧନ୍ୟ କରିଛି ତାହା କୃଷ୍ଣଚନ୍ଦର ଖୁବ୍ ଚମତ୍କାର ଭାବରେ ଗୋଟିଏ ସ୍ମୃତି କଥାରେ ବର୍ଣ୍ଣନା କରିଛନ୍ତି ।

 

କାହାଣୀର ସୃଷ୍ଟିକାରିଣୀ ନାରୀ । କୃଷ୍ଣଚନ୍ଦରଙ୍କର କଥାନୁସାରେ ପିଲାମାନେ ପ୍ରଥମେ ମା’, ଆଈମା ବା ଗୋସୋମାମାନଙ୍କଠାରୁ କାହାଣୀ ଶୁଣିଥାନ୍ତି । ହଜାର ହଜାର ବର୍ଷ ପୂର୍ବେ ବୋଧହୁଏ ମାନବଶିଶୁର ଭୟ ଦୂରୀକରଣ ପାଇଁ ନିବିଡ଼ ଅନ୍ଧକାର ରାତ୍ରିର ନିର୍ଜନ ପ୍ରହରରେ କିମ୍ବା ସୁଖଦାୟୀ କଳ୍ପନାର ଉଦ୍ଦୀପନ ପାଇଁ ବର୍ଷାମେଦୁର ଅଳସ ଅପରାହ୍ନରେ କାହାଣୀ କୁହାଯାଉଥିଲା । ମା’ ତା’ କୋଳରେ ଅଝଟ ପିଲାକୁ ଶୋଇ ପକେଇବା ନିମନ୍ତେ ଏହା କହି ଥାଇପାରେ । ଏହି ଭାବରେ ନାନା ବାୟାଗୀତ ପିଠି ଥାପୁଡ଼ାଇ ଗାନ କରାଯାଇଥିବ । ସେହି ବହଲାଗୀତ ବା ନାନାବାୟାଗୀତରେ ଆଜିକାଲି କ୍ଷୁଦ୍ରଗଳ୍ପର କ୍ଷୀଣସ୍ୱର ବିଦ୍ୟମାନ ଥିଲା । ତାହା ପରବର୍ତ୍ତୀ ଯୁଗରେ ଚେଶବ, ବିଷ୍ଣୁଶର୍ମା, ଇଶପ, ଶୋଲୋ, କୋଭ, ମୋପାସାଁ, ମମ, ପ୍ରେମଚାନ୍ଦ, ମେଣ୍ଟୋ, ଟାଗୋର ବା ରାଜେନ୍ଦ୍ର ସିଂ ବେଦୀଙ୍କ କଳାପୁର୍ଣ୍ଣ ଲେଖନୀ ସଂସ୍ପର୍ଶରେ ସର୍ବାଧୁନିକ ରୂପ ପରିଗ୍ରହ କରିଛି ।

 

ଏସିଆରେ ଭାଟ ଓ ୟୁରୋପରେ ପ୍ରାଇଭା ଡ଼େର୍ସମାନଙ୍କ ହାତରେ କାହାଣୀ କଳା ଏକୀଭୂତ ହୋଇଥିଲା । ସେମାନେ ନାନାପ୍ରକାର ସ୍ୱର ସଂଯୋଗରେ କାହାଣୀକୁ ଗାଇ ବୁଲୁଥିଲେ-। ସେତେବେଳେ କାହାଣୀ ଗାନ କରାଯାଉଥିଲା । କବିତା–କାହାଣୀ–ସଂଗୀତକୁ ଗୋଟିଏ ଛାଞ୍ଚରେ ଢାଳି ଦିଆଯାଇଥିଲା । ସେମାନେ ଯେଉଁ କାହାଣୀ ଶୁଣାଉଥିଲେ ତାହା ଶୂର, ବୀର, ରାଜପୁରୁଷ, ନାଇଟ୍‍ସ (Knights) ରାଜକୁମାରୀ ବା ସଫଳ ତଥା ଅସଫଳ ପ୍ରେମିକାମାନଙ୍କ ବିଷୟରେ ଆଧାରିତ । ଅସମ୍ଭବ ଦୈତ୍ୟମାନେ କୋମଳାଙ୍ଗୀ ସୁନ୍ଦରୀମାନଙ୍କୁ କାଠ ପଞ୍ଜୁରୀରେ ବା ଫରୁଆ ଭିତରେ ରଖୁଥିଲେ । ମଣିଷଗନ୍ଧ ମଣିଷଗନ୍ଧ ଶିକାରରେ ବାହାରୁଥିଲେ ।

 

କାହାଣୀ ସେଠାରୁ ବହୁଦୂରକୁ ଆଗେଇ ଗଲାଣି । ତା’ର ସମ୍ପର୍କ ସଂଗୀତ, କବିତା ଓ ରାଗରାଣୀଠାରୁ ଚ୍ଛିନ୍ନ ହେଲାଣି । କାହାଣୀର ଭାଷା ଏବେ ଗଦ୍ୟରେ ରୂପାୟିତ; କିନ୍ତୁ ପରୋକ୍ଷଭାବରେ ପ୍ରାଣର କେଉଁ ଅତଳ ଗହ୍ଵରରେ ସେହି ସମ୍ପର୍କର ଧ୍ଵନି ଅନୁରଣିତ ହେଉଛି ଯେ, ଆଜି ଗଳ୍ପସାହିତ୍ୟର ଯେକୌଣସି ଅଙ୍ଗର ଉତ୍ତମ ରଚନାକୁ କଦର୍ଯ୍ୟ ରଚନାଠାରୁ ପୃଥକ କରିବାରେ ସାହାଯ୍ୟ କରିପାରୁଛି । କାହାଣୀରେ ସେହି ଅନୁରଣନ ଆଜି ବି ବିଦ୍ୟମାନ ଯାହା ପୂର୍ବେ ମା’ ତାର ପିଲାପାଇଁ ଆବଶ୍ୟକ ବୋଲି ଜାଣିଥିଲା । ଅନ୍ଧାରର ଭୟ ଦୂର କରିବା, ଜୀବନର ସୁଖଦ କଳ୍ପନା ମାନବ ପ୍ରାଣରେ ଜାଗରୁକ ରଖିବା ନିମିତ୍ତ ଆଜି ବି କାହାଣୀର ଭୂମିକା ଅନସ୍ଵୀକାର୍ଯ୍ୟ ।

 

ସାମ୍ପ୍ରତିକ କାଳରେ ବହୁ ବାଦ, ପରୀକ୍ଷା-ନିରୀକ୍ଷା ବିଦେଶରୁ ଆମଦାନୀ ହେବାରେ ଲାଗିଛି । ସେହିସବୁ ଆବରଣ ଓ ଆଭରଣ ପିନ୍ଧି ସାହିତ୍ୟ ପାଠକଠାରୁ ଦୂରେଇ ଯାଉଛି । କୃଷ୍ଣଚନ୍ଦ୍ରର ପ୍ରୟୋଗବାଦ ନାମରେ ଯେଉଁ ସାହିତ୍ୟ ସୃଷ୍ଟି ହେବାରେ ଲାଗିଛି ସେ ବିଷୟରେ ଆଲୋକପାତ କରିବାକୁ ଯାଇଁ ଲେଖିଛନ୍ତି ଯେ, କାହାଣୀ କ୍ଷେତ୍ରକୁ ଏବେ କେତେ ଜଣ ନୂଆଲୋକ ଆସିଛନ୍ତି । ସେମାନେ ନିଜକୁ ‘ନବପୀଠିକା’ର ବୋଲି କୁହାଉଛନ୍ତି । ହେଲେ ସେମାନେ ଠିକ୍ ଆମରି ପରି । ଆମପରି ଲୁଗା ପିନ୍ଧନ୍ତି, ଆମପରି ଖିଅର ହୁଅନ୍ତି । ଆମେ ଯେଉଁ ଭାଷାରେ କଥା କହୁଁ ସେମାନେ ସେହି ଭାଷାରେ କଥା କହନ୍ତି । ସେମାନେ ତେଲଲୁଣର ସଂସାର ଚଳାଇବାକୁ ଊର୍ଦ୍ଧ୍ଵ, ଶ୍ୱାସରେ ଧାଇଁଥାନ୍ତି । ସାଧାରଣ ଲୋକଙ୍କ ପରି ନିଜର ଉଦ୍ଦେଶ୍ୟ ପୂର୍ତ୍ତି ନିମନ୍ତେ ତୋଷାମୋଦ ମଧ୍ୟ କରନ୍ତି । ସେମାନଙ୍କ ଜୀବନର ପ୍ରତ୍ୟେକ ବିଭାଗରେ ବ୍ୟବସ୍ଥା ଅଛି । ସନ୍ତୁଳନ ଅଛି । ଉଦ୍ଦେଶ୍ୟ, ପଥ ଓ ଲକ୍ଷ ମଧ୍ୟ ଅଛି । ଯେବେ କିଛି ନାହିଁ କେବଳ ସାହିତ୍ୟ କ୍ଷେତ୍ରରେ । ସେମାନେ ଜୀବନର ପ୍ରତ୍ୟେକ ଅଙ୍ଗରେ କୌଣସି ନା କୌଣସି ଉଦ୍ଦେଶ୍ୟକୁ ଆଗରେ ରଖିଥାନ୍ତି; ମାତ୍ର ସାହିତ୍ୟ କ୍ଷେତ୍ରରେ ତାହା ନଥାଏ । ସେମାନଙ୍କ ସହିତ କଥାବାର୍ତ୍ତା କଲେ ତାଙ୍କ ଭାବଧାରା ସହିତ ଆପଣ ପରିଚିତ ହୋଇପାରିବେ, ହୃଦୟଙ୍ଗମ କରିପାରିବେ; ମାତ୍ର ସେମାନେ କାହାଣୀ ବା ସାହିତ୍ୟ ରଚନା କଲେ କେହି ବୁଝି ପାରିବେ ନାହିଁ । ସେମାନେ କଫି ହାଉସ୍ କୁ ରାସ୍ତା ଜାଣନ୍ତି ସିନା ସାହିତ୍ୟର ନୁହେଁ । ସେମାନେ ଘରକୁ ଗଲାବେଳେ ଦୁଇ ପାଦ ଉପରେ ନିର୍ଭର କରନ୍ତି; କିନ୍ତୁ ସାହିତ୍ୟ ରଚନାବେଳେ ମୁଣ୍ଡ ସାହାଯ୍ୟରେ ଚାଲିବାକୁ ଲାଗନ୍ତି ଏବଂ ତାକୁ ଆର୍ଟ (art) ବୋଲି ଜାହିର କରନ୍ତି । ମୁଁ ସେମାନଙ୍କ ସାହିତ୍ୟିକ ନକହି ମଦାରୀ ବା ମୁଣ୍ଡପୋତା କେଳା କହେ । ସେହି ବାଜୀକରମାନେ ମୁହଁରୁ ରଙ୍ଗୀନ ଶବ୍ଦର ଫିତା ବାହାର କରନ୍ତି । ନିଜ ଥଳିରୁ ଠେକୁଆ, ଆପଣଙ୍କ ପକେଟରୁ ଅଣ୍ଡା ବାହାର କରି ଆପଣଙ୍କୁ ହତଚକିତ କରି ଛାଡ଼ି ଚାଲିଯାନ୍ତି । ପରେ ଆପଣ ଭାବନ୍ତି ଆପଣଙ୍କ ପକେଟର ଶେଷ ଚାରଣି ମଧ୍ୟ ସେହି ତାମସାର ଭେଟି ହୋଇଯାଇଛି; ମାତ୍ର ଆପଣଙ୍କୁ କିଛି ମିଳିନାହିଁ, ହଁ ଆପଣଙ୍କୁ କାହିଁକି ମିଳିବ । କାରଣ ଆପଣଙ୍କ ନେବାର କଥା ମାତ୍ର କିଛି ଦେବାର ନାହିଁ । ଆପଣ ଜାଣନ୍ତି ସମାଜରେ ଲୋକ କିଛି କାମ କରିବା କଥା । ସେହି କର୍ମର କ୍ରମ ଓ ଉଦ୍ଦେଶ୍ୟ ଥାଏ । ସେହି କର୍ମବଳରେ କାହାର ସେବା କରା ହୋଇଥାଏ ଓ ତାର ପାରିଶ୍ରମିକ ମିଳିଥାଏ । ‘କାବ୍ୟ ଯଶ ସେ ଅର୍ଥକୃତେ ବ୍ୟବହାର ବିଦେ’ ନ୍ୟାୟରେ । କିନ୍ତୁ ସାମ୍ପ୍ରତିକ କାଳରେ ସାହିତ୍ୟିକ କେବଳ ଏତିକି ଜାଣେ ଯେ, ସମାଜ ତାକୁ ଦେଉ ଏବଂ ସବୁବେଳେ ଦେଉଥାଉ; ବଦଳରେ ସେମାନେ ସମାଜକୁ କଣ ଦେଉଛନ୍ତି ସେଥିପ୍ରତି ପରବାୟ ନାହିଁ । ସେମାନେ ସାହିତ୍ୟ ରଚନା ସମୟରେ ଉଦେଶ୍ୟହୀନ ହେବେ ମାତ୍ରା ପ୍ରକାଶ ପାଇଲାବେଳେ ଉଦ୍ଦେଶ୍ୟଗ୍ରସ୍ତ ହୋଇପଡ଼ିବେ-ଅର୍ଥାତ୍ ପାରିଶ୍ରମିକ, ଖ୍ୟାତି, ସମ୍ମାନ ଓ ପ୍ରଶଂସା ପ୍ରଭୃତି ନିମନେ ଯେପରି ସାଧାରଣ ଲୋକ ସଙ୍ଘର୍ଷଶୀଳ ସେମାନେ ସେପରି ହୋଇପଡ଼ନ୍ତି ।” ସାମ୍ପ୍ରତିକ କାଳରେ ପ୍ରୟୋଗବାଦୀ କବିତା, ଗଳ୍ପ, ନାଟକ ଓ ଉପନ୍ୟାସ ଯେପରି ଅବୋଧ୍ୟ ସେହିପରି ଦୁରଧିଗମ୍ୟ । ମୁଦିଟିଏ ଖୋଜିବା ନିମନ୍ତେ ସମୁଦ୍ରବାଲି ଘାଣ୍ଟିବା ସମାନ କହିଲେ ଚଳେ । ଲେଖକ-ପାଠକଙ୍କ ଦୂରତ୍ୱ ବଢ଼ିଯାଇଥିବା ଲକ୍ଷ୍ୟ କରାଯାଇଛି । ସେହି ଲେଖକମାନଙ୍କ ପ୍ରତି ଉତ୍ସାରିତ ଏହି ବାକ୍ୟରୁ ତାଙ୍କ ବ୍ୟଙ୍ଗ–ବିଦ୍ରୂପର ସ୍ୱରୂପ ଅବଧାରଣ କରାଯାଇପାରେ ।

 

ସେ ସକ୍ରିୟ ରାଜନୀତିଠାରୁ ଦୂରରେ ଥିଲେ ମଧ୍ୟ ରାଜନୀତି ତାଙ୍କୁ ଛାଡ଼ିନଥିଲା କଲିକତାରେ ରାଜନୈତିକ ବନ୍ଦୀମାନଙ୍କୁ ସମର୍ଥନ କରି ମହିଳାମାନେ ଶୋଭାଯାତ୍ରା ୧୯୪୯ ରେ କଲିକତା ବାୟୁ ବାୟୁମଣ୍ଡଳରେ ଆଲୋଡ଼ନ ସୃଷ୍ଟି କରିଥିଲା । ଫଳରେ ଶାସନ କାଳ ତରଫରୁ ଗୁଳିକାଣ୍ଡ ଘଟିଲା । ସେତେବେଳେ କୃଷ୍ଣଚନ୍ଦର “ବ୍ରହ୍ମପୁତ୍ର” ଗଳ୍ପଟି ରଚନା କରିଥିଲେ । ୧୯୪୮ ରେ ସେନ୍‌ସରସିପ ଓ ନାଗରିକ ଅଧିକାରର ହତ୍ୟାକୁ ଲକ୍ଷ୍ୟ କରି “ବୁତଜାଗତେହୈ” ଗଳ୍ପଟି ବିରଚିତ । ୧୯୫୪ ରେ ବମ୍ବେରେ ଟେକ୍‌ସଟାଇଲ ଶ୍ରମିକମାନେ ଧର୍ମଘଟ କରିଥିଲେ ତାହାକୁ ଉପଜୀବ୍ୟ କରି “ଫୁଲସୁର୍ଖ” ଗଳ୍ପ ରଚନା କରିଥିଲେ । ଘଟିଯାଉଥିବା ଘଟଣା ଅବଲମ୍ଵନରେ ଲିଖିତ ଗଳ୍ପ ଯେପରି ଇତିହାସ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସେହିପରି ଜନଗଣ ମନରେ ଉତ୍ତେଜନା ଆଲୋଡ଼ନ ସୃଷ୍ଟି କ୍ଷେତ୍ରରେ ତାତ୍ପର୍ଯ୍ୟପୂର୍ଣ୍ଣ ।

 

କୃଷ୍ଣଚନ୍ଦର ଠିଲେ ଜଣେ ସମର୍ପିତ ସାହିତ୍ୟିକ । ସେ କାଶ୍ମୀରରେ ଗୁଲମର୍ଗ ହୋଟେଲରେ ରହି ଏକୋଇଶି ଦିନ ଭିତରେ ତାଙ୍କର ପ୍ରଥମ ଉପନ୍ୟାସ “ଶିକସ୍ତ” ରଚନା କରିଥିଲେ । ତିରିଶଟି ଉପନ୍ୟାସ ଓ ବାଇଶିଟି କାହାଣୀ ସଂଗ୍ରହରେ ତାଙ୍କର ଅସଂଖ୍ୟ କାହାଣୀରୁ କେତେଗୋଟି ପ୍ରକାଶ ପାଇଛି । ତାଙ୍କ ଲିଖିତ ଗଳ୍ପ, ଉପନ୍ୟାସ ବିଶ୍ୱର ଷାଠିଏରୁ ଅଧିକ ଭାଷାରେ ଅନୁବାଦିତ ହୋଇଛି । ଏହିକ୍ଷେତ୍ରରେ ରବୀନ୍ଦ୍ରନାଥଙ୍କ ପରେ କୃଷ୍ଣଚନ୍ଦର ଏହିପରି ଦ୍ଵିତୀୟ ଲେଖକଭାବରେ ସମ୍ମାନର ଅଧିକାରୀ ।

 

କୃଷ୍ଣଚନ୍ଦରଙ୍କ ଲିଖିତ କେତେ ଗୋଟି ଗଳ୍ପ ଉପନ୍ୟାସର ଆଲେଚୟରୁ ତାଙ୍କ ଶକ୍ତିମତ୍ତାର ପରିଚୟ ମିଳିପାରିବ । ଯାମୁନକା ପେଡ଼ ତାଙ୍କର ଗୋଟିଏ ଅନବଦ୍ୟ କାହାଣୀ । ଏଥିରେ ବ୍ୟୁରୋକ୍ରାସିକୁ ବିଦ୍ରୂପ କରାଯାଇଛି । ନାଲି ଫିତାର ବନ୍ଧନ ଭିତରେ ଦେଶର ଯୋଜନା ରୂପାୟିତ ହେଉଛି । ତାହା କେଉଁ ଶାଗକୁ କି କେଉଁ ମୁଗକୁ ହୋଇ ପାରୁନାହିଁ । ଯେଉଁ ଯେଉଁ ସମୟରେ ହେବାକଥା ବା ହେଲେ ଶୁଭଙ୍କର ହେବ, ନାଲିଫିତା ତଳେ ଚାପିହୋଇ ତାହା ଠିକ୍ ସମୟରେ ହୁଏନାହିଁ । ସେ କ୍ରୋଟେରୀଏଟଲନରେ ଜାମୁଗଛ ଝଡ଼ରେ ଉପୁଡ଼ି ପଡ଼ିଲା । ତାହା କେବଳ ଯେ ରାସ୍ତା ଅବରୋଧ କଲା ତାହା ନୁହେ ଗଛତଳେ ଜଣେ ଚାପା ପଡ଼ିଥାନ୍ତି । ସେ ପୁଣି ସାଧାରଣ ଲୋକ ନୁହଁନ୍ତି ଜଣେ କବି । ତାଙ୍କ ତ୍ରାହିତାହି ଆହ୍ୱାନ ଶୁଣି କେହି ଉଦ୍ଧାର କରିବାର ଚେଷ୍ଟାକଲେ ନାହିଁ କାରଣ ଅଫିସରେ ସେ ଗଛକାଟି ଉଦ୍ଧାର କରିବାରୁ ହେଲେ ହାକିମଙ୍କ ଅନୁମତି ଲୋଡ଼ା । ଚାଲିଲା ଫାଇଲ ଚାଷ, ଫାଇଲ ଏ ବିଭାଗରୁ ସେ ବିଭାଗକୁ ବୁଲି ବୁଲି ଶେଷରେ ତିନିଦିନ ପରେ ଗଛଟିକୁ କାଟି କବିଙ୍କୁ ଉଦ୍ଧାର କରିବାର ଆଦେଶ ମିଳିଲା । ସେତେବେଳକୁ କବିଙ୍କ ଜୀବନ ଫାଇଲ ସେପୁରକୁ ପଠାଯାଇ ସାରିଥିଲା ।

 

ଜୁତା-ମଣିଷର ମୂଲ୍ୟବୋଧ ବହୁତ ତଳକୁ ଖସିଯାଇଛି । ମଣିଷ ଅର୍ଥର ଦାସ ହୋଇଯାଇଛି । ଅର୍ଥ ଲୋଭରେ ସେ ଯାହା କରୁଛି ତାହା ସଭ୍ୟତା-ବିରୋଧୀ, ସଂସ୍କୃତି ବିରୋଧୀ ସମାଜବିରୋଧୀ ସର୍ବୋପରି ମାନବତାର ବିରୋଧୀ । ମଣିଷ ଟଙ୍କା ରୋଜଗାର କରିବା ପାଇଁ ଜୋତା ପାହାର ଖାଇବାକୁ ପ୍ରସ୍ତୁତ । ଏହି । ଜୁତା ଗଳ୍ପର ଗୋଟିଏ ଚରିତ୍ର ଶେଠ ମାତାପସାଦ ମୁହଁରେ ଲେଖକ ଗୋଟିଏ ସୁନ୍ଦର ସଂଳାପ ସଂଯୋଜନା କରିଛନ୍ତି—“ହଁ ହେ ମ୍ୟୁନସପାଲ କର୍ପୋରେସନର ଦଶ ହଜାର ଜୋତା ପାହାର ଖାଇ ଗୋଟିଏ କଣ୍ଟ୍ରାକ୍ଟ ମିଳୁଛି । ନହେଲା ନିଜ ସାଙ୍ଗଠାରୁ ପଚାଶ ପାହାର ଜୋତା ଖାଇ ଦଶ ହଜାର ଟଙ୍କା ନେଇନେବି-ମାତ୍ର ପାଞ୍ଚ ମିନିଟରେ—ଖରାପ କ’ଣ ?” କାରଣ ଟଙ୍କାଥିଲେ ସବୁକିଛି କିଣାଯାଇପାରେ । ଲେଖକଙ୍କ ଭାଷାରେ–“ପ୍ରତ୍ୟେକ ବସ୍ତୁ କିଣା ଯାଇପାରେ । ରାଜ୍ୟ, ରାଜନୀତି ଧର୍ମ, ସଭ୍ୟତା, ମାନ, ମିତ୍ରତା, ସୁନ୍ଦରତା, ପ୍ରେମ, ଜ୍ଞାନ, ଶାସ୍ତ୍ର, କବିତା ପ୍ରତ୍ୟେକ ଜିନିଷ ଉଚିତ ମୂଲ୍ୟରେ ମିଳୁଛି ।”

 

ମହାଲକ୍ଷ୍ମୀକା ପୁଲ—ଏ ଗଳ୍ପରେ ବ୍ୟଙ୍ଗର ଅସ୍ତିତ୍ୱ ଅପେକ୍ଷା ଦାରିଦ୍ର୍ୟର ଚିତ୍ରଣ ପ୍ରଣିଧାନ ଯୋଗ୍ୟ । ଗଳ୍ପ ରଚନାର କଳାଚାତୁର୍ଯ୍ୟରେ ଚମତ୍କାରିତାର ସ୍ଵାକ୍ଷର ବିଦ୍ୟମାନ, ମହାଲକ୍ଷ୍ମୀ ପୋଲର ଡାହାଣଦିଗରେ ଦୁର୍ଯ୍ୟୋୟାମାନଙ୍କ ଅଭିଜାତ ବସତି, ବାମଦିଗରେ ଦାରିଦ୍ର୍ୟ ରାକ୍ଷସୀ ନଖ ଦନ୍ତାଘାତରେ ଜୀର୍ଣ୍ଣ ଜର୍ଜରତାର ହାହାକାର । ଗୋଟିଏ ନୁଆଣିଆଁ ଘରଚାଳରେ ଛ’ ଖଣ୍ଡଶାଢ଼ୀ ଶୁଖୁଥାଏ । ସେହି ଶାଢ଼ୀର ଅଧିକାରିଣୀ ଶାନ୍ତାବାଈ, ଯମନାବାଈ ଧନ୍ନାବାଈ; ଲଢ଼ିୟା ମଞ୍ଜୁଳାଙ୍କର ପରିଚିତ । ସେମାନେ ବ୍ୟକ୍ତିଗତ ଭାବରେ ନୁହେଁ ଭାରତର ଅସୀମ ବୁଭୁକ୍ଷ୍ୟ ଓ ଦାରିଦ୍ର୍ୟର ପ୍ରତିନିଧି ବୋଲି କହିବାକୁ ହେବ । ସେହି ନାରୀଚରିତ୍ର ସମ୍ବନ୍ଧରେ ସୂଚନା ଦେଇ ସେ ଲେଖିଛନ୍ତି—“ଏହା ସେହି ଛୋଟ ଛୋଟ ଲକ୍ଷ ଲକ୍ଷ କୋଟିକୋଟି ଗୃହକୁ ସମ୍ଭାଳୁ ଥିବା ସ୍ତ୍ରୀଲୋକଙ୍କର ଶାଢ଼ୀ, ଯାହାଙ୍କୁ ଆମେ ହିନ୍ଦୁସ୍ଥାନୀ (ଭାରତୀୟ) ବୋଲି କହିଥାଉଁ ।”

 

ପରାଜୟ–କାଶ୍ମୀରର ଅପୂର୍ବ ସୌନ୍ଦର୍ଯ୍ୟ ପୃଷ୍ଠଭୂମିରେ ସାମାଜିକ ସମସ୍ୟା ପରାଜୟରେ ବିଷୟଭୂତ । ଏହି କାହାଣୀ କେବଳ ଜାମ୍ମୁ ରାଜ୍ୟର ନୁହେଁ, ସମଗ୍ର ଭାରତର ସାମାଜିକ ଅଘଟଣ, ପେଷଣ ଓ ଶୋଷଣର ଏହି ପ୍ରତିଚ୍ଛବି, ସମାଜରେ ମାମଲତକାରମାନେ ନିରୀହ, ଦୁର୍ବଳ, ଦରିଦ୍ରମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ଚାଲିଛନ୍ତି । ଆକୁମାରୀ ହିମାଚଳ ସର୍ବତ୍ର ଏହି ସମସ୍ୟାର ଜର୍ଜର । ପଣ୍ଡିତ ସ୍ୱରୂପ କିସନ ନିଜର ଅସୁନ୍ଦର ଅକ୍ଷମ ଅପାରଗ ପ୍ରତିବନ୍ଧୀ ପୁତ୍ରକୁ ସମାଜର ସ୍ଵୀକୃତି ନିମନ୍ତେ ଅବାଧରେ ଆସୁରୀଲୀଳା ଚଳାଇଛନ୍ତି । ବହୁ ନିରୀହା ଅବଳା ‘ବନ୍ତୀ ପରିସ୍ୱାର୍ଥ ଯଞ୍ଜରେ ବଳି ପଡ଼ନ୍ତି । ହିନ୍ଦୁ–ମୁସଲମାନ ବିଭେଦ ସୃଷ୍ଟିରେ ମଧ୍ୟ ସେମାନେ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । ଏହି ପରି ସମସ୍ୟା ଜର୍ଜର ତଥା ଅସଫଳ ଓ ବିଚ୍ଛେଦମୂଳକ (Tragedy) ପ୍ରଣୟ କାହାଣୀ ଉପରେ ଏହି ଉପନ୍ୟାସ ସୌଧ ଗଢ଼ି ଉଠିଛି । ପ୍ରକୃତି ଚିତ୍ରଣରେ କୃଷ୍ଣଚନ୍ଦର ଯେଉଁ ରୂପକଳ୍ପର ଆଶ୍ରୟ ନେଇଛନ୍ତି ତାହା ତାଙ୍କ କାବ୍ୟପ୍ରଣତାର ପରିଚାୟକ । ସମାଜ ପରଜ କଥା ସାହିତ୍ୟ ସ୍ରଷ୍ଟାଭାବରେ ତାଙ୍କର ବଳିଷ୍ଠତାର ସ୍ଵାକ୍ଷର ଏଥିରେ ଉତ୍କୀର୍ଣ୍ଣ ।

 

କାଗଜକୀ ନାବ—ଏହି ଉପନ୍ୟାସଟି ବ୍ୟଙ୍ଗଧମ୍ମୀ । ଏହାର ପରିକଳ୍ପନା ଓ ଶିଳ୍ପ ସୌନ୍ଦର୍ଯ୍ୟ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ । ଜନତା ମହାସ୍ରୋତରେ ଦଶଟଙ୍କିଆ ନୋଟ ହେଉଛି ନୌକା । ସମାଜର ପ୍ରତ୍ୟେକ କ୍ଷେତ୍ରରେ ତାର ଅବାଧ ପ୍ରବେଶ । ଧନୀ–ନିର୍ଦ୍ଧନ, ସାଧୁ–ଡକାୟତ, ଜୁଆଖୋର–ଦରିଦ୍ର ଓ ଚୋରା ବେପାରୀ ପ୍ରାୟ ପ୍ରତ୍ୟେକଙ୍କଠାରେ ଥିବା ସଂଗୁପ୍ତ ଚେତନାର ପରିପ୍ରକାଶ ନିମନ୍ତେ ଯୋଗସୁତ୍ର ଭାବରେ ‘ନୋଟ’କୁ ଏଠାରେ ଲେଖକ ନାୟକର ସ୍ଥାନ ଦେଇଛନ୍ତି ଧନ, କ୍ଷମତା ମଦରେ ଅନ୍ଧହୋଇ କେତେକର ପିଶାଚ ଏ ସମାଜକୁ ନଖ ଦନ୍ତାଘାତରେ କ୍ଷତାକ୍ତ–ଶୋଷଣ କରି ଚାଲିଛନ୍ତି ତା’ର ଅପୂର୍ବ ପରିଚୟ ସଂଶିତ ଉପନ୍ୟାସରୁ ମିଳିଥାଏ ।

 

ଆଲୋଚିତ ଗଳ୍ପ–ଉପନ୍ୟାସ ତାଙ୍କର ଶ୍ରେଷ୍ଠତମ ରଚନା ହୋଇନପାରେ; ମାତ୍ର ତାଙ୍କ ସାହିତ୍ୟକ ବ୍ୟକ୍ତିତ୍ଵର ଅବବୋଧ ନିମନ୍ତେ ତାହା ଯେ ବର୍ଣ୍ଣାଢ଼୍ୟ ସେତୁ ଏଥିରେ ଦ୍ୱିମତର ଅବକାଶ ନାହିଁ । ତାଙ୍କ ଲିଖିତ ଗଳ୍ପ, ଉପନ୍ୟାସ ମଧ୍ୟରେ ‘ମଟ୍ଟିକେ ସନମ୍’, ‘ପ୍ୟାସ’ ‘ସପନୋଁକୋ କୈଦୀ’ ‘ଜାମୁନକା ପେଡ଼’, ‘ପୁରେ ଚାଳକୀ ରାତ’, ଆଧ ଘଣ୍ଟେକା ଖୁଦା, ‘ସରଗମ୍’, ‘ଦିଲ୍ ଦୌଲତ୍ ଔର ଦୁନିୟା’, ‘କାଶ୍ମୀରକୀ କାହାନିୟାଁ” ପ୍ରଭୃତି କାହାଣୀ ସଂଗ୍ରହ ‘ଉଲଟାବୃକ୍ଷ’, ‘ପରାଜୟ’, ‘ମେରୀୟାଦକୀ ଚିନାର’ ‘ସିତାରୋଁ ସେ ଆଗେ’, ‘ଚାଳୀକୀ ଘାବ’ ‘ପ୍ୟାସୀଧରତୀ ପ୍ୟାସେଲୋ ବା ତଫାନ କୀ କଲିୟାଁ’, ‘ରେତକା ମହଲ’, ‘କାଗଜକୀ ନାବ’ ପ୍ରଭୃତି ଉପନ୍ୟାସ ବହୁଚର୍ଚ୍ଚିତ ଓ ପ୍ରସିଦ୍ଧ ବୋଲିବାକୁ ହେବ ।

 

ଲୋକ ସେବାକଳ୍ପେ ସେ ସଦା ଜାଗ୍ରତ । ବିହାରରେ ମରୁଡ଼ି ପଡ଼ିଥିବା ସମୟରେ ତାଙ୍କର ପ୍ରରୋଚନାରେ ଦଳେ ଲେଖକ ଭାରତର ଶିଳ୍ପସମୃଦ୍ଧ ବମ୍ୱେ ନଗରୀ ପରିକ୍ରମା କରି ଅର୍ଥ ସଂଗ୍ରହ କରିଥିଲେ । ବିହାରର ମରୁଡ଼ିଗ୍ରସ୍ତ ଲୋକଙ୍କର ଏହି ଉପକାର ତାଙ୍କରସେବା ମନୋବୃତ୍ତିର ପରିଚାରକ । ତାଙ୍କ ବାସଗୃହ ସାହିତ୍ୟିକମାନଙ୍କର ଅଡ଼୍ଡ଼ାସ୍ଥଳୀ । ତାଙ୍କ ଗୃହିଣୀ ଜଣେ ପ୍ରସିଦ୍ଧ ଗାଳ୍ପିକା । ଅଧିକାଂଶ ସମୟରେ ସାହିତ୍ୟିକମାନଙ୍କ ଆଲୋଚନା ଆସର ତାଙ୍କ ବାସଗୃହରେ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥାଏ । ୧୯୬୬ ରେ ତାଙ୍କୁ ସୋଭିୟେଟ ଲ୍ୟାଣ୍ଡ ନେହେରୁ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା । ୧୯୬୯ରେ ଭାରତସରକାର ପଦ୍ମଭୂଷଣ ଉପାଧିରେ ଭୂଷିତ କରାଇ ଥିଲେ । ପୃଥିବୀର ବହୁଦେଶ ଭ୍ରମଣ କରିବାର ସୌଭାଗ୍ୟ ସେ ଲାଭକରିଥିଲେ । ୧୯୭୭ ମସିହାରେ ତାଙ୍କର ଅମର ଆତ୍ମା ସ୍ୱର୍ଗବାସ କଲା । ଭାରତର ସାହିତ୍ୟାକାଶରୁ ଗୋଟିଏ ଅପୂର୍ବ ଜ୍ୟୋତିଷ୍ମନ ନକ୍ଷତ୍ରର ତିରୋଧାନରେ ସେ ସ୍ଥାନ ଅପୂରଣୀୟ ହୋଇଗଲା ।

Image

 

ସାହିତ୍ୟ-ସାରଦା-ଆଶାପୂର୍ଣ୍ଣା

 

ଭାରତୀୟ ମନୀଷୀଙ୍କ ମତରେ ଜନ୍ମାନ୍ତର ଫଳରେ ଅବିନାଶୀ ଆତ୍ମସତ୍ତା ବିଦ୍ୟାବୁଦ୍ଧି ବଳରେ ଅଧିକ ଧୀଶକ୍ତିସମ୍ପନ୍ନ ହୋଇଥାଏ । ନ ହେଲେ ସାମାନ୍ୟ ପରିବେଶରେ ଏକାଧିକ ଶିଶୁ ମଧ୍ୟରୁ ଜଣେ ଜଣେ କିପରି ଅସାମାନ୍ୟ ପ୍ରତିଭା-ସମ୍ପନ୍ନ ହୋଇପାରନ୍ତେ । ଏପରିକି ପ୍ରତିକୂଳ ପରିବେଶରେ ମଧ୍ୟ ସେହି ପ୍ରତିଭା କେବେ ହେଲେ ଅନୁଦ୍‌ଘାଟିତ ରହେନାହିଁ । ବଙ୍ଗୀୟ ଗାଳ୍ପିକା ଓ ଔପନ୍ୟାସିକା ଶ୍ରୀମତୀ ଆଶାପୂର୍ଣ୍ଣା ଦେବୀ ଏହିପରି ପ୍ରତିକୂଳ ପରିବେଶରେ ଲାଳିତା ପାଳିତା ହୋଇ, ଶାଶୁଘର ଲୌହ ଆବେଷ୍ଟନୀରେ ଜୀବନ ଅତିବାହିତ କରି ମଧ୍ୟ ଅଜସ୍ରସ୍ରାବୀ ଲେଖିନୀରେ, ସାର୍ଦ୍ଧଶତୀ ଗଳ୍ପ-ଉପନ୍ୟାସ-ନାଟକ କବିତା ପୁସ୍ତକର ସୃଷ୍ଟିକାରିଣୀ ହୋଇପାରିଛନ୍ତି ।

 

ଆଶାପୂର୍ଣ୍ଣା ୧୯୦୯ ମସିହା ଜାନୁଆରୀ ମାସ ଆଠ ତାରିଖ ଦିନ ମାତୁଳାଳୟ କଲିକତାର ପଟଲଡଙ୍ଗାଠାରେ ଭୂମିଷ୍ଠା ହୋଇଥିଲେ । ତାଙ୍କ ପିତା ସ୍ୱର୍ଗୀୟ ହରେନ୍ଦ୍ର ନାଥ ଗୁପ୍ତ ଥିଲେ ଚିତ୍ରଶିଳ୍ପୀ । ତାଙ୍କର ମା’ ସରଳାସନ୍ଦରୀ ଥିଲେ ‘ଲାହୋର ଟ୍ରିବ୍ୟୁନ’ ପତ୍ରିକାର ପ୍ରସିଦ୍ଧ ସମ୍ପାଦକ ଅମୃତ ଲାଲ ରାୟଙ୍କର ଭଗ୍ନୀ । ଏହି ଶିଳ୍ପୀସୁଲଭ ଉତ୍ତରାଧିକାର ତାଙ୍କଠାରେ ପରମ ରୂପାୟନ ହୋଇଛି । ଶିଳ୍ପୀ ନରେନ୍ଦ୍ର ନାଥଙ୍କ ଅଙ୍କିତ ଚିତ୍ରରେ ବହୁ ପତ୍ରିକାର ଅଙ୍ଗସଜ୍ଜା ହୋଇଥାଏ-। ବିଶେଷତଃ ‘ଭାରତବର୍ଷ’ ପତ୍ରିକାର ପ୍ରଥମ ସଂଖ୍ୟା ପ୍ରଚ୍ଛଦପଟର ଶିଳ୍ପୀ ହେଉଛନ୍ତି ହରେନ୍ଦ୍ର ନାଥ । ଏଣୁ ବହୁ ପତ୍ରପତ୍ରିକା ତାଙ୍କ ଘରକୁ ଆସିଥାଏ ।

 

ଆଶାପୂର୍ଣ୍ଣା ଶିକ୍ଷାଲାଭ କରିବା ପାଇଁ କୌଣସି ବିଦ୍ୟାଳୟ ବା ପାଠଶାଳା ବା ଶିକ୍ଷକଙ୍କର ପ୍ରତ୍ୟକ୍ଷ ସହାୟତା ପାଇପାରି ନାହାନ୍ତି । ତାଙ୍କ ପ୍ରାଥମିକ ଶିକ୍ଷା ବିଷୟରେ ସେ ନିଜେ କହନ୍ତି—“ମୋ’ ପଢ଼ା ନିମନ୍ତେ ପ‌ଇସାଏ ଖର୍ଚ୍ଚ କରି ବର୍ଣ୍ଣପରିଚୟ କିଣିବାକୁ ପଡ଼ିନାହିଁ । ପଢ଼ାଶୁଣାର କିଛି ଧରାବନ୍ଧା ନିୟମ ନଥିଲା । ମୁଁ ଭାରି ଦୁଷ୍ଟଥିଲି । ’’ ତାଙ୍କ ପିତାମହୀ ସ୍ପଷ୍ଟ ଘୋଷଣା କରିଥିଲେ, ସେ ବଞ୍ଚି ଥାଉଁ ଥାଉଁ ଖ୍ରୀଷ୍ଟାନୀ ଢ଼ଙ୍ଗରେ ମେମ ସାହେବ ବନିବା ନାତୁଣୀଙ୍କ ପକ୍ଷରେ ସମ୍ଭବପର ହେବନାହିଁ । ନାତିମାନଙ୍କୁ ନିରକ୍ଷର ରଖି ହେବନି, ଏଣୁ ନାତୁଣୀ ମାନଙ୍କ ଉପରେ ନିଷେଧାଦେଶ ଜାରି ହେବାର କଥା । ସେତେବେଳର ଭାରତୀୟ ସମାଜ ଭାରି ରକ୍ଷଣଶୀଳ ମଧ୍ୟ ଥିଲା । ଆଶାଙ୍କୁ ଲଗାଇ ଭାଇଭଉଣୀ ଦଶଜଣ । ଭାଇମାନେ ପାଠ ପଢ଼ନ୍ତି । ଆଶା ଭାଇମାନଙ୍କ ଆଗରେ ବସି ସେମାନଙ୍କ ପାଠପଢ଼ା ଦେଖନ୍ତି । ମାନବିକ ଅନୁକରଣ ପ୍ରବୃତ୍ତି ବଳରେ ଓଲଟା ଦିଗରୁ ଅକ୍ଷରମାନଙ୍କ ସହିତ ପରିଚିତା ହେଲେ । ଅକ୍ଷର ଲେଖିଦେଇ ଓଲଟା ଦିଗରୁ ଦେଖାଇଲେ ତାହା ପଢ଼ି ଯିବା ଏକ କୌତୁହଳଜନକ ବ୍ୟାପାର । ଏଣୁ ବର୍ଷୀୟାନମାନେ ଏହି ଶକ୍ତିର କୌତୁକ ବନ୍ଧୁ ମହଲରେ ପ୍ରଦର୍ଶନ ନ କଲେ ସେମାନଙ୍କ ବାହାଦୂରୀ ପ୍ରକାଶ ପାଇବ କିପରି ? ଆଶାଙ୍କୁ ଏହି କୌତୁକର ଶିକାର ହେବାକୁ ଭାରି ବାଧିଲା । ଦିନେ କକା ବହିଟିଏ ସାଧାଭାବରେ ଧରି ପଢ଼ିବାକୁ କହିଲେ । ଆଶା–ସିଧାଭାବରେ ବହିପଢ଼ି ଜାଣନ୍ତି ନାହିଁ, ଅଡ଼ୁଆରେ ପଡ଼ି ଯାଇଥାନ୍ତେ ମାତ୍ର ବହିର ସେ ଅଂଶଟି ସେ ମୁଖସ୍ଥ କରି ପକାଇଥିଲେ, ଏଣୁ ପଢ଼ି ଦେଲେ । ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ଏବଂ ସିଧାଭାବରେ ପଢ଼ି ଶିଖିବା ପାଇଁ ଦୃଢ଼ ପ୍ରତିଜ୍ଞା ହୋଇ ଖୁବ୍ କମ୍ ଦିନରେ ତାହା ସମ୍ପନ୍ନ କରି ପକାଇଲେ । ଯେଉଁ ଶିଶୁ ସାଢ଼େ ତିନିବର୍ଷରେ ସମ୍ପୂର୍ଣ୍ଣ ଅକ୍ଷର ଜ୍ଞାନ ଲାଭ କରିପାରେ, ତାକୁ ଓଲଟାକୁ ସିଧା କରିବା କେତେମାତ୍ର ! ତାଙ୍କୁ ଯେକୌଣସି ବହି ଦେଲେ ସେ ସମସ୍ତ ଦୁଷ୍ଟାମୀ ବା ଖେଳ ଛାଡ଼ିଦେଇ ପଢ଼ିବାକୁ ବସିଯାନ୍ତି । ସେ ତାଙ୍କ ଭାଇମାନଙ୍କ ସହିତ ଡାଙ୍ଗକାଉ, ଗୁଲି ଓ କ୍ୟାରମ୍ ଖେଳନ୍ତି; କିନ୍ତୁ କଣ୍ଢେଇ ନେଇ ମାଇକିନିଆ ଖେଳ ସେ ଖେଳିବାକୁ ଭଲପାନ୍ତି ନାହିଁ । କିନ୍ତୁ ମାଟିରେ, କାଠରେ କଣ୍ଢେଇ ତିଆରି କରିବା ଘର ତୋଳିବା କାମରେ ତାଙ୍କର ପାରଙ୍ଗତି ଥିଲା । ଯଦି ଘରର କତା, ନିହଣ ପ୍ରଭୃତି ଯନ୍ତ୍ରପାତି ନ ମିଳେ ମା’ କହନ୍ତି ସେ କାମ ସବୁ ଆଶାର । ସେହି ଭାଇ ଭଉଣୀମାନଙ୍କର ବାହାର ଜଗତ ସହିତ ବିଶେଷ ମିଳାମିଶା ନଥିଲା କହିଲେ ଚଳେ । ସେ ନିଜେ ଏକଥା ଗୋଟିଏ ସାକ୍ଷାତ୍‌କାରରେ ସ୍ଵୀକାର କରିଛନ୍ତି । ରବିନ୍ଦ୍ର ନାଥଙ୍କ କବିତା ମୁଖସ୍ଥ କରିବା, ଗ୍ରନ୍ଥାବଳୀ ପଢ଼ିବା ତଥା ପତ୍ରିକାମାନଙ୍କର ପ୍ରଥମ ସଂଖ୍ୟାଠାରୁ ଶେଷ ଶେଷସଂଖ୍ୟା ପର୍ଯ୍ୟନ୍ତ ପଢ଼ିବା ଭାଇ ଭଉଣୀମାନଙ୍କର ଅବସର ଯାପନର ଅବଲମ୍ବନ ଥିଲା । ଆଶାପୂର୍ଣ୍ଣାଙ୍କ ସାନଭ‌ଉଣୀ ସମ୍ପୂର୍ଣ୍ଣ ବୟସରେ ମାତ୍ର ତିନିବର୍ଷ ତାଙ୍କଠାରୁ ସାନ । ସମ୍ପୁର୍ଣ୍ଣ କହନ୍ତି ଯେ–ପିଲଖବେଳେ ତାଙ୍କର ଗୋଟିଏ ଅଦ୍‌ଭୁତ୍ ଖେଳ ଥିଲା–କବିତା ଶିଖିବା । କିଏ ଆଗେ କବିତା ମୁଖସ୍ଥ କରି ପାରିବ ସବୁବେଳେ ସମ୍ପୂର୍ଣ୍ଣା ଆଶାପୂର୍ଣ୍ଣଙ୍କଠାରୁ ହାରି ଯାଉଥିଲେ । ଏହି ଖେଳ ଯୋଗୁଁ ରବିନ୍ଦ୍ର ନାଥଙ୍କ ‘‘କଥା ଓ କାହାଣୀ’’ ଏବଂ ‘ଶିଶୁ’ କବିତା ପୁସ୍ତକ ମୁଖସ୍ଥ ହୋଇଯାଇଥିଲା ।

 

କେବଳ ରବିନ୍ଦ୍ର ନାଥଙ୍କ କବିତା ନୁହେଁ, ସାଇକେଲ, ମଧୁସୂଦନ, ହେମଚନ୍ଦ୍ର, ସତ୍ୟେନ ଦତ୍ତଙ୍କ କବିତା ତଥା ଦ୍ଵିଜେନ୍ଦ୍ର ଲାଲଙ୍କ ଦେଶପ୍ରେମ ମୂଳକ କବିତା ଓ ହାସ୍ୟୋଦ୍ଦୀପକ କବିତାଗୁଡ଼ିକ ମୁଖସ୍ଥ କରନ୍ତି । ଉପର‌ଓଳି ଘରବାରଣ୍ଡାରେ ସପ ପକାଇ ବସି ଦୁଇଭଉଣୀ କାବ୍ୟଚର୍ଚ୍ଚା କରନ୍ତି । କାହାର ମୁଖସ୍ଥ କାର୍ଯ୍ୟ କେତେଦୂର ଆଗେଇଗଲା ତାହା ପରସ୍ପର ପରୀକ୍ଷା କରନ୍ତି । କେତେବେଳେ ମୁଖସ୍ଥ କବିତା ସମସ୍ୱରରେ ଆବୃତ୍ତି କରନ୍ତି; କେତେବେଳେ ନାଟକୀୟ ରୀତିରେ ଆବୃତ୍ତି କରାଯାଏ । କଚ୍, ଦେବଯାନୀ, କୁନ୍ତୀ କର୍ଣ୍ଣ ସମ୍ବାଦ କବିତା ଆବୃତ୍ତିବେଳେ ଆଶାପୂର୍ଣ୍ଣ । କଚ ହୁଅନ୍ତି ତ ସମ୍ପୂର୍ଣ୍ଣା ଦେବଯାନୀ ବା ଆଶାପୂର୍ଣ୍ଣ । କୁନ୍ତୀ ତ ସମ୍ପୂର୍ଣ୍ଣା କର୍ଣ୍ଣ ବା କେତେବେଳେ ଓଲଟା ଭୂମିକା ନେଇ ଆବୃତ୍ତି କରିଥାନ୍ତି ।

 

ଆଶାପୂର୍ଣ୍ଣାଙ୍କୁ ଯେତେବେଳେ ମାତ୍ର ତେରବର୍ଷ ବୟସ, ସମ୍ପୂର୍ଣ୍ଣା ସେତେବେଳେ ଦଶବର୍ଷର ବାଳିକା । ଦିନେ ଆଶାପୂର୍ଣ୍ଣା ଛପିଛପି ଯାଇ ଦେଖିଲେ, ସମ୍ପୂର୍ଣ୍ଣା ସମସ୍ତଙ୍କ ଅଲକ୍ଷ୍ୟରେ କବିତା ଲେଖୁଛନ୍ତି । ସେ ନିଜେ କବିତା ଲେଖନ୍ତି ତାହା ସମ୍ପୂର୍ଣ୍ଣାଙ୍କୁ ଅବିଦିତ ନୁହେଁ; ମାତ୍ର ସମ୍ପୂର୍ଣ୍ଣା କବିତା ଲେଖିବା ବଡ଼ ଭଉଣୀଙ୍କୁ ଜଣାଇ ନାହାନ୍ତି । ଆଶାପୂର୍ଣ୍ଣା ସାନଭଉଣୀ ସହିତ ପରାମର୍ଶ କଲେ, ଉଭୟ ଲେଖିଥିବା କବିତା ଯଦି ଛପା ଅକ୍ଷରରେ ପ୍ରକାଶ ପା’ନ୍ତା କେତେ ମଜା ନ ହୁଅନ୍ତା ସତେ ! କୌଣସି ଶିଶୁ ପତ୍ରିକାକୁ ପଠାଇବାର ସିଦ୍ଧାନ୍ତ ହେଲା । ଏ ବିଷୟ ବୟୋଜ୍ୟେଷ୍ଠମାନେ ଜାଣିଲେ ବହୁତ ଅସୁବିଧା, ପ୍ରଥମତଃ ଲାଜମାଡ଼ିବ । ପୁଣି ତାହା ଯଦି ପତ୍ରିକାରେ ପ୍ରକାଶ ନପାଏ ଅପମାନଜନକ ହେବ ନିଶ୍ଚୟ । ଏଣୁ ଦୁଇଟିଯାକ କବିତା ଲେଖି ଲଫାଫାରେ ପୁରାଇ ପଠାଇବାର ବନ୍ଦୋବସ୍ତ କଲେ । ମାତ୍ର ପୋଷ୍ଟ ଅଫିସକୁ ଚିଠି ଯିବ କିପରି ? ଘର ସାମନା ରାସ୍ତା ଆରପଟେ ଲାଲ ଚିଠିବାକ୍‌ସ । ଏତେବଡ଼ ଝିଅ ରାସ୍ତାପାରିହୋଇ ପୋଷ୍ଟ ଅଫିସକୁ ଯିବା ବଡ଼ ଅସମ୍ମାନଜନକ-। ଏଣୁ ସମ୍ପୂର୍ଣ୍ଣା ଯିବା କଥା ସାର ହେଲା । ସମ୍ପୂର୍ଣ୍ଣା ଲେଖିଛନ୍ତି–“ନିସ୍ତବ୍‌ଧ ଦ୍ଵିପ୍ରହର, ବାପା ଅଫିସରେ ଭାଇମାନେ କଲେଜକୁ ଯାଇଥାନ୍ତି, ମା’ ଦିବାନିଦ୍ରାରେ ମଗ୍ନା । ଏହି ଅବସରେ ହେଲା ସେହି ଦୁରୂହ ଆଭିଯାନ । ଆଶାଦି ଦୋତାଲା ବରଣ୍ଡାରେ ଠିଆ ହେଲେ ମୋତେ ‘ଭରସା’ ଦେବା ପାଇଁ; ମୁଁ ନିଃଶବ୍ଦରେ କବାଟ ଖୋଲି ନିର୍ଜ୍ଜନ ରାସ୍ତା ପାରହୋଇ ସେହି ଲାଲ ବାକ୍‌ରେ ଚିଠି ଖଣ୍ଡିକ ପକାଇଦେଇ ଏକ ନିଶ୍ୱାସରେ ଆସି ଘରେ ପହଞ୍ଚିଲି । ଆଶାଦିଙ୍କୁ ଦେଖୁଥାଏ; ହେଲେ ଭୟରେ ମୋ’ ଗୋଡ଼ଥରୁଥାଏ ।” କେବଳ କବିତା ପ୍ରକାଶ ପାଇଲାନାହିଁ, ସମ୍ପାଦକ ରାଜକୁମାର ଚକ୍ରବର୍ତ୍ତୀ ଅନୁରୋଧ କରି ଲେଖିଲେ ଗଳ୍ପ ପଠାଇବା ନିମନ୍ତେ । ଏବେ ଆଶାପୂର୍ଣ୍ଣାଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱ ମହୀରୁହଟି ଦିବ୍ୟ ଶାଖା ପ୍ରଶାଖା ବିସ୍ତାର କରିଛି, ତାହା ସେହି “ବାଇରେରଡ଼ାକ” କବିତାଟି ‘ଶିଶୁସାଥୀ’ ପତ୍ରିକାରେ ପ୍ରକାଶ ପାଇବା ଦିନ ଅଙ୍କୁରିତ ହୋଇଥିଲା ଏବଂ ସମ୍ପାଦକଙ୍କ ସନିର୍ବନ୍ଧ ଅନୁରୋଧ ପ୍ରୋତ୍ସାହନ ସେହି ବିରାଟ ମହୀରୁହ ହେବା ନିମନ୍ତେ ଉପଯୁକ୍ତସାର ପ୍ରୟୋଗ କରାଇଥିଲା ବୋଳିବାକୁ ହେବ । ତାଙ୍କର ପ୍ରଦୀପ୍ତ ପ୍ରତିଭା ପ୍ରୋତ୍ସାହନ ଲାଭ କରି ସୂତୀକ୍ଷଣ ବର୍ଣ୍ଣବିଭା ବିମଣ୍ଡିତ ହୋଇଥିଲା ।

 

‘ଖୋକା ଖୁକୁ’ ଶିଶୁସାହିତ୍ୟ ପତ୍ରିକା ଦ୍ୱାରା ଗୋଟିଏ କବିତା ରଚନା ପ୍ରତିଯୋଗିତା ଆୟୋଜିତ ହୋଇଥାଏ; ବିଷୟବସ୍ତୁ ଥାଏ “ସ୍ନେହ”କୁ ଉପଜୀବ୍ୟ କରି କବିତା ରଚନା; ପନ୍ଦର ବର୍ଷରୁ କମ୍ ବୟସର ପିଲାମାନେ ସେଥିରେ ଭାଗନେବାପାଇଁ ନୀତି ନିର୍ଦ୍ଧାରିତ ହୋଇଥାଏ । ଆଶାପୂର୍ଣ୍ଣା ସେହି ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ପୁରଷ୍କାର ଲାଭ କରିଥିଲେ । ସମ୍ପୂର୍ଣ୍ଣା ମଧ୍ୟ ସେଥିରେ ଯୋଗଦେଇ ପୁରସ୍କୃତା ହୋଇଥିଲେ । ଏହି ସ୍ଵୀକୃତିରେ ସେମାନଙ୍କର ସାହସ ବଢ଼ିଗଲା-। ଏଣିକି କବିତା ଲେଖିବାରେ ଉଭୟ ଲାଗିପଡ଼ିଲେ । ଦିନେ ଆଶାପୂର୍ଣ୍ଣା କବିଗୁରୁ ରବୀନ୍ଦ୍ରନାଥଙ୍କୁ ଚିଠି ଲେଖି ଆଶୀର୍ବାଦ ପାଇବାକୁ ପ୍ରସ୍ତାବ ବାଢ଼ିଲେ । ଉଭୟଙ୍କ ମଧ୍ୟରେ ପରାମର୍ଶ ହୋଇ ଚିଠି ଲେଖା ଚାଲିଲା । ଅର୍ଥାତ୍ ଚିଠି ଲେଖାହୁଏ ପୁଣି ତାହା ଚିରି ଦିଆଯାଏ । କିନ୍ତୁ ଦିନେ ଦୃଢ଼ସଙ୍କଳ୍ପ ହୋଇ ଚିଠିଲେଖି ଡାକରେ ପକାଇ ଦେଲେ । ଚିଠିଟି ‘ପ୍ରବାସୀ’ ପତ୍ରିକା ଠିକଣାରେ ରବୀନ୍ଦ୍ର ନାଥଙ୍କୁ ଲେଖାଗଲା; କାରଣ କବିଗୁରୁଙ୍କ ପ୍ରକୃତ ଠିକଣା ସେମାନଙ୍କୁ ଜଣା ନଥାଏ । କିନ୍ତୁ ଭୟ ଓ ସନ୍ଦେହରେ ଦୁଇ କିଶୋରୀଙ୍କ ହୃଦୟ ଦୁଲୁଦୁଲୁ କରିଥାଏ । ଅବଶେଷରେ ଦିନେ ସେହି ଆକାଙ୍‌କ୍ଷିତ ପତ୍ରର ଉତ୍ତର ଦୁଇ କିଶୋରୀଙ୍କ ଠିକଣାରେ ଆସିଲା । ସାଇରେ ଚହଳ ପଡ଼ିଗଲା । ଘରେ ବୟୋଜ୍ୟେଷ୍ଠ–ଗୁରୁଜନମାନେ ତଟସ୍ଥ ହୋଇଗଲେ । ଏହି ସାମାନ୍ୟ ଦୁଇଟି କିଶୋରୀ ଦୋର୍ଦ୍ଦଣ୍ଡ–ପ୍ରତାପ–କବିଗୁରୁ ରବୀନ୍ଦ୍ରନାଥଙ୍କୁ କ’ଣ ଲେଖିଥିବେ ! ଯାହା ହେଉ କବୀନ୍ଦ୍ରଙ୍କ ଆଶୀର୍ବାଦ ଭରା ଛୋଟ ପତ୍ରଟି ସମସ୍ତଙ୍କୁ ଆଶ୍ୱସ୍ତ କଲା । ମହାନ୍‌ଲୋକଙ୍କର ଆଶୀର୍ବାଦ ନିଷ୍ଫଳ ହୁଏନାହିଁ । ତାଙ୍କ ଆଶିଷ ଫଳରେ ଆଶାପୂର୍ଣ୍ଣାଙ୍କର ହୁଏତ ଏପରି ଶକ୍ତିମତ୍ତା ବିକଶିତ ହୋଇପାରିଛି-

 

ଆଶାପୂର୍ଣ୍ଣା ଥରେ ଗୋଟିଏ ରୋମାଣ୍ଟିକ କବିତା ଲେଖି ମା’ଙ୍କୁ ପଢ଼ି ଶୁଣାଇଲେ । ମା’କବିତାଟି ଶୁଣି ଭାରି ଖୁସିହେଲେ । ହେଲେ ମୁହଁ ଗମ୍ଭୀର କରି ଝିଅଙ୍କୁ କହିଲେ ସେ କବିତାଟି ପତ୍ରିକାରେ ପ୍ରକାଶ ପାଇଁ ପଠାଇବା ଉଚିତ ନୁହେଁ । କାରଣ ତାହା ପ୍ରକାଶ ପାଇଲେ ହୁଏତ ଅସୁବିଧା ସୃଷ୍ଟି ହେବ । କୌଣସି ବରପାତ୍ର ସେହି କବିତା ଲେଖିକାଙ୍କୁ ବିବାହ କରିବାକୁ ସ୍ୱୀକାର କରିବେ ନାହିଁ । ଆଶାପୂର୍ଣ୍ଣା ଏ କଥା ଶୁଣି ଅବଶ୍ୟ ନିରୁତ୍ସାହ ଅନୁଭବ କଲେ; କିନ୍ତୁ ଦମିତ ହୋଇଗଲେ ନାହିଁ । ସେହି କବିତାଟି ସେ ରେଡ଼ିଓରେ ପାଠକଲେ । ବାହାଘର କିନ୍ତୁ ଅଟକି ଯାଇ ନଥିଲା । ତାଙ୍କୁ ଯେତେବେଳେ ମାତ୍ର ପନ୍ଦରବର୍ଷ ବୟସ ନଦିୟା କୃଷ୍ଣନଗରନିବାସୀ କାଳିଦାସ ଗୁପ୍ତଙ୍କ ସହିତ ତାଙ୍କର ବିବାହୋତ୍ସବ ସମ୍ପନ୍ନ ହୋଇଥିଲା । ପିତୃ ଗୃହରେ କଳ୍ପନା ବିଳାସ ନିମନ୍ତେ ଅନୁକୂଳ ପରିବେଶ ପାଇଥିଲେ । ସାହିତ୍ୟାଲୋଚନାର ବିଶେଷ ସୁଯୋଗ ଥିଲା; ମାତ୍ର ଶାଶୁଘରେ ଆଶାପୂର୍ଣ୍ଣା ପ୍ରତିକୂଳ ପରିବେଶର ସମ୍ମୁଖୀନ ହୋଇଥିଲେ । ସେତେବେଳେ ଭାରତର ପରିବାର ସମୂହ ଖୁବ୍ ରକ୍ଷଣଶୀଳ ଥିଲା; ସେପରି ଗୋଟିଏ ରକ୍ଷଣଶୀଳ ପରିବାରର ନବବଧୂ ହୋଇଯାଇଥିଲେ ମଧ୍ୟ ତାଙ୍କର ସାହିତ୍ୟାଲୋଚନାରେ ପ୍ରତିବନ୍ଧକ ସୃଷ୍ଟି ହୋଇନଥିଲା । କାଳୀଦାସ ଗୁପ୍ତଙ୍କ ଅପାର ସହାନୁଭୂତି ଓ ଉଦାରତା ଫଳରେ ଆଶାପୂର୍ଣ୍ଣାଙ୍କ ଶିଳ୍ପୀ ମାନସ ଅଧିକ ପ୍ରସାରିତ ଓ ବିକଶିତ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଶାପୂର୍ଣ୍ଣାଙ୍କଠାରେ ଏପରି ସାଧୁଜନୋଚିତ ସଦ୍‌ଗୁଣ ପରିପୂର୍ଣ୍ଣ ଥିଲା ଯେ, ତାଙ୍କୁ କେହି ବିରୁଦ୍ଧାଚରଣ କରିବାପରି ସୁଯୋଗ ପାଇବା ସମ୍ଭବ ନଥିଲା । ସେ ଘରର ସମସ୍ତ କାମଦାମ ଦାୟ ଦାୟିତ୍ଵ ଶେଷକରି ଗଭୀର ରାତ୍ରିର ଅଳସ ମୁହୂର୍ତ୍ତରେ ତଳତାଲାରେ ଥିବା ସ୍ଵାମୀଙ୍କ ଟାଇରାଇଟିଂ ସ୍କୁଲକୁ ଓହ୍ଲାଇ ଯାଉଥିଲେ । ସେଠାରେ ନିରୋଳାରେ ବସି ଲେଖାଲେଖି କରୁଥିଲେ । ନିରୋଳା ମୁହୂର୍ତ୍ତକୁ ନବବଧୂ ଯେପରି ବିତାଇବାର କଥା ତାହା ସେପରି ଅଳସ ବିଳାସରେ ବ୍ୟୟିତ ହେବା ଆଶାପୂର୍ଣ୍ଣାଙ୍କ ଦୈନନ୍ଦିନ କାର୍ଯ୍ୟ ପଦ୍ଧତି ନଥିଲା । ଏଥିନିମନ୍ତେ କାଳୀଦାସ ଗୁପ୍ତଙ୍କ ପ୍ରେରଣା ଅବଶ୍ୟ ପ୍ରଶଂସାଦାବୀ କରେ ।

 

ସଚରାଚର ଶାଶୁମାନେ ଯେପରି ରକ୍ଷଣଶୀଳା ଓ ‘ବିଶୁଦ୍ଧତା’ର ପ୍ରିୟ ହୋଇଥାନ୍ତି, ସେପରି ଶାଶୁ ନିକଟରେ ପ୍ରଶଂସାର ସହିତ କାର୍ଯ୍ୟ ସମ୍ପାଦନ କରିବା କଠିନ ହେଲେ ମଧ୍ୟ ଆଶାପୂର୍ଣ୍ଣାଙ୍କ ସେହିପରି ଜଣେ ଶାଶୁଙ୍କ ନିକଟରେ ଖୁବ୍ ଦକ୍ଷତାର ସହିତ ସମସ୍ତ ପରୀକ୍ଷାରେ ସମ୍ମୁତ୍ତୀର୍ଣ୍ଣା ହୋଇଥିଲେ । କେବଳ ଗୋଟିଏ ଦିନର ଘଟଣାକୁ ଛାଡ଼ିଦେଲେ, ଆଶାପୂର୍ଣ୍ଣାଙ୍କ ଶାଶୁଙ୍କର ବୁଦ୍ଧଦେବ ବସୁଙ୍କ ପିତାମହୀଙ୍କ ସହିତ ସୌହାର୍ଦ୍ଦ୍ୟ ଜମି ଉଠିଥିଲା । ବୁଦ୍ଧଦେବ ବସୁ ରମେଶମିତ୍ର ରୋଡ଼ରେ ଅବସ୍ଥାନ କରୁଥାନ୍ତି । ସେ ବଙ୍ଗ ସାହିତ୍ୟରେ ଜଣେ ପ୍ରଥିତଯଶା କବି ଓ ସାହିତ୍ୟିକ । ଦିନେ ଆଶାପୂର୍ଣ୍ଣା ଶାଶୁଙ୍କଠାରୁ ଏହି ସଖ୍ୟ ବିଷୟ ଅବଗତ ହେଲେ, ବୁଦ୍ଧଦେବ ବସୁଙ୍କ ସହିତ ସାକ୍ଷାତ କରିବାର ଚଳବତୀ ଆଶାଜାଗିଲା । ସେ ପୂର୍ବରୁ ତାଙ୍କୁ ପୁସ୍ତକମାନଙ୍କରୁ ଜାଣିଥାନ୍ତି । ଏହି ଆକାଙ୍‌କ୍ଷା ବିଷୟ ଶାଶୁଙ୍କୁ ନିବେଦନ କଲେ । ଶାଶୁ ତାଙ୍କ ଭୁଆସୁଣୀ ବୋହୂର ଏହି ଆଶ୍ଚର୍ଯ୍ୟକର ଅନୁରୋଧରେ ତଟସ୍ଥ ହେଲେ । ମାତ୍ର ସାହିତ୍ୟିକା ବୋହୂର ସେ ମନୋବାଞ୍ଛା ପୁରଣ ନିମନ୍ତେ ସମ୍ମତ ଜ୍ଞାପନ କଲେ । ଦିନେ ଶାଶୁଙ୍କ ସହିତ ବୁଦ୍ଧଦେବଙ୍କ ଘରେ ପହଞ୍ଚିଲେ । କବି ସେତେବେଳେ ଘରେ ନଥାନ୍ତି । ତାଙ୍କ ସହିତ ଦେଖା ହେଲାନାହିଁ । କେବଳ ତାଙ୍କ ଘରଟି ଦେଖି ଫେରି ଆସିଲେ । ଏହି ବ୍ୟର୍ଥ ସାକ୍ଷାତକାରକୁ ସାର୍ଥ କରିବା ନିମନ୍ତେ ଆଶାପୂର୍ଣ୍ଣ, ଦ୍ୱିତୀୟଥର ଚେଷ୍ଟାକରି ନାହାନ୍ତି ।

 

ଆଶାପୂର୍ଣ୍ଣା ନିଜର ସାହିତ୍ୟିକତାକୁ ଅନ୍ୟ ସମ୍ମୁଖରେ ଉପସ୍ଥାପନା ନକରି, ଏପରିକି ଅନ୍ୟମାନଙ୍କ ମନଯୋଗର ଉହାଡ଼ରେ ନିଜକୁ ସ୍ଥାପନ କରିବାର ଅଭୀପ‌୍‌ସାକୁ ଦୈନନ୍ଦିନ କର୍ମସୂଚୀର ରଚନାର ପରୋକ୍ଷ ନୀତି ଭାବରେ ପ୍ରୟୋଗ କରିଥିବା ହେତୁ ଭାବଲୋକ ଓ ବାସ୍ତବତା ମଧ୍ୟରେ ସଂଘର୍ଷ ସମ୍ଭବ ହୋଇନାହିଁ ।

 

ଆଶାପୂର୍ଣ୍ଣା ଖୁବ୍ ସରଳ ହୃଦୟା । ସରସତାଭରା ତାଙ୍କର ଜୀବନ । କେବେ ତାଙ୍କ ପରିବେଶକୁ ଗୁରୁ ଗମ୍ଭୀର ବା ଦୁଃଖ ଦୁର୍ଭାବନାରେ ଜମାଟ କରିବାକୁ ଦିଅନ୍ତି ନାହିଁ । ଯଦି କେବେ ତାଙ୍କ ପରିବାରର କେହି ମୁହଁରେ ଅମାବାସ୍ୟାର ଅନ୍ଧକାର ବୋଳି ବସିଥାଏ, ସେ ତାହା ସହ୍ୟକରି ପାରନ୍ତି ନାହିଁ । ନିଜର ସହଜ ସରସତାରେ କୌତୁକପୂର୍ଣ୍ଣ କଥାରେ ସେହି ପରିବେଶକୁ ହାସ୍ୟ ମୁଖର, କଳ କଳ ଛଳ ଛଳ କରିବାକୁ ଆପ୍ରାଣ ଉଦ୍ୟମ କରିଥାନ୍ତି । ତାଙ୍କର ଉପସ୍ଥିତ କୌତୁକବୋଧ ଅଚିନ୍ତନୀୟ । ଥରେ ଗୋଟିଏ ପ୍ରକାଶନ ସଂସ୍ଥାର ନବବର୍ଷ ଅନୁଷ୍ଠାନକୁ ଆମନ୍ତ୍ରିତା ହୋଇଥିଲେ । ଅନୁଷ୍ଠାନ ଆରମ୍ଭର କିୟତ୍ ବିଳମ୍ବରେ ଆଶାପୂର୍ଣ୍ଣ । ସସ୍ୱାମୀକ ଆସି ପହଞ୍ଚିଲେ । ସାହିତ୍ୟିକମାନଙ୍କର ସମାରୋହ, ନାନା ଲୋକଙ୍କ ସହିତ ନାନା ଭାବେ ଆଳାପ କରୁକରୁ ଅନ୍ୟମନସ୍କ ହୋଇପଡ଼ିଥିଲେ ବୋଧହୁଏ । ପାଣି ଗ୍ଲାସ ନେଇ ହାତଧୋଇଲା ବେଳକୁ ଯଣେ କେହି କହିଲେ “ପଇଡ଼ଜଳ’, ସେଥିରେ ହାତ ଧୁଅନ୍ତୁ ନାହିଁ । ସେତେବେଳକୁ ପଇଡ଼ ଜଳ ଝଳକେ ହାତରେ ପଡ଼ିସାରିଛି । ଅପ୍ରତିଭ ହୋଇଯିବାର କଥା; କିନ୍ତୁ ତାଙ୍କ ସହଜ ଯୌତୁକ ବୋଧରେ ସେ ହସିଦେଇ କହିଲେ–“ପଇଡ଼ ଜଳରେ ହାତ ଧୋଇଲେ ରାନ୍ଧଣା ସ୍ଵାଦିଷ୍ଟହୁଏ, ଜାଣନି ?” ଏହି କୌତୁକବୋଧରେ ସମସ୍ତେ ହସି ଉଠିଲେ । ପରିବେଶଟି ଗମ୍ଭୀର ନହୋଇ ଖୁବ୍ ହାଲୁକା ହୋଇଗଲା । ତାଙ୍କ ପ୍ରାଣଙ୍କୁ ଜଟିଳତା ସ୍ପର୍ଶ କରିନଥିବା ହେତୁ ସେ ଏମିତି ସରସ ପରିବେଶ ସୃଷ୍ଟିକାରିଣୀ ହୋଇପାରିଛନ୍ତି । ଜାଗତିକ ଅନାସକ୍ତି ହେତୁ ମଧ୍ୟ ଲୋକ ଏପରି ସରସ, କୌତୁକ ପ୍ରିୟ ଓ ସରଳ ହୋଇପାରେ ।

 

ଆଠେଇଶ ବର୍ଷ ବୟସରେ ସେ ପରିଣତ ବୟସ୍କମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସାହିତ୍ୟ ରଚନା ଆରମ୍ଭ କଲେ । ତତ୍ ପୂର୍ବର ସେ ଶିଶୁମାନଙ୍କ ନିମନ୍ତେ ଗଳ୍ପରଚନାରେ ବ୍ରତୀଥିଲେ । ସେ ୧୯୩୬ ରେ ପ୍ରଥମେ ଲେଖିଥିବା “ପତ୍ନୀ ଓ ପ୍ରେୟସୀ’ ଗଳ୍ପଟି ‘ଆନନ୍ଦ ବଜାର’ ରବିବାସରୀୟ କ୍ରୋଡ଼ ପତ୍ରରେ ପ୍ରକାଶ ପାଇଥିଲା । ସମ୍ପାଦକ ମନ୍ମଥ ନାଥ ସାନ୍ୟାଲ ଲେଖିବାକୁ ଉତ୍ସାହ ଦେଇ ଆହୁରି ଲେଖା ପଠାଇବାକୁ ଆମନ୍ତ୍ରଣ ଜଣାଇଲେ । ସେ ଜୀବନରେ କେବଳ ତିନିଥର ଅନାମନ୍ତ୍ରିତ ଭାବରେ ଲେଖାପଠାଇଛନ୍ତି । ତାହା ମନୋନୀତ ହୋଇ ପ୍ରକାଶପାଇଛି । ପ୍ରଥମେ ‘ଶିଶୁସାଥୀ’ରେ ତାଙ୍କର ଶିଶୁ–କବିତା ଛାପା ହୋଇଥିଲା, ଦ୍ଵିତୀୟରେ ପ୍ରବୀଣଙ୍କ ନିମନ୍ତେ ଲେଖାଗଳ୍ପ ଆନନ୍ଦ ବଜାରରେ ପ୍ରକାଶପାଇଲା । ଓ ଅନ୍ୟଟି ‘ଭାରତବର୍ଷ’ରେ ପ୍ରକାଶପାଇଥିଲା । ତାଙ୍କର ପ୍ରଥମ ପ୍ରକାଶିତ ଛାତ୍ର ‘ଜଲଆର ଆଗୁନ’ ସାମ୍ପ୍ରତିକ କାଳରେ କେତେଜଣ ସାହିତ୍ୟିକ ମ୍ମନ୍ୟ ଅର୍ବାଚୀନ ହଠାତ୍‌ ତୁଙ୍ଗତମ ଆସନରେ ରାଜାରାତି ଅଧିରୂଢ଼ ହେବାନିମନ୍ତେ ଯେପରି ଚକ୍ରାନ୍ତ ଓ ପ୍ରଚାର ଚଳାଇଛନ୍ତି, ସେପରି ପ୍ରଲୋଭନ ପଛରେ କେବେ ଆଶାପୂର୍ଣ୍ଣା ଗୋଡ଼ାଇ ନାହାନ୍ତି । ତାଙ୍କ ଲେଖନୀ ଅଜସ୍ରସାବୀ । ସେ ଲେଖିଯାଉଛନ୍ତି ଏବଂ ଲେଖି ଲେଖି ଶାନ୍ତି ପାଉଛନ୍ତି । ସ୍ରଷ୍ଟା ମାନସ ସୃଷ୍ଟିଶୀଳତାରୁ ହିଁ ଶାନ୍ତି ଓ ଆନନ୍ଦ ପାଇଥାଏ । ତାଙ୍କ ପରିବାର ଲୋକ କହନ୍ତି–ଯଦି ସେ ସାଂସାରିକ ଜଞ୍ଜାଳ ଭିତରେ ନିଜକୁ ଓତଃପ୍ରୋତ ନକରି କେବଳ ଲେଖିବାରେ ମନୋନିବେଶ କରିଥାନ୍ତେ ତେବେ ଏହି ପରିମାଣ ଖୁବ୍ ଅଧିକ ହୋଇପାରନ୍ତା । ମାତ୍ର ସେ ପାରିବାରିକ, ସାମାଜିକ ଦାୟ–ଦାୟିତ୍ଵ ବା କର୍ତ୍ତବ୍ୟକୁ କେବେ ଅବହେଳା କରନ୍ତି ନାହିଁ । ଲେଖୁଛନ୍ତି କହି କୌଣସି କାର୍ଯ୍ୟକୁ ବା କୌଣସି ଦର୍ଶନ ପ୍ରାର୍ଥକୁ ଉପେକ୍ଷା କରିବାର କେବେ କେହି ଦେଖି ନାହାନ୍ତି । ବାହାର ସମାଜକୁ ନେଇ ଯେଉଁମାନେ ଚଳନ୍ତି ସେମାନେ ଜାଣନ୍ତି ଏହାର ଗୋଟିଏ ଦିଗ ଗୌରବମୟ ଅନ୍ୟଟି ବିଡ଼ମ୍ବନାପୂର୍ଣ୍ଣ । ଏହି ବିଡ଼ମ୍ବନାପୂର୍ଣ୍ଣ ଦିଗଟିକୁ ସମସ୍ତେ ଏଡ଼େଇ ଯିବାକୁ ଚାହାନ୍ତି, ଏହା ସ୍ଵାଭାବିକ । ନିଜକୁ ଲୁଚାଇବାକୁ ଯାଇଁ ସମୟେ ସମୟେ ଚକ୍ଷୁଲଜ୍ଜାର ମାୟାକାଟି ନିଜକୁ କିଛିଟା ନିମ୍ନ ସ୍ତରକୁ ନିଆଯାଏ, କେବେ କେବେ କାହାକୁ ଆଘାତ ଦେଇ ସେ ଆଡ଼ୁ ଆଖି ଫେରାଇ ନେବାକୁ ହୁଏ । କିନ୍ତୁ ଆଶାପୂର୍ଣ୍ଣା ଦେବୀଙ୍କ ନିକଟରେ ଏପରି କାର୍ଯ୍ୟ ଅସମ୍ଭବ । ମନର କୌଣସି ଗ୍ଳାନି ପ୍ରକାଶ ପାଇବାକୁ ସେ ଦିଅନ୍ତିନାହିଁ । ସେଥିପାଇଁ ତାଙ୍କୁ ଯେତେ ତ୍ୟାଗ ସ୍ୱୀକାର କରିବାକୁ ପଡ଼ୁପଛେ ତାହା ସେ କରିବାକୁ ପ୍ରସ୍ତୁତ । ଏ ସମ୍ବନ୍ଧରେ ତାଙ୍କ ପୁତ୍ରବଧୁ କହନ୍ତି “ଯେ ସାମାଜିକ କର୍ତ୍ତବ୍ୟ ପାଳନ କରିବାକୁ ଯାଇଁ ସରସ୍ଵତୀଙ୍କ ପ୍ରତି କେତେକଟା କର୍ତ୍ତବ୍ୟହାନୀକୁ ହୁଏତ ସେ ମାନିନେବେ । ଆମ୍ଭମାନଙ୍କର ଦୁର୍ବୁଦ୍ଧି ପ୍ରଣୋଦିତ ପ୍ରରୋଚନାରେ ମଧ୍ୟ ମାଙ୍କୁ କେବେ ଦେଖିନାହିଁ ଅତିଥିଙ୍କୁ ବସାଇ ରଖି ମା’ ଲେଖାଶେଷ କରିବାକୁ ଉଠିଯାନ୍ତି ବା ହାବ ଭାବରେ ପ୍ରକାଶ କରନ୍ତି ଯେ ସେମାନଙ୍କ ଉପସ୍ଥିତି ହେତୁ ମା’ଙ୍କର ସମୟ ନଷ୍ଟ ହେଉଛି । ଗୋଟିଏ ଘଟଣାରୁ ତାଙ୍କର ଏହି ଗୁଣର ସମ୍ୟକ୍, ପରିଚୟ ମିଳିବ । ପୂଜାବିଶେଷାଙ୍କ ନିମନ୍ତେ ସମ୍ପାଦକ ଲେଖା ପାଇଁ ତରତର ହେଉଥାନ୍ତି । ଲେଖା ସେଦିନ ଶେଷ କରିବାକୁ ପଡ଼ିବ, ସଂଧ୍ୟା ବେଳକୁ ଲୋକ ଆସି ନେଇଯିବ ବୋଲି କଥାଥାଏ । ଆଶାପୂର୍ଣ୍ଣା ଲେଖିବାରେ ବ୍ୟସ୍ତ, ପନ୍ଦର ବର୍ଷ ତଳେ ଗାଁରେ ଥିବାବେଳେ ଚାରୁଥିଲା ଚାକରାଣୀ । ସେ ତା’ର ପୁରୁଣା ଖାଉନ୍ଦାଣୀଙ୍କୁ ଦେଖାକରିବାକୁ ଆସି, ଆଶାପୂର୍ଣ୍ଣ ଲେଖାରେ ବ୍ୟସ୍ତଥିବା ବେଳେ, ପହଞ୍ଚିଲା । ଲେଖାରେ ସେଇଠି ପୂର୍ଣ୍ଣଛେଦ ପଡ଼ିଲା । ସେ ଉଠିଆସି ଚାରୁ ସହିତ ଆଳାପ କଲେ । ତା’ର ଅନୁନାସିକ ସ୍ଵରରେ ଗଳ୍ପ ମେଲିଦେଲା । ଚା’ ଜଳଖିଆ ତ ଖାଇବାକୁ ଦେଲେ, ପୁରୁଣା ଲୁଗାଟ୍ରଙ୍କରୁ ସାୟା, ସେମିଜ ଓ ସଦ୍ୟବିବାହିତା ତା’ କନ୍ୟା ନିମନ୍ତେ ଶାଢ଼ୀ ବାହାର କରିଦେଲେ । ତା’ ଦେଢ଼ଶ୍ୱର ଝିଅର ଅଷ୍ଟମଗର୍ଭର ସନ୍ତାନ ନିମନ୍ତେ ଯାହା ଦେବାର କଥା ତାହା ମଧ୍ୟ ବାଦ ପଡ଼ିଲା ନାହିଁ । ଏତେ କଷ୍ଟ କରି ଆସିଛି ବୋଲି ବସ୍‌ ଭଡ଼ାଟା ମଧ୍ୟ ହାତରେ ଗୁଞ୍ଜି ଦେଲେ । ବିଦାୟ ଦେବା ବେଳକୁ ଦୁଇଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ତାଙ୍କ ହାତରୁ ଉଭେଇ ଯାଇଥାଏ । ସମ୍ପାଦକଙ୍କୁ ଫୋନରେ ଜଣାଇ ଦେଲେ “ବିଶେଷ କାରଣ” ହେତୁ ଲେଖା ଶେଷ ହୋଇନାହିଁ । ପରଦିନ ଲୋକ ଆସି ଲେଖା ନେଇଯିବ । ଏପରି ମାନବ–ବରଦୀ ନ ହେଲେ ଲୋକଚରିତ୍ର ଅନୁଧ୍ୟାନ, ବିଶ୍ଳେଷଣ ଓ ଚିତ୍ରଣ ସମ୍ଭବ ହୁଅନ୍ତା କିପରି ? ମାନବିକତାକୁ ସେ ଖୁବ୍ ଉଚ୍ଚସ୍ଥାନ ଦିଅନ୍ତି । ଏହାର ଅଭାବ ଯଦି ସେ ଆତ୍ମୀୟ ସ୍ୱଜନଙ୍କଠାରୁ ଉପଲବଧି କରନ୍ତି ତେବେ ଖୁବ୍ ଦୁଃଖପା’ନ୍ତି ବୋଲି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ କହନ୍ତି ।

 

ଆଶାପୂର୍ଣ୍ଣାଙ୍କ ଲେଖା ଖୁବ୍ ସରସ, ସେଥିରେ ଶାଣିତ ବିଦ୍ରୂପର ସ୍ଵର ବିଦ୍ୟମାନ; ମାତ୍ର ତାହା ତୀବ୍ର ନୁହେଁ, କୋମଳ । ବଙ୍ଗୀୟ ମଧ୍ୟବିତ୍ତ ପରିବାର ବା ଯୌଥ ପରିବାର ଚିତ୍ରଣ ତାଙ୍କ ଉପନ୍ୟାସର ଗୋଟିଏ ଚମତ୍କାର ବିଭାବ । ସାହିତ୍ୟରେ ତଥ୍ୟ, ଦର୍ଶନ, ସମସ୍ୟା ପ୍ରାଧାନ୍ୟ ଲାଭ କଲେ ତାହା ଶୈଳ୍ପିକ ଦୃଷ୍ଟିକୋଣରୁ ଯାହା ହେଉ ରସସୃଷ୍ଟିରେ ଯଦି ଆଶାନୁରୂପ ସଫଳତା ଅର୍ଜନ ନ କରେ, ତେବେ ଲକ୍ଷ୍ୟଚ୍ୟୁତ ହୋଇ ଯିବାର ଯଥେଷ୍ଟ ସମ୍ଭାବନା ବିଦ୍ୟମାନ । ବଙ୍ଗୀୟ ସାହିତ୍ୟରେ ଶରତଚନ୍ଦ୍ର ଯେପରି ରିସୋତ୍ତୀର୍ଣ୍ଣ ରଚନାରେ ପାରଦର୍ଶୀ ଥିଲେ, ଆଶାପୂର୍ଣ୍ଣା ଯେପରି ରସବନ୍ତ ଉପନ୍ୟାସ ରଚନାରେ ଧରୀଣତା ଅର୍ଜ୍ଜନ କରିଛନ୍ତି, ଆଶାତୀତ ଲୋକ ପ୍ରିୟତା ଅର୍ଜନ କରିଛନ୍ତି, ତାହା ଗୋଟିଏ ଘଟଣାରୁ ଉପଲବ୍‌ଧି କରାଯାଇପାରେ । ବାସନ୍ତୀ ଦେବୀ ମହିଳା କଲେଜର ଛାତ୍ରୀମାନେ ଗୋଟିଏ ସାଂସ୍କୃତିକ ଅନୁଷ୍ଠାନ ଆୟୋଜନ କରିଥା’ନ୍ତି । ଅଗ୍ରଗାମୀ ତରୁଣ ଔପନ୍ୟାସିକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ ଓ ଆଶାପୂର୍ଣ୍ଣା ଦେବୀ ସେହି ଅନୁଷ୍ଠାନକୁ ଆମନ୍ତ୍ରିତ ହୋଇଥାନ୍ତି । ଶୀର୍ଷେନ୍ଦୁ ମୁଖାର୍ଜୀ କଲିକତାର ଯାଦବପୁରରେ ଓ ଆଶାପୂର୍ଣ୍ଣା ଆହୁରି ଦକ୍ଷିଣରେ ଅବସ୍ଥିତ ଗଡ଼ିୟାରେ ରହୁଥା’ନ୍ତି । ଉତ୍ସବଦିନ ସେମାନଙ୍କ ଅଞ୍ଚଳରେ ଗୋଳମାଳ ସୃଷ୍ଟି ହେଲା । ଉପରଓଳି ବନ୍ଦ ଆହ୍ଵାନ କରାଗଲା, ଗାଡ଼ି ଚଳାଚଳ ବନ୍ଦ । ତେବେ ବି ଦୁଇଜଣ, ସାହସୀ ଝିଅ ଯଥାସମୟରେ ଶୀର୍ଷେନ୍ଦୁ ମୁଖାର୍ଜୀଙ୍କ ଘରେ ପହଞ୍ଚିଲେ । ତାଙ୍କୁ ନେଇ ସେମାନେ ଆଶାପୂର୍ଣ୍ଣାଙ୍କ ଘରକୁ ଗଲେ । ରାସ୍ତାରେ ଦେଖାଗଲା, ଅବସ୍ଥା ବିପଦଜ୍ଜନକ । ଭଙ୍ଗାକାଚ ଇଟା, ପଥରଖଣ୍ଡମାନ ଓ ଭଙ୍ଗା ବ୍ୟାରିକେଡ଼ ସବୁ ଜମା ହୋଇଥାଏ । ରାସ୍ତା ଶୁନଶାନ୍ । ଟ୍ୟାକ୍‌ସିବାଲା ବଙ୍ଗାଳୀ, ସେ ଯାଉ ନଥିଲା; ମାତ୍ର ସେମାନେ ବହୁ ଅନୁନୟ ବିନୟ କରି କହିଲେ ଓ ସାହାସ ଦେଲେ; ଅନିଚ୍ଛା ସତ୍ତ୍ୱେ ଗଲା ଆଶାପୂର୍ଣ୍ଣ ଙ୍କ ଘର ଆଗରେ ଗାଡ଼ି ଅଟକିବାରୁ ଝିଅ ଦୁଇଟି ଘର ଭିତରକୁ ଧାଇଁ ଚାଲିଗଲେ । କାହାରି ବିଶ୍ୱାସ ନଥିଲା ଏପରି ସଙ୍କଟ ଜନକ ପରିସ୍ଥିତି ରେ ଆଶାପୂଣ୍ଣା ଆମନ୍ତ୍ରଣ ରକ୍ଷାକରି ଯିବାକୁ ରାଜି ହେବେ ବୋଲି । ଡେରି ହେଉଥିବା ଦେଖି ଟ୍ୟାକ୍‌ସିବାଲା ତରତର ହେଉଥାଏ । ବିରକ୍ତି ପ୍ରକାଶ କରିବାରୁ ଶିର୍ଷେନ୍ଦୁ ମୁଖାର୍ଜୀ ଟ୍ୟକ୍‌ସିବାଲା କୁ କହିଲେ–“ତୁମେ କାହାକୁ ନେବାକୁ ଆଶିଚ ଜାଣ ? –ସେ ହେଉଛନ୍ତି ବିଶିଷ୍ଟ ଔପନ୍ୟାସିକା ଆଶାପୂର୍ଣ୍ଣା ଦେବୀ । ସେ ନାଆଁ ଶୁଣିଲା ମାତ୍ରେ ପାଣି ଢାଳି ଦେଲେ ନିଆଁ ଲିଭି ଗଲା ପରି ଗାଡ଼ି ଚାଳକ ସେହିପରି ଚୁପ୍ ହେଇଗଲା । ଆଶାପୂର୍ଣ୍ଣା କିନ୍ତୁ ଦୂର୍ଯୋଗମୟ ସ୍ଥିତିକୁ ନଡ଼ରି ଯାଇ ଉତ୍ସବ ରେ ଯୋଗ ଦେଇଥିଲେ । ଏହି ଉପାଖ୍ୟାନ ରୁ ଜଣାଯାଏ, ଆଶାପୂର୍ଣ୍ଣା ଙ୍କ ପ୍ରତି ସମ୍ଭ୍ରମବୋଧ ବିପଦଜନକ ସ୍ଥିତିରେ କେବଳ ତାଙ୍କ ସାହିତ୍ୟିକ ବ୍ୟକ୍ତିତ୍ଵ ଯୋଗୁ ସମ୍ଭବ ହୋଇପାରିଛି । ପି.ଇ.ଏନ. କ୍ଳବର ପଶ୍ଚିମ–ବଙ୍ଗ ଶାଖାର ଉପସଭା ନେତ୍ରୀତ୍ଵ ତାଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱର ପଖ୍ୟାପକ ।

 

କେବଳ ଭାରତରେ ନୁହେଁ ସେପରି ବଙ୍ଗଳା ରେ ଆଶାପୂର୍ଣ୍ଣା ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି । ପ୍ରଶଂସା ସୂଚକ ବହୁ ଚିଠିପତ୍ର ତାଙ୍କ ପାଖକୁ ଆସେ, ତା’ ସହିତ ଆସେ ଯୁବକ ମାନଙ୍କ ପ୍ରେମପତ୍ର । ସେମାନେ ବୋଧହୁଏ ଅନୁମାନ କରିଛନ୍ତି ଲେଖିକା ଜଣେ ଯୁବତୀ, ସେମାନେ ଜାଣନ୍ତି ନାହିଁ ଯେ ଲେଖିକା ସେମାନଙ୍କ ବାପା ମାଆ ଙ୍କ ବୟସର ବୃଦ୍ଧା ବୋଲି । ହୁଏତ ଆଶାପୂର୍ଣ୍ଣା ଙ୍କ ଲେଖାରେ ଯୌବନଦିପ୍ତ ଉଷ୍ମ ତାଙ୍କ ଲେଖାରୁ ଅନୁଭବ କରି ତାଙ୍କୁ ଜଣେ ତରୁଣୀ ବୋଲି ଭାବିଛନ୍ତି ।

 

ଆଶାପୂର୍ଣ୍ଣା ଙ୍କ ଲେଖନୀ ଅଜସ୍ର ସ୍ରାବୀ । ତାଙ୍କର ଏହି ଅଜସ୍ର ଲେଖାରେ ପୁନରୁକ୍ତି ବା ସମାନ ଚିତ୍ରଣ ନ ଥିବା ହିଁ ବୈଶିଷ୍ଟ୍ୟ । ତାଙ୍କ ଗଳ୍ପ ଉପନ୍ୟାସ ଗୁଡ଼ିକରେ ବଙ୍ଗୀୟ ମଧ୍ୟବିତ୍ତ ପରିବାରର ସୁଖ–ଦୁଃଖ, ଆନନ୍ଦ, ବେଦନା,ସମସ୍ୟା, ପ୍ରେମ,ଦ୍ୱନ୍ଦ ମୟ ଜୀବନର ଅନବଦ୍ୟ ଚିତ୍ରଣ ପରିଲକ୍ଷିତ ହୁଏ । ଅନ୍ୟାନ୍ୟ ବଙ୍ଗୀୟ ଲେଖକ, ଗାଳ୍ପିକ ଓ ଔପନ୍ୟାସିକ ମଧ୍ୟବିତ୍ତ ଜୀବନ ଚରିତ୍ର ପ୍ରଦାନ କରିଛନ୍ତି; ମାତ୍ର ନାରୀ ଭାବରେ ଲେଖିକା ଖୁବ୍ ନିକଟରୁ ସେହି ମଧ୍ୟବିତ୍ତ ଜୀବନକୁ ଦେଖିଛନ୍ତି ଓ ଦେଖାଇଛନ୍ତି, ତାଙ୍କ କାହାଣୀର ବିଷୟବସ୍ତୁ ଅଭିନବ ନୁହେଁ । ସେ କୌଣସି ଅଜଣା ଚମକପ୍ରଦ ବିଷୟ ଓ ପରିବେଶକୁ ନେଇ ଗଳ୍ପ ଲେଖି ନାହାନ୍ତି । ସେ ଚିହ୍ନା ଜଗତର ଚିହ୍ନା ମଣିଷର ଚରିତ୍ର ଅଙ୍କନ କରିଛନ୍ତି । ଭଲ ଗଳ୍ପ ଲେଖିବାକୁ ହେଲେ ଶିଳ୍ପ ଚାତୁର୍ଯ୍ୟ ଖୁବ୍ ଦରକାର । ବାକ୍ୟ ଅଛି–କଥା କହି ଜାଣିଲେ ସୁନ୍ଦର’ । ସେହି କଳାରେ ଆଶାପୂର୍ଣ୍ଣା ଙ୍କ ଲେଖନୀ ଉଜ୍ଜ୍ୱଳ ହୋଇଛି । ପାଠକ ଥରେ ପଢ଼ିଲେ ଆରମ୍ଭ କରି ଶେଷ ନ କରି ରହିପାରେ ନାହିଁ । ତାଙ୍କ ଲିଖିତ କେତେଗୋଟି କାଳଜୟୀ ଗଳ୍ପ ହେଉଛି–“ଅଭିନେତ୍ରୀ’, ‘ସର୍ପଶିଶୁ’, ‘ଆତ୍ମହତ୍ୟା’, ‘ମନେର ଘେନ’, ‘ଅପରାଧ’, ‘ଭୟ’, ‘ରାହୁ’, ‘ଛିନ୍ନମସ୍ତା’, ‘ହାର-ଜିତ’ ଓ ‘ସୀମାରେଖାର ସୀମା’ । ସେ ଅଭିନେତ୍ରୀ ଗଳ୍ପରେ ଲେଖିଛନ୍ତି–“ନାରୀ ମାତ୍ରେ ଇ କ’ଣ ଅଭିନେତ୍ରୀ ନୁହଁନ୍ତି ? ଅଭିନୟ କ୍ଷମତା ହିଁ ତା ଜୀବନର ମୂଳଧନ । ସେ ମୂଳଧନ ଯାହାର ଯେତେ ବେଶୀ ତାହାର ଏ ଦୁନିଆଁ ରେ ସେତେ ବେଶୀ ପ୍ରତିଷ୍ଠା, ପ୍ରତିପତ୍ତି ସୁନାମ ଓ ସୁଖ୍ୟାତି ।” ତାଙ୍କର ମହାନ ତମ ସୃଷ୍ଟି–“ପ୍ରଥମ ପ୍ରତିଶ୍ରୁତି ।” ପ୍ରଥମ ପ୍ରତିଶ୍ରୁତି, ସୁବର୍ଣ୍ଣଲତା, ବକୁଳ କଥା–ଏହି ଉପନ୍ୟାସ ତ୍ରୟୀକୁ ସମାଲୋଚକ ମାନେ ଟ୍ରିଲୋଜି (Trilogy) ଆଖ୍ୟା ପ୍ରଦାନ କରିଛନ୍ତି । ଏହି ତିନୋଟି ଉପନ୍ୟାସରେ ତିନିପୁରୁଷର ଚିତ୍ରଣ ଅଛି । ଏହା କିନ୍ତୁ ପ୍ରତ୍ୟେକ ସ୍ୱୟଂସଂପୂର୍ଣ୍ଣ । ଊନବିଂଶ ଶତକରେ ବଙ୍ଗୀୟ ସମାଜ ଇତିହାସର ଗୋଟିଏ ସାମଗ୍ରୀକ ଓ ପ୍ରାସଙ୍ଗିକ‌ ଚିତ୍ର ଏଥିରେ ଅଙ୍କିତ ହୋଇଛି । ‘ପ୍ରଥମ ପ୍ରତିଶ୍ରୁତି’–ଉପନ୍ୟାସର ନାୟିକା ସତ୍ୟବତୀ ନିଜର ପିତାଙ୍କୁ ପ୍ରତିଶ୍ରୁତି ଦେଇଛି ସତ୍ୟ-ଧର୍ମ-ନ୍ୟାୟ ପଥରେ ବ୍ରତୀ ହେବାପାଇଁ ନିଜ ଚେଷ୍ଟାରେ ସେ ଶିକ୍ଷାର୍ଜନ କରିଛି, ସ୍ୱାମୀ ନବ କୁମାରଙ୍କ ମେରୁଦଣ୍ଡ ହୀନତା ର ଅଳସ ପ୍ରସ୍ରୟରେ ପୁଷ୍ପ ଶାଶୁ ଏଲୋକେଶୀଙ୍କ କୁସଂସ୍କାର ଓ ପୁତ୍ର–ବଧୂ ପ୍ରତି ‘ମନ ଓରିମନା’ ମେଣ୍ଟାଇବା ର ଆକ୍ରୋଶ ବଶତଃ ପରମ ଆଦରଣୀୟା କନ୍ୟା ସୁବର୍ଣ୍ଣଲତାର ଜୀବନକୁ ନେଇ ଛିନ୍‌ଭିନ୍ ଖେଳର ସମ୍ମୁଖୀନ ହୋଇ ତାର ବଜ୍ର, ଦୃଢ଼ ବ୍ୟକ୍ତିତ୍ଵ ଝଲସି ଉଠିଛି । ସେତେବେଳେ ଜଣାଯାଇଛି ସତ୍ୟବତୀ କୋମଳ ପୁଷ୍ପ ନୁହେଁ, ଫୁଲରେ ଢଙ୍କା ଇସ୍ପାତ ଛୁରିକା । ଆବାଲ୍ୟ ବିଦ୍ରୋହିଣୀ ସତ୍ୟବତୀ ଅପରିଚିତ ବୟସରେ ନିଜର କନ୍ୟା ସୁବର୍ଣ୍ଣଲତା ବିବାହ କରିବା ପରେ କାଶୀ ଯାତ୍ରା ସବୁଠାରୁ ବଡ଼ ବିଦ୍ରୋହ । ଶାଶୁ ବୋହୂର ଅଜ୍ଞାତ ରେ ପୌତ୍ରିର ବିବାହ ଆୟୋଜନ କରିବାପରି ଅନ୍ୟାୟର ପ୍ରତିବାଦ କରି ସତ୍ୟବତୀ ନିଜ ସ୍ୱାମୀ ଗୃହ ପରିତ୍ୟାଗ କରି କାଶୀ ବାସୀ ପିତାଙ୍କ ନିକଟକୁ ଚାଲି ଯାଇଛନ୍ତି । ଏଇ ବିରାଟ ଉପନ୍ୟାସରେ ମୁଖ୍ୟ ଚରିତ୍ର ଓ ଘଟଣାକୁ କେନ୍ଦ୍ର କରି ବହୁ ଚରିତ୍ର ଓ ଉପକାହାଣୀ ସୃଷ୍ଟି ହୋଇଛି । ଏଇ ଉପନ୍ୟାସରେ ଆଶାପୂର୍ଣ୍ଣା ନିଜକୁ ପ୍ରଚ୍ଛନ୍ନ ଭାବରେ ବ୍ୟକ୍ତ କରିଦେଇଛନ୍ତି । ସତ୍ୟବତୀ ଙ୍କ କନ୍ୟା ସୁବର୍ଣ୍ଣଲତାର ଓ ତାର ପୌତ୍ରୀ ବକୁଳ ଓରଫ ଅନାମିକାର କାହାଣୀ ସୁବର୍ଣ୍ଣଲତା ଓ ବକୁଳ କଥା ଉପନ୍ୟାସ ଦ୍ୱୟ ରେ ରୂପାୟିତ । ବକୁଳ କଥା ଉପନ୍ୟାସରେ ସାମ୍ପ୍ରତିକ କାଳର ସମାଜ ଚିତ୍ର ଅଙ୍କିତ ହୋଇଛି । ପ୍ରଥମ ପ୍ରତିଶ୍ରୁତି ଉପନ୍ୟାସ ନିମନ୍ତେ ଆଶାପୂର୍ଣ୍ଣା ୧୯୭୧ ସାଲ ବା ୧୯୬୫ ମସିହା ରବୀନ୍ଦ୍ର ପୁରସ୍କାର ଲାଭ କରିଥିଲେ । ୧୯୬୯ ମସିହାରେ ସେ ଭାରତୀୟ ଜ୍ଞାନପୀଠ ପୁରସ୍କାରରେ ଅଭିନନ୍ଦିତା ହୋଇଛନ୍ତି ।

 

ଦୋଳନା—ଏହି ଉପନ୍ୟାସ ଟି ପ୍ରଥମେ ‘ଚିରକାଲେର ଗାନ’ ନାମରେ ଶାରଦୀୟ ନବକଲ୍ଲୋଳରେ ପ୍ରକାଶ ପାଇଥିଲା । ପୁସ୍ତକାଗାରରେ ପ୍ରକାଶ ପାଇଲାବେଳେ ତା’ର ନାମକରଣ କରିଥିଲେ ‘ଦୋଲନା’ ଏବଂ ଏହି ନାମରେ ତାହା ମଧ୍ୟ ଚିତ୍ରାୟିତ ହୋଇଛି । ଏହି ଉପନ୍ୟାସରେ ଚିତ୍ରିତ ଜଣେ ବିପ୍ଳବିଣୀ-ନାରୀର ଅସମ୍ଭବ ଜିଦ୍, ଜୀବନପଣ ପ୍ରତିଜ୍ଞା ଲକ୍ଷଣୀୟ । ଏହି ବିପ୍ଳବ କୁସଂସ୍କାର ବିରୁଦ୍ଧରେ, ରୁଢ଼ିବାଦିତା ବିରୁଦ୍ଧରେ । କୁମାରୀ–କନ୍ୟା ଯଦି ଗୋଟିଏ ଅସହାୟ ନବଜାତ ଶିଶୁକୁ ସ୍ନେହ, ଆଦର ଓ ସହାନୁଭୂତି ଦେଇ ପାଳନ କରେ, ତେବେ ସମାଜ ସହ୍ୟ କରିବ କିପରି ? ଏହି ଉପନ୍ୟାସରେ ସୁମନା ବିଶ୍ୱ ବିଦ୍ୟାଳୟର କୃତୀ ଛାତ୍ରୀ । ସମାଜ ବିରୁଦ୍ଧରେ ପ୍ରତିବାଦ କରି ଯଶସ୍ୱିନୀ ହୋଇପାରିଛି, ଲେଖିକାଙ୍କ ଦରଦ ଶୁଭେଚ୍ଛା ବଳରେ । ଏହି ଉପନ୍ୟାସରେ ନାରୀ ମନସ୍ତତ୍ତ୍ୱର ଭବ୍ୟ ଚିତ୍ରଣ ରୂପାୟିତ ହୋଇଛି । ଖୁବ୍ ସାଧାରଣ କାହାଣୀ; ମାତ୍ର ବର୍ଣ୍ଣନା ବୈଦଗ୍‌ଧ୍ୟରେ, ମାନସିକଦ୍ୱନ୍ଦ୍ୱ ଚିତ୍ରଣରେ, ମିଶ୍ର ପରିବାରର ମମତା, ଈର୍ଷା ଓ ଭୟର ଭବ୍ୟ ରୂପାୟନରେ ଉପନ୍ୟାସଟି ଖୁବ୍ ଅସାଧରଣ ଓ ମର୍ମସ୍ପର୍ଶୀ ହୋଇପାରିଛି ।

 

“ଯୁଗେ ଯୁଗେ ପ୍ରେମ-ଉପନ୍ୟାସରେ ମଧ୍ୟବିତ୍ତ ପରିବାରର ହାସ୍ୟ, ଅଶ୍ରୁ ଚିତ୍ରିତ । ନାରୀ ଚରିତ୍ର ଚିତ୍ରଣରେ ଆଶାପୂର୍ଣ୍ଣାଙ୍କ ସିଦ୍ଧ ହସ୍ତତାର ସ୍ଵାକ୍ଷର ବହନ କରିଛି । ଅହମିକାର ବଶବର୍ତ୍ତିନୀ ନାରୀ କରି ନ ପାରେ ଏପରି କିଛି ନାହିଁ ବୋଲି ଦୃଢ଼ ସ୍ୱରରେ କହିଛନ୍ତି । ଉପନ୍ୟାସର ନାୟିକା ସୁଲତା ପ୍ରେମ କରି ବିବାହ କରିଛି । ଶାଶୁ, ଶଶୁର, ବଡ଼ଶାଶୁ, ବଡ଼ଶଶୁର, ଦେଢ଼ଶୁର ଯାଆ ପରିବୃତ୍ତ ସଂସାରରେ ନିଜ ଆଧୁନିକତାର ଅଜସ୍ର ଅହମିକା ପ୍ରଦର୍ଶନ କରିଛି । ଶେଷରେ ସ୍ୱାମୀ ଗୃହତ୍ୟାଗ କରିଛି ‘ରାବଣ ବଂଶ’ରୁ ସ୍ୱତନ୍ତ୍ର ହୋଇଯିବା ନିମନ୍ତେ । ଏହି ଚିନ୍ତାରେ ଖୋରାକ ଯୋଗାଇଛନ୍ତି ମା’ ଭଉଣୀମାନେ । ଶେଷରେ ଗର୍ଭକୋଷରେ ଅଙ୍କୁରାୟମାନ ଭ୍ରୂଣକୁ ହତ୍ୟାକରି ଅହମିକାର ଗୌରବଧ୍ଵଜା ଉଡ଼ାଇଛି । ଏହି ଉପନ୍ୟାସରେ ନିଜେ ଲେଖିକା “ପ୍ରେମ ଯୁଗେ ଯୁଗେ, ତାର ଶତ୍ରୁ ଓ ଯୁଗେ ଯୁଗେ, ଅହମିକା ହିଁ ତା’ର ଚିରଶତ୍ରୁ । କେତେବେଳେ ସମାଜର ଅହମିକା, କେତେବେଳେ କୌଳିନ୍ୟର ଅହମିକା, କେତେବେଳେ ଅଭିଭାବକମାନଙ୍କର ଅହମିକା, କେତେବେଳେ କେବଳ ନିଜର ଅହମିକା ପ୍ରେମକୁ ନିଜ ମହିମାରେ ବିକଶିତ ହେବାକୁ ଦେବନାହିଁ ସେ ।” ମନ୍ତବ୍ୟ ଦେଇ ଉପନ୍ୟାସର ଉପସଂହାର କରିଛନ୍ତି । ସମାଜରେ ମଧ୍ୟବିତ୍ତ ହିଁ ନିଃସହାୟ । ସେମାନେ ଯନ୍ତ୍ରଣାକୁ ନିଜ ଭିତରେ ସାଇତିରଖି ପୋଡ଼ିଜଳି ଛାରଖାର ହୋଇଜାଣନ୍ତି । ବିପ୍ଳବ ବା ପ୍ରତିବାଦ କରିବା ସେମାନଙ୍କ ଦ୍ଵାରା ସମ୍ଭବ ହୁଏ ନାହିଁ, ଲେଖିକା ଏହି ଉପନ୍ୟାସରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଲେଖିଛନ୍ତି–“ମଧ୍ୟବିତ୍ତ ଚିତ୍ତ ଆଧୁନିକଗଣ କେବଳ ସମସ୍ତ ଯନ୍ତ୍ରଣା ନିଜ ଭିତରେ ସଂହତ ରଖି ରଖି ଶୀଘ୍ର ଶୀଘ୍ର ବୁଢ଼ା ହୋଇଯାନ୍ତି; ଶୁଷ୍କ ଆଉ ରୁକ୍ଷ ହୋଇଯାନ୍ତି ।”

 

ପକ୍ଷୀର ଖାଁଚା ଓ ଖାଁଚା ପାଖି—ଅନୀଲ ସରକାର ଘରର ବଡ଼ ପୁଅ; ମାତ୍ର ରୋଜଗାର ପର୍ଯ୍ୟାପ୍ତ ନୁହେ । ଜଣେ ସାଧାରଣ କିରାଣୀ । ସରଳମନା, ବେପରବାୟ ଖର୍ଚ୍ଚ ହେତୁ ଭାଇଭଗାରିମାନେ ବ୍ୟଙ୍ଗ, ବିଦ୍ରୁପ କଲାବେଳକୁ ସ୍ତ୍ରୀ ସହ୍ୟ କରିପାରେନାହିଁ । ସେଥିପାଇଁ ସ୍ୱାମୀକୁ ଭର୍ତ୍ସନା କରେ । ଯେତେବେଳେ ପୁତୁରାପାଇଁ ଆଣିଥିବା ଚଢ଼େଇ ଓ ପିଞ୍ଜରାକୁ ସ୍ତ୍ରୀ ଭାଙ୍ଗି, ଦଳିମକଚି ଫୋପାଡ଼ି ଦେଇଛି, ସେତେବେଳେ ଅସହ୍ୟ ମାନସିକ ଯନ୍ତ୍ରଣାପିଷ୍ଟ ଅନୀଲ ସରକାର ଗୃହତ୍ୟାଗ କରି ଅନିର୍ଦ୍ଦିଷ୍ଟ ପଥରେ ପଳାଇ ଯାଇଛି । କେବଳ ସେତିକି ନୁହେଁ; ପାଗଳ ହୋଇଯାଇଛି । ଇତସ୍ତତଃ ବୁଲି ବୁଲି କେତେବର୍ଷ ପରେ ସନ୍ତର୍ପଣରେ ଘରକୁ ଆସିଛି । ସ୍ତ୍ରୀ ତାକୁ ଦେଖି ଚିହ୍ନିଛି ସ୍ୱାମୀ ବୋଲି; ହେଲେ ଅନ୍ୟମାନେ ଚିହ୍ନିପାରି ନାହାନ୍ତି । ପଞ୍ଚାଶୋତ୍ତର ବର୍ଷ ବୟସରେ ବଡ଼ବୋହୁ ପର ପୁରୁଷଗାମିନୀ ବୋଲି କହି ଥଟ୍ଟା ବିଦ୍ରୂପ କରିଛନ୍ତି । ଅନୀଲ ସରକାର ପଳାଇ ଯାଇଛି । ସ୍ୱାମୀର ପଶ୍ଚାଦ୍ଧାବନ କରି ସ୍ତ୍ରୀ ମଧ୍ୟ ଯାଇଛି । ଉପନ୍ୟାସଟି ଏତିକିରେ ଶେଷ ହୋଇଥିଲେ ତାହା ରସୋତ୍ତୀର୍ଣ୍ଣ ସାଧାରଣ ଉପନ୍ୟାସ ହୋଇଥାନ୍ତା; ମାତ୍ର ଶକ୍ତିମତୀ ଔପନ୍ୟାସିକ ସାନଭାଇର ଭୂମିକା ଉତ୍‌ଥାପନ କରି ମାନବିକ ସମ୍ବେଦନଶୀଳତା ଓ ସହାନୁଭୂତିରେ ରସଘନ କରି ତୋଳିବା ସଙ୍ଗେ ସଙ୍ଗେ ଉପନ୍ୟାସଟିକୁ ଚିରନ୍ତନ ଆବେଦନରେ ରସାଣିତ କରି ଦେଇଛନ୍ତି । ଭାଉଜ ଯେତେବେଳେ ଭାଇଙ୍କୁ ଚିହ୍ନିଛନ୍ତି ଓ ତାଙ୍କ ପଛେ ପଛେ ଗୋଡ଼ାଇ ଗୋଡ଼ାଇ ଯାଇଛନ୍ତି ସାନଭାଇ ସୁବୀର ସେମାନଙ୍କ ସନ୍ଧାନରେ ନିଶ୍ଚୟ ଯିବ । ଯଦି ସେମାନଙ୍କୁ ନ ପା’ନ୍ତି ଘରକୁ ଫେରିବ ନାହିଁ ବୋଲି ଭୀଷ୍ମ ପ୍ରତିଜ୍ଞା କରିଛନ୍ତି । ଏ ପ୍ରତିଜ୍ଞା କାହା ବିରୁଦ୍ଧରେ ? ଯେଉଁ ଆତ୍ମିୟମାନେ ଅନାତ୍ମୀୟ ଭାବ ଦେଖାଇଛନ୍ତି ସେହିମାନଙ୍କ ପ୍ରତି ତୁଚ୍ଛାତାତ୍ସଲ୍ୟ କରିଛନ୍ତି । ଆଶାପୂର୍ଣ୍ଣାଙ୍କ ଦକ୍ଷତା ଏଥିରୁ ବେଶ୍ ଜଣାପଡ଼ିଯାଏ ।

ଅନବ ଗୁଣ୍ଠିତା—ଏହି ଉପନ୍ୟାସରେ ପ୍ରେମ, ଭଲ ପାଇବା ଓ ସହାନୁଭୂତିର ଭବ୍ୟଚିତ୍ରଣ କରାଯାଇଛି । ଚନ୍ଦ୍ରଭୂଷଣ ଯୌଥ ପରିବାରର ବଡ଼ ପୁଅ । ପିଲାବେଳୁ ମାତୁଳାଳୟରେ ମଣିଷ ହୋଇଛି । ସେ ଚମ୍ପା ନାମ୍ନୀ ଝିଅକୁ ଭଲ ପାଇଛି । ତାକୁ ନ ପାଇ ଚିରକୁମାର ବ୍ରତ ପାଳନ କରିଛି । ଜୀବନର ଗହ୍ୱରରେ ଶୂନ୍ୟତାକୁ ଅଧିକ ଗଭୀରକୁ ନେଇ ଯିବା ପାଇଁ ପରିବାରକୁ ଅବଲମ୍ବନ ଭାବରେ ଗ୍ରହଣ କରିଥିଲେ । ସାନ ତିନି ଭାଇ ଓ କକା ପୁଅ ଦୁଇ ଭାଇଙ୍କୁ ମଶାଇ ଗୋଟିଏ ବିରାଟ ପରିବାର । ସେମାନେ ବିବାହ କଲେ । ବୋହୂମାନଙ୍କ ସହାୟତାରେ ବଡ଼ଭାଇ ପ୍ରତି ଥିବା ଭୟ, ଭକ୍ତି, ଶ୍ରଦ୍ଧା ସବୁ ଦୂରେଇ ଗଲା । ସମସ୍ତଙ୍କର ଦାବୀ ହେଲା ଭିନ୍ନ ହେବେ । ଅଚିରାତ୍ ଚମ୍ପାକୁ ଫେରିପାଇଛି ଚନ୍ଦ୍ରଭୂଷଣ । ତା’ର ଅତୀତ କ୍ଳେଦାନ୍ତ ଜୀବନକୁ ପୋଛି ପକାଇ ନିଜର ପ୍ରଣୟିନୀ-ପ୍ରେମାସ୍ପଦାକୁ ସ୍ତ୍ରୀ ଭାବରେ ଗ୍ରହଣ କରି ନେଇଛି । ଏହି ଉପନ୍ୟାସରେ ମିଶ୍ରିତ ପରିବାର, ଦ୍ୱନ୍ଦ୍ୱ, ଅଭାବ, ମନୋମାଳିନ୍ୟ, ମାନସିକ ସଂଘର୍ଷ, ସ୍ନେହ, ମମତା, ହର୍ଷ-ବିଷାଦର ଚମତ୍କାର ଚର୍ଚ୍ଚାସହିତ ନାରୀ ମନସ୍ତତ୍ୱର ଅପୂର୍ବ ଚିତ୍ରଣ ପାଠକ ଚିତ୍ତକୁ ଆଲୋଡ଼ିତ ଓ ଆମୋଦିତ କରିଥାଏ ।

ଉତ୍ତରଣ—ପ୍ରେମ ଓ ହିଂସାର ଅପୂର୍ବ ଆଲେଖ୍ୟ ଏହି ଉପନ୍ୟାସରେ ରୂପାୟିତ ହୋଇଛି । ନାରୀର ଜଟିଳ ମନସ୍ତତ୍ତ୍ୱର ବିପୁଳ ବ୍ୟାଖ୍ୟାର ଧୁରୀଣତା ପ୍ରକାଶିତ ହୋଇଛି । ଖତ ଗଡ଼ିଆରେ ପଦ୍ମଫୁଲ ପରି ଚୈତାଳି ଯେଉଁଠି ଜନ୍ମ ଗ୍ରହଣ କରିଛି ସେଠାରେ ମାନବତା, ଭଦ୍ରତା ସ୍ଵପ୍ନର ବିଷୟ । ଡ଼କାୟତର କନ୍ୟା, ପିତର ପ୍ରରୋଚନାରେ ସେ ଥରେ ଅଧେ ବିବେକ ବିରୋଧୀ କାର୍ଯ୍ୟ କରିଛି । ଚୋରି କରିବାକୁ ଯାଇ ଧରା ପଡ଼ିଛି । ରାୟ ଗୃହିଣୀ ଦେଖିଛନ୍ତି ଚୈତାଳିଠାରେ ସ୍ଫୁଲିଙ୍ଗର ସ୍ଫୁରଣ । ସେ ସ୍ଥାନପାଇଛି ରାୟଗୃହିଣୀ ଛତ୍ରଛାୟା ତଳେ; ମାତ୍ର ରାୟଗୃହିଣୀ ସୁଲୋଚନାଙ୍କ ପୁତ୍ରବଧୁ ଅପର୍ଣ୍ଣା ତାକୁ ଗ୍ରହଣ କରିପାରୁନି । ରୁଗ୍‌ଣା, ଚିରଦିନ ଶଯ୍ୟାଗତା, ତା’ର ମନଗହୀରରେ ଚୈତାଳିପ୍ରତି ସନ୍ଦେହ । ତା’ର ରୂପନିଆଁ ତା’ର ସଂସାରକୁ ପୋଡ଼ିଜାଳି ପାଉଁଶ କରିଦେବ ନାହିଁ ତ ! ଅପର୍ଣ୍ଣାଙ୍କ କନକବଳୟ ମିଳିଲା ନାହିଁ । ସମସ୍ତଙ୍କର ସନ୍ଦେହ ଚୈତାଳି ଏହା ସହ୍ୟ କରିପାରି ନାହିଁ; ସମସ୍ତଙ୍କ ଅଲକ୍ଷ୍ୟରେ ଏକବସ୍ତ୍ରରେ ଗୃହତ୍ୟାଗ କରି ଚାଲିଯାଇଛି । ମାତ୍ର ସ୍ଵର୍ଣ୍ଣବଳୟ ଅପର୍ଣ୍ଣା ଝରକା ତଳୁ ମିଳିଛି । ସୁଲକ୍ଷଣା, ଅପର୍ଣ୍ଣା ଓ ଚୈତାଳିଙ୍କ ମାନସିକ ଦ୍ୱନ୍ଦ୍ୱ ଚିତ୍ରଣ ଅତ୍ୟନ୍ତ ଚମତ୍କାର ହୋଇଛି ।

ଆଶାପୂର୍ଣ୍ଣାଙ୍କ ଲେଖନୀ ଏବେ ବି ନିରଳସ ଗତିରେ ଆଗେଇ ଚାଲିଛି । ଷଷ୍ଠ୍ୟୁର୍ଦ୍ଧ–ଶତ ଛାତ୍ରର ସେ ରଚୟିତ୍ରୀ । ଅନ୍ୟାନ୍ୟ ପ୍ରସିଦ୍ଧ ଉପନ୍ୟାସ ହେଉଛି—‘ପ୍ରେମ ଓ ପ୍ରୟୋଜନ,’ ‘ଅନିର୍ବାନ’, ‘ମେଘ ପାହାଡ଼’, ବିରହୀ ବିହଙ୍ଗ,’ ‘ମାୟା ଦର୍ପଣ,’ ‘ଆକାଶ ମାଟି’ ‘ସମୁଦ୍ର କନ୍ୟା’, ‘ସ୍ଵର୍ଗ କେନା’, ‘ତ୍ୟାଗ ପତ୍ର’ ପ୍ରଭୃତି । ତ୍ୟାଗ ପତ୍ର ଉପନ୍ୟାସ ଅବଲମ୍ବନ ଓଡ଼ିଆ ‘ସାଧନା’ ଛାୟା ଛବି ନିର୍ମିତ ହୋଇଛି ।

ଉପନ୍ୟାସ ଲେଖିବା ସହଜ; ମାତ୍ର ଆଶାପୂର୍ଣ୍ଣାଙ୍କ ବର୍ଣ୍ଣନାଭଙ୍ଗୀ, ବ୍ୟଞ୍ଜନା ବୃତ୍ତିରେ ପରିପୂର୍ଣ୍ଣ ବୋଲି ତାହା ପ୍ରାଣକୁ ସ୍ୱର୍ଶ କରେ । ଶରଚ୍ଚନ୍ଦ୍ରଙ୍କ ପରେ ଆଶାପୂର୍ଣ୍ଣା ହିଁ ମଧ୍ୟଚିତ୍ତ ପରିବାରର ସମସ୍ୟା, ହସ–କାନ୍ଦ, ସ୍ନେହ–ମମତା, ଈର୍ଷା–ଲୋଭ, ହିଂସା, ଦ୍ୱନ୍ଦ୍ୱ, ସଂଘର୍ଷର ଅପୂର୍ବ ଚିତ୍ରଣ କରିବାରେ ଦକ୍ଷତା ପ୍ରକାଶ କରିଛନ୍ତି । ଜଣେ ବିଶିଷ୍ଟ ସାହିତ୍ୟିକ ଭାବରେ ବହୁ ସାହିତ୍ୟ ସଭା ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୁଏ । ସେ ବିଶେଷ ଓଜସ୍ଵିନୀ ବକ୍ତୃତା ନ ଦେଲେ ମଧ୍ୟ ଖୁବ୍ ସହଜ ସାବଲୀଳ ଭାବରେ ଅଳ୍ପ କଥାରେ ବହୁତ କିଛି କହିଥାନ୍ତି । ତାଙ୍କର ସାହିତ୍ୟଦର୍ଶନ ସେଥିରୁ ଉପଲବ୍‌ଧି ହୁଏ । ଗୋଟିଏ ସଭାରେ ସେ କହିଥିଲେ—“ଏହି ଜୀବଜଗତ ମଧ୍ୟରେ ମଣିଷ ନାମଧରୀ ଜୀବଟା କେବଳ ଜୀବମାତ୍ର ନୁହେଁ; ତା’ଭିତରେ ଗୋଟିଏ ଶିବସତ୍ତା ବିଦ୍ୟମାନ, ସାହିତ୍ୟ ହେଉଛି ତା’ର ଦଲିଲ । ବିଶ୍ଵଚରାଚର ମଧ୍ୟରେ ଆଉ ଯେତେ ଜୀବ ଅଛନ୍ତି—ଭୂଚର, ଖେଚର, ଉଭୟଚର—ସେମାନଙ୍କ ମଧ୍ୟରେ ଆଉ ଯାହାଥାଉ, ସାହିତ୍ୟ ନାହିଁ, କେବଳ ମଣିଷ ହିଁ ଏହି ଅମୂଲ୍ୟ ସମ୍ପଦର ଅଧିକାରୀ” । ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର କଟକରେ ବଙ୍ଗୀୟ ସମ୍ମେଳନ ମଞ୍ଚରେ ସେ ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ–“ଆଜି ଆମ୍ଭେମାନେ ଯଦି ସ୍ୱର୍ଗକୁ ହରାଇ ଥାନ୍ତି, ସ୍ଵର୍ଗଭ୍ରଷ୍ଟକୁ ସାହିତ୍ୟ ଭିତରକୁ ଡ଼ାକି ଆଣିବାକୁ ପଡ଼ିବ, କେବଳ ଡ଼ାକି ଆଣିଲେ ହେବନାହିଁ, ସେହି ସ୍ଵର୍ଗଭ୍ରଷ୍ଟ ଆତ୍ମାକୁ ନେଇ ସାହିତ୍ୟିକକୁ ଆଉ ଗୋଟିଏ ସ୍ଵର୍ଗରେ ପହଞ୍ଚିବାକୁ ପଡ଼ିବ—ରସସ୍ଵର୍ଗରେ, ପ୍ରେମ ସ୍ଵର୍ଗରେ । ପ୍ରେମ ନଥିଲେ ସାହିତ୍ୟ ଅସାର୍ଥକ । ଦେଶର ମାଟିକୁ ଚିହ୍ନି ନଶିଖିଲେ, ଦେଶର ମଣିଷଙ୍କୁ ବୁଝିବାକୁ ନ ଶିଖିଲେ ଏବଂ ସେହି ମାଟି ଓ ମଣିଷକୁ ଏକାତ୍ମ ଭାବରେ ଭଲ ନ ପାଇ ପାରିଲେ, ଜୀବନଧର୍ମୀ ସାହିତ୍ୟ କିପରି ଜାଗିଉଠିବ ।” “ସ୍ଲୋଗାନ ଉଠୁଛି ଦୁର୍ନୀତି ଦୂରକର । ଦୁର୍ନୀତି ଅଯୋଗ୍ୟତା କିନ୍ତୁ ବଢ଼ି ଚାଲିଛି । କଳା ବଜାରୀ, ଘୁଷଖୋରୀ, ସାରାକଳଙ୍କ ତ ଆମର ସ୍ଵାମୀ ବା ପୁତ୍ରମାନେ କରୁଛନ୍ତି, ସେମାନଙ୍କୁ କ’ଣ ବାଧା ଦେଉଛନ୍ତି ? ବରଂ ପ୍ରଶୟ ଦେଉଛେ; ଅଥଚ ନାରୀ ଶକ୍ତିସ୍ୱରୂପିଣୀ । ସବୁଠାରୁ ବଡ଼ କଥା, ସ୍ତ୍ରୀ ଲୋକମାନଙ୍କ ହାତରେ, ତାଙ୍କର ପୁଅ ଏବଂ ତାଙ୍କ ଶାଶୁଙ୍କ ପୁଅ ଦୁହେଁ ଅଛନ୍ତି । ଇଛା କଲେ ସେମାନଙ୍କୁ ବିପଥମନରୁ ରକ୍ଷା କରିବାର ଶକ୍ତି ସ୍ତ୍ରୀ ଲୋକର ଅଛି ।”

ଆଶାପୂର୍ଣ୍ଣାଙ୍କ ସାହିତ୍ୟିକ ଜୀବନ କବିତା ରଚନାରୁ ଆରବ୍‌ଧ । ତାଙ୍କ ଲେଖନୀରୁ ବିଶେଷ କବିତାଧାରା ଝରି ନଥିଲେ ମଧ୍ୟ ଯାହା ଉତ୍ସାରିତ ତାହା ଅପାକ୍ତେଂୟ ନୁହେଁ । ତାଙ୍କ ଆଶ୍ଵ କବିତା ଶକ୍ତି ଗୋଟିଏ ଘଟଣାରେ ଜଣାପଡ଼େ । ଥରେ ଗୋଟିଏ ଅନୁଷ୍ଠାନକୁ ଆମନ୍ତ୍ରିତା ହୋଇ ଯାଇଥିଲେ । ଆଜିକାଲି ପିଲାମାନେ ଅଟୋଗ୍ରାଫ ଖାତା ଧରି ବିଶିଷ୍ଟ ଲୋକଙ୍କଠାରୁ ଦସ୍ତଖତ ସଂଗ୍ରହ କରିବା ପ୍ରଥା ପ୍ରଚଳିତ ହେଲାଣି । ଘରୋଇ ଅନୁଷ୍ଠାନ । ଛୋଟ ଝିଅଟିଏ ଅଟୋଗ୍ରାଫ୍ ଖାତା ଆଶାପୂର୍ଣ୍ଣାଙ୍କୁ ଆଗେଇ ଦେଲା । ଆଶାପୂର୍ଣ୍ଣା ଲେଖିଲେ—

“ଜୀବନ ପଥେ ଚଲତେ ଗିୟେ ଯେଦିନ ଯାବ ଥାମି;

ଖାତାର ପାତାୟ ତୁଚ୍ଛ ଏ ଦାଗ, ସେଦିନ ହବେ ଦାମୀ ।”

 

ଛୋଟ ଦୁଇଟି ଚ୍ଛତ୍ର; କିନ୍ତୁ ଅଦ୍ଭୁତ କବି ମନର ପରିଚୟ ସେଥିରେ ସୁଷମାୟିତ ହୋଇଉଠିଛି ।

 

ସେ ଯେତେବେଳେ ପ୍ରଥମେ ଲେଖା ଆରମ୍ଭ କରନ୍ତି ସେତେବେଳେ ସମ୍ପାଦକମାନଙ୍କଠାରୁ ସନିର୍ବନ୍ଧ ଅନୁରୋଧ ସମ୍ବଳିତ ପତ୍ର ପାଇଛନ୍ତି ଗଳ୍ପ ଲେଖିବା ପାଇଁ । ତେଣୁ ସେ ଗଳ୍ପ ଉପନ୍ୟାସ ରଚନାରେ ବ୍ରତୀ ହୋଇଛନ୍ତି, ହେଲେ କବିତା ରଚନା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ପାରଙ୍ଗତି ବିଦ୍ୟମାନ । ରବୀନ୍ଦ୍ର ନାଥଙ୍କ ସ୍ମୃତି ସଭାର ଅନେକ କ୍ଷେତ୍ରରେ ସେ ଆନ୍ତରିକହୀନତା ଲକ୍ଷ୍ୟ କରି ଯେଉଁ ବିଦ୍ରୂପାତ୍ମକ କବିତା ରଚନା କରିଥିଲେ ସେଥିରୁ କିୟଦାଂଶ ଏଠାରେ ଉଦାହରଣ ଦିଆଯାଇପାରେ—

 

“ସ୍ଫୁର୍ତ୍ତିଟା ବଟେ ସ୍ୱତ୍ତଃ ସ୍ଫୁର୍ତ୍ତ

ଉତ୍ସବ ଯେନ ହୟେଛେ ମୂର୍ତ୍ତ

ଯେ ଯେଥା ବେକାର ବେକାର ଘୂର ତୋ

ସକଲେ ପେୟେଛେ କାର୍ଯ୍ୟ ।”

 

ଅଥବା

 

“ତା’ଛଡ଼ା ଏ ଦିନ ଆସବେ କି ଆର

ରବୀଠାକୁର କେ ଭାଙ୍ଗିୟେ ଖାବାର ?

ତାଇ ତୋ ଆଛଡ଼େ ମୂର୍ତ୍ତିଟା ତାଁର

ଭାଙ୍ଗିଛି ଏବଂ ଗଡ଼ଛି ।”

 

ବଙ୍ଗୀୟ ସାହିତ୍ୟିକମାନଙ୍କର ଆଳାପ ଆଲୋଚନା ନିମନ୍ତେ ବହୁ ଅନୁଷ୍ଠାନ ବିଦ୍ୟମାନ-। ତନ୍ମଧ୍ୟରେ ରବିବାସର ଗୋଟିଏ ବିଶିଷ୍ଟ ଅନୁଷ୍ଠାନ । ଏହା ଦିନେ ରବୀନ୍ଦ୍ରନାଥଙ୍କ ଦ୍ୱାରା ପରିକଳ୍ପିତ ଓ ପରିଚାଳିତ ହେଉଥିଲା । ଏଥି ସହିତ ବଙ୍ଗ ସାହିତ୍ୟର ରଥୀ ମହାରଥୀମାନେ ସମ୍ପୃକ୍ତ-। ଦିନେ ଯେଉଁ ଆଶାପୂର୍ଣ୍ଣା ରବୀନ୍ଦ୍ରନାଥଙ୍କ ଆଶୀର୍ବାଦ ଧନ୍ୟା ହୋଇଥିଲେ, ସେ ମଧ୍ୟ ରବିଦାସର ସାହିତ୍ୟାନୁଷ୍ଠାନ ସହିତ ଏପରି ସମ୍ପୃକ୍ତ ହୋଇପଡ଼ିଲେ ଯେ, ବୈଷ୍ଣବ ଘାଟରେ ନବନିର୍ମିତ ତାଙ୍କରି ବାସଗୃହରେ ତା’ର ଅଧିବେଶନ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ।

 

ଆଶାପୂର୍ଣ୍ଣାଙ୍କପରି ଶକ୍ତିମତୀ ଲେଖିକା ଖୁବ୍ କମ୍ ଅଛନ୍ତି । ତାଙ୍କ ଲେଖନୀ ଆବାଲ୍ୟ ସ୍ରୋତସ୍ୱିନୀପରି ଅବାରିତ ଗତିରେ ଆଗେଇ ଚାଲିଛି । ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟ ‘ଲୀଳା ପୁରସ୍କାର’ ଦେଇ ଅଭିନନ୍ଦନ ଜଣାଇଛି । ମତିଲାଲ ପୁରସ୍କାର ମଧ୍ୟ ସେ ପାଇସାରିଛନ୍ତି । ଯେଉଁ ଶିଶୁ ଦିନେ ଆଶାପୂର୍ଣ୍ଣାଙ୍କ ଗଳ୍ପପାଠ କରି ଆନନ୍ଦିତ ହେଉଥିଲା ସେ ପ୍ରବୀଣ ହୋଇ ଆଶାପୂର୍ଣ୍ଣାଙ୍କ ଗଳ୍ପ ପଢ଼ିବାରୁ ଦୃଷ୍ଟିକୋଣ ପ୍ରସାର ଲାଭକଲା, ଏଣୁ ଲେଖିକା ଯେ ତାଙ୍କ ନାମାନୁସାରେ କର୍ମ ସମ୍ପାଦନ କରିଛନ୍ତି ଏଥିରେ ଦ୍ଵି’ମତ ନାହିଁ । ତେଣୁ ଯଥାର୍ଥରେ ଗଜେନ୍ଦ୍ର କୁମାର ମିତ୍ର ତାଙ୍କୁ ‘ସାହିତ୍ୟ ଶାରଦା କହି ଅଭିନନ୍ଦନ ଜଣାଇବା ଯଥାର୍ଥ ହୋଇଛି । ’

 

ଆଶାପୂର୍ଣ୍ଣା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲେଖକ ସମ୍ମିଳନୀରେ ଉଦବୋଧନ ଦେଇ କହିଥିଲେ—“ଭାରତୀୟ ଭାଷାମାନଙ୍କରେ ବ୍ୟାପକଭାବରେ ଅନୁବାଦ ହେବା ବିଧେୟ । ସାମ୍ପ୍ରତିକ କାଳରେ ବୈପ୍ଳବିକ ଚିନ୍ତା ଉପନ୍ୟାସମାନଙ୍କରେ ସନ୍ନିବିଷ୍ଟ ହେଉଛି । ତାହାସବୁ ବ୍ୟାପକ ଭାବରେ ଅନୁଦିତ ହେଲେ ଲୋକଙ୍କର ଚିନ୍ତାକ୍ଷେତ୍ରରେ ବ୍ୟାପକ ସହାୟକ ହେବ ।”

Image

 

Unknown

ମାନବତା ପୂଜାରୀ-ବନଫୁଲ

 

ବନଫୁଲ ଗଭୀର ଅରଣ୍ୟରେ ବିକଶିତ ହୁଏ । ମହକରେ ଜନ-ଚିତ୍ତହରଣ କଲେ ତା’ର ଜନ୍ମ ହୁଏ ସାର୍ଥକ । ଏଣୁ ଜଣେ କବି ତା’ର ଦୁଇଟି ଗତି ନିର୍ଦ୍ଦେଶ କରି ଲେଖିଥିଲେ—“ମୃର୍ଦ୍ଧ୍ନି ବା ସର୍ବ ଲୋକସ୍ୟ ଶୀର୍ଯ୍ୟ ତେବନ ଏବବା ।” ପ୍ରତିଭା ନିମନ୍ତେ ପରିବେଶ ଦରକାର ହୁଏ ନାହିଁ । ସ୍ଵତଃ ତାହା ନିଜର ପରିବେଶ ସୃଷ୍ଟିକରି ପୃଥିବୀକୁ ଚମକଇ ଦିଏ । ପୃଥିବୀରେ ଏହା ବହୁ ମନୀଷୀଙ୍କ ଭାଗ୍ୟରେ ଘଟିବା କଥା ସେମାନଙ୍କ ଜୀବନ କାହାଣୀ ଆଲୋଚନା କଲେ ଜଣାଯାଇଥାଏ । ସେହିପରି ‘ବନଫୁଲ’ ଛଦ୍ମ ନାମରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରତିଭାଧର ଔପନ୍ୟସିକ ଡାକ୍ତର ବଲାଇଚାନ୍ଦ ମୁଖୋପାଧ୍ୟାୟଙ୍କ ଜୀବନ କାହାଣୀ ଆଲୋଚନା କଲେ ଜଣାଯାଏ ।

 

ବଲାଇ ଚାନ୍ଦ ୧୮୯୯ ମସିହା ଜୁଲାଇ ୧୯ ତାରିଖ ଦିନ ବିହାର ପ୍ରଦେଶର ପୂର୍ଣ୍ଣିୟା ଜିଲ୍ଲାନ୍ତର୍ଗତ ମନୀହାରୀ ଗ୍ରାମରେ ଭୂମିଷ୍ଠ ହୋଇଥିଲେ । ତାଙ୍କର ‘ବନଫୁଲ’ ଛଦ୍ମନାମ ଗ୍ରହଣର ଗୋଟିଏ ଇତିହାସ ଅଛି । ସେ ମାଇନର ସ୍କୁଲାରସିପ ପରୀକ୍ଷାରେ ପୂର୍ଣ୍ଣିୟା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାରକରି ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସାହେବଗଞ୍ଜ ହାଇସ୍କୁଲରେ ମାଟ୍ରିକ ପଢ଼ିବା ପାଇଁ ଭର୍ତ୍ତି ହେଲେ । ସେହି ହାଇସ୍କୁଲରେ ପଢ଼ୁଥିବା ଅବସ୍ଥାରେ ସାହିତ୍ୟ ସୃଷ୍ଟି ନିମନ୍ତେ ତାଙ୍କର ସୃଷ୍ଟିଶୀଳ ପ୍ରତିଭାର ଆଦ୍ୟ ବିସ୍ଫୁରଣ ଆରମ୍ଭ ହୋଇଥିଲା । ସେ ବୃତ୍ତି ପାଉଥିଲେ, ଘରୁ ତାଙ୍କ ବାପା ମାସକୁ ଦଶଟଙ୍କା ପାଉଥିଲେ । ଫଳରେ ନିଶ୍ଚିନ୍ତରେ ଜୀବନଯାପନ କରିବାର କଥା । ସେଠାରୁ ସେ ଗୋଟିଏ ହାତ ଲେଖା ପତ୍ରିକା ମଧ୍ୟ ସମ୍ପାଦନ ଆରମ୍ଭ କଲେ, ତା’ର ନାମ ରଖିଲେ ‘ବିକାଶ’ । ବିକାଶ ପତ୍ରିକାର ପ୍ରଚ୍ଛଦ ଚିତ୍ର ଅଙ୍କନ କରନ୍ତି ଶିଳ୍ପୀ ତାରକଦାସ ମଜୁମଦାର । ବଲାଇ ଚାନ୍ଦଙ୍କଠାରୁ କେତେଗୋଟି କବିତା ନେଇ ସେଥିରୁ ପ୍ରଚ୍ଛଦର ବିଷୟ ନିର୍ବାଚନ କରି ଚିତ୍ର ଅଙ୍କନ କରନ୍ତି । ସେ ସେହି ପ୍ରଥମ ଜୀବନରେ କବିତା ରଚନା କରୁଥାନ୍ତି । ଥରେ କ୍ଲାସରେ ଗୋରୁ ବିଷୟରେ କବିତା ରଚନା କରିବାପାଇଁ ଶିକ୍ଷକ ନିର୍ଦ୍ଦେଶ ଦେଲେ, ବଲାଇଚାନ୍ଦ ଗୋରୁ ବିଷୟରେ ଗୋଟିଏ ଅପୂର୍ବ କବିତା ରଚନା କଲେ—

 

“ଆପନ ଜିନିଷ ବଲତେ ତୋମାର ନେଇ କୋକିଛୁଇ ଏ ବିଶ୍ଵେତେ,

ତୋମାର ବାଁଟେର ଦୁଧ ଟୁକୁ ତାଓ ବାଛୁର ତୋମାର ପାୟନା ଖେତେ ।

“ତୋମାର ପରେଇ ଏ ଅତ୍ୟାଚାର ଏ ମରତେର କଳ୍ପତରୁ,

କାରଣ ନହ ସିଂହ କି ବାଘ କାରଣ ତୁମିନେ ହାତ ଗରୁ ।”

 

ତାଙ୍କର ଗୋଟିଏ କବିତା ୧୯୧୫ ସାଲରେ କାଳୀପ୍ରସନ୍ନ ଦାସଗୁପ୍ତ ସମ୍ପାଦିତ ‘ମାଲଞ୍ଚ’ ପତ୍ରିକାରେ ଛାପା ହେଲା । ଛାତ୍ର ଓ ଶିକ୍ଷକ ମହଲରେ ଏକଥା ହୁରି ପଡ଼ିଗଲା । ସେ ସ୍କୁଲରେ ଥିବା ପଣ୍ଡିତ ମହାଶୟ ରାଗିଗଲେ । ସେ ଥିଲେ କୋମଳମତି ଗୁରୁଭକ୍ତ ଛାତ୍ର । ଏହି ରାଗିଯିବା ଫଳରେ ତାଙ୍କ ପ୍ରତିଭାର ଉତ୍ସ ଶୁଖିଯାଇନଥିଲା । ତାଙ୍କର ପରମ ମିତ୍ର ‘ବଟୁଦା’ (ସୁଧାଂଶୁଶେଖର ମଜୁମଦାର) ଲେଖିବା ପାଇଁ ଉତ୍ସାହିତ କାଲେ ଓ ଛଦ୍ମନାମରେ ଲେଖିବାପାଇଁ ପ୍ରେରଣା ଯୋଗାଇଲେ । ସେହିଦିନୁ ବଳାଇଚାନ୍ଦ ହେଲେ ବନଫୁଲ । ଏହି ଛଦ୍ମନାମ ମଧ୍ୟରେ ତାଙ୍କର ଉଜ୍ଜ୍ଵଳ ପ୍ରତିଭା କିନ୍ତୁ ଛପିରହିଲା ନାହିଁ । ପଣ୍ଡିତ ମହାଶୟ ମଧ୍ୟ ଉପାୟାନ୍ତର ପାଇଲେ ନାହିଁ । ସଂସ୍କୃତ ଶ୍ଳୋକାନୁବାଦରେ ସେହି ପଣ୍ଡିତ ମହାଶୟ ସହାୟତା ପ୍ରଦାନ କଲେ । ସେହିସବୁ ସଂସ୍କୃତ ଶ୍ଳୋକର ଅନୁବାଦ ‘ପ୍ରବାସ’ରେ ପ୍ରକାଶିତ ହେବାକୁ ଲାଗିଲା । ୧୯୧୮ ମସିହାରେ ତାଙ୍କର ଗୋଟିଏ ମୌଳିକ କବିତା ସେତେବେଳେ ବହୁ ଚର୍ଚ୍ଚିତ । ‘ଭାରତୀ’ ପତ୍ରିକାରେ ପ୍ରକାଶିତ ହେଲା । ସେ ନିଜ ପ୍ରତିଭାର ସ୍ଵୀକୃତି ତତ୍କାଳୀନ ମ୍ୟାଟ୍ରିକ ଫାଷ୍ଟକ୍ଲାସରେ ଅଧ୍ୟୟନ କରୁଥିବା ଅବସ୍ଥାରେ ଲାଭ କରିପାରିଥିଲେ ।

 

ସାହେବଗଞ୍ଜ ହାଇସ୍କୁଲରୁ ୧୯୮୧ ମସିହାରେ ମାଟ୍ରିକ୍ୟୁଲେଶନ ପରୀକ୍ଷାରେ ପାଶକରି ହଜାରିବାଗରେ ତତ୍କାଳୀନ କଲେଜରେ ଅଧ୍ୟୟନ କଲେ । ସେଠାକାର ପରିବେଶ ହାଇସ୍କୁଲ ପରିକ୍ଲୁପ୍ତ ନୁହେଁ । ସେଠାରେ ସ୍ଵାଧୀନତାର ଯଥେଷ୍ଟ ସୁଯୋଗ ମିଳିଲା । କବିତା ରଚନା ନିମନ୍ତେ ପ୍ରତିବନ୍ଧକର ପ୍ରଶ୍ନନାହିଁ, ଏପରିକି ପିଲାମାନେ ପାଠପଢ଼ୁ ପଢ଼ୁ ପ୍ରଣୟରେ ବ୍ୟାପୃତ ରହନ୍ତି-। ଜଣେ ବୟସ୍କଛାତ୍ର ନୀରଦବାବୁଙ୍କ ନିମନ୍ତେ ବନଫୁଲ ପଦ୍ୟଛନ୍ଦରେ ପ୍ରଣୟ ପତ୍ର ଲେଖିଦିଅନ୍ତି । ସେଠାରେ କେତେଜଣ ଅଧ୍ୟାପକ ଥିଲେ ସାହିତ୍ୟ ପ୍ରାଣ । ଦୁଇଜଣ ପ୍ରତିଷ୍ଠିତ କବି ଅମୀୟ ଚକ୍ରବର୍ତ୍ତୀ ଓ ସରୋଜ କୁମାର ରାୟ ଚୌଧୁରୀ ଥିଲେ ତାଙ୍କର ସହାଧ୍ୟାୟୀ ।

 

କଲେଜରେ ଅଧ୍ୟୟନ କାଳର ଇତିହାସ ଅଧ୍ୟାପିକା ଜ୍ଞାନବାବୁଙ୍କଠାରୁ ଇତିହାସର ଆଦିଯୁଗ କଥା ଶୁଣି ଗୋଟିଏ ଉପନ୍ୟାସ ରଚନା ନିମନ୍ତେ ସେ ଅନୁପ୍ରେରିତ ହୋଇଥିଲେ । ‘ସ୍ଥାବର’ ଉପନ୍ୟାସ ତା’ର ପରିଣତି । ସେ କଲମ୍ବସ କଲେଜରୁ ଆଇ.ଏସସି. ପାଶକରି କଲିକତା ମେଡ଼ିକାଲ କଲେଜରେ ନାମ ଲେଖାଇଲେ । ଡାକ୍ତରୀ ପଢ଼ୁଥିବା ସମୟରେ ତାଙ୍କର କବିତା ଲେଖା ଖୁବ୍ ଜୋର୍ ସୋରରେ ଚାଲିଥାଏ । ଏହି ସମୟରେ ତାଙ୍କ ଲିଖିତ କବିତାମାନ ପ୍ରସିଦ୍ଧ ବଙ୍ଗଳା ପତ୍ରିକା ‘ଭାରତୀ’ ‘କଲ୍ଲୋଳ’, ‘ବୀଜଲୀ’, ‘ପରିଚାରିକା’, ‘ପ୍ରବାସୀ’ ପ୍ରଭୃତିରେ ପ୍ରକାଶ ପାଉଥାଏ ଓ ସେ ବଙ୍ଗ ସାହିତ୍ୟ କ୍ଷେତ୍ରରେ ନିଜର ଆସନ ଦୃଢ଼କରି ନେଉଥାନ୍ତି । ଏହି ଚିକିତ୍ସା ମହାବିଦ୍ୟାଳୟରେ ତାଙ୍କ ଲିଖିତ କ୍ଷୁଦ୍ରଗଳ୍ପର ଆୟମାରମ୍ଭ ହୋଇଥିଲା । ସେ ଗୋଟିଏ ସ୍ମୃତି କଥାରେ ଲେଖିଛନ୍ତି ଯେ, ସେ ମେଡ଼ିକାଲ କଲେଜରେ ପଢ଼ୁଥିବା ବେଳେ କିଛିଦିନ ଘରୁ ଯା’ ଆସକରି ପଢ଼ୁଥିଲେ । ଏଣୁ ଯେତେବେଳେ କ୍ଲାସ ନଥାଏ ସେ ଏକୁଟିଆ ବସି ବସି ସମୟ କଟାଉଥିଲେ । ନିର୍ଜନ ବାସ ସମୟରେ ତାଙ୍କ ମନରେ ଯେଉଁ ଚିନ୍ତାରାଶି ଖେଳିଯାଉଥିଲା ତାହାକୁ ସେ ଧରି ରଖିବା ନିମନ୍ତେ କାଗଜ କଲମର ଆଶ୍ରୟ ନେଲେ । ଏହିପରି କେତେଗୋଟି ଲେଖା ସେ ‘ପ୍ରବାସୀ’ ପତ୍ରିକାର ସମ୍ପାଦକ ମହୋଦୟଙ୍କ ପାଖକୁ ପଠାଇ ଦେଲେ ଓ ସେହି ଲେଖାର ନାମକରଣ ଭାର ସମ୍ପାଦକଙ୍କ ଉପରେ ନ୍ୟସ୍ତକଲେ । ସେ ଲେଖିଲେ—“ଏଗୁଡ଼ିକ ରସୋତ୍ତୀର୍ଣ୍ଣ ହୋଇଛି କି ନା ଜାଣେନାହିଁ । ଆପଣଙ୍କୁ ଏହା ଭଲ ଲାଗିଲେ ନାମକରଣ କରି ଛାପିଦେବେ ।” ପ୍ରବାସୀର ସହ ସମ୍ପାଦକ ଚାରୁ ବନ୍ଦୋପାଧ୍ୟାୟ ଚିଠିଲେଖି ଜଣାଇ ଦେଲେ ଯେ ସେଗୁଡ଼ିକ ଭଲ ଲାଗିଛି । ତାହା ପ୍ରବାସୀରେ ଛାପା ହେବ । ‘ଅଜାନ୍ତେ’ ‘ବାଢ଼ତି ମାସୁଲ’ ପ୍ରଭୃତି ଗଳ୍ପର ନାମକରଣ ସମ୍ପାଦକ କରିଛନ୍ତି ଓ ତାହା ପ୍ରବାସୀରେ ସେତେବେଳେ ପ୍ରକାଶିତ ହୋଇଛି । ସେହି ଗଳ୍ପଗୁଡ଼ିକ ଆକାରରେ ଖୁବ୍ ସାନ, ଏପରିକି ପୋଷ୍ଟକାର୍ଡ଼ରେ ଲେଖି ତାହା ପତ୍ରିକାକୁ ପଠାଯାଇପାରେ । ଏପରି ଗଳ୍ପ ଲେଖିବାରେ ବଙ୍ଗ ସାହିତ୍ୟରେ ସେ ପ୍ରଥମ ଓ ପ୍ରଧାନ ।

 

ସେହି ସମୟରେ କଲିକତାର ଚଞ୍ଚଳଜୀବନ ଓ ବହୁ ଲୋକର ଭିଡ଼ ତାଙ୍କୁ କ୍ରମଶଃ ଗଦ୍ୟ ଆଡ଼କୁ ଠେଲି ଦେଇଥାଏ । ସେତେବେଳକୁ ତାଙ୍କ ବାସ ସ୍ଥାନରେ ସାହିତ୍ୟିକ ଆଡ଼୍‌ଡ଼ା ବସେ-। ବନ୍ଧୁ ଶିବଦାସବସୁ ମଲ୍ଲିକ ତାଙ୍କ ବାସସ୍ଥାନର ନାମ ଦେଇଥିଲେ ‘ଡେଭିଲ୍‌‌ସ ଡେନ’ । ତାଙ୍କ ଲିଖିତ ‘ଜଙ୍ଗମ’ ଉପନ୍ୟାସର କେତେଗୋଟି ଚରିତ୍ର ସେହି ସମୟର ମଣିଷ । ସେ ଛାତ୍ର ଜୀବନରେ ଉପନ୍ୟାସ ରଚନା କରି ନ ଥିଲେ; କେବଳ ମାଲମସଲା ସଂଗ୍ରହ କରିଥିଲେ । ମେଡ଼ିକାଲ କଲେଜରେ ପଢ଼ୁଥିବା ସମୟରେ ଶିକ୍ଷକ ଓ ସେ ସମୟର ବିଶିଷ୍ଟ ବ୍ୟଙ୍ଗ-ଲେଖକ ବନବିହାରୀ ମୁଖୋପାଧ୍ୟାୟଙ୍କ ସହିତ ବାଜିମାରି ‘ରୂପାନ୍ତର’ ନାମକ ନାଟକ ରଚନା କରିଥିଲେ । ଶିଶିର କୁମାର ଭାଦୁଡ଼ିଙ୍କ ସହିତ ସେତେବେଳେ ଆଳାପ ପରିଚୟ ହୋଇଥିଲା ।

 

ଚିକିତ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ବନଫୁଲଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହି ବିବାହ କାହାଣୀ ପରି ରସୋତ୍ତୀର୍ଣ୍ଣ । ଡାକ୍ତରୀ ପଢ଼ୁଥିବାରୁ ବହୁ କନ୍ୟାପିତାଙ୍କ ଲୁବ୍‌ଧ ଦୃଷ୍ଟି ଆକୃଷ୍ଟ ହେବାର କଥା । ବନଫୁଲଙ୍କ ପିତା ସତ୍ୟଚରଣବାବୁ ପୁତ୍ରର ବିବାହ ଶେଷ କରିଦେବା ନିମନ୍ତେ ମଧ୍ୟ ଉନ୍ମୁଖ ଥିଲେ । ଥରେ ଜଣେ କନ୍ୟାପିତା ସିଧାସଳଖ ବନଫୁଲଙ୍କ ସହିତ ସାକ୍ଷାତ କରି ପ୍ରସ୍ତାବ ଦେଲେ ଯଦି ସେ ତାଙ୍କ କନ୍ୟାକୁ ବିବାହ କରନ୍ତି ତେବେ ତାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବିଲାତ ପଠାଇବେ । ମୂଲ୍ୟବାନ ଗହଣାଗଣ୍ଠିତ ଦେବେ; ତା’ ଛଡ଼ା ପଣ ହିସାବରେ ନଗଦ ଦଶହଜାର ଟଙ୍କା ଦେବେ । ଏହାର ଉତ୍ତରରେ ବନଫୁଲ କହିଲେ ଯେ, “ସେ ଶ୍ଵଶୁରଙ୍କ ଅର୍ଥରେ ବିଲାତ ଯିବାକୁ ଚାହାନ୍ତି ନାହିଁ । ଏତେ ଅର୍ଥ ବ୍ୟୟକରିବାକୁ ଚାହୁଁଥିବା ଲୋକ ଅଧିକ ଉତ୍ତମ ପାତ୍ର ପାଇବାରେ ଅସୁବିଧା ନାହିଁ । ଯେବେ ଚାହିଁବେ ତେବେ ସେ ସେପରି ପାତ୍ରର ସନ୍ଧାନ ଦେଇଦେବେ” । ବିଚାରା କନ୍ୟା ପିତା ନିରାଶ ହୋଇ ଫେରିଲେ ।

 

ବନଫୁଲ ପରୀକ୍ଷା ପରେ ଘରକୁ ଗଲେ । ସତ୍ୟଚରଣବାବୁ ଜିଜ୍ଞାସାକଲେ ବିବାହ ପ୍ରସ୍ତାବରେ ସେ ସମ୍ମତ ହେଉ ନାହାନ୍ତି କାହିଁକି ? ଯଦି ସେ କାହାକୁ ବିବାହ କରିବା ନିମନ୍ତେ ମନସ୍ଥ କରିଥାନ୍ତି—ତାହା ପ୍ରକାଶ କଲେ ସେ କନ୍ୟା ସହିତ ବିବାହ କରାଇ ଦେବାର ବ୍ୟବସ୍ଥା ମଧ୍ୟ କରିଦେଇ ପାରନ୍ତେ । ବନଫୁଲ କହିଲେ ଯେ, ‘ସେପରି କିଛି ଘଟଣାନାହିଁ । ସେ ଉପାର୍ଜନକ୍ଷମ ହେବା ପୂର୍ବରୁ ବିବାହ ନ କରିବାକୁ କେବଳ ଚାହୁଁଛନ୍ତି । ’

 

ସତ୍ୟଚରଣବାବୁ ତା’ର ଉତ୍ତରରେ କହିଲେ—“ତୁମେ ପରୀକ୍ଷାରେ ପାଶ୍ କରିସାରିବା ପରେ କେତେ ଉପାର୍ଜନ କରିବ । ମୁଁ କଣ ତୁମକୁ ପାଳନ ପୋଷଣ କରିନାହିଁ ନା ପାଠପଢ଼ାଇ ନାହିଁ । କେଉଁଥିରେ କାର୍ପଣ୍ୟ କରିଛି ? ତେବେ ବୋହୂଙ୍କୁ ପୋଷି ପାରିବି ନାହିଁ କାହିଁକି ।” ବନଫୁଲ କିଛି ପ୍ରତିବାଦ ନ କରି ବିବାହ କରିବାକୁ ସମ୍ମତ ପ୍ରକାଶ କଲେ ।

 

ସତ୍ୟଚରଣବାବୁ ପ୍ରଶ୍ନ କଲେ—“କେଉଁ ଧରଣର କନ୍ୟା ତୁମର ପସନ୍ଦ, ରୂପବତୀ ନା ବଡ଼ଲୋକର ଝିଅ ଆବଶ୍ୟକ ?” ବନଫୁଲ କହିଲେ—“ଝିଅଟି ଟିକେ ଲେଖାପଢ଼ା ଜାଣିଥିବା ଦରକାର, ଅନ୍ତତଃ ମାଟ୍ରିକ୍‌କ୍ୟୁଲେଶନ ପାଶ୍ ନ କଲେ ପାଠପଢ଼ା କୁହାଯାଏ ନାହିଁ । ସେପରି ହେଲେ ହେଲା ।”

 

କିଛିଦିନ ପରେ ବନଫୁଲ ବାପାଙ୍କଠାରୁ ଚିଠି ପାଇଲେ “ଝିଅଟି ବେଥୁନ କଲେଜରେ ଆଇ.ଏ. ପଢ଼ୁଛି । ତା’ ବାପା ବର୍ମାରେ ଆଡ଼ଭୋକେଟ୍‌ ଅଛନ୍ତି । ଝିଅଟି ଛୁଟିରେ ତା’ ବାପାଙ୍କର ବନ୍ଧୁଘରେ ରହୁଛି । ତାଙ୍କୁ ଦେଖିବାକୁ ଯିବା ପାଇଁ ବନ୍ଦୋବସ୍ତ କରାଯାଇଛି । ତୁମେ ଦେଖିସାରି ଖବର ପଠାଅ, ପସନ୍ଦ ହେଲା କି ନାହିଁ ।” ଭଦ୍ରଲୋକ ପରଦିନ ବନଫୁଲଙ୍କୁ ଦେଖାକଲେ । ବନଫୁଲ କହିଲେ—‘‘କନ୍ୟା ଦେଖିବାର ଆବଶ୍ୟକତା କ’ଣ ? ଛେଳି, ମେଣ୍ଢା ଦେଖିଲା ପରି କନ୍ୟା ଦେଖି ବାହାହେବାର ମୁଁ ବିରୋଧୀ । ପାତ୍ରୀଟି କାଣୀ, କୁଜୀ ନୁହେଁ ତ ? ଯେବେ ତାହା ନୁହେଁ ତେବେ ମୋ’ର ଦେଖିବା ଦରକାର ନାହିଁ । ମୁଁ ଚାହୁଁଥିଲି ଗୋଟିଏ ଲେଖାପଢ଼ା ଜାଣିଥିବା ଝିଅକୁ ବାହାହେବି । ଝିଅଟି ଆଇ.ଏ. ପଡ଼ୁଛି । ବେଶ୍, କଥା ସରିଲା । ମୁଁ ମୋ’ର ଆପତ୍ତି ନାହିଁ ବୋଲି ବାପାଙ୍କୁ ଜଣାଇଦେବି ।” ଭଦ୍ରଲୋକ ଏହା ଶୁଣି ଯାହା ଉତ୍ତର ଦେଲେ, ସେ କଥା ଶୁଣି ବନଫୁଲ ସ୍ତବ୍‌‌ଧ ହୋଇଗଲେ । ସେ କହିଲେ—“ଆପଣ ଶିକ୍ଷିତା ପାତ୍ରୀ ପସନ୍ଦ କରନ୍ତି, ସେମିତି ଆପଣଙ୍କର ଜାଣିବା ଉଚିତ ସେ ତା’ର ତ ପୁଣି ପସନ୍ଦ ଅପସନ୍ଦ ଅଛି ।” ବନଫଲ କହିଲେ—ସେକଥା ସତ୍ୟ । ମୁଁ ଦୁଇଜଣ ସାଙ୍ଗରେ ନେଇଯିବି । ଆପଣ ଝିଅଟିକୁ ଆମେ ଦେଖିବାକୁ ଯିବା କଥା ଆଦୌ କହିବେ ନାହିଁ । ଆପଣ କହିବେ ମୋ’ ବନ୍ଧୁ ର ପିଲାମାନଙ୍କୁ ଚା’ ଖାଇବାକୁ ଆମନ୍ତ୍ରଣ କରିଛି । ଆମେ ସେହି ହିସାବରେ ଯିବୁ । ଆମ ତିନିଜଣଙ୍କୁ ଦେଖି ତା’ ମଧ୍ୟରୁ ଯଦି ସେ ମୋତେ ପସନ୍ଦ କରନ୍ତି ତା’ ହେଲେ ବାହାଘର ହେବ ।” ପରଦିନ ବନଫୁଲ ଗଲେ । ତାଙ୍କ ସହିତ ତାଙ୍କ ସାନଭାଇ ଭୁଲୁ ଓ ବନ୍ଧୁ ଶିବଦାସ ମଲ୍ଲିକ ଗଲେ । ପାତ୍ରୀ ସମସ୍ତଙ୍କୁ ଯତ୍ନରେ ଚା’ ପରିବେଷଣ କଲେ । ବନଫୁଲ ଅନୁଭବ କଲେ ଯେ ପାତ୍ରୀ ପ୍ରକୃତରେ ସେମାନଙ୍କର ପ୍ରକୃତ ପରିଚୟ ପାଇନାହାନ୍ତି । କଥା ପ୍ରସଙ୍ଗରେ ଜାଣିଲେ କନ୍ୟାଟି ରବୀନ୍ଦ୍ର ସଙ୍ଗୀତ ଜାଣନ୍ତି । ଫେରିବାବେଳେ ଭଦ୍ରଲୋକ ଜଣାଇ ଦେଲେ ଯେ, ପାତ୍ରୀ ପ୍ରକୃତରେ ତାଙ୍କୁ ପସନ୍ଦ କରିଛି । ସେହି କନ୍ୟା ବନଫୁଲଙ୍କର ସହଧର୍ମିଣୀ ହେଲେ । ତାଙ୍କର ନାମ ହେଉଛି ଲୀଳାବତୀ ଦେବୀ ।

 

ବନଫୁଲ ଡାକ୍ତରୀ ଜୀବନ ଆରମ୍ଭ ବେଳର ଅଭିଜ୍ଞତାକୁ ଭିତ୍ତିକରି ତାଙ୍କର ସର୍ବପ୍ରଥମ ଉପନ୍ୟାସ ‘ତୃଣ ଖଣ୍ଡ’ ରଚନା କରିଥିଲେ । ଏହା ‘ଶନିବାରେର ଚିଠି’ ପତ୍ରିକାର ସମ୍ପାଦକଙ୍କୁ ଭଲ ଲାଗିଲା ନାହିଁ । ଏଣୁ ପତ୍ରିକାରେ ସ୍ଥାନ ପାଇଲା ନାହିଁ । ସିଧାସଳଖ ବହି ଆକାରରେ ପ୍ରକାଶ ପାଇଲା । ବନ୍ଧୁ କେଦାରନାଥ ବାନାର୍ଜୀଙ୍କ ସୁପାରିଶକ୍ରମେ ତାଙ୍କର ପ୍ରଥମ ଗଳ୍ପଛାତ୍ର “ବନଫୁଲର ଗଳ୍ପ” ପ୍ରକାଶ ପାଇଲା । ଅବିରଳ ଗତିରେ ଲେଖା ଚାଲିଲା । ଚିକିତ୍ସକର ସମୟ ଖୁବ୍ ଅଳ୍ପ ହେଲେ ମଧ୍ୟ ତାଙ୍କ ସ୍ଵତସ୍ଫୁର୍ତ୍ତ ଲେଖନୀରୁ କ୍ରମାନ୍ଵୟରେ ଗଳ୍ପ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ, ଜୀବନୀ ଝରିଯାଇ ବଙ୍ଗ ସାହିତ୍ୟର ମୁଖ ଉଜ୍ଜ୍ୱଳ କରିଛି । କାମର ଚାପାରେ ଦିନବେଳେ ସେ ଲେଖିବା ପାଇଁ ସୁବିଧା ପାଇପାରନ୍ତି ନାହିଁ । ଏଣୁ ବିନିଦ୍ର ଭାବରେ ରାତ୍ରି ସମୟରେ ଲେଖିଥା’ନ୍ତି ।

 

ଗୋଟିଏ ଚମକପ୍ରଦ ଘଟଣା ସୂତ୍ରାବଲମ୍ବନରେ ବିଶ୍ଵକବି ରବୀନ୍ଦ୍ରନାଥଙ୍କ ସହିତ ବନଫୁଲଙ୍କର ଆଳାପ ପରିଚୟ ହୋଇଥିଲା । ୧୯୩୭ ମସିହାରେ ଜଣେ କେହି ରାମଚନ୍ଦ୍ର ଝାକାଳୀ ଘାଟରେ ବୋଦାବଳି ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରିଥା’ନ୍ତି । ରବୀନ୍ଦ୍ରନାଥ ତାଙ୍କୁ ପ୍ରଶଂସା କରି ଗୋଟିଏ କବିତା ଲେଖିଲେ । ବ୍ୟଙ୍ଗ ନିପୁଣ ବନଫୁଲ ଛାଡ଼ିବାର ପାତ୍ର ନୁହନ୍ତି, ସେ ରବୀନ୍ଦ୍ରନାଥଙ୍କୁ ଆକ୍ରମଣ କରି ଗୋଟିଏ କବିତା ଲେଖିଲେ । କବିତାଟି ପ୍ରକାଶ ପାଇବାର ଦିନ କେତୋଟି ପରେ ଜଣେ ପୁରାତନବନ୍ଧୁ ଆସି କହିଲେ—‘ଗୁରୁଦେବ ସେ କବିତାଟି ପଢ଼ି ଖୁବ୍ ଖୁସି ହୋଇଛନ୍ତି । ଯାଇଁ ତାଙ୍କୁ ଦେଖା କରିବା ଉଚିତ । ’ ବନଫୁଲ କହିଲେ—‘‘ଭାଇ, ବଡ଼ ଲୋକଙ୍କ ଦରବାରକୁ ଯିବାପାଇଁ ଡର ମାଡ଼ୁଛି । ତା’ ଛଡ଼ା ମୁଁ ଡାକ୍ତର ଓ ବ୍ରାହ୍ମଣ । ‘କଲ୍’ ନ ପାଇଲେ ଯାଉନାହିଁ ।” ଆଶ୍ଚର୍ଯ୍ୟ କଥା ଦୁଇ ଚାରିଦିନ ପରେ ବନଫୁଲଙ୍କୁ ରବୀନ୍ଦ୍ରନାଥଙ୍କ ଆମନ୍ତ୍ରଣ ପତ୍ର ମିଳିଲା । ଲେଖିଥା’ନ୍ତି—ଆଗାମୀ ବସନ୍ତୋତ୍ସବ ସମୟରେ ଶାନ୍ତି ନିକେତନକୁ ସପରିବାର ଆସିଲେ ଖୁସି ହେବି, ଅଭ୍ୟର୍ଥନାରେ ତ୍ରୁଟି ହେବନାହିଁ । ଜଣେ ପ୍ରବୀଣତମ ଲୋକର ଅର୍ବାଚୀନ ପ୍ରତି ଏହି ଗଭୀର ସ୍ନେହ-ମମତ୍ଵବୋଧ ହିଁ ମାନବତା-ଭାଷ୍ୟକାର ଲେଖକ ପକ୍ଷରେ କୋଟିନିଧି । ବନଫୁଲ ସପରିବାର ଶାନ୍ତି ନିକେତନକୁ ଯାଇ ଗୁରୁଦେବଙ୍କ ସହିତ ଦେଖା କରିଥିଲେ ଏବଂ କବି ଗୁରୁଙ୍କଠାରୁ ପୁରାଣ ଜବାକୁସୁମ ଉପହାର ପାଇଥିଲେ । କେବଳ ସେତିକି ନୁହେଁ; ଗୋଟିଏ ଗଳ୍ପର ପ୍ଳଟ ମଧ୍ୟ ଉପହାରରୂପେ ମିଳିଥିଲା । ତାହା ବନଫୁଲଙ୍କ ‘ନିର୍ମୋକ’ ଉପନ୍ୟାସରେ ରୂପାୟିତ ହୋଇଛି ।

 

ଗୌରାଙ୍ଗ ଭୌମିକ ତାଙ୍କୁ ଥରେ ପ୍ରଶ୍ନ କରିଥିଲେ—‘‘ଆପଣଙ୍କ ଲେଖାରେ କୌଣସି ମ୍ୟାସେଜ; ଅର୍ଥାତ୍‌ କହିବାର କଥା ଅଛି କି ?” ତା’ର ଉତ୍ତରରେ ବନଫୁଲ କହିଥିଲେ—“ନିଶ୍ଚୟ ଅଛି । ମଣିଷ ମୋ ଲେଖାର ବିଷୟ ଓ ପ୍ରେରଣା; ଅଥଚ, ମଣିଷକୁ ନେଇ ମୁଁ କୌଣସି ଫିଲସଫି ବା ଫର୍ମୂଲା ପ୍ରସ୍ତୁତ କରିନାହିଁ । ଦୁଇଜଣ ମଣିଷ କେବେ ହେଲେ ଏକାଭଳି ନୁହନ୍ତି । ମନୁଷ୍ୟକୁ ଅନୁସରଣ କରି ମୁଁ ମୋ’ର ନିତ୍ୟ-ନୂତନଭଙ୍ଗୀ ଓ ବିଷୟ ଆବିଷ୍କାର କରିଅଛି ।”

 

ତାଙ୍କ ଲିଖିତ ଛାତ୍ରମାନଙ୍କ ମଧ୍ୟରେ ହାଟେବାଜାରେ, ନବୀନ ଦତ୍ତ, ଠୁମ୍‌‌ରି, ସନ୍ଧିପୂଜା, ଅଧିକଲାଲ, ମାନସପୁର, ଏ ରାଓ ଆଛେ, ପକ୍ଷୀ ମିଥୁନ, ତୀର୍ଥେର କାକ, ଲୀ, ଭୁବନ ସୋମ, ଡାନା, ମନ୍ତ୍ର ମୁଗ୍‌ଧ ଅଗ୍ନୀଶ୍ଵର, ଦ୍ଵୈରଥ, ଭୀମ ପଲଶ୍ରୀ, ବିନ୍ଦୁବିସର୍ଗ, ମୃଗୟା ପ୍ରଭୃତି ଉପନ୍ୟାସ ପ୍ରସିଦ୍ଧ । ପ୍ରତ୍ୟେକ ଉପନ୍ୟାସ ଗଳ୍ପ, ନାଟକ ନୂତନ ଚିନ୍ତା, ପ୍ରକାଶ ଭଙ୍ଗୀରେ ସମୃଦ୍ଧ ।

 

ହାଟେ ବାଜାରେ—ଏହି ଉପନ୍ୟାସରେ ତାଙ୍କ ଜୀବନ-ଦର୍ଶନ ରୂପାୟିତ । ଏହି ଉପନ୍ୟାସର ନାୟକ ଡାକ୍ତର ସଦାଶିବ ଭଟ୍ଟାଚାର୍ଯ୍ୟ ଚାକିରୀରୁ ଅବସର ନେଇ ଲୋକସେବାରେ ନିଜକୁ ବିନିଯୁକ୍ତ କରିଛନ୍ତି । ଗରିବ ଲୋକମାନେ କେବଳ ଅର୍ଥାଭାବରୁ ଚିକିତ୍ସା ସୁଯୋଗରୁ ବଞ୍ଚିତ । ଔଷଧ ସହିତ ପଥ୍ୟ ବା ପୁଷ୍ଟିକର ଖାଦ୍ୟ ମଧ୍ୟ ଆବଶ୍ୟକ । ବନଫୁଲ ଗରିବର ବନ୍ଧୁ । ସେ ମଧ୍ୟ ଗରିବ ଲୋକର ଏହି ଅଭାବକୁ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି । ସେ ଗରିବ ଲୋକଙ୍କୁ କେବଳ ଔଷଧ ଦେଇ ଯେ ସାହାଯ୍ୟ କରନ୍ତି ତାହା ନୁହେଁ; ସାମୟିକ ଅର୍ଥ ସାହାଯ୍ୟ କରିଥାନ୍ତି । ଏ ବିଷୟ ଶ୍ରୀ ବୀରେନ୍ଦ୍ର କୃଷ୍ଣଭଦ୍ର ମହାଶୟ ବନଫୁଲଙ୍କ ସ୍ମୃତି କଥାରେ ଉଲ୍ଲେଖ କରିଛନ୍ତି । ହାଟେବଜାରେ ଉପନ୍ୟାସରେ ଏହି ସାହାଯ୍ୟ ରୂପାୟିତ ହୋଇଛି । ଏହି ଉପନ୍ୟାସ ପାଇଁ ବନଫୁଲ ରବୀନ୍ଦ୍ର ପୁରସ୍କାର ଲାଭ କରିଛନ୍ତି ।

 

ନବୀନଦତ୍ତ—ତାଙ୍କର ଗୋଟିଏ ଆଦର୍ଶଭିତ୍ତିକ ଉପନ୍ୟାସ । ନବୀନଦତ୍ତ ଥିଲେ ପ୍ରଫେସର । ସ୍ୱାଧୀନୋତ୍ତର ଯୁଗର ଭାରତ ଦୁଷ୍କୃତି ଓ ଦୁର୍ଗତି କବଳରେ ପଡ଼ି କ୍ରମେ କ୍ରମେ ପଳେଇ ଯାଉଛି । ଏହା ଦେଖି ସେ ମର୍ମାହତ । ନବୀନ ଦତ୍ତଙ୍କର ଆଦର୍ଶ ଥିଲେ ବିଦ୍ୟସାଗର । ଆଧୁନିକ ଯୁଗକୁ ସେ କି ଦୃଷ୍ଟିରେ ଦେଖୁଥିଲେ ଶଂସିତ ଉପନ୍ୟାସର ଉଦ୍ଧୃତାଂଶରୁ ଜଣାପଡ଼ିବ । “ସେମାନେ ଆଧୁନିକ, ନିଜ ଦେହରେ “ଆଧୁନିକ” ଏହି ଛପାମାରି ସେମାନେ ଯେକୌଣସି ବେହେଡ଼ାଗିରି କରିପାରିବେ ଏବଂ ସେମାନଙ୍କର ଦାବୀ ଯେ ତାହା ସହ୍ୟ କରିବାକୁ ହେବ । କହିବାକୁ ହେବ–ସେମାନେ ଆଜି କାଲିକାର ପୁଅ ଝିଅ । ସେମାନେ ତ ସେପରି କରିବେ । ଆଧୁନିକ ସାହିତ୍ୟମାନେ ଦୁର୍ଗନ୍ଧ କାମ ସାହିତ୍ୟ । ସେଥିରେ କାଳେ ବାସ୍ତବତା ଫୁଟିଉଠିଛି । ଅର୍ଗକାଲିଲା କବିମାନେ କାଳେ ଅବାସ୍ତବ–ସ୍ୱପ୍ନାଲୋକରେ ବାସ କରୁଥିଲେ । ସେମାନଙ୍କ ଦୃଷ୍ଟିରେ ଜୀବନର ଛାପାନାହିଁ । “ନବୀନଦତ୍ତ କିନ୍ତୁ ଜାଣନ୍ତି ତା’ ସତ୍ତ୍ୱେ ଓ ମିଲ୍‌ଟନ, ସେକ୍‌ସପିୟର, ଶେଲୀ, କୀଟ୍‌ସ, ମଧୁସୂଦନ, ବଙ୍କିମ, ରବୀନ୍ଦ୍ରନାଥ ବର୍ତ୍ତିଯିବେ । ଭାସିଯିବେ ସେହିମାନେ ।” କେବଳ ସାହିତ୍ୟ ବିଷୟରେ ନୁହେଁ; ଶିକ୍ଷା ବିଷୟରେ ତାଙ୍କର ଦର୍ଶନ ପ୍ରଣିଧାନ ଯୋଗ୍ୟ । ନବୀନ ଦତ୍ତଙ୍କ ମୁହଁରେ ସଂଳାପ—“ଦେଖ ଯେଉଁଦିନଠାରୁ ଆମ୍ଭେମାନେ ବିଦ୍ୟା ବିକ୍ରୟ କରିବାକୁ ଆରମ୍ଭ କଲୁ, ସେହିଦିନଠାରୁ ଆମ୍ଭମାନଙ୍କର ଅଧୋପତ୍ତନ ଆରମ୍ଭ ହୋଇଛି । ଗୁରୁ ଯେଉଁଦିନ ଅର୍ଥର ଦାସହେଲେ; ଅର୍ଥଦାତା ଶିଷ୍ୟର ଚାଟୁକାର ହେଲେ ସେହି ଦିନଠାରୁ ଆମର ବାରଟା ବାଜିଯାଇଛି-। “ନବୀନଦତ୍ତ ଉପନ୍ୟାସର ପରିସମାପ୍ତି ମଧ୍ୟ ଅଭାବନୀୟ ହୋଇଛି । ନବୀନଦତ୍ତ ଦୁର୍ଗତିଗ୍ରସ୍ତ ଗୃହ ଓ ସମାଜକୁ ଦେଖି ଗୃହତ୍ୟାଗ କରି ବିଦ୍ୟାସାଗର ଶେଷ ଜୀବନ କଟାଇଥିବା କାରମାଟାରକୁ ପଳାଇ ଯାଇଛନ୍ତି । ସାଙ୍ଗରେ କିଛି ନେଇ ନାହାନ୍ତି; କେବଳ ଖଣ୍ଡିଏ ବିଦ୍ୟାସାଗରଙ୍କ ଛବି--–“ସାରାଦିନ ସେ ପଡ଼ିଆରେ ଘୂରି ବୁଲନ୍ତି । ମନେହୁଏ ଲାଞ୍ଛିତ ବିଦ୍ୟସାଗରଙ୍କ ଆତ୍ମାକୁ ସେ ଖୋଜୁଛନ୍ତି । ଜାଣନ୍ତି ଯେ ଦେଖା ପାଇବେ ନାହିଁ, ତେବେ ବି ଖୋଜୁଛନ୍ତି । କାରଣ ଆଉକିଛି କରିବାର ନାହିଁ ।”

 

ଠୁମ୍‌ରି—ଏହି ଉପନ୍ୟାସଟି ସଂଳାପ ଶୈଳୀରେ ବିରଚିତ । ଏହି ଉପନ୍ୟାସର ନାୟକ ରୋଗଶଯ୍ୟାରେ ଶାୟିତ ଓ ଯାହା ସ୍ୱପ୍ନରେ ଦେଖୁଛି ତାହା ବର୍ଣ୍ଣିତ । ଏହା ଚେତନାଭିତ୍ତିକ ଉପନ୍ୟାସ (Stream of conscienceness) ବୋଲି କୁହାଯାଇପାରେ । ଏହି ଉପନ୍ୟାସରେ କବିତା ସମ୍ବନ୍ଧରେ ଗୋଟିଏ ସଂଳାପ, ବନଫୁଲଙ୍କ ଆଧୁନିକ କବିତାପ୍ରତି ଥିବା ମନୋବୃତ୍ତିର ପରିଚାୟକ । —“ଜାଫ୍‌ରାନ ନଦେଇ ମଧ୍ୟ ଅନେକ ପଲାଉ ରାନ୍ଧନ୍ତି, କିନ୍ତୁ ଜାଫ୍ରାନ ଦେଲେ ପଳାଉର ଯେଉଁ ରୂପ ଖୋଲିଥାଏ ବିନା ଜାଫ୍ରାନରେ ସେ ରୂପ ଝଳେ ନାହିଁ । କବିତା ଚରଣରେ ମିଳନ (ମିତ୍ରାକ୍ଷର) ନୁପୂର ଯଦି ନ ବାଜେ, କବିତା ସର୍ବାଙ୍ଗରେ ଅଳଙ୍କାରର ଶିଞ୍ଜନ ଯଦି ଧ୍ୱନିତ-ପ୍ରତିଧ୍ୱନିତ ନ ହୁଏ ସେ କବିତା ପଢ଼ିଲେ ତୃପ୍ତିମିଳେ ନାହିଁ କି ଲେଖିଲେ ମଧ୍ୟ ତୃପ୍ତି ମିଳେ ନାହିଁ । ନା ମୁଁ ପଦ ନ ମିଳାଇ କବିତା ଲେଖିବି ନାହିଁରେ ।” ଯେପରି ଏହି ସଂଳାପରେ ବନଫୁଲ ଆଧୁନିକ କବିତା ନ ଲେଖିବାପାଇଁ ନିଜର ମତ ଜଣାଇ ଦେଇଛନ୍ତି ।

 

ଅଧିକ ଲାଲ—ଚରିତ୍ର ପ୍ରଧାନ ଉପନ୍ୟାସ । ପଲ୍ଲୀ ଗାଁର ସନ୍ତାନ, ପ୍ରତିଭାଧର, ଉଦ୍ୟମୀ ଫଳରେ ଭାରତୀୟ ପ୍ରଶାସନିକ ଚାକିରି (I.A.S.) ପାଇ ଜିଲ୍ଲାପାଳ ହୋଇଛନ୍ତି । ରାଜନୈତିକ ଚାପରେ ଓ ଅର୍ଥ ଲୋଭରେ କିପରି ଦିନ ରାତି ହେଉଛି ଓ ରାତି ଦିନ ହୋଇପାରୁଛି ତା’ର ଗୋଟିଏ ଚମତ୍କାର ଚିତ୍ର ଏହି ଉପନ୍ୟାସରେ ଅଙ୍କିତ ହୋଇଛି । ଅଧିକଲାଲ ଜିଲ୍ଲାପାଳ ଚାକିରିରୁ ଇସ୍ତଫାଦେଇ ନିଜ ପଲ୍ଲୀଗ୍ରାମରେ ପିଲାମାନଙ୍କୁ ଶିକ୍ଷା ଦେବାରେ ନିଜକୁ ନିୟୋଜିତ ରଖିଛନ୍ତି । ହେଲେ ତାହା ମଧ୍ୟ ହୋଇ ପାରିନାହିଁ । ଶେଷରେ ସେ ସର୍ବାହରା ହୋଇ ଜନସମୁଦ୍ରରେ ନିଜକୁ ହଜାଇ ଦେଇଛନ୍ତି । ଅଧିକଲାଲଙ୍କ ନିକଟକୁ ତାଙ୍କର ଜଣେ ବନ୍ଧୁ ଲେଖିଥିବା ଚିଠିରୁ ଗଣତନ୍ତ୍ର ଭାରତର ରାଜନୈତିକ ସ୍ଵରୂପ ଜଣାପଡ଼େ । “ତୁମପରି ଆଦର୍ଶବାଦୀ ପିଲା ଯେ ଗଭର୍ଣ୍ଣମେଣ୍ଟ ଚାକିରି କରିଛି ଏହା ବଡ଼ ପରିତାପର ବିଷୟ । ବର୍ତ୍ତମାନ ଶାସନ ନାମରେ ଯାହା ଚାଲିଛି ତା’ର ସମର୍ଥନ କୌଣସି ଆଦର୍ଶବାଦୀ ଲୋକ କରିପାରିବ ବୋଲି ମୁଁ ମନେକରେ ନାହିଁ । ଡେମୋକ୍ରାସି ନାମରେ ଏହା ଏକଧରଣର ଡିକ୍ଟେଟରସିପ, ଟଙ୍କାରେ ଡିକ୍ଟେଟରସିପ, ଟଙ୍କାଥିଲେ ଏ ଦେଶରେ ସବୁ ହୋଇପାରେ ।”

 

ସନ୍ଧିପୂଜା—ଗୋଟିଏ ଇତିହାସଭିତ୍ତିକ ଉପନ୍ୟାସ । ସିରାଜଦୌଲାଙ୍କ ସମୟର ଗୋଟିଏ କରୁଣ ରସଘନ ଘଟଣା ଏଥିରେ ବର୍ଣ୍ଣିତ ହୋଇଛି ।

 

ମାନସପୁର—ଦୁରାରୋଗ୍ୟବ୍ୟାଧି ଯନ୍ତ୍ରଣାପିଷ୍ଟ ବିଶ୍ଵଦୀପର ସ୍ଵପ୍ନତୀର୍ଥ ମାନସପୁର । ଆଫ୍ରିକାରେ ସେ ସ୍ୱପ୍ନରେ ଗୋଟିଏ ଗ୍ରାମ ପ୍ରତିଷ୍ଠା କରିଛନ୍ତି ।

 

ଡ଼ାନା—ପକ୍ଷୀ ଜଗତର ଜୀବନ ଉପରେ ଭିତ୍ତିକରି ସେ ଏହି ଉପନ୍ୟାସ ରଚନା କରିଛନ୍ତି । ଏହା ବୋଧହୁଏ ଭାରତୀୟ ସାହିତ୍ୟରେ ଅଭିନବ ପରିକଳ୍ପନା । ବାଇନାକ୍ୟୁଲର ଧରି ବଣର ଚଢ଼େଇମାନଙ୍କ ପଛରେ ଦିନ୍ ଦିନ୍ ଘୁରି ବୁଲି ସଂଗୃହୀତ ତଥ୍ୟରାଜିକୁ ପକ୍ଷୀବିଜ୍ଞାନ ଛାତ୍ର ସହିତ ମିଳାଇ ରସୋତ୍ତୀର୍ଣ୍ଣ ଉପନ୍ୟାସ ରଚନା କରିବା କମ୍ ଶକ୍ତିମତ୍ତା ନୁହେଁ ।

 

ପକ୍ଷୀମିଥୁନ—ଏହି ଉପନ୍ୟାସରେ ଚଳିତ ଶତାବ୍ଦୀର ବିଷୟ-ଲୁବ୍‌ଧତା ପ୍ରତି ତୀକ୍ଷ୍‌ଣ ବ୍ୟଙ୍ଗ ବିନିହିତ । ମଣିଷ ଅର୍ଥ ଲୋଭରେ ଏପରି କିଛି କଦର୍ଯ୍ୟ କାମ ନାହିଁ ଯାହାକରି ନପାରିବ ବୋଲି ପ୍ରମାଣ କରି ଦିଆଯାଇଛି । ଏହି ଉପନ୍ୟାସର ଶୈଳୀ ମଧ୍ୟ ଅତ୍ୟନ୍ତ ଅଭିନବ । ମୁଣ୍ଡକ ଉପନିଷଦର ଗୋଟିଏ ଶ୍ଳୋକ–“ଦ୍ୱାସୁପୂର୍ଣ୍ଣା ସଯୁଜା ଶାଖାୟାଂ ସମାନଂ ବୃକ୍ଷଂ ପରିଷସ୍ଵ ଜାତେ”,ର ଭାବାର୍ଥ ଏହି ଶୈଳୀର କେନ୍ଦ୍ରବିନ୍ଦୁ । ଏହି ଉପନ୍ୟାସ ଓଡ଼ିଆ ଭାଷାରେ ଅନୁଦିତ ଓ ପ୍ରକାଶିତ ହୋଇଛି ।

 

ଭୁବନ ସୋମ ଉପନ୍ୟାସ ଚଳଚ୍ଚିତ୍ର ରୂପରେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଛି ଓ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଛି ।

 

‘ବିଦ୍ୟାସାଗର’ ଓ ‘ମଧୁସୂଦନ’ ତାଙ୍କ ଲିଖିତ ଦୁଇଟି ଜୀବନୀ ମୂଳକ ନାଟକ । ଏହା ବେତାର ନାଟକ ଭାବରେ ପ୍ରଚାରିତ ହୋଇଛି । ‘କୈକେୟୀ’ ନାଟକ ରାମାୟଣର କୈକେୟୀଙ୍କୁ ନେଇ ଲିଖିତ । କୈକେୟୀ ରାମଚନ୍ଦ୍ରଙ୍କୁ ବନବାସ ପଠାଇ ନାହାନ୍ତି । ଅନାର୍ଯ୍ୟମାନଙ୍କ ମଧ୍ୟରେ ଆର୍ଯ୍ୟ ସଂସ୍କୃତି ପ୍ରଚାର ନିମନ୍ତେ ପ୍ରେରଣା ଦେଇଛନ୍ତି । ସେଥିରେ ସେ ଯେଉଁ ଅଭିନବ କଳ୍ପନା ଶକ୍ତିର ପରିଚୟ ଦେଇଛନ୍ତି ତାହା ଅସାଧାରଣ କହିଲେ ଅତ୍ୟୁକ୍ତି ହେବନାହିଁ ।

 

କବିତା କ୍ଷେତ୍ରରେ ବନଫଲ ମଧ୍ୟ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ତାଙ୍କର ପ୍ରାଥମିକ କବିତା ଗୁଡ଼ିକରେ ରଙ୍ଗରସ ଓ ବ୍ୟଙ୍ଗ-ବିଦ୍ରୁପ ଥିଲେ ମଧ୍ୟ ସେଥିରେ ରାଜନୀତିକ ସ୍ପର୍ଶ ନଥିଲା । ସେହି କବିତାଗୁଡ଼ିକ ଅପେକ୍ଷକୃତ ଆକାରରେ ବଡ଼ ଥିଲା । ସେ କବିତା ଗୁଡ଼ିକ ‘ଶନିବାରରେ ଚିଠି’ ପତ୍ରିକାରେ ପ୍ରକାଶ ପାଇଥିଲା । ସେହି କବିତାଗୁଡ଼ିକ ମଧ୍ୟରୁ ‘ଶାଲା’, ‘ଶକୁନି’, ‘ଓରେ’ ଓ ବାଙ୍ଗଲୀ’, ‘ଅତି ଆଧୁନିକ’, ‘ଟ୍ରାଜେଡ଼ି ବୃକ୍ଷେର ଆର ଏକଟି ଫୁଲ’ ପ୍ରଭୃତି ଅତି ପ୍ରସିଦ୍ଧି ଅର୍ଜନ କରିଛି ।

 

“ସାମାନ୍ୟ ମନୁଷ୍ୟ ନହ, ନହ ଶୃଧୁ ଗୃହିନୀର ଭ୍ରାତା,

ହେଶ୍ୟାଲକ ହେସ୍ୱଭାବ—ଶାଲା,

ବଙ୍ଗ ଦେଶେ ବହୁ ବେଶେ ଦେଖିଛି ତୋମାରେ

ରଚିୟାଛି ତବ ଜୟ ମାଲା ।” (ଶାଲା)

 

ଏହି କବିତାଟି ୭୪ ପାଦ ବିଶିଷ୍ଟ । ଏଥିରେ ବ୍ୟଙ୍ଗ ବିଦ୍ରୁପାତ୍ମକ ଭାବରେ ‘ଶଳା’ର କେତେ ପ୍ରକାର ଭେଦ ଦର୍ଶାଇଛନ୍ତି । ଏହି କବିତା ଭାବରେ ପ୍ରଭାବିତ ହୋଇ ଶରଦିନ୍ଦ ବନ୍ଦୋପାଧ୍ୟାୟ ‘ଶାଲୀ” କବିତା ରଚନା କରିଥିଲେ । ‘ଶକୁନି’ କବିତା ମଧ୍ୟ ସେହିପରି ୭୪ ପାଦ ବିଶିଷ୍ଟ । କବିତା ଛନ୍ଦ ଯେପରି ମଧୁର ଭାବ ସେହିପରି ଉଚ୍ଚକୋଟୀର ।

 

“ବସେ ଅଛେ ଯତ ଲୁବ୍‌ଧ ଶକୁନି

ଭାଗାଡ଼େ କଖନ ପଡ଼ିବେ ମଡ଼ା,

କୃଷକ ବସିୟା ଚାହଁଛେ ଆଶାୟ

ନଦୀ କଖନ ପଡ଼ିବେ ଚଡ଼ା ।

ରଙ୍ଗେ ଓ ଢଙ୍ଗେତେ ଢଲିୟା ପଡ଼ିଛେ

ପ୍ରବୀଣା ବୁଡ଼ୀ ।

ମଦେର ଦୋକନେ ଗାନ୍ଧିର ଛବି ଟାଙ୍ଗାୟ ଶୁଁଡ଼ି ।

ଆଧପେଟା ଖେୟେ ଦିନେ କାଟେ ଯା’ର ଚିବାୟ ମୁଡ଼ି,

ମୁଡ଼ି ଓ ଗୁଡ଼ଇ

ଚକଚକେ ତା’ର ଚୁଡ଼ା ଓ ଧଡ଼ା

ମୁଖେ ମୃଦୁହାସି ଭାବିଛେ ଶକୁନି

ଭଗାଡ଼େ କଖନ ପଡ଼ିବେ ମଡ଼ା ।” (ଶକୁନି)

 

‘ଓରେ ଓ ବାଙ୍ଗାଲୀ’ କବିତାରେ ଚାକିରି ଲାଳାୟିତ ବଙ୍ଗୀୟମାନଙ୍କୁ ତୀବ୍ର ବ୍ୟଙ୍ଗାଘାତ କରି ଲେଖିଛନ୍ତି—

 

“ଓରେ ଓ ବାଙ୍ଗାଲୀ ଓରେ ଓ କାଙ୍ଗାଲୀ

ଓରେ ଓରେ ଭିକ୍ଷୁକ,

ପରେର ଦୁୟାରେ ହସ୍ତ ପାତିୟା ଆଜକିରେ ପାସ ସୁଖ ।

କେରାନୀର ଜାତି ବଲି ମାରେ ଲାଥି ଉପହାସକରେ ସବେ

ମାନୁଷେର ମତୋ ଯୋଗ ଦିବିକବେ ଜୀବନର ଉତ୍ସବେ ।”

 

ସତ୍ୟିକାରେର ମାନୁଷ ହାୟରେ‌ ସତ୍ୟ ନାଇଁକି ଦେଶେ,

ମନୁଷ୍ୟତ୍ଵ ବିକାୟେ ସବାଇ ଚାକିରି ଇରାୟ ଶେଷେ

ହାୟରେ କପାଲ ହାୟ,

ଚାକିରି ନା ପେଲେ ବାଙ୍ଗାଲୀ—ଜୀବନ୍ତ ଶ୍ରୀକାୟେ ମରିୟାଯାୟ ।”

 

ସେ କବିତା କ୍ଷେତ୍ରରେ ମଧ୍ୟ ନାନା ପରୀକ୍ଷା ଓ ନିରୀକ୍ଷା ପ୍ରୟୋଗ କରିଛନ୍ତି । ଯେପରି ବୃହଦାକାର କବିତା ଲେଖିଛନ୍ତି । ସେହିପରି ଖୁବ୍ ଛୋଟ ଛୋଟ ଚାରିଧାଡ଼ିଆ କବିତା ଲେଖିଛନ୍ତି ।

 

“ଯତଦୂର ବୁଝି ଆମି—ଚୁନ ଆର ନୁନୁ

ଯାବତୀୟ ପ୍ରାଣୀଦେର କରିତେଛେ ଖୁନ ।

ଓଦେର ପ୍ରଚାର ବନ୍ଧ ଏକାବାର ଦୋକ

ବକ୍ତୃତାୟ ବଲିଲେନ ମହାମତି ଜୋଁକ ।”

“ଯନ୍ତ୍ରେର କରିଛେ ନିନ୍ଦା ଅଯନ୍ତ୍ରୀର ଦଳ

ବାକଯନ୍ତ୍ର ନ ହେଶୁଧୁ ତାଦେର ସମ୍ବଲ,

ଫାଉଣ୍ଟେନେ ଲେଖାହୟ ଛପାହୟ ପ୍ରେସେ,

ବେତାର ଗର୍ଜନ କରେ ଫେରେ ଦେଶେ ଦେଶେ ।”

“ଚୋଖଟା ଖାରାପ ଶୁନି ଲଭିନୁ ସନ୍ତୋଷ

ତା’ ହେଲେ ଓ କିଛୁନୟ ଚକ୍ଷୁରଇ ଦୋଷ ।

ଚଷମା କିନିୟା କିନ୍ତୁ କରିଲାମ ଭୁଲ ।

ସତ୍ୟଇ ପାକିଆଛେ ଗୃହିନୀର ଚୁଲ ।”

ତାଙ୍କର ଦୁଇଧାଡ଼ିଆ କବିତା ମଧ୍ୟ ଅନୁରୂପ ରସୋତ୍ତୀର୍ଣ୍ଣ ।

“ବିଡ଼ାଲେ ଇନ୍ଦୁର କାୟ—ଭୟ କିରେ ଧନ

ତୋ ଦେର ବାଞ୍ଚାବ ମୋର, ତୋର ହରିଜନ ।”

“ଫାଁ କାଗଲି—ଶିଷଦିନୁ ନୀରବ ଦୁକୁର

ବାଜାୟନ ଖୁଲିଲନା, ଆସିଲ କୁକୁର ।”

 

ବିଦ୍ରୂପାତ୍ମକ କବିତା ରଚନା କରିବାରେ ତାଙ୍କ ଲେଖନୀ ଖୁବ୍ ଶକ୍ତିବାନ ।

 

ହାୟ ହାୟ ହାୟ,

ଏଦେଶେ ଟିକେନା କିଛୁ

ସବଇ ଭେଙ୍ଗେ ଯାୟ ।

ଧନ୍ଦାବାଜ ପାଜୀରାଇ

ଥାକେ ଶୃଧୁ କଇଁ କେ,

ତା ଦେରଇ ପ୍ରତାପ ଶୁଧ

ହେରି ଚାରିଦିକେ ।

ଯତୋଧର୍ମ ସ୍ତତୋ ଜୟ ଭାରତେରଇ କଥା,

ଭାରତେଇ ବାରବାର ହୟେଛେ ଅନ୍ୟଥା ।

ଧର୍ମେର ପତନ ଆର ଅଧର୍ମେର ଜୟ,

ଏ ଦେଶେଇ ସର୍ବତ୍ର ଅହରହ ହୟ ।”

 

୧୯୭୯ ଜାନୁଆରୀ ୩୧ ତାରିଖରେ ସେ ସର୍ବଶେଷ ଲେଖା ଲେଖିଥିଲେ । ତାହା ଗୋଟିଏ ଶିଶୁ କବିତା । ଆନ୍ତର୍ଜାତିକ ଶିଶୁ ବର୍ଷରେ ତାଙ୍କର ସ୍ଵର୍ଣ୍ଣପ୍ରସୁ ଲେଖନୀରୁ ସର୍ବଶେଷ ଲେଖା ହିସାବରେ ତାହା ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ ।

 

ଶୀତ କିନ୍ତୁ କରଛେ ଯାଇ ଯାଇ

ବୁଲ୍ ବୁଲିଦେଇ ଗୃଲତାନିତେ

ସେ ଖବରଟା ପାଇ ।

ଟିଭ ଡାକେ ମାତିୟେ ପଡ଼ା

ହଲୁଦପାଖୀ ଦିଚ୍ଛେ ସାଡ଼ା

ଗୋଶାଲିକେର ମିଷ୍ଟଗାନ ଓ

ବଲଛେ ସେ କଥାଇ ।

ଶୀତ ଯାଛେ ବସନ୍ତ କେ

ଛେଡ଼େ ଦିଏ ଠାଇଁ । (ଶୀତଯାଛେ)

 

ଏହି କବିତା ଲେଖିବା ପରେ ସେ ସରସ୍ଵତୀ ପୂଜାଦିନ ଚୈତନ୍ୟ ହରାଇଲେ । ଫେବୃଆରୀ ଆଠ ତାରିଖ ଦିନ ଶେଷ ରାତ୍ରୀରେ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ବଙ୍ଗୀୟ ସାହିତ୍ୟାକାଶରୁ ଉଜ୍ଜ୍ୱଳ ନକ୍ଷତ୍ର ଖସି ପଡ଼ିଲା ।

 

ବନଫୁଲ ଏକାଧାରରେ ଔପନ୍ୟାସିକ, ନାଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଓ କବି । ସାହିତ୍ୟର ବିଭିନ୍ନ ବିଭାଗରେ ସେ ତାଙ୍କର ବଳିଷ୍ଠ ସ୍ଵାକ୍ଷର ରଖି ଯାଇଛନ୍ତି । ତାଙ୍କ ସାହିତ୍ୟିକ ସତ୍ତାର ସ୍ଵୀକୃତି ନିମନ୍ତେ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ଉପାଧି ପ୍ରଦାନ କରିଛନ୍ତି । ବିଶ୍ଵବିଦ୍ୟାଳୟ ଡକ୍ଟରେଟ ପ୍ରଦାନ କରିଛନ୍ତି । ପାଠକ ମଧ୍ୟ ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଭକ୍ତିପୂର୍ଣ୍ଣ କୃତଜ୍ଞତା ଜଣାଇଛନ୍ତି । ଗୋଟିଏ ଉଦାହରଣ ଏହାର ପୋଷକତା କରିବ । ଭାଗଲପୁରରୁ ସେ ପୀର ପାଇ ଯାଇଥିଲେ କୌଣସି କାର୍ଯ୍ୟନୁରୋଧରେ । ଫେରିବାବେଳର କଥା-। ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଗାଡ଼ି ଛାଡ଼ି ଦେଇଥାଏ । ଥମକି ଠିଆ ହେଲେ ବନଫୁଲ । ହୁଏତ ଷ୍ଟେସନରେ ରାତ୍ରି ବାସ କରିବାକୁ ବାଧ୍ୟ ହେବେ । ମାତ୍ର ଯେଉଁ ଗାଡ଼ି ଷ୍ଟେସନ ଛାଡ଼ି ଆଗେଇ ଯାଇଥିଲା ତାହା କିଛି ବାଟ ଯାଇ ଅଟକିଲା ପରେ ପଛକୁ ଫେରି ଆସିଲା । ଆଶ୍ଚର୍ଯ୍ୟ ହେଲେ ବନଫୁଲ । ଡ୍ରାଇଭର ଇଞ୍ଜିନରୁ ଓହ୍ଲାଇ ଆସି ନମସ୍କାର କଲେ । କହିଲେ—ମୁଁ ଆପଣଙ୍କର ଜଣେ ଉତ୍ସାହୀ ପାଠକ । ଗାଡ଼ିଛାଡ଼ି ଦେବାପରେ ଦେଖିଲି ଆପଣ ଦୌଡ଼ି ଦୌଡ଼ି ଆସୁଛନ୍ତି । ହଠାତ୍ ବ୍ରେକ ଦେଇ ଗାଡ଼ିବନ୍ଦ କରି ହେବନାହିଁ । ତେଣୁ ଗାଡ଼ି ବନ୍ଦ ହେଲା ପରେ ପଛକୁ ଫେରାଇ ଆଣିଛି-। ଆପଣଙ୍କୁ ନେଇ ଗାଡ଼ି ଯାତ୍ରା କରିବ ।” ଏହିପରି ଶ୍ରଦ୍ଧା କେତେ ଜଣ ଲେଖକଙ୍କ ଭାଗ୍ୟରେ ସମ୍ଭବ ? ବନଫୁଲ ଭାଗଲ ପୁରରେ ତାଙ୍କର କର୍ମମୟ ଜୀବନର ବହୁଅଂଶ ବିତାଇଛନ୍ତି । ସେ କଲିକତାରେ ଶେଷ କେତେବର୍ଷ ଅବସ୍ଥାନ କରୁଥିଲେ । ୧୯୭୬ ଜୁଲାଇ ୨୭ ତାରିଖରେ ତାଙ୍କର ଧର୍ମପତ୍ନୀ ଲୀଳାବତୀ ଦେବୀ ଇହଧାମ ତ୍ୟାଗ କରିଥିଲେ । ତାଙ୍କ ସ୍ମୃତିରେ ସେ ‘ଲୀ’ ନାମକ ଉପନ୍ୟାସ ରଚନା କରିଥିଲେ । ଅର୍ଥ ହେଉଛି ମିଳନ । ସ୍ୱାମୀ-ସ୍ତ୍ରୀ ଉଭୟ ଭାରି ଅତିଥି ପରାୟଣ ଥିଲେ । ସ୍ତ୍ରୀ ବିଚ୍ଛେଦ ଜ୍ଵାଳା ସହି ନପାରି ବୋଧହୁଏ ବନଫୁଲ ଅଶୀବର୍ଷ ବୟସରେ ସେ ପୁରକୁ ପ୍ରସ୍ଥାନ କଲେ ।

Image

 

ମାନବତାର–ଲପିକାର ତାରାଶଙ୍କର

 

ଅଭିନିବେଶ ଭାଙ୍ଗିଗଲେ କଳାକାରଙ୍କଠାରୁ ପୃଥିବୀ ଯାହା ପାଇବାର କଥା ତାହା ପାଇପାରେ ନାହିଁ । ଏକାଗ୍ର ତପସ୍ୱୀର ଧ୍ୟାନ ଭଗ୍ନହେଲେ ଆଉ ସିଦ୍ଧି ମିଳିନଥାଏ । ତାରାଶଙ୍କରଙ୍କ ପ୍ରସିଦ୍ଧ ‘କବି’ ଉପନ୍ୟାସରେ ଗୋଟିଏ ପଦ କବିତା କ୍ଷେତ୍ରରେ ଏହି ଘଟଣା ଘଟିଛି । ଅବଶ୍ୟ ପାଦପୂରଣ କରାଯାଇଛି, ହେଲେ ପ୍ରଥମ ପାଦରେ କାଳୋତ୍ତୀର୍ଣ୍ଣତାର ମାଧୁର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ଦ୍ଵିତୀୟ ପାଦରେ ରହି ପାରିନାହିଁ ବୋଲି ନିଜେ ଗଳ୍ପକାର ସ୍ୱୀକାର କରିଛନ୍ତି । ବଙ୍ଗଳା ସାହିତ୍ୟରେ ରବୀନ୍ଦ୍ର ଓ ଶରତ ଚନ୍ଦ୍ରଙ୍କ ପରବର୍ତ୍ତୀ ଶକ୍ତିମନ୍ତ କଥାଶିଳ୍ପୀ ବ୍ୟାନାର୍ଜୀ ତ୍ରୟୀ’ଙ୍କ ମଧ୍ୟରୁ ତାରାଶଙ୍କର ଅନ୍ୟତମ ।

 

ତାରାଶଙ୍କର ୧୮୯୮ ମସିହାରେ ବୀରଭୂମ ଜିଲ୍ଲାର ଲାଉପୁରଠାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତା ହରିଦାସ ବନ୍ଦୋପାଧ୍ୟାୟ ଜଣେ କ୍ଷୁଦ୍ର ଜମିଦାର ଥିଲେ । ସେ ଥିଲେ ଧର୍ମ ପରାୟଣ ଓ ବିବେକବନ୍ତ । ସେ ସନ୍ତାନହୀନ ଥିଲେ । ଜଣେ ସନ୍ନ୍ୟାସୀଙ୍କ ଉପଦେଶରେ ତାରାଦେବୀଙ୍କ ମନ୍ଦିର ତୋଳାଇ ପ୍ରତିଷ୍ଠା କରିବାର ଦୁଇବର୍ଷ ପରେ ପୁତ୍ର ସନ୍ତାନ ସେ ଲାଭ କରିଥିଲେ । ତାରାଦେବୀଙ୍କ କୃପାରୁ ସନ୍ତାନ ଜନ୍ମ ହେବାରୁ ତାଙ୍କ ନାମ ତାରାଶଙ୍କର ହୋଇଛି । ତାରାଶଙ୍କରଙ୍କ ଜନନୀ ପ୍ରଭାବତୀ ଦେବୀ ମଧ୍ୟ ଶିକ୍ଷିତା, ଗୃହକର୍ମ ନିପୁଣା ଓ ବୁଦ୍ଧିମତୀ ଥିଲେ । ମାତୃ ପ୍ରଭାବରେ ତାରାଶଙ୍କର ସାହିତ୍ୟିକ ହୋଇଥିଲେ ବୋଲି ନିଜେ ସ୍ମୃତି କଥାରେ ଲେଖକ ସ୍ୱୀକାର କରିଛନ୍ତି । ସ୍ୱ-ଗ୍ରାମ ବିଦ୍ୟାଳୟରେ ତାଙ୍କର ମ୍ୟାଟ୍ରିକ ପର୍ଯ୍ୟନ୍ତ ଶିକ୍ଷାର୍ଜନ ହୋଇଥିଲା । ଲାଉପୁର ସେତେବେଳେ ବର୍ଦ୍ଧିଷ୍ଣୁ ଗ୍ରାମ, ସମ୍ପଦ ଅହଙ୍କାରରେ ଉଦ୍ଧତ ମଧ୍ୟ । ସାମ୍ପ୍ରତିକ ଚତୁରଙ୍ଗ ପ୍ରବାହରେ ତାହା ୪ଦିଗବିଦିଗରେ ପ୍ରବାହମାନ । ବ୍ରାହ୍ମଣ୍ୟ ଦୃପ୍ତତା, ନବାବୀ ସାମନ୍ତ ତାନ୍ତ୍ରିକତା, ଶିଳ୍ପ ସମୃଦ୍ଧି ଓ ମଧ୍ୟ ସ୍ୱତ୍ତ୍ଵାଧିକାର ସେ ଗ୍ରାମକୁ ଋଦ୍ଧିମନ୍ତ କରିଥାଏ । ସେ ଗ୍ରାମ କୋଇଲାଖଣି ମାଲିକ ଓ ଜମିଦାରମାନଙ୍କ ଦ୍ୱାରା ଅଧ୍ୟୁଷିତ ହୋଇଥିବାରୁ ସିଦ୍ଧିଲକ୍ଷ୍ମୀ ଅଚଳା ଭାବରେ ସେଠାରେ ବାସ କରୁଥାନ୍ତି । ଗ୍ରାମଟି ରେଳଷ୍ଟେସନ ନିକଟବର୍ତ୍ତୀ । ତେଣୁ ସଭ୍ୟତାର ପ୍ରବଳ ବନ୍ୟାନିଷେକ ସହଜ ।

 

ତାରାଶଙ୍କର ଯେତେବେଳେ ସ୍କୁଲରେ ଅଧ୍ୟୟନ କରୁଥିଲେ ସେତେବେଳେ ଗାନ୍ଧିଜୀଙ୍କ ଚିନ୍ତାଧାରା ତାଙ୍କ ଉପରେ ପ୍ରବଳ ପ୍ରଭାବ ବିସ୍ତାର କରୁଥାଏ । ଦୁଃଖୀ-ନିପୀଡ଼ିତର ସେବା ନିମନ୍ତେ ସେହି ଛାତ୍ରାବସ୍ଥାରୁ ସେ ଉତ୍ସାହୀ ଓ ଆଗୁଆ । ବଙ୍ଗଭୂମି ସେତେବେଳେ ହଇଜା ଓ ମ୍ୟାଲେରିଆର କ୍ରୀଡ଼ାସ୍ଥଳୀ । ତାରାଶଙ୍କର ସେହି ରୋଗ-ଗ୍ରସ୍ତ-ଅସହାୟମାନଙ୍କୁ ଅମ୍ଳାନ ଚିତ୍ତରେ ସେବାକରି ଯା’ନ୍ତି-। କେଉଁଠାରେ ନିଆଁ ଲାଗିଲେ ବାଲ୍‍ତିଧରି ଧାଇଁଯା’ନ୍ତି । ଅନାଟନ-ଦୁର୍ଭିକ୍ଷଗ୍ରସ୍ତ ଲୋକଙ୍କ ସହାୟତା ନିମନ୍ତେ ଚାଉଳ ଲୁଗା ସଂଗ୍ରହ କରି ବାଣ୍ଟନ୍ତି । କଲେରା ରୋଗପାଇଁ ଔଷଧ କ୍ୟାଲୋମେଲ ସୋଡ଼ିବାଇକାର୍ବ ପାଉଡ଼ର, କେଓଲିନ, ରେକ୍ଟାଲ ସାଲାଇନ ଗ୍ଳାସ ଓ ରବର ଟିଉବ୍ ରଖିଥାନ୍ତି । ତା’ର ସଦ୍ ବିନିଯୋଗ ମଧ୍ୟ କରୁଥାନ୍ତି । ରୋଗ ପ୍ରତିଷେଧକ ମଧ୍ୟ ରଖିଥାନ୍ତି । ଯେଉଁମାନଙ୍କୁ ରୋଗ ହୋଇ ନ ଥାଏ ସେମାନଙ୍କୁ ପ୍ରତିଷେଧକ ଇଞ୍ଜେକସନ ଦିଅନ୍ତି । ଯଦି ସେ ଅଞ୍ଚଳରେ କେଉଁଠାରେ କଲେରା ଲାଗେ ତେବେ ପ୍ରଥମ ଖବର ତାରାଶଙ୍କରଙ୍କ ପାଖକୁ ଯାଇଥାଏ-

 

ସେହି ଛାତ୍ରାବସ୍ଥାରୁ ତାଙ୍କର ସାଂସ୍କୃତିକ ଦିଗ୍‍ମଣ୍ଡଳ ଅପୂର୍ବ ଅରୁଣାଭାରେ ବିମଣ୍ଡିତ ହୋଇସାରିଥାଏ । ଲାଭପୁରରେ ପକ୍‌କାମଞ୍ଚ ଥାଏ । ସେତେବେଳେ ବିଦ୍ୟୁତ୍ ଆଲୋକ ସାହାଯ୍ୟରେ ମଞ୍ଚସଜ୍ଜା କରାଯାଉଥାଏ । ସେଠାରେ ନାଟକ ଅଭିନୀତ ହୁଏ । ତାରାଶଙ୍କର ଥିଲେ କୁଶଳୀ ଅଭିନେତା । ସେହି ଛାତ୍ରାବସ୍ଥାରୁ ତାଙ୍କର ନାଟ୍ୟକାର ବ୍ୟକ୍ତିତ୍ଵ ଗଢ଼ି ଉଠିଥିଲା । ପରବର୍ତ୍ତୀ ଜୀବନରେ ସେ ଜଣେ ସଫଳ ନାଟ୍ୟକାର ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲେ । ନାଟ୍ୟକାର ନିର୍ମଳ ଶିବବାବୁଙ୍କ ସାହଚର୍ଯ୍ୟ ସେଠାରେ ଲାଭକରି ସେ ସାହିତ୍ୟ ରଚନା ପାଇଁ ଅନୁପ୍ରେରିତ ଓ ପ୍ରୋତ୍ସାହିତ ହୋଇଥିଲେ ।

 

ଉଚ୍ଚଶିକ୍ଷା ନିମନ୍ତେ ସେ କଲିକତା ଯାତ୍ରା କଲେ । ସେତେବେଳେ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ଯେପରି ଚାଲିଥାଏ ସେହିପରି ସଶସ୍ତ୍ର ବିପ୍ଳବର ବହ୍ନିଶିକ୍ଷା ଭାରତୀୟ ଅକାଶକୁ ଧୂମାୟିତ କରିଥାଏ । ମାନବତାବାଦୀ ତାରାଶଙ୍କର ଏପରି ପରିବେଶରେ ନିଶ୍ଚେଷ୍ଟ ଭାବରେ ବସିରହି ପାରିଲେ ନାହିଁ । ସତ୍ୟାଗ୍ରହ ତଥା ସଶସ୍ତ୍ର ବିପ୍ଳବୀମାନଙ୍କ ପ୍ରଭାବରେ ଆସି ତାଙ୍କ ବିପ୍ଳବୀ ମାନସ ପ୍ରୋତ୍ସାହିତ ହେଲା । ସେ ମାତ୍ର ଅଷ୍ଟମ ବର୍ଷ ବୟଃକ୍ରମ ସମୟରେ ପିତୃହୀନ ହୋଇଥିଲେ-। ଜଣେ ପିତୃବନ୍ଧୁ କଲିକତାରେ ପୋଲିସ ଅଫିସର ଥା’ନ୍ତି । ସେ ତାରାଶଙ୍କରଙ୍କ ପରିବର୍ତ୍ତନ ଲକ୍ଷ୍ୟକଲେ । ବିଦ୍ୟାର୍ଜନ ଭୁଲି ସେ ଦେଶୋଦ୍ଧାର ପିଚ୍ଛିଳ ପଥରେ ପଥିକ ହେବାକୁ ଉଦ୍‌ଗ୍ରୀବ ହେଉଛନ୍ତି ଜାଣି ସେ ତାଙ୍କୁ ଗାଁକୁ ପଠାଇ ଦେଲେ । ଥରେ ବୀଜ ଅଙ୍କୁରିତ ହେଲେ ବହୁଶାଖା ବୃକ୍ଷରେ ପରିଣତ ହେବା ନିମନ୍ତେ ଉଦଗ୍ର ଆଗ୍ରହ ନେଇ ସେ ବଢ଼ିଚାଲେ । ତାରାଶଙ୍କର ବିପ୍ଳବର ମହାମନ୍ତ୍ରରେ ଦୀକ୍ଷିତ ହୋଇ କ’ଣ ନିଶ୍ଚେଷ୍ଟ ହୋଇ ରହିପାରିବେ ? ଗ୍ରାମରେ ସମବୟସ୍କ ଯୁବକମାନଙ୍କୁ ଏକତ୍ର କରି ସେ ଗୋଟିଏ ଅନୁଷ୍ଠାନ ଗଢ଼ିଲେ । ଦରିଦ୍ର, ନିପୀଡ଼ିତମାନେ ସେମାନଙ୍କର ସେପରି ପରମଧ୍ୟେୟ ସେହିପରି ଦେଶକୁ ସ୍ଵାଧୀନ କରିବାର ପ୍ରବଲ ପିପାଶା ପ୍ରତ୍ୟେକ ସ୍ନାୟୁତନ୍ତ୍ରୀରେ ଆଲୋଡ଼ିତ । ଗାନ୍ଧିଜୀଙ୍କ ଆହ୍ଵାନ ଯୁବଚିତ୍ତକୁ ଉଦ୍‌ବେଳ କଲା । ସତ୍ୟାଗ୍ରହ ଆନ୍ଦୋଳନରେ ତାରାଶଙ୍କର ନେତୃତ୍ଵ ନେଇଥିବାରୁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଜେଲରେ ଅନ୍ୟ ସତ୍ୟାଗ୍ରହୀମାନଙ୍କ ସଂସ୍ପର୍ଶରେ ଆସି ତାଙ୍କର ଅଭିଜ୍ଞତାର ଦିଗ୍‍ମଣ୍ଡଳ ପ୍ରସାରିତ ହୋଇଥିଲା । ସେ ସରିଡ଼ି ଜେଲରେ ବନ୍ଦୀ ଥିଲେ । ବନ୍ଦୀ ଜୀବନ ଅତିବାହିତ ହେଉଥିବା ସମୟରେ ତାଙ୍କର ଭାବାନ୍ତର ସୃଷ୍ଟିହେଲା । ଏକାନ୍ତ ବାସକରି ସେ ଦେଖିଲେ ପ୍ରତ୍ୟକ୍ଷ ସଂଗ୍ରାମ ଅପେକ୍ଷା ସଂଗ୍ରାମୀ ଚେତନା ସୃଷ୍ଟି ସେ ସମୟରେ ଅଧିକ ଆବଶ୍ୟକ । ବଲମ ଅପେକ୍ଷା କଲମ ଶକ୍ତିରେ ସେ ସ୍ଵାଧୀନତା ନିମନ୍ତେ ପରିବେଶ ସୃଷ୍ଟି କରିବେ । ପ୍ରତ୍ୟକ୍ଷ ସଂଗ୍ରାମ ତାଙ୍କର ପଥ ନୁହେଁ-। ସେ ସ୍ଵତନ୍ତ୍ର ପଥର ପଥିକ । ଚାରିମାସ ପରେ ଜେଲରୁ ମୁକ୍ତ ହେଲେ । ତାଙ୍କୁ ଅଭ୍ୟର୍ଥନା ଜଣାଇବା ନିମନ୍ତେ ଗୋଟିଏ ସଭା ହେଲା । ସେଠାରେ ସେ ତାଙ୍କର ଅଭିନବ ପରିକଳ୍ପନା ଘୋଷଣା କଲେ । ତାଙ୍କ ସମ୍ମୁଖରେ ଦୁଇଟି ପ୍ରଶସ୍ତ ପଥ ବିଦ୍ୟମାନ । ଗୋଟିଏ ରାଜନୈତିକ ସଂଗ୍ରାମର ପଥ । ସେଥିରେ ସତ୍ୟାଗ୍ରହ, ଲୋକ ସେବାର ପରିତୃପ୍ତି ଓ ସମ୍ମାନ । ଅନ୍ୟ ପ୍ରଥଟି ହେଲା ସାହିତ୍ୟ ସେବା । ସେତେବେଳକୁ ସାହିତ୍ୟିକ ସ୍ଵୀକୃତି, ସମ୍ମାନ ଓ ଆର୍ଥିକ ସ୍ଥିତି ମିଳିବାରେ ସୂଚନା ହୋଇସାରିଥାଏ ।

 

ତାରାଶଙ୍କର ମାତ୍ର ଆଠବର୍ଷ ବୟସରେ ‘ଆଗମନୀ’ ନାମକ କବିତା ରଚନା କରିଥିଲେ ଓ ତାହା ଶାରଦୀୟ-ପୂଜୋପଲକ୍ଷରେ ପ୍ରକାଶ ପାଇଥିଲା । ୧୯୨୮ ମସିହାରେ ‘ରସକଲୀ’ ଗଳ୍ପ ମାସିକ ‘କଲ୍ଲୋଳ’ ପତ୍ରିକାର ସ୍ଥାନ ଲାଭ କରିଥିଲା । ସେତେବେଳେ ‘କଲ୍ଲୋଳ’ ପତ୍ରିକା ନବୀନ ସାହିତ୍ୟିକ ଅଭିମୁଖ୍ୟର କେନ୍ଦ୍ରବିନ୍ଦୁ ଥିଲା । ସେହି କଲ୍ଲୋଳ ସଂପ୍ରଦାୟର ମୁଖ୍ୟଭାବରେ ପ୍ରେମେନ୍ଦ୍ର ମିତ୍ର, ଶୈଳଦାନନ୍ଦ ମୁଖୋପାଧ୍ୟାୟ ପ୍ରଭୃତି ରବୀନ୍ଦ୍ର ପ୍ରଭାବ ମୁକ୍ତ-ସାହିତ୍ୟ ସୃଷ୍ଟିରେ ବ୍ୟାପୃତ ଥିଲେ-। ସର୍ବୋପରି ତାଙ୍କ ଲିଖିତ ‘ଧାତ୍ରୀ ଦେବତା’ ଓ ‘କାଳିନ୍ଦା’ ଉପନ୍ୟାସ ପ୍ରକାଶିତ ହୋଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲା ।

 

୧୯୩୧ ରେ ସେ ରାଜନୀତିରୁ ବିଦାୟ ନେଲେ । ତାଙ୍କ ସାହିତ୍ୟିକ ମତବାଦ ଯେପରି ଉଦାତ୍ତ ସେହିପରି ମହନୀୟ । ତାଙ୍କ ନିଜ ଭାଷାରେ—‘‘ରାଜନୈତକ ବନ୍ଧନ ମୁକ୍ତି ଆକାଂଙ୍‌କ୍ଷାର ଯେଉଁ ଆବେଗ ମୁଁ ଜାତୀୟ ଜୀବନ ସ୍ତରେ ସ୍ତରେ ବିଭିନ୍ନ ଭଙ୍ଗୀରେ ପ୍ରକାଶିତ ହେବାର ଦେଖିଥିଲି, ତାହା ମଧ୍ୟରେ ପ୍ରତ୍ୟକ୍ଷ କରିଥିଲି ମାନବର ସନାତନ ଜୀବନମୁକ୍ତିର ସାଧନା । ଜୀବନ ମୁକ୍ତି କହିଲେ ଦେହ ମୁକ୍ତି ବା ପରଲୋକ ସାଧନା ନୁହେଁ । ଜୀବନ ମୁକ୍ତି କହିଲେ–ଜୀବନର ଚତୁର୍ଦ୍ଦିଗରେ ସକଳ ପ୍ରକାର ଭୟର ବନ୍ଧନ, ସକଳ ପ୍ରକାର କ୍ଷୁଦ୍ରତାର ବନ୍ଧନ, ଅର୍ଥାତ୍ ଗଣ୍ଡି ସକଳ ଅଭାବର ପୀଡ଼ନ । ଜୀବନରେ ଜୋର ଜବରଦସ୍ତ ଚପାଇ ଦେଉଥିବା ସମସ୍ତ ପ୍ରକାର ପ୍ରଭାବର ନିର୍ଯ୍ୟାତନ ବିରୁଦ୍ଧରେ ମଣିଷ ଅବିରାମ ସଂଗ୍ରାମ କରିଚାଲିଛି । ସାହିତ୍ୟରେ ମୁଁ ଚାହିଥିଲି ତା’ର ପ୍ରକାଶ । ଅନ୍ତତଃ ମଣିଷକୁ ଏହି ଶୃଗାଳପଣର ଭୀରୁତା ଜୟ କରିବାକୁ ସାହିତ୍ୟ ଶକ୍ତି ଦେଉ, ଅଭୟ ଦେଉ, ସାହସ ଦେଉ, ମଣିଷ ସାହସ କରି ଫେରିପଡ଼ି ଠିଆ ହେଉ ।”

 

ଗ୍ରାମ ପରିବେଶ ପରିତ୍ୟାଗ କରି ସେ କଲିକତାରେ ସପରିବାର ଅବସ୍ଥାନ କଲେ । ଯନ୍ତ୍ର ଯୁଗରେ ସାହିତ୍ୟ କେବଳ ସୃଷ୍ଟିରେ ସୀମାବଦ୍ଧ ନୁହେ । ପ୍ରକାଶନ ଓ ପ୍ରସାରଣ ନିମନ୍ତେ ମଧ୍ୟ ବ୍ୟବସ୍ଥା କରିବାକୁ ପଡ଼ିବ । କଲିକତାର ପରିବେଶ ଅଧ୍ୟୟନ-ଆଲୋଚନା ପ୍ରଭୃତି ନିମନ୍ତେ କେବଳ ପ୍ରଶସ୍ତ କ୍ଷେତ୍ର ନୁହେଁ, ବହୁ ଅଭିଜ୍ଞତା ଓ ଲୋକସମ୍ପର୍କରେ ଆସି ଚେତନା ବିକାଶ ନିମନ୍ତେ ପ୍ରକୃଷ୍ଟ କ୍ଷେତ୍ର । ତଦୁପରି ସେ କାଳରେ ଭାରତ ନବଚେତନା, ନବୀନ ଆଲୋକରେ ଉଦ୍ଦୀପିତ । ସମଗ୍ର ପୃଥିବୀରେ ଅଭିନବ ଉପାୟରେ ସଂଗ୍ରାମ ନିରତ । ସେ ସଂଗ୍ରାମର ସକଳ ଦ୍ୟୋତନା ଉପଲବ୍‌ଧିରେ ଆସିପାରିବ । ଅନ୍ୟ ଦିଗରୁ ଲେଖକ ତାରାଶଙ୍କର ଲାଉପୁର ପରିବେଶକୁ ନିଜ ବିପକ୍ଷବାଦୀ-ଭାବରେ ଉପଲବ୍‌ଧି କରିଥିଲେ । କୌଣସି କାରଣରୁ ସେଠାରେ ତାଙ୍କପ୍ରତି ଅବଜ୍ଞା ପୁଞ୍ଜିଭୂତ ହୋଇ ଉଠିଥାଏ ।

 

କଲିକତାରେ ଅବସ୍ଥାନ କରିବାବେଳେ ସେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଯାମିନୀ ରାୟଙ୍କୁ ପ୍ରତିବେଶୀ ଭାବରେ ପାଇଥିଲେ । ଅନ୍ୟ ଯେଉଁମାନେ ପ୍ରତିବେଶୀ ଥିଲେ, ସେମାନେ ତାଙ୍କ ପ୍ରତି ବେଶ୍ ସହୃଦୟ ଓ ସହାନୁଭୂତି-ସମ୍ପନ୍ନ ଥିଲେ ।

 

କଲିକତାରେ ଅବସ୍ଥାନ କରିବାର କିଛିଦିନ ପରେ ଥରେ ତାଙ୍କ ସ୍ତ୍ରୀ ଦୁରାରୋଗ୍ୟ ମେଲେରିଆ ରୋଗରେ ପୀଡ଼ିତା ହେଲେ । ସେତେବେଳେ ମେଲେରିଆ ଦୁରାରୋଗ୍ୟ ବ୍ୟାଧି ଭାବରେ ପରିଗଣିତ ହେଉଥିଲା । ବହୁ ଜନଜୀବନକୁ ତା’ର ଦୁର୍ବାର ଦନ୍ତାଘାତରେ ଚୂର୍ଣ୍ଣ-ବିଚୂର୍ଣ୍ଣ କରୁଥାଏ । ସେତେବେଳେ ଦୁର୍ଗାପୂଜା ନିମନ୍ତେ ଆୟୋଜନ ଆରମ୍ଭ ହୋଇ ଯାଇଥାଏ, କାରଣ ବଙ୍ଗଳାରେ ଦୁର୍ଗାପୂଜା ଅତି ପ୍ରସିଦ୍ଧ । ଓଡ଼ିଶାରେ ସିନା ବାର ମାସରେ ତେର ପର୍ବ ତା’ର ପ୍ରାଣ କେନ୍ଦ୍ର ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ହେଉଥିବା ପୂଜା-ପାର୍ବଣକୁ ଲକ୍ଷ୍ୟକରି ମାତ୍ର ବଙ୍ଗଳାରେ ଦୁର୍ଗାପୂଜା ଗ୍ରାମେ ଗ୍ରାମେ ଗୃହେ ଗୃହେ ପାଳନ କରାଯାଏ । ସେଥିପାଇଁ ପତ୍ରିକାମାନଙ୍କରେ ପୂଜାସଂଖ୍ୟା ଆକାରରେ ଫୁଲ ଫାମ୍ପି ଯାଇଥାଏ । ଫଳରେ ବହୁ ଲେଖା ସଂଗୃହୀତ ହୁଏ । ଲେଖକମାନେ ନିଜର ଲେଖା ପ୍ରକାଶନ ପାଇଁ ଚମତ୍କାର ସୁବିଧା ପାଇଥା’ନ୍ତି ।

 

ତାରାଶଙ୍କର କଲିକତାରେ ଅବସ୍ଥାନ କରୁଥାନ୍ତି । ଫଳରେ ସେ ଲେଖାଲେଖିରୁ ଯାହା ଆୟ କରନ୍ତି ସେଥିରେ ତାଙ୍କର କଲିକତାର ଖର୍ଚ୍ଚ ଚଳେ । ପୂଜା ସଂଖ୍ୟାମାନଙ୍କରେ ଯେତେ ଅଧିକ ଲେଖା ପ୍ରକାଶ ପାଇବ ତାଙ୍କର ସେତେ ଅଧିକ ଆୟ ହେବ । ସେଥିପାଇଁ ସେ ପୂଜା ସଂଖ୍ୟାର ଲେଖାରେ ମଜ୍ଜି ଯାଇଥାନ୍ତି । ସ୍ତ୍ରୀ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି । ଗୋଡ଼ ଉପରେ ଗରମ ଜଳପୂର୍ଣ୍ଣ ବ୍ୟାଗ ଓ ଗୋଡ଼ କଡ଼ରେ ଗରମ ଜଳପୂର୍ଣ୍ଣ ବୋତଲ ରଖାଯାଇଥାଏ । ତାଙ୍କ ଆଖିରୁ ଲୋତକ ଧାର ଧାର ବୋହି ଯାଉଥାଏ । ମୁଣ୍ଡ ପାଖରେ ଦୁଇଟି ଝିଅ । ନିଜ ଝିଅ ଗଙ୍ଗା ବିଞ୍ଚୁଥାଏ, ପଡ଼ିଶା ଘରର ଝିଅ ପାରୁଲ ଆଖିରୁ ଲୁହ ପୋଛି ଦେଉଥାଏ । ଶଯ୍ୟା କିୟତ୍‌ ଦୂରରେ ତାରାଶଙ୍କର ବିଛଣାପାରି ଗୋଡ଼ ଲମ୍ବାଇ ବସିଥାନ୍ତି । ଗୋଡ଼ ଉପରେ ଛୋଟ ଫାଇବର ସୁଟ୍‌କେଶ୍, ତାହା ଟେବୁଲ ବା ଡେସ୍କର କାମ କରୁଥାଏ । ଖଣ୍ଡକୁଖଣ୍ଡ କାଗଜ ଟାଣି ଲେଖିଯାଉଥାନ୍ତି । ସେତେବେଳେ ‘କବି’ ଗଳ୍ପ ରଚନା କରୁଥାନ୍ତି । କବି ପ୍ରଥମେ ଗଳ୍ପାକାରରେ ପ୍ରକାଶ ପାଇଥିଲା । ‘କବି’ର ନାୟକ ନିତାଇ ରକ୍ତମାଂସଧାରୀ ଲୋକ । ତାଙ୍କ ଗ୍ରାମର ଜଣେ ହରିଜନ ଯୁବକ ସତୀଶ । ତା’ ପରିବାର ତଥା ପ୍ରତିବେଶୀମାନେ ଚୋରିକୁ କୌଶଳ ବୃତ୍ତିଭାବରେ ଗ୍ରହଣ କରି ନେଇଥିଲେ । ସତୀଶ କିନ୍ତୁ ସେ ବୃତ୍ତିକୁ ଗ୍ରହଣ କରି ପାରିଲାନାହିଁ । ସେ ଜଣେ କବିଆଳ । ଓଡ଼ିଶାରେ ପାଲା ପ୍ରତିଯୋଗିତା ବା ଉତ୍ତର ଭାରତର କବାଲୀ ପ୍ରତିଯୋଗିତା ପରି ବଙ୍ଗଳା ଅଞ୍ଚଳରେ କବିଆଳମାନଙ୍କର ଲଢ଼େଇ ହୁଏ । ସେମାନେ ଆଶୁକବି, ଦୁଇଦଳ କବିଆଳଙ୍କ ମଧ୍ୟରେ କବିତାରେ ପ୍ରଶ୍ନୋତ୍ତର ବ୍ୟଙ୍ଗ, ବିଦ୍ରୂପ ପରିବେଷିତ ହୁଏ । ସତୀଶ ନିଜକୁ ଜଣେ କବିଆଳଭାବେ, ଏବଂ ସେଥିପାଇଁ ସେ ଶୁଦ୍ଧ ଭାଷାରେ କଥା କହେ । ଲେଖକ ସତୀଶ ସମ୍ବନ୍ଧରେ ଲେଖିଛନ୍ତି–“ଦିନେ ସତୀଶକୁ ଦେଖିଲି ଗୋଟିଏ ନିର୍ଜନ ଆମ୍ବ ତୋଟାରେ ଆମ୍ବଗଛ ଗୁଡ଼ିକୁ ଶ୍ରୋତାଭାବରେ ଧରିନେଇ ଗୋଟିଏ ହାତ କାନ ମୂଳରେ ଦେଇ ଦକ୍ଷିଣ ହାତ ହଲାଇ ହଲାଇ ଅଳ୍ପ ନଇଁପଡ଼ି ‘କବିଆଳ’ ଗାଇଚାଲିଛି । ସେହି ଚରିତ୍ରଟି ନେଇ ଆରମ୍ଭ କଲି । କିନ୍ତୁ ଏହି କବିର କବିତା ରଚନା ତ ସହଜ ନୁହେଁ । ଅଟକି ଗଲି ।” ପରବର୍ତ୍ତୀ ଅବସ୍ଥାରେ ଝୁମୁରଦଳ ସହିତ ନିତାଇର ସମ୍ପୃକ୍ତିକୁ କବି ଗଳ୍ପରେ ସଂଯୋଗ କରି ଆଦି ଗଳ୍ପକୁ ଉପନ୍ୟାସରେ ଲେଖକ ପରିଣତ କରିଥିଲେ । ନିତାଇ ଆଶୁକବି । ତା’ ମୁହଁରେ କବିତା ବୋଲାଇ ଉପନ୍ୟାସରେ କେତେ ଗୋଟି କବିତା ସଂଯୋଜନା କରାଯାଇଛି । ତନ୍ମଧ୍ୟରେ ଗୋଟିଏ ପାଦ ଅଛି “କଲା ଯଦି ମନ୍ଦ ତବେ କେଶ ପାକିଲେ କ୍ୟାନ୍ଦୋ କେନେ ।” ଏହି ପାଦର ପାଦପୂରଣ ନିମନ୍ତେ ଚେଷ୍ଟା କରୁଥିବା ସମୟରେ ସ୍ତ୍ରୀ ଯନ୍ତ୍ରଣାରେ ଚିତ୍କାର କରିଉଠିଲେ । ଲେଖକଙ୍କୁ ଅଗତ୍ୟା ସ୍ତ୍ରୀଙ୍କ କଥା ବୁଝିବାକୁ ପଡ଼ିଲା । ସ୍ତ୍ରୀଙ୍କର ଅନୁଯୋଗ ଯେ ଏପରି ବ୍ୟଥା ବେଦନାରେ ଛଟପଟ ହେଉଛନ୍ତି, ଅଥଚ ସେ ତାହା ନ ଶୁଣି ଲେଖି ଚାଲିଛନ୍ତି । ଏହା ଭଲ ନପାଇବାର ଲକ୍ଷଣ । ଶ୍ରଦ୍ଧା ଶୂନ୍ୟତାର ଲକ୍ଷଣ । ଲେଖକଙ୍କୁ କଥାର ଆବେଦନ ଛୁଇଁଲା । ସେ ତାଙ୍କର ବନ୍ଧୁ ଡାକ୍ତର ପଶୁପତି ଭଟ୍ଟାଚାର୍ଯ୍ୟଙ୍କ ନିକଟକୁ ସାହାଯ୍ୟ ପାଇବାକୁ ଧାଇଁଲେ । ଡାକ୍ତରଙ୍କ ସମ୍ବେଦନଶୀଳ ଚିକିତ୍ସା ବଳରେ ସ୍ତ୍ରୀ ରୋଗ ମୁକ୍ତା ହେଲେ, ମାତ୍ର ନିତାଇ ଠାକୁରଝିର କଳା ରଙ୍ଗକୁ ବୈଶିଷ୍ଟ୍ୟଯୁକ୍ତ କରିବାକୁ ଯେଉଁ ପଦ ବୋଲିଲା ତା’ର ପ୍ରଥମ ପାଦ ରଚନା କରାଯାଇଥିଲା । ଦ୍ଵିତୀୟ ପାଦ ପୂରଣ କରାଯାଇ ନଥିଲା । ଲେଖକ ପ୍ରଥମ ପାଦର ସୌନ୍ଦର୍ଯ୍ୟ ଉକୁଟାଇବା ପାଇଁ ଚେଷ୍ଟାକରି ବିଫଳ ହୋଇଛନ୍ତି । ତନ୍ମୟ ଭାବ ଥରେ ବ୍ୟର୍ଥ ହେଲେ ପୁନର୍ବାର ସେ ଆବେଶ ସୃଷ୍ଟି ସମ୍ଭବ ହୁଏନାହିଁ । ମଣିଷ ମନର ଗତି ତ ଯାନ୍ତ୍ରିକ ନୁହେଁ !

 

ଲେଖକ ସପରିବାର ଦୁର୍ଗା ପୂଜାରେ ଗାଁକୁ ଗଲେ । ଯାହା ଅର୍ଥୋପାର୍ଜନ କରିଥିଲେ ପୂଜାରେ ଖର୍ଚ୍ଚ ହୋଇଗଲା । ଫେରିବା ବେଳକୁ ମାତ୍ର କେତୋଟି ଟଙ୍କା ବାଟ ଖର୍ଚ୍ଚ ପରେ ଅବଶିଷ୍ଟ ରହିଲା । ପାଖରେ ଅର୍ଥ ସିନା ଆଣି ନ ଥିଲେ କିନ୍ତୁ ଗ୍ରାମରୁ ମ୍ୟାଲେରିଆ ଧରି ଫେରିଥିଲେ । ରାସ୍ତାରେ ଝଅ ଗଙ୍ଗା ଦୂରଗ୍ରସ୍ତା ହୋଇ ସଜ୍ଞା ହରାଇ ଥିଲା । କଲିକତାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା କଲେ, ଫଳରେ ତାଙ୍କ ପାଖରେ ଯାହା ଅବଶିଷ୍ଟ ଅର୍ଥ ଥିଲା ସେତେକ ଔଷଧ ଓ ଡାକ୍ତରଙ୍କ ପ୍ରାପ୍ୟ ବାବଦରେ ଖର୍ଚ୍ଚ ହୋଇଗଲା । ଲେଖକଙ୍କ ଦ୍ଵିତୀୟ କନ୍ୟା ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପତିତ ହୋଇଥିଲା । ଏଣୁ ଗଙ୍ଗାର ରୋଗ ଲେଖକଙ୍କୁ ତଥା ପରିବାରର ଲୋକଙ୍କୁ ବ୍ୟସ୍ତ ବିବ୍ରତ କରି ପକାଇଲା । କପର୍ଦ୍ଦକ ଶୂନ୍ୟ ହୋଇ ମାନସିକ ଭାରସାମ୍ୟ ହରାଇବା ଏ କ୍ଷେତ୍ରରେ କିଛି ଅସମ୍ଭବ କଥା ନୁହେଁ । କନ୍ୟାର ରୋଗମୁକ୍ତ ନିମନ୍ତେ ଔଷଧ ଓ ପଥ୍ୟପାଇଁ, ପରିବାରର ଖର୍ଚ୍ଚ ପାଇଁ ଅର୍ଥର ଆବଶ୍ୟକତା ଜରୁରୀ ।

 

କେତେଜଣ ପ୍ରକାଶକ ଓ ସମ୍ପାଦକଙ୍କ ପାଖରୁ କିଛି କିଛି ପ୍ରାପ୍ୟ ପାଇବାର ଥାଏ । ଗୋଟିଏ ନାମଜାଦା ପତ୍ରିକା ପ୍ରତିଷ୍ଠାନ । ସେହି ପ୍ରତିଷ୍ଠାନରୁ ପ୍ରାପ୍ୟ ମୋଟେ ପାଇନଥାନ୍ତି । ସେ ପ୍ରତିଷ୍ଠାନର ନିୟମ ହେଲା ଅର୍ଥ ପ୍ରାପକମାନଙ୍କ ପାଇଁ ତାରିଖ ଧାର୍ଯ୍ୟ କରାଯାଏ ଓ ଧାର୍ଯ୍ୟଦିନରେ ପ୍ରାପ୍ୟ ଦେଇ ଦିଆଯାଏ । ତାରିଖ ନିର୍ଦ୍ଦିଷ୍ଟ କରାନ ଗଲେ ପ୍ରାପ୍ୟ ଦିଆଯାଏ ନାହିଁ । ତାରାଶଙ୍କର ଏ ନିୟମ ଜାଣିଥାନ୍ତି, ହେଲେ ଏପରି ବିପଦରେ ପଡ଼ି ଅନୁରୋଧ କଲେ କ’ଣ ନିରାଶ ହେବାକୁ ପଡ଼ିବ ! ଏହା କଣ ସମ୍ଭବ ସେମାନେ ସାଧାରଣ ବ୍ୟବସାୟୀ ନୁହନ୍ତି । ଗୋଟିଏ କାଗଜର ପରିଚାଳକ । ସମଗ୍ର ଦେଶରେ ଯଶସ୍ଵୀ, ସର୍ବୋମୟ କର୍ତ୍ତାଙ୍କର ଅଫିସକୁ ଆସିବାର ସମୟ ନିର୍ଦ୍ଦିଷ୍ଟ ନ ଥାଏ । ଖୁବ୍ ଶୀଘ୍ର ଆସି ପାରନ୍ତି ବିଳମ୍ବ ମଧ୍ୟ ହୋଇପାରେ । ଅଫିସ ଖୋଲିବା ବେଳୁ ଯାଇ ଅପେକ୍ଷା କରିବାକୁ ପଡ଼ିବ ।

 

ତାରାଙ୍କର ପତ୍ରିକା ଅଫିସରେ ପହଞ୍ଚିଲେ । ପକେଟରେ ମାତ୍ର କେତେ ଅଣା ପଇସା, ସ୍ନନାହାର କରି ନଥାନ୍ତି । ଆଶାଥାଏ ଦେଖାକରି ଶୀଘ୍ର ଫେରି ବସାରେ ସ୍ନାନ କରିବେ । ଅଫିସରେ କର୍ତ୍ତାକୁ ଅନାଇଁ ବସି ରହିଲେ । ଅଫିସ ଘଡ଼ି ଟକ୍‌ଟକ ଶବ୍ଦ ଅବିରାମ ଗତିରେ ଆଗେଇ ଚାଲିଥାଏ-। ଦଶଟାରୁ–ଏଗାର, ବାର ଏପରି ଦୁଇଟା ବାଜିଲା । ଦୁଇଟା ପରେ ସେ ଆସିଲେ । କିଛି ସମୟ ଅଫିସର ଦରକାରୀ କାର୍ଯ୍ୟ ବୁଝିବାର ସମୟ ଅତିକ୍ରାନ୍ତ ହେଲା । ଲେଖକ ଯାଇଁ ଦେଖାକଲେ । ନିଜର ବିପର୍ଯ୍ୟୟ ନିବେଦନ କଲେ । ପାଷାଣ ମୂର୍ତ୍ତି ନିକଟରେ ସମସ୍ତ ଆକୁଳ ପ୍ରାର୍ଥନା ନିଷ୍ଫଳ ହେଲାପରି ଅଧିକାରୀ ଜଣକ ନିଜର ଅକ୍ଷମତା ପ୍ରକାଶ କଲେ । ଭିକ୍ଷାଝୁଲି ଧରି ଲେଖକ ମାତ୍ର ପନ୍ଦର କୋଡ଼ିଏଟି ଟଙ୍କା ପାଇଁ ଅନୁରୋଧ ମଧ୍ୟ ଆଗ୍ରହ୍ୟ ହେଲା । ଦଶଦିନ ପରେ ତାରିଖ ନିର୍ଦ୍ଦେଶ କରି ନମସ୍କାର ଜଣାଇଲେ । ସାମ୍ପ୍ରତିକ କାଳରେ ବିଦାୟ ନମସ୍କାର ତ ନୁହେଁ ତାହା ଗଳାଧକ୍‌କା ପରି ଜଣାଯାଏ । ଅଫିସରୁ ଲେଖକ ସିଧା ନିର୍ଗମଦ୍ଵାର ଆଡ଼କୁ ଦ୍ରୁତ ପଦରେ ଆଗେଇ ଗଲେ । ଆଖି ସେତେବେଳକୁ ସଜ୍ଜଳ । ସେହି ଅପମାନାଶ୍ରୁ କାହାରିକୁ ଦେଖାଇବା ଅବସ୍ଥାରେ ସେ ତ ନଥିଲେ, କୌଣସି ଭଦ୍ରଲୋକ ସେ ଅବସ୍ଥାରେ ରହି ପାରିବେ ନାହିଁ । ଦ୍ଵିପ୍ରହରର ଜନଶୂନ୍ୟ ପଥ, ଗୋଟିଏ ଗୃହ ଛାୟାରେ କିୟତ୍‌ମାନ ରହି ଆତ୍ମ ସମ୍ବରଣ କଲେ । ବୁଭିକ୍ଷା ସେତେବେଳେ ଜଠର ଦେଶରେ ପ୍ରବଳ ଜ୍ୱଳନ ସୃଷ୍ଟି କରିଥାଏ । ଦୁଃଖ, କ୍ଷୋଭ ଓ ଦୁଶ୍ଚିନ୍ତାରେ ବ୍ରହ୍ମରନ୍ଧ୍ର ଫାଟିଗଲାପରି ଏ ଯୁଗରେ ବିଶିଷ୍ଟ ଖ୍ୟାତିମାନ, ଔପନ୍ୟାସିକ ତାରାଶଙ୍କର ଅନୁଭବ କରୁଥାନ୍ତି । ଟଳାୟମାନ ଗତିରେ କାତ୍ୟାୟନୀ ବୁକ୍‌ଷ୍ଟଲରେ ଯାଇଁ ଉପସ୍ଥିତ ହେଲେ । ତା’ର ସ୍ଵତ୍ତାଧିକାରୀ ଗିରୀନ ସୋମ ଲେଖକଙ୍କର ବେହେରା ଦେଖି ହତଭମ୍ବ ହୋଇଗଲେ । ବ୍ୟସ୍ତ ଭାବରେ ପଚାରିଲେ–ତାରା ଶଙ୍କର ବାବୁ, ଏ କଣ ! ଆପଣଙ୍କର କ’ଣ ହୋଇଛି ? ଲେଖକ କୌଣସି ମତେ ନିଜକୁ ସମ୍ବୃତକରି ନିଜର ଦୂରବସ୍ଥା ବର୍ଣ୍ଣନା କଲେ । ଗିରୀନ ସୋମ ଉଠି ଚାଲିଗଲେ । ଦୋକାନରୁ ଦୁଇଟି ସନ୍ଦେଶ ଓ ପାଣି ଧରି ଆସି ପହଁଚିଲେ ଏବଂ ତା’ର ସଦବ୍ୟବହାର ନିମନ୍ତେ ନିବେଦନ କଲେ । କିୟତ୍ କ୍ଷଣପରେ ଶହେଟଙ୍କା ଦେଇ ଘରକୁ ଯାଇଁ ଝିଅ କିପରି ଅଛି ଖବର ଦେବାକୁ ନିବେଦେନ କଲେ । ସେହି ସ୍ମୃତି ତାରାଶଙ୍କରଙ୍କ ଜୀବନରେ ଅକ୍ଷୟ ଓ ଅମର ହୋଇ ରହିଥିଲା । ଏହି ସ୍ମୃତି କଥାରେ ସେ ପ୍ରକାଶକ, ସମ୍ପାଦକ ଓ ସରକାରୀ ଅଧିକର୍ତ୍ତାମାନଙ୍କୁ ଲକ୍ଷ୍ୟକରି ଆବେଦନ କରିଛନ୍ତି–”ଆଜି ମଧ୍ୟ ନୂତନ ଲେଖକଗଣ ସେଦିନପରି ମୋ’ଦଶା ଭୋଗ କରୁଛନ୍ତି । ଅବଶ୍ୟ ପ୍ରତିଷ୍ଠା ଅର୍ଜନ ନିମନ୍ତେ ନବୀନଗଣଙ୍କୁ କିଛି ଯୁଦ୍ଧ କରିବାକୁ ପଡ଼ିବ । ଲେଖା ଲେଖି କରି ସେମାନେ ସେ ଯୁଦ୍ଧରେ ବିଜୟୀ ହେବେ । ସେଦିନ ଭାଗ୍ୟକ୍ରମେ ଟଙ୍କା ପାଇଥିଲି । ପଶୁପତି ବାବୁଙ୍କ ପରି ସହୃଦୟ ଡାକ୍ତର ବନ୍ଧୁ ସାହାଯ୍ୟ କରିଥିଲେ । ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଯାମିନୀଦା’ ମୋତେ ଅଭୟ ଦେଇଥିଲେ । ନବୀନ ଲେଖକମାନଙ୍କ ଭାଗ୍ୟରେ ଏପରି ସୁଯୋଗ ସବୁବେଳେ ହୁଏନାହିଁ । ହୁଏତ ତାଙ୍କର ପ୍ରାଣର ଧନ ଚାଲିଯାଏ । ଶୁଖିଲା ମୁହଁ, ବେଦନା କାତର ମୁହଁ ଦେଖିଲେ ଲେଖକମାନଙ୍କୁ ସହୃଦୟତାର ସହିତ ସମ୍ମାନ କରିବେ ଆଉ ଯଥାସାଧ୍ୟ ସାହାଯ୍ୟ କରିବେ । ଲେଖକମାନେ ବିଶେଷ ଅଭିମାନୀ । ସେମାନଙ୍କ ଆତ୍ମମର୍ଯ୍ୟାଦାବୋଧ ଟିକେ ଅଧିକ ପ୍ରଖର । କେବଳ ପ୍ରକାଶକ, ସମ୍ପାଦକ ବା କାଗଜର କତ୍ତୃପକ୍ଷ ନୁହନ୍ତି ସରକାର, ସରକାରୀ କର୍ମଚାରୀମାନଙ୍କ ନିକଟରେ ଏହି ସୁଯୋଗରେ ନିବେଦନ ଜଣାଉଛି । ସେମାନଙ୍କ ଦୃଷ୍ଟିର ଶୈଥିଲ୍ୟ, କଡ଼ାକଡ଼ି ନିୟମକାନୁନ ଆଳରେ ଅବହେଳା ବହୁତ ।”

 

ଯାମିନୀ ରାୟ ପ୍ରସିଦ୍ଧ ଚିତ୍ରଶିଳ୍ପୀ । ତପସ୍ୱୀ-ସୁଲଭ ସଧନାରେ ଅବିଚଳ । ସେ ତାରାଶଙ୍କରଙ୍କ ପ୍ରତି ଯେପରି ସହାନୁଭୂତିଶୀଳ ସେହିପରି ପ୍ରଶଂସକ ଓ ପ୍ରେରଣାଦାତା । ଦୁର୍ଦ୍ଦିନରେ ବନ୍ଧୁ । ସେ ତାରାଶଙ୍କରଙ୍କୁ କହନ୍ତି—“ସଂସାରରେ ଦୁଃଖକଷ୍ଟର ସୀମା ନାହିଁ । ସେହି କଷ୍ଟରେ ଜୀବନ ପିଷ୍ଟ ହୋଇଯାଉଛି । ତେଣୁ ଯେଉଁ କଥା କହିବ ତାହା ଆନନ୍ଦଦାୟକ ଓ ଆଶାବ୍ୟଞ୍ଜକ ହେବା ଉଚିତ । ଏଣୁ ବିୟୋଗନ୍ତକ ରଚନା କରିବାର ନୁହେଁ ।” ଏହି ଆବେଦନ ତାରାଶଙ୍କରଙ୍କ ଠାରେ ନିଷ୍ଫଳ ହୋଇନାହିଁ । ଗଣ ଦେବତା ଉପନ୍ୟାସରେ ନ୍ୟାୟରତ୍ନ ମହାଶୟ ଦେବଙ୍କୁ ଅସମୟ ଓ ଦୁଃଖସମୟରେ କହିଥିବା ଗଳ୍ପ ବିଶେଷ ପ୍ରଣିଧାନ ଯୋଗ୍ୟ ।

 

ତାରାଶଙ୍କର ପ୍ରାୟ ଦଶୋର୍ଦ୍ଧ୍ଵ ଅଦ୍ଧଶତ ଉପନ୍ୟାସ ଓ ଦ୍ଵିଶତ ଗଳ୍ପ ରଚନା କରିଛନ୍ତି । ତାଙ୍କ ଉପନ୍ୟାସବଳୀ ସାମାଜିକ ସମସ୍ୟା ଚିତ୍ରଣରେ ପରିପୂର୍ଣ୍ଣ । ଉପନ୍ୟାସମାନଙ୍କରେ ସମସ୍ୟା ଏପରି ଭାବରେ ଆଲୋଚିତ ହୋଇଥାଏ ଏବଂ ସମାଧାନ ପନ୍ଥାର ହୋଇଥାଏ ଯେ ତାର ରସୋତ୍ତୀର୍ଣ୍ଣତାର ପ୍ରାବଲ୍ୟରେ କୌଣସି ଆଦର୍ଶବାଦ ବା ପ୍ରଚାରଧର୍ମିତା ଆଦୌ ପରିଲକ୍ଷିତ ହୋଇପାରେ ନାହିଁ । ମହାମାରୀର ବିଭୀଷିକା ଉପରେ ଭିତ୍ତିକରି ‘ଧାତ୍ରୀଦେବତା’ ଓ ‘ଆରୋଗ୍ୟ ନିକେତନ’ ବିରଚିତ । ‘ଗଣଦେବତା’ ଉପନ୍ୟାସରେ ମଧ୍ୟ ଚିତ୍ର ନିପୁଣ ଶିଳ୍ପ ଚେତନାରେ ବିଭୁଷିତ । ‘ଅଭିନେତ୍ରୀ’, ‘ମଞ୍ଜରୀ ଅପେରା’ ଓ ‘ରାଧାରାଣୀ’ ଉପନ୍ୟାସରେ ବଙ୍ଗଳାର ଯାତ୍ରା ମଞ୍ଚ ପ୍ରଭୃତିର ନଟନଟୀମାନଙ୍କ ଦୋଷ ଉର୍ବଳତା, ହସ, କାନ୍ଦ, ଅଭାବ, ଅଭିଯୋଗ ଓ ଅଶ୍ରୁଳ ବର୍ଣ୍ଣନା ନିହିତ । ‘କବି’ ଉପନ୍ୟାସରେ କବିଆଳ ଓ ଝୁମରମାନଙ୍କ ବିଷୟରେ ଆଲୋକପାତ କରାଯାଇଛି । ଲେଖକ କବି ଉପନ୍ୟାସର ନାୟକର ଗଳ୍ପ ତାଙ୍କ ସ୍ମୃତି କଥାରେ ଚମତ୍କାର ବର୍ଣ୍ଣନା କରିଛନ୍ତି । ସେ ଲୋକର ନାମ ସତୀଶ ଏବଂ ସେ ଲେଖକ ଗ୍ରାମର ବାସିନ୍ଦା, ସେହିପରି ଝୁମୁର ଦଳର ବସନ ସହିତ ତାଙ୍କର ରେଳଷ୍ଟେସନରେ ଭେଟ ହୋଇଥିଲା । ତାର ଚିକିତ୍ସା ନିଜେ ଲେଖକ କରିଥିଲେ । ସତ୍ୟ ଘଟଣାକୁ ନିଜର ନିପୁଣ କଳା କୁଶଳତାରେ ଅପୂର୍ବ ଗଦ୍ୟ କାବ୍ୟ ଯୋଗେ ରଚନା କରିପାରିଛନ୍ତି । ବଙ୍ଗଳାରେ କବିଆଳ ଲଢେ଼ଇ ଓ ଝୁମୁର ନାଚ ପ୍ରସିଦ୍ଧି ଅର୍ଜନ କରିଛି । ଲୋକସମାଜରେ ଏହା ଖୁବ୍ ପ୍ରିୟ ଅନୁଷ୍ଠାନ ।

 

ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ଅହିଂସ ସଂଗ୍ରାମରେ ସେ ନିଜକୁ ଉତ୍ସର୍ଗ କରିଥିଲେ । ସାହିତ୍ୟ ସୃଷ୍ଟିରେ ସେ ସଂଗ୍ରାମକୁ ଶକ୍ତି ଯୋଗାଇବା ତାଙ୍କର ପରମ ଲକ୍ଷ୍ୟ ଥିଲା । ସେ କାଳିନ୍ଦୀ, ଧାତ୍ରୀଦେବତା, ଆରୋଗ୍ୟ ନିକେତନ, ଦୁଇପୁରୁଷ ଉପନ୍ୟାସ ଓ ନାଟକରେ ସେହି ସତ୍ୟର କଳା ସନ୍ନଦ୍ଧ ଓ ରସୋତ୍ତୀର୍ଣ୍ଣ ରୂପ ଅଙ୍କନ କରିଛନ୍ତି । ‘ଗଣ ଦେବତା’ ଉପନ୍ୟାସର ନାୟକ ଦେବୁ ଚରିତ୍ରର ଅହିଂସା ସଂଗ୍ରାମ ଓ ତ୍ୟାଗ ହିଁ ତାରାଶଙ୍କରଙ୍କ ଆଦର୍ଶର ପ୍ରତିଚ୍ଛବି । ବଙ୍ଗଳାର ଅବିସମ୍ବାଦି ନେତା ବିପ୍ଳବୀ ଯାଦୁ ଗୋପାଳ ମୁଖୋପାଧ୍ୟାୟ ଗଣଦେବତା ବିଷୟରେ ପ୍ରଶଂସା କରି କହିଥିଲେ–“ଗଣ ଦେବତା ଓ ପଞ୍ଚଗ୍ରାମ ପଢ଼ି ଚମକ ସୃଷ୍ଟି ହେଲା । ବିପ୍ଳବର ମୂଳତତ୍ତ୍ୱ ନିର୍ଭୁଲ ଭାବରେ ଧରି ପାରିଛି ।” ପରବର୍ତ୍ତୀ କାଳରେ ଭାରତୀୟ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରି ଗଣଦେବତାର ଶ୍ରେଷ୍ଠତ୍ଵ ପୁଣିଥରେ ସ୍ଵୀକାର କରାଗଲା ।

 

ତାରାଶଙ୍କର ଫାଶିବାଦ ବିରୋଧୀ ସାହିତ୍ୟ ସମ୍ମେଳନର ସଭାପତି ଭାବରେ ଯୋଗଦେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସମ୍ପର୍କରେ ଆସିଲେ । ସେମାନଙ୍କ ଦୋଷ-ଦୁର୍ବଳତା ଅନୁଭବ କଲେ । ମାର୍କସ୍ ଚିନ୍ତାଧାରାର ସମ୍ମତ ସମାଜ ପରି କଳ୍ପନା ପୃଥିବୀର ଦର୍ଶନ ଶାସ୍ତ୍ରରେ ଗୋଟିଏ ମହତ୍ତମ ଆବିଷ୍କାର । ଏହି କଳ୍ପନା ପ୍ରଥମେ ଧନବାଦୀ ପ୍ରାଚୀନ ସମାଜ ଓ ରାଷ୍ଟ୍ରରେ ରୂପାୟିତ ହେଲାବେଳେ ରକ୍ତାକ୍ତ ବିପ୍ଳବ ବ୍ୟତୀରେକ ଅନ୍ୟ ପନ୍ଥା କଳ୍ପନା କରାଯାଇ ନଥିଲା କାରଣ ଜଡ଼ବାଦୀ ୟୁରୋପ ମହାଦେଶରେ ବିକଳ୍ପ ପନ୍ଥା ସମ୍ଭବପର ନୁହେଁ । କିନ୍ତୁ ଭାରତୀୟ ପରମ୍ପରା କହେ—

 

“ଈଶା ବାସ୍ୟ ମିଦଂ ଯବଂ ଯତ୍କିଞ୍ଚ ଜଗତ୍ୟା ଜଗତ୍‌

ତେନ ତ୍ୟକ୍ତେନ ଭୁଞ୍ଜୀଥା ମା ଗୃଧଃ କସ୍ୟସ୍ଵିଦ୍ଧନମ୍ ।”

 

ଭାରତୀୟ ଧର୍ମ–ଦର୍ଶନ–ସାହିତ୍ୟ ତ୍ୟାଗର ପ୍ରେରଣା ଦେଇଥାଏ । ଆମ ଦେଶରେ ରାଜକୁମାର ବିଳାସବ୍ୟସନ ରାଜଭୋଗ ତ୍ୟାଗକରି ସନ୍ନ୍ୟାସୀ ହୁଏ । ହିଂସାକୁ ପରିହାର କରି ଅହିଂସାକୁ ଆଦରି ନେବାର ପ୍ରେରଣା ବୁଦ୍ଧଦେବଙ୍କ ସମୟରୁ ଆରବ୍ଧ । ଦେବାନଂ ପ୍ରିୟ ପ୍ରିୟଦର୍ଶୀ ଅଶୋକଙ୍କ ଶାସନ ନୀତିରେ ‘ହିଂସାର ଜୟ, ଜୟ ନୁହେଁ ହୃଦୟର ଜୟ ହିଁ ପ୍ରକୃତ ଜୟ’ ବାଣୀ ଏବେ ବି ମନ୍ଦ୍ର ନିନାଦରେ ଝଙ୍କୁତ । ଗାନ୍ଧିଜୀ ସେହି ମନ୍ଦ୍ରବାଣୀକୁ, ସେହି ମତ୍ରଶକ୍ତିକୁ କାର୍ଯ୍ୟରେ ପରିଣତ କରି ବିଶ୍ୱକୁ ଚମକାଇ ଦେଇଛନ୍ତି । କମ୍ୟୁନିଷ୍ଟମାନଙ୍କ ରକ୍ତାକ୍ତ ବିପ୍ଳବ ଭାରତୀୟ ପରମ୍ପରା ବିରୋଧୀ । କମ୍ୟୁନିଦ୍ମ ଏ ଦେଶରେ ଦୃଢ଼ମୂଳ ନହେବାର ସ୍ଵୀକୃତି ସ୍ଵରୂପ ବ୍ଳିଜ ସମ୍ପାଦକ–ଶ୍ରୀ କରଞ୍ଜିଆ ଯଥାର୍ଥରେ କହିଛନ୍ତି—“ଏହି ବିଦେଶୀ ଚାରା ଗଛଟି ଏ ମାଟି, ପାଣି, ପବନକୁ ଚିହ୍ନି ନପାରିବାରୁ ଉଧେଇ ପାରୁନାହିଁ ।” ମେନ୍ୱନ୍ତର’ ଉପନ୍ୟାସରେ କ ଏହି ସୂଚନା ତାରାଶଙ୍କର କେତେ ଦଶନ୍ଧି ପୂର୍ବରୁ ଦେଇ ସାରିଥିଲେ । ମେନ୍ୱନ୍ତର ଉପନ୍ୟାସରେ କମ୍ୟୁନିଦ୍ମର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି ।

 

ରକ୍ତକ୍ଷୟୀ—ଦେଶ ବିଭାଜନ ଓ ସାମ୍ପ୍ରଦାୟିକ ହିଂସାକାଣ୍ଡକୁ ବିଷୟୀଭୂତ କରି ସେ ‘ହାଁସୁଲୀ ବାଙ୍କେର ଉପକଥା’ ଉପନ୍ୟାସ ରଚନା କରିଛନ୍ତି ୧୯୭୧ ମସିହାରେ ବାଙ୍ଗଲା ଦେଶରେ ପାକିସ୍ଥାନର ବର୍ବର ଓ ପାଶବିକ ଅତ୍ୟାଚାର କାହାଣୀକୁ ଭିତ୍ତିକରି “ଏକଟି କାଲୋ ମେୟେର କାହାନୀ” ଉପନ୍ୟାସ ରଚନା କରିଥିଲେ । ତାଙ୍କ ରଚିତ ‘ସନ୍ଦୀପନ ପାଠଶାଳା’ ଉପନ୍ୟାସ ନିମନ୍ତେ ସେ ଘୋର ବିପର୍ଯ୍ୟୟର ସମ୍ମୁଖନ ହୋଇଥିଲେ । ଏହି ଘଟଣା ସ୍ୱାଧୀନତା ଲାଭର ଅବ୍ୟବହିତ ପରେ ଘଟିଥିଲା । ଏହି ଉପନ୍ୟାସ ମାହିଷ୍ୟ ସମ୍ପ୍ରଦାୟକୁ ଭିତ୍ତିକରି ରଚନା କରାଯାଇଥିଲା । ଏହି ଉପନ୍ୟାସ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଥିଲା । ମାହିଷ୍ୟ ସମ୍ପ୍ରଦାୟ ଏହି ଉପନ୍ୟାସର ବର୍ଣ୍ଣନାରେ କ୍ଷୁବଧ୍‍ ହୋଇ ଥରେ ତାଙ୍କୁ ଆକ୍ରମଣ କଲେ । ହାବଡ଼‌ାର ଗୋଟିଏ ବ୍ୟାୟାମ ସଂଘ ତାଙ୍କର ପଞ୍ଚବଂଶ ବର୍ଷ ପୂର୍ତ୍ତି ଉତ୍ସବକୁ ଆମତ୍ରିତ ହୋଇଯାଇଥିଲେ । ସେଠାକୁ ଯିବା ପୂର୍ବରୁ ତାରାଶଙ୍କର ଅଶ୍ଳୀଳ ଗାଳିପୂର୍ଣ୍ଣ ଓ ଭୀତି ପ୍ରଦର୍ଶନମୂଳକ ଚିଠି ସବୁ ପାଇଥାନ୍ତି । ହାବଡ଼ା ଅଞ୍ଚଳରେ ମାହିଷ୍ୟ ସମ୍ପ୍ରଦାୟ ଅଧିକ, ଏଣୁ ସେହି ସଭାରେ ଗଣ୍ଡଗୋଳ ହୋଇପାରେ ବୋଲି ସନ୍ଦେହ ଉପୁଜିଥିଲା । ମାତ୍ର ଭୟର ଶେଷ ନାହିଁ । ଏଣୁ ନଯିବା ଅପେକ୍ଷା ଯିବାର ଆଗ୍ରହ ବଢ଼ିଗଲା । ସଭାରେ ଉପସ୍ଥିତ ହେଲେ । ସନ୍ଦେହ ଅମୂଳକ ପ୍ରତିପନ୍ନ ହେଲା । ସଭାସ୍ଥଳରେ କୌଣସି ଗୋଳମାଳ ହେଲାନାହିଁ । କିନ୍ତୁ ଫେରିବାବେଳେ ଭୟ ମୂର୍ତ୍ତିମନ୍ତ ହୋଇଉଠିଲା । କିଛିବାଟ ଗାଡ଼ି ଆସି ବନ୍ଦ ହୋଇଗଲା । ଭଙ୍ଗାବେଞ୍ଚ, ଟୁଲ, ଇତ୍ୟାଦିରେ ରାସ୍ତା ଅବରୁଦ୍ଧ, ଗାଡ଼ି ଅଟକିଗଲା ମାତ୍ରେ ରାସ୍ତା ଦୁଇପାଖରୁ ଅଢ଼େଇଶହରୁ ତିନିଶହ ଲୋକ ବାହାରି ଆସିଲେ । ଗାଡ଼ିକୁ ଘେରିଗଲେ । ସେମାନଙ୍କ ମୁହଁକୁ କ୍ରୋଧ ବିକୃତକରି ପକାଇ ଥାଏ । ତାରାଶଙ୍କର କାହିଁ ବୋଲି କିଏ ଜଣେ ପଚାରିଲା । ଆରମ୍ଭ ହୋଇଗଲା ବିଭତ୍ସ ଆକ୍ରମଣ–ଇଟା ପଥର ତ ଫୋପଡ଼ା ଗଲା, କେହି ଜଣେ ଜୋତାଧରି ପ୍ରହାର କରିବାକୁ ଲାଗିଲା । କେହି ଜଣେ ଘୁଷିମାରିଲା । ସେତେବେଳକୁ ରକ୍ତର ଝରଣାଝରି ଚାଲିଥାଏ । ଡ୍ରାଇଭର ଅସୀମ ସାହସର ସହିତ ଗାଡ଼ିକୁ କୌଣସି ମତେ ଆଗେଇ ନେଇ ପଳାଇଗଲେ । ଗଣ୍ଡଗୋଳର ପରବର୍ତ୍ତୀ ପଦକ୍ଷେପ ପୋଲିସ ଗ୍ରହଣ କଲା ।

 

ଲେଖକ ତାରାଶଙ୍କର ତାଙ୍କ ସିଦ୍ଧାନ୍ତରେ ଅଟଳ । ଦୋଷୀ ବ୍ୟକ୍ତିଗତ ଆକ୍ରୋଶରେ ଆକ୍ରମଣ କରିନାହିଁ । ଗୋଟିଏ ସମ୍ପ୍ରଦାୟର ରୁଷ୍ଟ ହେବା ପରି ଉପାଦାନ ନ ଥିଲେ ସେମାନେ ଏପରି ଜାନ୍ତବ କ୍ରୋଧରେ ଦିଗ୍‌ବିଦିଗ ଶୂନ୍ୟ ହୋଇ ପଡ଼ିଥା’ନ୍ତେ କାହିଁକି ? ଏ କଥା ପୋଲିସ୍‌ ବିଭାଗର ଉଚ୍ଚକର୍ତ୍ତାକୁ ଲେଖକ କହି ବୁଝାଇଥିଲେ । ପୋଲିସ୍‌ ଏହି ଘଟଣାରେ କେତେଜଣଙ୍କୁ ଗିରଫ କରିଥିଲେ; କିନ୍ତୁ ତାରାଶଙ୍କର ସେଥିମଧ୍ୟରେ ଥିବା ଦୋଷିକୁ ଚିହ୍ନଟ କଲେନାହିଁ । ଲେଖକ ଏ ବିଷୟରେ ନିଜେ କହନ୍ତି ଯେ, ଏହି ଘଟଣା ତାଙ୍କ ମୁହଁରେ ଚିହ୍ନ ରଖିଛି ହେଲେ ହୃଦୟରେ ଦାଗ ସୃଷ୍ଟିକରି ନାହିଁ; କାରଣ ଭୁଲ ତାଙ୍କ ନିଜର । କାରଣ ସେ ପ୍ରଥମେ ଗୋଟିଏ ସମ୍ପ୍ରଦାୟକୁ ଆଘାତ କରିଥିଲେ ବୋଲି ସେ ଭାବନ୍ତି । ଗାନ୍ଧିଜୀଙ୍କ ଅହିଂସା ବିପ୍ଳବର ମର୍ମବାଣୀ ଯେଉଁ ଲେଖକ ତାଙ୍କ ଗ୍ରନ୍ଥର ଛତ୍ରେ ଛତ୍ରେ ଲିପିବଦ୍ଧ କରିଛନ୍ତି ସେ କେବେ ସହିଂସ ଚିନ୍ତାରେ ବ୍ୟାପୃତ ହୋଇପାରନ୍ତେ । ଭାରତୀୟ ସୁଧୀ ସମାଜ ଏହି ଘଟଣାର ତୀବ୍ରନିନ୍ଦାରେ ମୁଖର ହୋଇ ଉଠିଥିଲେ । ଐତିହାସିକ ଉପନ୍ୟାସ ରଚନାରେ ତାଙ୍କ ଲେଖନୀ କାର୍ପଣ୍ୟ କରିନାହିଁ । ପ୍ରସିଦ୍ଧ ସାନ୍ତାଳ ବିପ୍ଳବକୁ ଉପଜୀବ୍ୟ କରି ସେ ‘ଅରଣ୍ୟ ବହ୍ନି’ ରଚନା କରିଥିଲେ । ସେହିପରି କ୍ଷୀୟମାଣ ମୋଗଲ ସାମ୍ରାଜ୍ୟ ପଟ୍ଟଭୂମିରେ “ଗନ୍ନା ବେଗମ” ଉପନ୍ୟାସ ବିରଚିତ । ଆଲୋଚିତ ଉପନ୍ୟାସକୁ ଛାଡ଼ି ବହୁ ଉପନ୍ୟାସ ସିଦ୍ଧିର ଅପୂର୍ବ ସ୍ଵାକ୍ଷର ବହନ କରି ବିଭାଷିତ । ସେଗୁଡ଼ିକ ମଧ୍ୟରେ “ଚାଁ ପା ଡଙ୍ଗାର ବୌ, ତପୋଭଙ୍ଗ, ଚିନ୍ମୟୀ, ସପ୍ତପଦୀ, ବିପାଶା, ଚୈତାଳୀଘୂର୍ଣ୍ଣି ପ୍ରଭତି ପ୍ରଧାନ । ସେ କେବଳ ଜଣେ ଖ୍ୟାତିମାନ ଔପନ୍ୟାସିକ ନୁହଁନ୍ତି, ସଫଳ ନାଟ୍ୟକାର ମଧ୍ୟ । କାଳିନ୍ଦୀ ଉପନ୍ୟାସ ତାଙ୍କୁ ଯେପରି ଯଶଃ ଓ ପ୍ରତିଷ୍ଠା ଦାନ କରିଥିଲା ତା’ର ନାଟ୍ୟରୂପ ମଧ୍ୟ ସେହିପରି ମଞ୍ଚରେ ଅଭିନୀତ ହୋଇ ଆଦୃତ ହେଲା । ଛାତ୍ର ଜୀବନରୁ ସେ ଥିଲେ ଅଭିନେତା । ଅଭିନୟ ସହିତ ସଂପୃକ୍ତ ହୋଇ ମଞ୍ଚ ମାୟାର ଶିଳ୍ପ ଚେତନାରେ ଉର୍ଜ୍ଜ୍ୱସ୍ୱଳ ଶକ୍ତିମତ୍ତା ତାଙ୍କୁ ଦାୟିତ୍ୱସମ୍ପନ୍ନ ନାଟ୍ୟକାର ଭାବରେ ଗଢ଼ି ତୋଳିଲା ବୋଲିବାକୁ ହେବ । ତାଙ୍କର କାଳିନ୍ଦୀ ନାଟ୍ୟରୂପ ତତ୍କାଳୀନ ‘ନାଟ୍ୟ ନିକେତନ’ ରଙ୍ଗମଞ୍ଚରେ ଅଭିନୀତ ହୋଇଥିଲା ଦର୍ଶକ ଗଣଙ୍କ ର ଅକୁଣ୍ଠ ପ୍ରଶଂସା ଲାଭକଲା ସିନା; ଆଶାନୁରୂପ ଆର୍ଥିକ ସାହାଯ୍ୟ ସେଥିରୁ ମିଳିଲା ନାହିଁ । ଅକାଳରେ ନାଟ୍ୟ ନିକେତନ ବିଲୟ ଭଜିଲା । ପରିଚାଳକ ପ୍ରବୋଧ ଗୃହ ସେତେବେଳେ ଜଣେ ବଳିଷ୍ଠ ସଂଗଠକ ଥିଲେ, ହେଲେ ବ୍ୟବସାୟ ଲକ୍ଷ୍ମୀ ତାଙ୍କ ପ୍ରତି ରୁଷ୍ଟା ହେଲେ । ଅକାଳରେ କାଳିନ୍ଦୀର ଅଭିନୟ ବନ୍ଦ ହୋଇଗଲା ନାଟ୍ୟ ନିକେତନ ନାଟ୍ୟ ଜଗତରୁ ବିଦାୟ ନେଲା । ଲେଖକ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଲେ ନାହିଁ ।

 

ପରବର୍ତ୍ତୀ ନାଟକ ‘ଦୁଇ ପୁରୁଷ’ ନାଟ୍ୟ ଭାରତୀ ମଞ୍ଚରେ ଖୁବ୍‌ ସଫଳତାର ସହିତ ଅଭିନୀତ ହେଲା । ଅକୁଣ୍ଠ ପ୍ରଶଂସା ସହିତ ଆଶାନୁରୂପ ଅର୍ଥ ମଧ୍ୟ ମିଳିଲା । ଆନନ୍ଦ ବଜାରରେ ପ୍ରକାଶିତ ନାଟକର ପ୍ରଶସ୍ତିରୁ ତା’ର ପ୍ରମାଣ ମିଳେ । ଆନନ୍ଦ ବଜାର ଲେଖିଥିଲେ—“ବଙ୍ଗଳା ରଙ୍ଗମଞ୍ଚ ର ଋଦ୍ଧପ୍ରାୟ ଗତି ନୂତନ ଗତି ଶକ୍ତି ପାଇଲା ଏହି ନାଟକ ରୁ (ଦୁଇ ପୁରୁଷ ରୁ) ଏବଂ ସେହି ଗତି ସହିତ ବଙ୍ଗଳାର ଜାତୀୟ ଜୀବନ ର ସତ୍ୟ ଏବଂ ସାର୍ଥକ ନାଟକ, କଥାଶିଳ୍ପୀ ତାରା ଶଙ୍କର ନାଟ୍ୟକାର ହିସାବରେ ବିପୁଳ ସମ୍ଭାବନା ଓ ଶକ୍ତି ନେଇ ଆତ୍ମପ୍ରକାଶ କରିଛନ୍ତି ।” ଏହି ନାଟକର ବିଷୟବସ୍ତୁ ପ୍ରଥମେ ‘ନୁଟୁ ମୁକ୍ତାରେ ରସଜ୍ଞାଲ’ ନାମରେ ଗଳ୍ପକାରରେ ପ୍ରକାଶ ପାଇଥିଲା-। ପରେ ସେଥିରେ ନାଟ୍ୟକାର ଙ୍କ ସହଜ କୌତୁକବାଦ ଓ ଦେଶପ୍ରେମ ରୂପ ଲାଭ କଲା ।

 

ସେତେବେଳେ ରଙ୍ଗମଞ୍ଚ ସହିତ ସମ୍ପୃକ୍ତକୁ କେହି ସୁସ୍ଥ ଚକ୍ଷୁରେ ଦେଖୁ ନଥିଲେ । କାରଣ ତାହା ମଦ୍ୟ ଓ ମୈଥୁନ ର କେନ୍ଦ୍ରସ୍ଥଳୀ ରିହାର୍ସାଲ୍ । ସେଥିପାଇଁ କଳାକାର ମଣ୍ଡଳୀ କମ୍ ଦାୟୀ ନୁହନ୍ତି । ତାରା ଶଙ୍କରଙ୍କ ଜୀବନରେ ଗୋଟିଏ ସେହିପରି ଉଲ୍ଲେଖଯୋଗ୍ୟ ଘଟଣା ଘଟିଥିଲା । ‘ପଥେର ଡାକ’ ନାଟକ ଅଭିନୟର ଅଭ୍ୟାସ ସମୟରେ ଲେଖକ ଅର୍ଶ ରୋଗ ଭୋଗୁଥିଲେ । ସେ ରିକ୍ସାରେ ବସି ଯିବା ଆସିବା କରନ୍ତି, ଯନ୍ତ୍ରଣା ମଥିତ ଶରୀର ତାଙ୍କର ଅନ୍ୟମାନଙ୍କ ଚକ୍ଷୁରେ ମଦ୍ୟ ନିଶାଗ୍ରସ୍ତ ବୋଲି ପ୍ରତିଭାତ ହେଉଥିଲା । କେତେ ଜଣ ମଙ୍ଗଳାକାଙ୍‌କ୍ଷୀ ବନ୍ଧୁ ତାଙ୍କୁ ସନ୍ଦେହ ବିଷୟ ବ୍ୟକ୍ତ କରିବାରୁ ତାରାଶଙ୍କର ତାଙ୍କ ରୋଗଯନ୍ତ୍ରଣା କଥା ଜଣାଇଲେ । ନାଟକ ‘ପଥେର ଡାକ’ ନାଟକର ଗୋଟିଏ ନାରୀ ଚରିତ୍ରରେ ଅଭିନୟ କରୁଥିବା ଶିଳ୍ପୀ ଅଭିଯୋଗ କଲେ ଯେ, ସେ ଦର୍ଶକଙ୍କ କରତାଳି ପାଇପାରୁ ନାହାନ୍ତି ଯାହା ଲେଖକ ତାଙ୍କୁ ମିଳିବା କଥା କହିଥିଲେ । ନାଟକରେ ନାମଜାଦା ଅଭିନେତା ଓ ନିର୍ଦ୍ଦେଶକଙ୍କ ଭୁଲ୍ ନିଷ୍ପତ୍ତି ତାରାଶଙ୍କରଙ୍କୁ ବାଧିଥିଲା । ସେ ଯେପରି ଅଭିଜ୍ଞ ଅଭିନେତା ସେହିପରି ଶକ୍ତିଧର ନାଟ୍ୟକାର । କେଉଁ ଭୂମିକା ପାଇଁ କିଏ ଯୋଗ୍ୟତମ ବ୍ୟକ୍ତି ସେ ଜାଣନ୍ତି । ମାତ୍ର ଅଭିନେତାମାନଙ୍କ ଜିଦ୍‌ଖୋର ମନୋବୃତ୍ତି ହେତୁ ଭୂମିକା ବଣ୍ଟନରେ ତ୍ରୁଟି ହେଲା । ଫଳରେ ନାଟକର ସଫଳତା ସମ୍ଭବ ହେଲାନାହିଁ । ତାରାଶଙ୍କର ଉତ୍ତର ଦେଲେ—ଯେଉଁଠାରେ ଯେପରି ଭାବରେ ପ୍ରବେଶ ଓ ଅଭିନୟ କରିବା କଥା ସେପରି ହେଉ ନଥିବା ହେତୁ ସେ କରତାଳି ର ଯୋଗ୍ୟ ହୋଇପାରୁନାହାନ୍ତି । ଆଉ କେତେ ମିନିଟ୍ ପରେ ଆସୁଥିବା ଦୃଶ୍ୟରେ ତାଙ୍କ କହିବା ମୁତାବକ ପ୍ରବେଶ ଓ ଅଭିନୟ କଲେ ଦର୍ଶକ ମାନଙ୍କ କରତାଳି ଦେବା ନଦେବା ସେ ନିଜେ ଅନୁଭବ କରି ପାରିବେ । ପାଖରେ ନାଟକର ପ୍ରତିଭାଶାଳୀ ନାୟିକା ପ୍ରଭାଦେବୀ ମଧ୍ୟ ଥାନ୍ତି । ତାରାଶଙ୍କର ପ୍ରବେଶ କିପରି କରିବାକୁ ହେବ ଓ ଅଭିନୟ କିପରି କରିବାକୁ ହେବ ସେ ବିଷୟରେ ସୂଚନା ଦେଲେ । ଦୃଶ୍ୟର ସମୟ ଆସିଗଲା ଅଭିନେତ୍ରୀ ଜଣକ ଲେଖକଙ୍କ ନିର୍ଦ୍ଦେଶ ମତେ ପ୍ରବେଶ କଲେ ଓ ଅଭିନୟ କଲେ । ପ୍ରେକ୍ଷାଗୃହ ଆନନ୍ଦ ଗୁଞ୍ଜନ ସହ କରତାଳି ରେ ଶବ୍ଦାୟିତ ହୋଇଉଠିଲା । ଏହି ଘଟଣାର ପରିଣତ ଅତି କଦର୍ଯ୍ୟ ତଥା ଅଶାଳୀନ । ନିର୍ଦ୍ଦେଶକ ପରିଚାଳକଙ୍କ ନିକଟରେ ଲେଖକଙ୍କ ବିରୁଦ୍ଧରେ ତୀବ୍ର ଅଭିଯୋଗ ବାଢ଼ିଲେ । ପରିଚାଳକ ଦିନେ ଡାକି ସେ ଦିନର ଘଟଣା ବିଷୟରେ ଜିଜ୍ଞାସା କଲେ ଏବଂ କହିଲେ—“ମୁଁ ସେ ଅଭିଯୋଗର ଭାଷା ତ ଆପଣଙ୍କୁ କହିପାରିବିନି ଏ ପତ୍ର ପଢ଼ି ଦେଖନ୍ତୁ । ଖଣ୍ଡିଏ ପତ୍ର ଲେଖକଙ୍କୁ ବଢ଼ାଇ ଦେଇ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ—“ଏମାନଙ୍କ ସହିତ ମିଳାମିଶା କରିବା ବିପଦଜନକ ତାରାଶଙ୍କର ବାବୁ । ମୁଁ ବିଶେଷ ଦୁଃଖିତ ।” ସେ ଚିଠିରେ ଲେଖାଥିଲା ତାରାଶଙ୍କର ଅଭିନେତ୍ରୀ ମାନଙ୍କ ପ୍ରେମାଭିଳାସୀ ହୋଇ ଷ୍ଟେଜ ଭିତରକୁ ଯା’ନ୍ତି । ସେହିଦିନ ଠାରୁ ସେ କେବେ ଷ୍ଟେଜ ଭିତରକୁ ଯାଇ ନାହାଁନ୍ତି । ନାଟକ ଲେଖାର ଅଭିଳାଷ ବୋଧହୁଏ ସେହି ଦିନଠାରୁ ମନ୍ଦାୟିତ ହୋଇଗଲା ।

 

ତାରାଶଙ୍କର ବାଲ୍ୟ ଜୀବନରୁ ଈଶ୍ୱର ବିଶ୍ୱାସୀ ଥିଲେ । ସେ ସେହି ଅସୀମ ସତ୍ତାର ବିଳାସକୁ ଚତୁର୍ଦିଗରେ ବ୍ୟାପ୍ତ ବୋଲି ଅନୁଭବ କରୁଥିଲେ । ସେହି ସତ୍ତାକୁ ସେ ସର୍ବଦା ଅନୁସନ୍ଧାନ କରିଛନ୍ତି । ତେଣୁ ଭାରତୀୟ ପରମ୍ପରା ଉପରେ ତାଙ୍କର ବଜ୍ର-ବିଶ୍ଵାସ । ସେ ପରମ୍ପରାବାଦୀ ବେଲି ତେଣୁ କଥିତ । ସେ ଗୋଟିଏ ସ୍ମୃତିକଥାରେ ଲେଖିଛନ୍ତି—“ସମ୍ପ୍ରତି ଭାରତ ୟୁରୋପୀୟ ଚଳଣିରେ ଦୀକ୍ଷିତ । ଏଥିରେ ଦୁଇଟି ବେଦ ବିଦ୍ୟମାନ । ପ୍ରଥମଟି ଫ୍ରୟେଡ଼ଙ୍କର, ଦ୍ଵିତୀୟଟି ମାର୍କସଙ୍କର । ପ୍ରଥମର ସୁକ୍ତ ହେଲା—‘କାମ ହିଁ ମୂଳବୀଜ’ । ଫ୍ରୟେଡ଼ୀୟ ଭାଷାରେ ତାହା ଲିବିଡୋ ନାମରେ ମୂଳମନ୍ତ୍ର । ମାର୍କସଙ୍କ ମୂଳ ବୀଜହେଲା—ଭୌତିକ ପଦାର୍ଥ ।” ଏ ଦେଶରେ ଧର୍ମ ହେଉଛି ମୂଳମନ୍ତ୍ର-। ଏହା ସାମ୍ପ୍ରତିକ କାଳରେ ତ୍ୟାଜ୍ୟ ହୋଇଛି । ଏହି ସ୍ଥିତି ଏ ଦେଶର ପରମ୍ପରାକୁ ଶତଧା ବିଦୀର୍ଣ୍ଣ କରୁଛି, ଏଥିରେ ସନ୍ଦେହ ନାହିଁ । ସେ ତେଣୁ ଜଣେ ଖାଣ୍ଟି ଭାରତୀୟ । ସଂସାରରେ ଦୁଃଖ-କଷ୍ଟର ସୀମା ନାହିଁ, ସେହି ଦୁଃଖ-କଷ୍ଟରେ ଜୀବନ ଜର୍ଜ୍ଜରିତ । “କ୍ଷୋଭର କଥା ବା କାହାଣୀ ତ ସାହିତ୍ୟର କଥା ବା କାହାଣୀ ନୁହେଁ । କ୍ଷୋଭ-ଦୁଃଖକୁ ପ୍ରସନ୍ନତା ଓ ପ୍ରଶାନ୍ତି ଜୟ କରିବାର କଥାକାହାଣୀ ହିଁ ସାହିତ୍ୟର ମର୍ମକଥା । ଏହିଠାରେ ହିଁ ସାହିତ୍ୟ ଶାଶ୍ଵତ ଓ ସନାତନ । ଶାସ୍ତ୍ରକାରଗଣ ଏକଥା କହିଯାଇଛନ୍ତି ଏବଂ ସଂସାରରେ ଯେତେ ମହାକବି ଓ ମହତ୍ ସାହିତ୍ୟକାରଙ୍କର ସାହିତ୍ୟ ଏହି କଥାରେ ଚିରନ୍ତନ ମହିମା ଲାଭ କରିଛି ।” ଏଣୁ ସାହିତ୍ୟରେ ଆଶାର ବାଣୀ, ଆନନ୍ଦର ବାଣୀ ପ୍ରକାଶ ପାଇବା ଉଚିତ । ଏହା ମଧ୍ୟ ଉପନିଷଦର ଶିକ୍ଷା-

 

ତାରାଶଙ୍କରଙ୍କ ଉପରେ ସ୍କୁଲ ଜୀବନର ଗୋଟିଏ ଘଟଣା ପ୍ରଭାବ ପକାଇଥିଲା ବୋଲି ସେ ଲେଖିଛନ୍ତି । ଅଧ୍ୟାପକ ଶ୍ରୀ କୁମାର ବାନାର୍ଜୀ ବୀରଭୂମର ସନ୍ତାନ । ସେ ଅସାଧାରଣ କୃତିତ୍ୱ ସହିତ ବି. ଏ. ଇଂରାଜୀ ବିଷୟ ନେଇ ପାଶ୍ କରିଥାନ୍ତି । ସେ ଲାଉପୁରରେ ଥିବା ତାଙ୍କ ପିତାମହୀଙ୍କୁ ପରୀକ୍ଷାରେ କୃତକାର୍ଯ୍ୟତା ନିମନ୍ତେ ପ୍ରଣାମ ଜଣାଇବାକୁ ଆସି ପହଞ୍ଚିଥାନ୍ତି । ସେତେବେଳେ ସ୍କୁଲର ଛାତ୍ର । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରେଣୀମାନଙ୍କରେ ଶ୍ରୀ କୁମାରଙ୍କୁ ବୁଲାଇ ବୁଲାଇ ପରିଚୟ କରାଇ ଦେଉଥାନ୍ତି । ତାଙ୍କୁ ବୀରଭୂମର ଗୌରବ ବୋଲି କହୁଥାନ୍ତି । ତାରାଶଙ୍କରଙ୍କ ପ୍ରାଣରେ ସେଦିନ ଏହି ଘଟଣା ଗଭୀର ପ୍ରଭାବ ପକାଇଥିଲା । ତେଣୁ ସେ ଲେଖିଛନ୍ତି—“ଶ୍ରୀ କୁମାରଙ୍କ ସମ୍ପର୍କରେ ଆମର ହେଡ଼ମାଷ୍ଟର ମହାଶୟଙ୍କ ସେହି କଥା କେଇପଦ ମୋ’ ଜୀବନରେ ଏକ ଅସାଧାରଣ ଶ୍ରଦ୍ଧାର ବେଦୀ ନିର୍ମାଣରେ ଭିତ୍ତି ରଚନା କରି ରଖିଛି ।”

 

ସାହିତ୍ୟରେ ତାଙ୍କର ଅସାଧାରଣ କୃତିତ୍ୱ ନିମନ୍ତେ କଲିକତା, ଯାଦବପୁର ଓ ରବୀନ୍ଦ୍ର ଭାରତୀ ବିଶ୍ଵବିଦ୍ୟାଳୟମାନଙ୍କରୁ ସମ୍ମାନ ସୂଚକ ଡ଼ି. ଲିଟ. ଉପାଧି ଲାଭ କରିଥିଲେ । ଭାରତ ସରକାର ପ୍ରଥମେ ପଦ୍ମଶ୍ରୀ ଓ ପରେ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରିଥିଲେ । ଶରତ ସ୍ମାରକୀ ପୁରସ୍କାର, ରବୀନ୍ଦ୍ର ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଶରତ ସ୍ମୃତିପଦକ, ଦଗତ୍ତାରିଣୀ ପଦକ ଓ ଭାରତୀୟ ଜ୍ଞାନପୀଠର ବାଗଦେବୀ ମୂର୍ତ୍ତି ଲାଭ କରିଥିଲେ । ସାହିତ୍ୟ ଏକାଡେମୀର ରତ୍ନ ସଦସ୍ୟ (ଫେଲୋ) ଭାବରେ ନିର୍ବାଚିତ ହୋଇଥିଲେ । ପଶ୍ଚିମବଙ୍ଗ ବିଧାନ ସଭାର ସଦସ୍ୟ ଓ ରାଜ ସଭାର ସଦସ୍ୟ ଭାବରେ ସେ ମନୋନୀତ ହୋଇଥିଲେ । ସୋଭିଏତ ରୁଷର ତାସକେଣ୍ଟଠାରେ ଅନୁଷ୍ଠିତ ହୋଇଥିବା ଏସିଆ–ଆଫ୍ରିକା ମହା ସମ୍ମିଳନୀରେ ସେ ଭାରତରୁ ପ୍ରତିନିଧିତ୍ଵ କରିଥିଲେ । ସେ କେବଳ ଭାରତରେ ସୁଖ୍ୟାତି ଅର୍ଜନ କରିନାହାନ୍ତି ଆନ୍ତର୍ଜାତିକ କ୍ଷେତ୍ରରେ ତାଙ୍କର ଭାସ୍ୱର ଯଶଃ ଆଲୋକ ବିଚ୍ଛୁରିତ ହୋଇଛି । ବହୁ ଭାରତୀୟ ଭାଷାରେ ଓ ଆନ୍ତର୍ଜାତିକ ଭାଷାରେ ତାଙ୍କ ଉପନ୍ୟାସ, ଗଳ୍ପ ସମୂହ ଅନୂଦିତ ଓ ଚର୍ଚ୍ଚିତ ।

 

ଏହି ମହାନ ପ୍ରତିଭା ୧୯୭୧ ମସିହା ସେପେଟ୍‌ମ୍ବର ୧୪ ତାରିଖ ଦିନ ଇହଲୀଳା ସାଙ୍ଗ କଲେ ।

Image

 

ବେଙ୍ଗୟିଲ କୁଞ୍ଜି ରାମନ ନାୟନାର

 

ଦୂରାଦୟଶ୍ଚନ ନଭସ୍ୟତନ୍ୱୀଃ ତମାଳ ତାଳୀ ବନରାଜି ନୀଳା କେରଳ ପ୍ରଦେଶର ପ୍ରାୟ ଦେଢ଼ କୋଟି ଆଦିବାସୀଙ୍କର ମାତୃଭାଷା ମାଳୟାଲମ୍ । ଏହାର ଐତିହ୍ୟ ପୁରାତନ । ସମ୍ପ୍ରତି ଏହି ଭାଷା ଭାରତୀୟ ବା‌ଙ୍ମୟରେ ବିଶିଷ୍ଟ ସ୍ଥାନରେ ଅଧିକାରୀ । ଏହା ଦ୍ରାବିଡ଼ୀୟ ଭାରତୀୟ ଜ୍ଞାନପୀଠ ପୁରସ୍କାର ପ୍ରଥମ ପ୍ରବର୍ତ୍ତନରେ ୧୯୬୬ ମସିହାରେ ମାଲୟାଲମ ଭାଷାର ମହାକବି ଶ୍ରୀ ଜି. ଶଙ୍କର କୁରୁପ ତାଙ୍କ କାବ୍ୟ–କୃତି ନିମିତ୍ତ ପୁରସ୍କୃତ ହୋଇଥିଲେ । ଉପନ୍ୟାସ ନାଟକ କ୍ଷୁଦ୍ର ଗଳ୍ପ କ୍ଷେତ୍ରରେ ମଧ୍ୟ ଏ ଭାଷା ବେଶ୍ ଅଗ୍ରଗାମୀ । ଗଳ୍ପକାରଙ୍କ ମଧ୍ୟରୁ ବେଙ୍ଗୟିଲ କୁଞ୍ଜି ରାମନ ନାୟନାର ଅଗ୍ର ପୂଜ୍ୟ ।

 

ନାୟନାର ଉତ୍ତର କେରଳରେ ଗୋଟିଏ ସବର୍ଣ୍ଣ ପରିବାରରେ ୧୮୬୧ ମସିହାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତାଙ୍କ ନାମ ହରି ଦାସନ ସୋମୟାଜୀ ପାଟୁଂ ଓ ମାତାଙ୍କ ନାମ କୁଞ୍ଜକ୍‌କମ୍ ଅମ୍ମା । ନାୟରାରଙ୍କୁ ଯେତେବେଳେ ୩୧ ବର୍ଷ ବୟସ ସେତେବେଳେ ତାଙ୍କର ପିତୃ ବିୟୋଗ ଘଟିଥିଲା । ସେ ଥିଲେ ପିତା ମାତାଙ୍କର କନିଷ୍ଠ ସନ୍ତାନ । ସେ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କଲେ । ସେ କାଲିକଟ ଗଭର୍ଣ୍ଣମେଣ୍ଟ କଲେଜରୁ ଉପାଧି ଶିକ୍ଷା ସମାପନ କରି ସେ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସି କଲେଜରେ ନାମ ଲେଖାଇଲେ । କିଛିଦିନ ଉପାଧ୍ୟ‌ୁତ୍ତର ଶିକ୍ଷା ପାଇଲାପରେ ସେ କୃଷି ବିଜ୍ଞାନ ପଢ଼ିଲେ; କୃଷି ବିଜ୍ଞାନ କିନ୍ତୁ ସେ ସଫଳତାର ସହିତ ସମାପନ କଲେ । ତାଙ୍କର କଲ୍ୟାଣୀ ଅମ୍ମା ସହିତ ବିବାହ ସମ୍ପନ୍ନ ହୋଇଥିଲା । କଲ୍ୟାଣୀ ଥିଲେ ଜଣେ ସଂସ୍କୃତ ପଣ୍ଡିତଙ୍କ କନ୍ୟା । ନାୟନାର ଥିଲେ ବ୍ୟଙ୍ଗକାର । ସେ କେଶରୀ, ବଜ୍ରବାହୁ, ବଜ୍ରସୃଚୀ ଓ ଦେଶାଭିମାନୀ ଛଦ୍ମ ନାମରେ ଲେଖୁଥିଲେ । ତାଙ୍କର ଲେଖା ଏପରି ଶକ୍ତିଶାଳୀ ଯେ ୧୮୭୧ରେ ଭ୍ରଷ୍ଟାଚାର ସମ୍ବନ୍ଧରେ ତାଙ୍କ ଲିଖିତ ପ୍ରବନ୍ଧ ଯେତେବେଳେ କେରଳ ପତ୍ରିକାରେ ପ୍ରକାଶ ସରକାର କେତେଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଥିଲେ । ତାଙ୍କର ମାତ୍ର ଅଠର ବର୍ଷ ବୟସ ବେଳେ ତାଙ୍କ ଲେଖା କେରଳ ଚନ୍ଦ୍ରିକାରେ ପ୍ରକାଶ ପାଇଥିଲା । ୧୯୧୧ରେ ତାଙ୍କର ସମଗ୍ର ଲେଖାର ଗୋଟିଏ ସଙ୍କଳନ ପ୍ରକାଶ ପାଇଲା । ତାଙ୍କୁ ଆଲୋଚକଗଣ ମାଲୟାଲମ ଭାଷାର ମାର୍କ ଟ୍ନିନ ବୋଲି ଆଖ୍ୟାୟିତ କରିଛନ୍ତି । ତାଙ୍କ ଲିଖିତ ‘‘ବାସନା ବିକୃତ’’

 

କ୍ଷୁଦ୍ରଗଳ୍ପ ପ୍ରଥମେ ୧୮୯୧ ରେ ‘ବିଦ୍ୟା ବିନୋଦିନୀ’ ପତ୍ରିକାରେ ପ୍ରକାଶ ପାଇଥିଲା । ତାହା ହିଁ ମାଲୟାଲମ ଭାଷାର ସର୍ବ ପ୍ରଥମେ ଗଳ୍ପ ଭାବରେ ସମ୍ମାନିତ । ଆଧୁନିକ କ୍ଷୁଦ୍ରଗଳ୍ପ ସର୍ଟଷ୍ଟୋରୀର ଶୈଳୀ ବା କଳାପକ୍ଷ ଦୃଷ୍ଟିରୁ ଏହି ଗଳ୍ପ ରଚନାଭଙ୍ଗୀ ବୋଲି ମାଲୟାଲମ ଭାଷାର ସମାଲୋଚକଗଣ ଗ୍ରହଣ କରିଛନ୍ତି । ଜଣେ ଆମେରିକ ନ ଆଲୋଚକ କ୍ଷୁଦ୍ର ଗଳ୍ପ ସମ୍ବନ୍ଧରେ କହିବାକୁ ଯାଇଁ ପ୍ରକାଶ କରିଛନ୍ତି କାହାଣୀ ଗୋଟିଏ ଘୋଟକ ସଦୃଶ । ଯାହାର ଚଳନକ୍ରିୟାର ଆଦି ଅନ୍ତ ବିଶେଷ ମହତ୍ତ୍ଵପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଶଂସିତ ବାସନା ବିକୃତି ପ୍ରଥମ ସଫଳ କାହାଣୀ । ଏଣୁ ନାୟନାର ଯେ ମାଲୟାଲୀ ସାହିତ୍ୟର ପ୍ରଥମ କାହାଣୀକାର ଏହା ଅବିସମ୍ପାଦିତ ।

 

ସେ ବ୍ୟଙ୍ଗାତ୍ମକ କାହାଣୀ ଓ ପ୍ରବନ୍ଧ ରଚନାରେ ସିଦ୍ଧହସ୍ତ ଥିଲେ । ତାଙ୍କର କେତୋଟି ପ୍ରସିଦ୍ଧ ଗଳ୍ପ ହେଲା ‘‘ଦ୍ଵାରକା’’ ‘ପରମାର୍ଥ’ ‘ମାନ୍ଦ୍ରାଜର କାର୍ଟୁନ’ ‘ଫୁଟା’ ‘କପାଳ’, ‘ବ୍ରାହ୍ମଣର ତନ୍ତ୍ର’, ‘ମୋ’ ପ୍ରାଣ ନାଥଙ୍କ ପାଇଁ, ‘ମୋ’ର କାଲିକଟ ଯାତ୍ରା, ‘ଅନ୍ୟଥା ଚିନ୍ତି ତମ୍ କାର୍ଯ୍ୟଂ ଦୈବଂ ଅନ୍ୟତ୍ର ଚିନ୍ତୟେତ୍’ ପ୍ରଭୃତି ଓ ପ୍ରସିଦ୍ଧ ରଚନା ହେଲା ‘‘ମରିଯିବାର ସୁଖ’’ ‘ଗ୍ରାମର ଗୁରୁ ନାଥ’ ପ୍ରଭୃତି ଉଲ୍ଲେଖଯୋଗ୍ୟ । ତାଙ୍କୁ କେତେକ ମାଲୟାଲୀ ସାହିତ୍ୟର ଜନାଥନ ସୁଇଫ୍‌ଟ ମଧ୍ୟ କହନ୍ତି ।

 

ସେ ମାଲବାର ଜିଲ୍ଲାପରିଷଦର ସଭ୍ୟ ଥିଲେ ମାନ୍ଦ୍ରାଜ ପ୍ରତିନିଧି ସମାଜର ସଦସ୍ୟ ଭାବରେ ମଧ୍ୟ ନିର୍ବାଚିତ ହେଇଥିଲେ । ୧୯୧୪ ରେ ସେ ଦେହରକ୍ଷା କଲେ । ସେ ମାଲବାରରେ କୃଷି ଓ ବ୍ୟବସାୟାଦି କ୍ଷେତ୍ରରେ ନିଜର ପ୍ରାୟୋଗିକ ବିଜ୍ଞାନର ସଫଳ ବିନିଯୋଗ କରିଥିଲେ ।

 

ସେ ଜଣେ ସଫଳ ପତ୍ରକାର । ସେ ୧୮୬୨ ରେ ‘ବିଦ୍ୟା ବିନୋଦିନୀ’ ପତ୍ରିକାର ସହସମ୍ପାଦକ ଭାବରେ ଯୋଗ ଦେଇଥିଲେ । ମାଲୟାଲୀ ଭାଷାରେ ଜଣେ ସଫଳ ବ୍ୟଙ୍ଗକାର ଭାବରେ ସେ ବିଶିଷ୍ଟ ସ୍ଥାନର ଅଧିକାରୀ ।

Image